Unknown

 

 

 

 

 

 

 

 

 

 

 

ଶିକାର ଅନୁଭୂତି

ଡକ୍ଟର ଗୁରୁପ୍ରସାଦ ମହାନ୍ତି

 

ପଦେଅଧେ

 

ପିଲାବେଳେ ଜୀବଜନ୍ତୁଙ୍କ କଥା ଶୁଣିବାକୁ ଓ ସେମାନଙ୍କୁ ଜଙ୍ଗଲର ପ୍ରାକୃତିକ ପରିବେଶ ମଧ୍ୟରେ ଦେଖିବାକୁ ଭାରି ମଜା ଲାଗୁଥାଏ । ବାପା ଯେତେବେଳେ ପୁଲିସ ଚାକିରି କରୁଥାନ୍ତି ଓ ମୁଁ ଛୁଆ ହୋଇଥାଏ–ଦିନକର କଥା ମୋର ବେଶ୍‌ ମନେ ଅଛି । ସେତେବେଳକାର ମୟୁରଭଞ୍ଜର ପୋଲିସ ସୁପରିନ୍‌ଟେଣ୍ଡେଣ୍ଟ ସାହେବ ଦାଶ ବାବୁ ଆସିଥିଲେ ବାପା ଥିବା ଜାଗାକୁ ଗସ୍ତରେ । ରାତିରେ ବଡ଼ ବଡ଼ ଦୁଇଟା ଭାଲୁ ମାରି ଆଣିଥାନ୍ତି । ତହିଁ ଆରଦିନ ମୁଁ ବଡ଼ିସକାଳୁ ଉଠି ଯାଇ ଡାକବଙ୍ଗଳାରେ ହାଜର ହେଲି ଏବଂ ସେ ଭାଲୁ ଦୁଇଟିକୁ ମନ ପୂରାଇ ଦେଖିଥିଲି । ମନେ ମନେ ଭାବିଥିଲି ଏମିତି ଗୋଟାଏ ଭାଲୁ ମାରିପାରନ୍ତି କି ବନ୍ଧୁକରେ । ସେତେବେଳେ ଗୋଟାଏ ଭାଲୁ ମାରିପାରିଲେ ବଡ଼ ଶିକାରୀ ବୋଲି ଗଣା ହେଉଥିଲା । ମହାବଳ ବାଘ ମାରିଲେ ତ ଖୁବ୍ ବଡ଼ ଶିକାରୀରେ ଗଣା ହେବା କଥା !

 

ବାପା ବହଳଦାରେ ଥିଲାବେଳେ ଦୁଇଟା ଚିତାବାଘ ଭାରି ଉପଦ୍ରବ କରୁଥିଲେ ବୋଲି ମୋର ଏବେ ବି ମନେପଡ଼ୁଛି । ଆମ ବସାଘରୁ ହାଇସ୍କୁଲକୁ ଯିବା ବାଟରେ ହୁଡ଼ିଟିଏ ପଡ଼େ । ହୁଡ଼ି ପାର ହେଲେ ସ୍କୁଲ । ଠିକ୍ ସଞ୍ଜବେଳେ କଲରାପତରିଆ ବାଘ ଦୁଇଟା ହୁଡ଼ିରୁ ଗଡ଼ି ଆସି ବହଳଦା ଗାଁ ଆଡ଼କୁ ଆସନ୍ତି କୁକୁଡ଼ା ମାଙ୍କଡ଼ା ଧରି ଖାଇବାକୁ । ଅନେକ ଥର ଲୋକମାନେ ସେ ଦୁଇଟିକୁ ଦେଖିଛନ୍ତି ଓ ଛାନିଆ ହୋଇଛନ୍ତି ମଧ୍ୟ । କିଛିଦିନ ପରେ ଆମେ ଛୁଟିରେ ଆସିଲୁ ଆମ ନିଜ ଗାଁକୁ-। ଗାଁରୁ ଫେରି ଶୁଣିଲୁ ଦୁଇଟିଯାକ ଚିତାବାଘକୁ ଜଣେ ଶିକାରୀ ଠିକ୍ ଆମ ବସାଘର ପଛପଟ ଅଶ୍ୱତଥ ଗଛରେ ମଞ୍ଚାବାନ୍ଧି, ଗୋଟାଏ ଗୋରୁ ମଢ଼ ଉପରେ ଜଗି ରହି, ମାରି ଦେଇଛି-। କେଡ଼େ ଶିକାରୀଟିଏ ସେ ହୋଇ ନ ଥିବ ତାହାହେଲେ ।

 

ଏମିତି ଛୁଆ ଦିନର ବହୁତ ଭାବନା । ଥରେ ବାପା ବାଙ୍ଗିରିପୋଷିରେ ଥାନ୍ତି । ଆମ ମୟୁରଭଞ୍ଜ ରାଜାସାହେବ ଗଲେ କାନଛିଣ୍ଡା । ବାପା ଅନେକ ବନ୍ଦୋବସ୍ତ କରିଥାନ୍ତି । ବହୁତ କୁକୁଡ଼ା-ମାଙ୍କଡ଼ା ଯୋଗାଡ଼ ହୋଇଥାଏ । ମୁଁ ଜିଦ୍ ଧଇଲି ମୁଁ ମଧ୍ୟ ବାପାଙ୍କ ସାଙ୍ଗରେ ବାଙ୍ଗିରିପୋଷିରୁ କାନଛିଣ୍ଡା ଯିବି । ବାଧ୍ୟ ହୋଇ ବାପା ମୋତେ ସାଙ୍ଗରେ ନେଲେ । ଗୋଟାଏ ତମ୍ବୁରେ ରହିଲୁ । ରାଜା ସାହେବ ଓ ତାଙ୍କର ପାଖ ଲୋକମାନେ ବଡ଼ ଡାକବଙ୍ଗଳାରେ ରହିଲେ । ବହୁତ ଶିକାର ହେଲା । ଖାଇବା ପିଇବା ଧୁମ୍‌ଧାମ୍ ଚାଲିଲା । ଭାରି ମଜା ଲାଗିଥିଲା । ମନେ ମନେ ବିଚାରିଥିଲି ବଡ଼ହେଲେ ମୁଁ ମଧ୍ୟ ଏପରି ଏକ ପାରିଧିରେ ଯିବି-ଖୁବ୍‌ ଧୁ‌ମଧାମ୍‌ କରିବି-ଶିକାର କରିବି-ଇତ୍ୟାଦି ଇତ୍ୟାଦି...

 

ବାପାଙ୍କର ସାଙ୍ଗ ସୀତାନାଥ ବାବୁ ତାଙ୍କର ବାର୍‌ବୋର ଦୁଇନଳିଆ ବନ୍ଧୁକ ଧରି ଯେତେବେଳେ ଚଢ଼େଇ ମାରୁଥିଲେ ଥାନା ପଛ ଜଙ୍ଗଲରେ ମୁଁ ଦଉଡ଼ିଥାଏ ତାଙ୍କ ପଛରେ ଶିକାର ଦେଖିବାକୁ । ଥରେ ସେ ଚଢେଇ ନ ପାଇ ଢେମଣା ସାପଟାଏ କଣ୍ଟାଗଛ ଉପରୁ ମାଇଲେ । ଏକାଗୁଳିକେ ମଲା । ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇ ବଡ଼ ବଡ଼ ଢେମା ଢେମା ଆଖିରେ ତାଙ୍କୁ ଅନାଇ ରହିଲି । କରଞ୍ଜିଆରେ ଥିଲା ବେଳେ ଲାଲୁବାବୁଙ୍କ ଶିକାର କଥା ତ ଶୁଣି ଶୁଣି ମନ ପୁରିଯାଉଥାଏ-। କେତେ ମଣିଷଖିଆ ବାଘ ମାରିଛନ୍ତି ସେ । ତାଙ୍କର : ବଡ଼ପୁଅ ମୋ ସାଙ୍ଗରେ ପଢ଼ୁଥିଲା-। ଅନେକ କଥା ତା’ ବାପାଙ୍କର ହୋଇ କହେ । ମୁଁ ଶୁଣେ । ଶିକାର ପାଇଁ ମନ ଦଉଡ଼େ-

 

ଥରକର ମନେଅଛି, ବାପାଙ୍କ ପାଖକୁ ଖବର ଆସିଲା, ଚିତାବାଘଟାଏ ଗୋଟାଏ ଗାଁରେ ଜଣକ ଘରେ ପଶିଯାଇଛି–ତେଣୁ ତାକୁ ମାରିବାକୁ ହେବ । ଭାଇ ମଧ୍ୟ ଛୁଟିରେ ଆସିଥାନ୍ତି । ବାପା ଓ ଭାଇ ଦୁହେଁ ବାହାରିଲେ ମୟୂରଭଞ୍ଜ ଥାନାର ପୁରୁଣାକାଳିଆ ମାସ୍‌କେଟ ବନ୍ଧୁକ ଧରି । ମୁଁ ବାହାରିଲି । ମାତ୍ର ମୁଁ ଅତି ପିଲା ହୋଇଥିବାରୁ ମୋତେ ନେଲେ ନାହିଁ । ପରେ ଶୁଣିଲି ବହୁ କଷ୍ଟରେ ସେ ଚିତାକୁ ମରାଗଲା ବୋଲି । ଚାଳଘର କଣା କରି ଉପରୁ ବନ୍ଧୁକ ମାରି ଘାଉଲା କରାଗଲା–ତା’ପରେ ସେ କିପରି ଡେଇଁ ସେ କଣା ଚାଳବାଟେ ପଦାକୁ ଆସିଲା–ତା’ପରେ କିପରି ରାତି ହୋଇଗଲା । ରାତିରେ ପେଟ୍ରୋମାକ୍‌ସ ଆଲୁଅକୁ କିପରି ଚିତାବାଘ କାମୁଡ଼ି ତା’ର ପାଟି ପୋଡ଼ିଗଲା ଓ ପରେ ପରେ ତିନି ଚାରି ଗୁଳିରେ ସେ କିପରି ମଲା..ଇତ୍ୟାଦି ଇତ୍ୟାଦି..ଶୁଣି ଶୁଣି ମନେହୋଇଥିଲା ମୁଁ ଯାଇଥାନ୍ତି କି ଏକା ଗୁଳିକେ ତାକୁ କ’ଣ ମାରି ଦେଇ ନ ଥାନ୍ତି !

 

ଯାହାହେଉ ମିଲଟେରିରୁ ଫେରି ବଡ଼ଭାଇ କଟକରେ ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ ସାହେବ ହେଲେ । ସୁବିଧା ମିଳିଲା । ସେତେବେଳକୁ ଦେଶ ନୂଆ କରି ସ୍ୱାଧୀନ ହୋଇଥାଏ । ଅନେକ ଥର କଟକରୁ ଦୂର ଜଙ୍ଗଲମାନଙ୍କୁ ପାରିଧିରେ ଯାଇଛି । ବନ୍ଧୁକ ଧରି ନିଜେ ଖୁବ୍‌ ଶିକାର କରିଛି । ଅନେକ ଜୀବଜନ୍ତୁଙ୍କ ମେଳରେ ପଶିଛି । ହାତୀ ମାରିଛି । ମହାବଳ ବାଘକୁ ମାରିବା ପାଇଁ ଜଗି ବସିଛି–ଏପରି କେତେ କ’ଣ କରିଛି । ସେହି ସବୁ ଅଭିଜ୍ଞତାକୁ ଏ ବହିରେ ଲିପିବଦ୍ଧ କଲି । ଛୋଟ ଛୋଟ ପିଲାମାନେ ଏହାକୁ ପଢ଼ି ଯଦି କିଛିଟା ଆନନ୍ଦ ଉପଭୋଗ କରନ୍ତି ମୁଁ ନିଜେ ବଡ଼ ଖୁସି ହେବି । କାରଣ ଏବ କାଳରେ ଆଉ ଜନ୍ତୁଜୁନ୍ତା ସେମିତି ନାହାନ୍ତି ତ । ବଡ଼ ଜଙ୍ଗଲ ବି ସେମିତି ନାହିଁ । ଆମେ ଛୁଆ ଥିଲାବେଳେ ରାଜା ମହାରାଜାମାନେ କେବଳ ଶିକାର କରୁଥିଲେ, ତାଙ୍କ ନିଜ ଜଙ୍ଗଲରେ । ଆଉ ଖୁବ୍‌ ବଡ଼ ବଡ଼ ଅଫିସରମାନେ ବେଳେ ବେଳେ ଶିକାର କରିପାରୁଥିଲେ । ଏବେ ରାଜାମାନେ ତ ଆଉ ନାହାନ୍ତି । ତଥାପି ଏ ଯେଉଁ ନକଲି ରାଜା ମହାରାଜା ସବୁ ତିଆରି ହୋଇ ଯାଇଛନ୍ତି, ଆମ ଦେଶ ସ୍ୱାଧୀନ ହେଲା ପରେ, ସେଇମାନେ ହିଁ କେବଳ ଶିକାର କରିପାରୁଛନ୍ତି । ସତରେ କହିବାକୁ ଗଲେ ଶିକାର ତ ନୁହେଁ କେବଳ ପୋଚିଂ କରିବାକୁ ଭଲପାଉଛନ୍ତି । ବାବୁଭୟାମାନେ ଚାଲି ଚାଲି ଯେ ଆନନ୍ଦ ମିଳେ; ସେ ଆନନ୍ଦରୁ ସେମାନେ ବଞ୍ଚିତ-

 

ତା’ପରେ ଜଙ୍ଗଲ ବା ସେମିତି କାହିଁ ? ସବୁ ତ ଗଲାଣି ଏଇ କେଇ ବର୍ଷ ଭିତରେ ! ଆଉ କିଛି ଦିନ ପରେ ବୋଧେ ଜଙ୍ଗଲର ସତ୍ତା ବି ରହିବ ନାହିଁ କି ଜୀବଜନ୍ତୁଙ୍କୁ ପ୍ରାକୃତିକ ପରିବେଶ ମଧ୍ୟରେ ଦେଖି ହେବ ନାହିଁ–କେବଳ ଚିଡ଼ିଆଖାନାରେ ଯାହା ଦେଖି ହେବ । ସେଇଥିପାଇଁ ଏ ଲେଖା । ଏହାକୁ ପଢ଼ି ଯଦି ଆମ ଛୁଆ ପିଲାମାନଙ୍କର ଜୀବଜନ୍ତୁଙ୍କ ପାଇଁ ଆଗ୍ରହ ବଢ଼ିବ ବା ବଣ ଜଙ୍ଗଲ ପ୍ରତି ଅନୁରକ୍ତି ଆସିବ ତାହାହେଲେ ଅବା ଅନେକଟା ସୁଧାରି ଆସିବ ସେଇ ଛୁଆପିଲାମାନଙ୍କ ଚାପରେ । ତାହେଲେ ଆମ ଜଙ୍ଗଲରେ ଜୀବଜନ୍ତୁଙ୍କୁ ସେଇମାନେ ହିଁ ରକ୍ଷା କରିପାରିବେ । ଏଇ ଆଶାରେ ଏ ବହିଟି ତାଙ୍କରି ହାତରେ ସମର୍ପି ଦେଲି ।

 

ଗୋଟାଏ ପ୍ରଶ୍ନ ମନରେ ଉଠେ–ଏ ପୃଥିବୀଟା ଖାଲି କ’ଣ ମଣିଷଙ୍କର ? ମଣିଷ କ’ଣ କେବଳ ସବୁ ନଷ୍ଟ କରି ଦେବାର ଅଧିକାରୀ ? ଏ କଥା କାହିଁକି ମୋ ମନକୁ ମୋଟେ ପାଉନାହିଁ । ଏ ପୃଥିବୀ ତ ଆମ ସମସ୍ତଙ୍କର–ଆମର ଓ ଜୀବଜନ୍ତୁ କୀଟପତଙ୍ଗର ମଧ୍ୟ । ଏ ଯୁଗରେ କୀଟପତଙ୍ଗ ଓ ଜୀବଜନ୍ତୁଙ୍କର ରକ୍ଷଣାବେକ୍ଷଣ ପାଇଁ କେବଳ ମଣିଷ ହିଁ ଦାୟୀ । ଦେଶ ସ୍ୱାଧୀନ ହେଲା ପରେ ଆମେ ଭାବିଲୁ, ଇଂରେଜ ସରକାରଠୁ ଆମେ ଆମ ଦେଶକୁ ଲୁଟିକରି ଛଡ଼ାଇ ନେଇ ଆସିଲୁ ବୋଲି । ସେଥିପାଇଁ ଚାଲିଲା ଧ୍ୱସଂର ଲୀଳା । ଯିଏ ପାରିଲେ ଥୋକେ ମାରିନେଲେ । କେହି ହେଲେ ବିଚାର କଲାନାହିଁ ଆଗତ ଭବିଷ୍ୟତରେ କ’ଣ ହେବ ? ଯଥେଚ୍ଛାଚାର ଚାଲିଲା । କେତେ ଯେ ଜଙ୍ଗଲ ନଷ୍ଟ ହୋଇଛି ଏ ସତେଇଶ ବର୍ଷ ଭିତରେ ତା’ର କ’ଣ କିଛି ଠିକଣା ଅଛି ? କେତେ ଯେ ଜନ୍ତୁଙ୍କୁ ମରାଯାଇଛି, ତା’ର କ’ଣ କିଛି ହିସାବ ରହିଛି ? ହଠାତ୍‌ ତ ସମସ୍ତେ ସ୍ୱାଧୀନ ହୋଇଗଲେ–ମାତ୍ର ପ୍ରକୃତ ସ୍ୱାଧୀନତାର ମୂଲ୍ୟ କେହି ବୁଝିଲେ ନାହିଁ । ଆଜି ପର୍ଯ୍ୟନ୍ତ ବି ଅନେକ ଶିକାରୀ ବୋଲାଉଥିବା ଲୋକ ଅତି ନିଃସଙ୍କୋଚରେ କହିଯାଉଚନ୍ତି ଓ ବାହାଦୂରୀ ନେଉଛନ୍ତି ଯେ ଗୋଟାଏ ଗୋଟାଏ ରାତିରେ ସେମାନେ ହରିଣ, ସମ୍ୱର ପଲ ପଲ ମାରିଦେଇଛନ୍ତି । ଜଣେ ମୋତେ କହିଲେ ଗୋଟାଏ ରାତିରେ ସେ ପ୍ରାୟ ପନ୍ଦରଟା ସମ୍ୱର ଓ ହରିଣ ମାରିଥିଲେ ଓ ଆଉ ପନ୍ଦରଟା ହେବ ଘାଉଲା କରି ଦେଇଥିଲେ–ଏଇ ଆମ ଢେଙ୍କାନାଳ ଜଙ୍ଗଲରେ । ଘାଉଲା ହୋଇଥିବା ଜନ୍ତୁମାନେ ବଳିଆ କୁକୁର ବା ଗଧିଆର ଶିକାର ହୋଇଥିବେ ନିଶ୍ଚୟ । ସେ ଭଦ୍ରଲୋକ ଗୋଟାଏ ଟ୍ରକରେ ସେ ସବୁକୁ କଟକ ନେଇ ଆସିଥିଲେ । ଏହିପରି ଶହ ଶହ ପୋଚର ରାତିରେ ଜିପ୍‌ ଗାଡ଼ି ଚଢ଼ି, ଅତି ଉଜ୍ଜ୍ୱଳ ଆଲୁଅ ନେଇ ଜନ୍ତୁଙ୍କ ଆଖିରେ ପକାଇ, ଢୋ ଢୋ ବନ୍ଧୁକ ଫୁଟାଇ ହଜାର ହଜାର ଜନ୍ତୁଙ୍କୁ ମାରିପକାଇଲେ । ବର୍ଷ କେଇଟା ଲାଗିଲା ନାହିଁ ଜନ୍ତୁଙ୍କୁ ମୂଳପୋଛ କରିବାରେ । ଯେଉଁଠିକି ଦିନ ଦ୍ୱିପହରରେ ଲୋକ ଡରୁଥିଲେ ଯିବାକୁ କେବଳ ବାଘ ଭୟରେ–ସେଇଠି ରାତି ଦୁଇଟାରେ ମଧ୍ୟ ଲୋକେ ନିଡ଼ରୁଆ ହୋଇଗଲେ । ବଣ ଜଙ୍ଗଲ କୁଆଡ଼େ ସବୁ ମିଳାଇଗଲା–ତା’ର ଆଉ ସତ୍ତା ରହିଲା ନାହିଁ ।

 

ଏଣିକି ମସୟ ଆସିଛି ସେ ସବୁ ଅପକର୍ମର ମର୍ମ ବୁଝିବାପାଇଁ । ଜଙ୍ଗଲ ବିନା କ’ଣ ମଣିଷ କେବେ ହେଲେ ବଞ୍ଚିପାରିବ ? ଜଙ୍ଗଲର ଉପକାରିତା ଯେ କେତେ, ତା’ କ’ଣ ଛୋଟ ପିଲାଟିଏ ହେଲେ ବି ବୁଝିପାରୁନି ! ଜଙ୍ଗଲ ନ ଥିଲେ ଆମର ଏ ସଭ୍ୟତା କ’ଣ ତିଷ୍ଠି ରହି ପାରିବ-? କାଠର ଯେ କି ଚାହିଦା ଅଛି ଆମ ସଭ୍ୟତାରେ ତା’ କେବଳ ଗୋଟାଏ ଉଦାହରଣରୁ ବୁଝି ହେବ । ଆଚ୍ଛା, ଏ ଯେଉଁ ବହି ପଢ଼ୁଛ ତା’ର କାଗଜ କ’ଣ ଜଙ୍ଗଲଜାତ କାଠ ବାଉଁଶରୁ ନୁହେଁ-? ମାତ୍ର କିଏ କ’ଣ କେବେ ଭାବୁଛି ଜଙ୍ଗଲ ନଷ୍ଟ କରିବା ମହାପାପ ? ପୁରାଣ କାଳରେ ଆମ ଭାରତରେ ହିଁ ଆମ ପୂର୍ବପୁରୁଷମାନେ ବୁଦ୍ଧିଆ ଳୋକ ଥିଲେ । ସେମାନେ ଆଇନ କରିଦେଇଥିଲେ ଯେ ଗୋଟାଏ ଗଛ ଯେ କାଟିବ ସେ ଅନ୍ତତଃ ପକ୍ଷେ ସାତୋଟି ଗଛ ଲଗାଇଥିବ ଆଗରୁ-। ମାଡ଼ାଗାସ୍କାର ଦେଶରେ ଏପରି ଆଇନ୍‍ ଥିଲା ଯେ ବେଆଇନରେ ଯଦି କେହି ଗଛଟିଏ କାଟି ପକାଏ, ତା’ହେଲେ ତା’ର ମୁଣ୍ଡକାଟ ହେବାର ମସୁଧା କରାଯାଉଥିଲା । ସେମାନେ ବୁଝିଥିଲେ ଜଙ୍ଗଲର ଉପକାରିତା କ’ଣ । ସେମାନେ ବୁଝିଥିଲେ କିପରି ଜଙ୍ଗଲରୁ ଦାନ୍ତକାଠିଠାରୁ ଆରମ୍ଭ କରି ପତ୍ର, ଲଇ, ଝୁଣା, ଲାଖ, ଟସର, ଜାଳେଣି କାଠ, ଟିମ୍ୱର, ନାନାଜାତିର ଫଳ ମୂଳ ଓ ଔଷଧ ଆଦି ମିଳିଥାଏ । ଘରକରଣାର ଯାବତୀୟ ଜିନିଷ ଜଙ୍ଗଲରୁ ହିଁ କିଳେ । ଆଜିର ଏ ବିଜ୍ଞାନ ଯୁଗରେ ମଧ୍ୟ ମଣିଷ ଜଙ୍ଗଲ ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ଏ କଥା ଜାଣିଲେ ତମେମାନେ ନିଶ୍ଚୟ ଆଉ ଗଛ କାଟି ପକାଇବ ନାହିଁ କି ଅକାରଣରେ ଜଙ୍ଗଲ ନଷ୍ଟ କରି ଦେବା ପାଇଁ ମନ ବଳାଇବ ନାହିଁ-। ଜଙ୍ଗଲ ରହିଲେ ତ ଖାଲି ଜଙ୍ଗଲ ହୋଇ ରହିବ ନାହିଁ–ତା’ ଭିତରେ ଜନ୍ତୁଜନ୍ତା ନିଶ୍ଚୟ ରହିବେ-। ସେମାନଙ୍କର ରହିବା ନିତାନ୍ତ ଦରକାର ମଧ୍ୟ, ଇକୋଲଜିକେଲ ଦୃଷ୍ଟିରୁ । ତା’ ନ ହେଲେ ଜଙ୍ଗଲର ଉର୍ବରା ଶକ୍ତି ହ୍ରାସ ପାଇଯିବ ।

 

ଜଙ୍ଗଲରେ ଏକୁଟିଆ ବୁଲିଲେ ଯେଉଁ ଶିହରଣ ମିଶା ଆନନ୍ଦ ମିଳେ ତା’ ଆଉ ସିନେମା ଥିଏଟର ଦେଖି କେବେ ହେଲେ ପାଇବ ନାହିଁ । ତେଣୁ ଜଙ୍ଗଲକୁ ଓ ଜୀବଜନ୍ତୁଙ୍କୁ ରକ୍ଷା କରିବାକୁ ପଡ଼ିବ । .....ତା’ହେଲେ ଆଜି ଏତିକିରେ ଥାଉ ।

 

ଗୁରୁପ୍ରସାଦ ମହାନ୍ତି

Image

 

ସୂଚୀପତ୍ର

 

୧.

ବାଘମୁଣ୍ଡାର ଶିଙ୍ଗାଳ

୨.

କଳାହାଣ୍ଡିର କଲରାପତିରିଆ

୩.

ଲବଙ୍ଗିରେ ଶିକାର

୪.

ଲବଙ୍ଗିରେ ଗୋରୁଖିଆ ବାଘ

୫.

ବରବରା ଜଙ୍ଗଲର ଭୂତ

୬.

ବାର୍‍ହା ଶିକାର ନ ହେଲା

୭.

ମୋତେ ଟ୍ରେକାର ସାଜିବାକୁ ହେଲା

୮.

ଉଷାକୋଟିର ଅଭୟାରଣ୍ୟ

୯.

ମାଛମାରିବାର ଗୋଟାଏ ସୈାଖିନ ଉପାୟ

୧୦.

ବାଲିପଦରର ବାଲିହରିଣ

୧୧.

ଚିଲିକାର ବତକମାନେ

୧୨.

ପେରିଆର ଅଭୟାରଣ୍ୟରେ ଛ’ଘଣ୍ଟା

Image

 

ବାଘମୁଣ୍ଡାର ଶିଙ୍ଗାଳ

 

ପଢ଼ିଲାବେଳର କଥା । ମୁଁ ସେତେବେଳେ କଟକ ମେଡ଼ିକେଲ କଲେଜର ଛାତ୍ର । ଡାକ୍ତର ପ୍ରଧାନ ଥାଆନ୍ତି ଭେଷକ ବିଭାଗର ଶିକ୍ଷକ । ଶିକାର ପାଇଁ ତାଙ୍କର ଭାରି ସଉକ । ଥରେ ସେ ଅନ୍ୟ କେତେକ ବିଶିଷ୍ଟ ବଙ୍ଗଳା ଭଦ୍ରବ୍ୟକ୍ତିଙ୍କ ସହିତ ବାହାରିଲେ ଶିକାରକୁ । କଲିକତାର ବାବୁଭୟାମାନେ ମଝିରେ ଓଡ଼ିଶାକୁ ଆସନ୍ତି ଶିକାର ଉବ୍ଦେଶ୍ୟରେ । ମୁଁ ଭାବିଲି ଏମାନେ ବି ବୋଧହୁଏ ସେହିପରି । ମାତ୍ର ପରେ ଜାଣିଲି, ମାନେ ଭୁବନେଶ୍ୱର ଆସିଥାନ୍ତି ବିଶିଷ୍ଟ ବନ୍ଧୁଙ୍କ ପାଖକୁ । ଯାହାହେଉ କଥା ହେଲା ଟିକରପଡ଼ା ଜଙ୍ଗଲ ଆଡ଼େ ଯିବା । ମାତ୍ର ଜନ୍ତୁ ମାରିବା ପାଇଁ ଛାଡ଼ର ଆବଶ୍ୟକ । ମୋର ଭାଇ ସେତେବେଳେ ଅନୁଗୁଳର ଡ଼ି . ଏଫ୍ . ଓ । ସେ ଭାରି କଡ଼ା ଅଫିସର ବୋଲି ନାମଡ଼ାକ ଥାଏ । ତେଣୁ ଜନ୍ତୁ ମାରିବା ପାଇଁ ଛାଡ଼ି ସୁବିଧାରେ ମିଳିଯାଇପାରିବ ବୋଲି ଆାଶାକରି ମୋତେ ମଧ୍ୟ ସଙ୍ଗରେ ନେଲେ । ତା’ ନ ହୋଇଥିଲେ ମୋତେ ସଙ୍ଗରେ ନେବାର କୈାଣସି ପ୍ରୟୋଜନ ନଥଲା । କାରଣ ମୁଁ ଥିଲି ଛାତ୍ର ଓ ଡାକ୍ତର ପ୍ରଧାନ ମୋର ଶିକ୍ଷକ । ମନେ ମନେ ମୁଁ ଯେ ଖୁସି ହୋଇନଥିଲି ଏକଥା ମଧ୍ୟ କହିପାରିବି ନାହିଁ । ସବୁ ଠିକ୍ ଠାକ୍ ହେଲା । ପ୍ରଧାନବାବୁଙ୍କ ଗାଡ଼ିରେ ଆମେ ଗଲୁ ଅନୁଗୁଳ ।

 

ଅନୁଗୁଳରେ ପହଁଞ୍ଚିଲୁ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ । ସେଠାରେ ବିଚାର ହେଲା ଯେ ବଡ଼ି ସକାଳୁ ଟିକରପଡ଼ା ପାଖ ବାଘମୁଣ୍ଡା ବ୍ଲକରେ ଆଡ଼ି କଲେ ଜନ୍ତୁ ଅନେକ ମିଳିବେ । କଲିକତାର ବାବୁମାନେ ତ ଚାଲି ଚାଲି ଶିକାର କରି ପାରିବେ ନାହିଁ । ତେଣୁ ବେଶି ବାଟ ନଚାଲି କିପରି ଜନ୍ତୁ ମରାଯାଇପାରିବ ସେ ବ୍ୟବସ୍ଥା କରିବା ପାଇଁ ଆମକୁ ରାତାରାତି ଟିକରପଡ଼ା ବଙ୍ଗଳାକୁ ଯିବାକୁ ହେବ । ସେଠାରେ ରାତିକ ରହି ବଡ଼ି ସକାଳୁ ‘ହାକା’ (୧) ବା ଆଡ଼ି ପାଇଁ ବନ୍ଦୋବସ୍ତ କରିବାକୁ ହେବ ।

 

(୧) ହାକା-ଆଡ଼ି ବା ପନ୍ତା, ଜନ୍ତୁ ଶିକାରୀ ଆଡ଼କୁ ଅଡ଼େଇ ନେବା ।

 

ମୁଁ ଗଲି ଭାଇଙ୍କ ପାଖକୁ ପରମିଟ୍ (ଛାଡ଼) ପାଇଁ । ଭାଇ ପ୍ରଥମେ ନାହିଁ କରିଦେଲେ । ମୁଁ ତ ଜାଣିଥଲି–ଭାଉଜଙ୍କ ପାକକୁ ଗଲି । ଯାହାହେଉ ଭାଉଜ ଓ ମୁଁ ଦୁହେଁ ବହୁତ ନେହୁରା ହେବାରୁ ଛାଡ଼ଟି ମିଳିଲା । ମହାଆନନ୍ଦରେ ଛାଡ଼ ନେଇ ଆମେ ଗୋଟାଏ ଟ୍ରକ୍‌ରେ ରାତି ୯ଟାରେ ବାହାରିଲୁ ଟିକରପଡ଼ା । କଲିକତାର ବିଶିଷ୍ଟ ବାବୁମାନେ ଜନ୍ତୁ ଦେଖିବାକୁ ଚାହିଁଲାରୁ ଆମେ ସଙ୍ଗରେ ଗୋଟାଏ ‘ସ୍ପଟ୍‌ ଲାଇଟ୍‌’ (୨) ମଧ୍ୟ ନେଲୁ । ବାଟସାରା ‘ସ୍ପଟ୍‌’ ପକାଇ ଅନେକ ଜନ୍ତୁ ଦେଖିଲୁ । ସେତେବେଳେ (୧୯୫୩) ବହୁତ ଜନ୍ତୁ ଥିଲେ ଟିକରପଡ଼ା ଜଙ୍ଗଲରେ । ପଲ ପଲ ହରିଣ, ସମ୍ୱର ଦେ୍ଖିଲୁ । କଲିକତାର ବିଶିଷ୍ଟ ବାବୁମାନେ ଗୋଟାଏ ଜନ୍ତୁ ମାରିବାକୁ ଭାରି ବ୍ୟସ୍ତ ହେଲେ । ମାତ୍ର ରାତିରେ ଆଲୁଅ ପକାଇ ଜନ୍ତୁ ମାରିବାଟା ଏକବାରେ ମନା । ତେଣୁ ଠିକ୍‌ ହେଲା, କୈାଣସି ଜନ୍ତୁ ଫସଲ ଖାଉଥିଲେ ତାକୁ ମରାହେବ । ସେଇଟା ବେଆଇନ୍‌ ହେବ ନାହିଁ, କାରଣ ଫସଲ ନଷ୍ଟ କରୁଥିବା ଜନ୍ତୁକୁ ବିଲରେ ଥିବା ଅବସ୍ଥାରେ ମାରିବା ଜଙ୍ଗଲ ବିଭାଗ ଆଇନ ବିରୁଦ୍ଧ ନୁହେଁ । ଏଇଆ ବିଚାର କରି ମନକୁ ଆଶ୍ୱାସନା ଦେଉଥାଉଁ । ଯୋଗକୁ ଠିକ୍‌ ପମ୍ପାସରଠେଇଁ ଗୋଟାଏ ବଡ଼ ଜଡ଼ା କିଆରୀରେ ଦେଖିଲୁ ମସ୍ତବଡ଼ ଏକ ଶିଙ୍ଗାଳ ସମ୍ୱର ଜଡ଼ା ଖାଉଛି । ସ୍ପଟ୍‌ ଆଲୁଅ ତା’ଉପରେ ପଡ଼ିଲା । ରାତିରେ ସ୍ପଟ୍‌ ଆଲୁଅ ଜନ୍ତୁ ଉପରେ ପଡ଼ିଲେ ଜନ୍ତୁଙ୍କର ଆଖି ଜଳ ଜଳ ଲାଲ କିମ୍ବା ଶାଗୁଆ ହୋଇ ଦେଖାଯାଏ । ପାଖକୁ ଗଲେ ଜନ୍ତୁଟି ପରିଷ୍କାର ମଧ୍ୟ ଦେଖାଯାଏ-। ସମ୍ୱରଟି ମାତ୍ର ପଚାଶ ଷାଠିଏ ଗଜ ଦୂରରେ ଥିବାରୁ ପରିଷ୍କାର ଦେଖାଗଲା । ଡାକ୍ତର ପ୍ରଧାନ ଆଗ ତାଙ୍କ ବନ୍ଧୁକରେ ମାରିଲେ । ତାଙ୍କର ସେତେବେଳେ ଗୋଟାଏ ଛୋଟ ବୋର୍‌ର (୧) ରାଇଫଲ୍‌ ଥାଏ । ‘ବୋର୍‌’ କଥା ମୋର ଠିକ୍ ମନେପଡ଼ୁନି–ବୋଧହୁଏ.୨୭୫ ହେବ କି କ’ଣ ! ତା’ପରେ ବଙ୍ଗାଳି ବାବୁମାନେ ମଧ୍ୟ ମାରିଲେ ତାଙ୍କ ବନ୍ଧୁକରେ । ସମ୍ୱରଟି ପଡ଼ିବା ତ ଦୂରର କଥା–ସେ ବାଡ଼ ଡେଇଁ ପାହାଡ଼ ଉଠିବାକୁ ଆରମ୍ଭ କଲା । ମୁଁ ସଙ୍ଗରେ ନେଇଥାଏ ୪୫୦-୪୦୦ ବୋର୍‌ ଦୁଇନଳିଆ ରାଇଫଲ୍‌ । ସେଥିରେ ମଧ୍ୟ ମାରିଲି ଦୁଇ କି ତିନି ଗୁଳି । ସବୁ ବାଜୁଥାଏ ସମ୍ୱର ଦିହରେ, ମାତ୍ର ସମ୍ୱର–ଠିକଣା ଜାଗାରେ ଗୁଳି ନ ବାଜିବାରୁ ପଡ଼ିଲା ନାହିଁ । ଏତେଗୁଡ଼ିଏ ଗୁଳି ଖାଇ ମଧ୍ୟ ସେଠି ନ ପଡ଼ିବାରୁ ଆମେ ଆଶା ଛାଡ଼ିଦେଲୁ । ଏଣେ ଜନ୍ତୁଟି ଜଡ଼ା କିଆରି ପାର ହୋଇଗଲାଣି । ଏଣିକି ବେଆଇନ୍‌ ହେବ ବୋଲି ଆମେ ସେଠାରେ ଆଉ ରହିବାକୁ ଇଚ୍ଛା କଲୁ ନାହିଁ । ଗୁଳି ଶବ୍ଦ ଶୁଣି ଫରେଷ୍ଟ ଗାର୍ଡ଼ ଆସିବା ଆଗରୁ ସେଠାରୁ ପଳାଇବାକୁ ହେବ । ଜନ୍ତୁଟି ଜଡ଼ା କିଆରିରେ ପଡ଼ିଥିଲେ ଆମର ଦୋଷ ରହନ୍ତା ନାହିଁ । ଏପରି ବିଚାରକରି ଆମେ ଚାଲିଲୁ ଟିକରପଡ଼ା । ବାଟରେ ଆହୁରି ଅନେକ ଜନ୍ତୁ ଦେଖିଲୁ–ଦୂରରେ । ଟିକରପଡ଼ା ପହଞ୍ଚୁ ପହଞ୍ଚୁ ରାତି ଦୁଇଟା ହୋଇଯାଇଥାଏ । ଯାହିତାହି ଗଣ୍ଡେ ଖାଇ ଶୋଇ ପଡ଼ିଲୁ ।

 

(୨) ସ୍ପଟ୍‌ ଲାଇଟ୍‌–ମଟର ଗାଡ଼ିର ଆଲୁଅ ଭଳି ଗୋଟାଏ ଆଲୁଅ ଯାହାକୁ କି ହାତରେ ଧରି ଜଙ୍ଗଲ ଆଡ଼କୁ ପକାଇହୁଏ । ଆଲୁଅ ବହୁତ ଦୂରକୁ ପଡ଼େ ।

 

(୧) ବୋର୍‌–ଏଇଟା ଇଂରେଜ ଶବ୍ଦ । ଏହାଦ୍ୱାରା ରାଇଫଲ ବା ଅନ୍ୟ ବନ୍ଧୁକମାନଙ୍କର ନଳିର ମାପ କେତେ ବା କେତେ ନମ୍ୱର ବା ଓଜନର ଗୁଳି ନଳିରେ ପଶିପାରିବ ଜଣାଯାଏ ।

 

ବଡ଼ି ସକାଳୁ ଉଠି ଆଡ଼ିର ବନ୍ଦୋବସ୍ତ କରାଗଲା । ପାଖ ଗାରୁ ଲୋକ ଯୋଗାଡ଼ ହେଲା ଓ ସେମାନଙ୍କୁ ବାଘମୁଣ୍ଡା ବ୍ଲକ୍‌କୁ ପଠାଇ ଦେଲୁ । ଦିନ ସାଢ଼େ ଆଠଟା ସରିକି ଆମେ ଟ୍ରକରେ କିଛି ବାଟ ଗଲୁ । ତା’ପରେ ଚାଲି ଚାଲି ଯାଇ ଗୋଟାଏ ପାହାଡ଼ କଡ଼ରେ ପହଞ୍ଚିଲୁ । ସେଠାରେ ପୂର୍ବରୁ ଅନ୍ୟ କେଉଁ ଶିକାର ପାର୍ଟି ମଞ୍ଚା ବନ୍ଧାଇଥିଲେ । ସାତଟି ମଞ୍ଚା ଥିବାର ଦେଖି ଆମେ ବହୁତ ଖୁସି ମଧ୍ୟ ହେଲୁ–ତା’ହେଲେ ଆମକୁ ଆଉ କଷ୍ଟ କରିବାକୁ ହେବ ନାହିଁ । ଯେଉଁଠି ଜନ୍ତୁ ବାହାରିବାର କଥା ସେସବୁ ଜାଗାମାନ ବଛାଗଲା ଓ ଭଲ ଜାଗା ଦେଖି ପ୍ରଧାନ ବାବୁ ଆଗ ବସିଗଲେ । ତା’ପରେ ଜଣେ ବଙ୍ଗାଳିବାବୁ ବସିଲେ । ତା’ ପର ମଞ୍ଚାଟିରେ ମୋର ବସିବାକୁ ବହୁତ ଇଚ୍ଛା ଥିଲା, କାରଣ ସେଇଟା ଗୋଟାଏ ଗହୀର ଉପରେ । ଜନ୍ତୁ ସେ ବାଟରେ ଆସିବାର ବହୁ ସମ୍ଭାବନା ଦେଖିଲି । ମାତ୍ର ଅତି ବିଶିଷ୍ଟ ବଙ୍ଗାଳି ବାବୁ ଜିଦ୍‌ ଧଇଲେ ଯେ, ସେ ସେଠା ମଞ୍ଚାରେ ବସିବେ । ମୁଁ ତ ଛାର ଛାତ୍ରଟାଏ, କ’ଣ ବା କରନ୍ତି–ଅଗତ୍ୟା ବାଧ୍ୟ ହୋଇ ତା’ ପର ମଞ୍ଚାଟିକୁ ଗଲି । ସେଇଟା ସବା ଶେଷ ମଞ୍ଚା ଓ ଗୋଟାଏ ହୁଡ଼ି ଉପରେ । ଜନ୍ତୁ ସେ ବାଟରେ ଆସିବା ପ୍ରାୟ ଅସମ୍ଭବ । ମଞ୍ଚାଗୁଡ଼ିକ ତଳୁ ପ୍ରାୟ ଦଶବାର ଫୁଟ ଉପରେ ଝାଙ୍କଡ଼ା ଗଛମାନଙ୍କରେ ବନ୍ଧା ଯାଇଥାଏ ଓ ମଞ୍ଚାରେ ବସିବାର ଜାଗା ମଧ୍ୟ ଥାଏ । ବସିବା ଜାଗାର ଚାରିପଟ ବେଶ ଭଲ ଭାବରେ ବନ୍ଦ କରାଯାଇଥାଏ । ଜଣେ ଚୁପ୍‌ଚାପ୍‌ ବସି ରହି ବା ତା’ ଭିତରେ ଠିଆ ହୋଇ ଜନ୍ତୁଙ୍କ ଆସିବା ବାଟକୁ ଅନାଇ ରହିପାରିବ–ଜନ୍ତୁ ମୋଟେ ଦେଖି ପାରିବ ନାହିଁ ।

 

ଏଣେ ଆଡ଼ି ଆରମ୍ଭ ହେବା ଉପରେ । ତେଣୁ ତରତରରେ ମୁଁ ମଞ୍ଚା ଉପରକୁ ଉଠିଗଲି ଓ ଥିର ହୋଇ ଛିଡ଼ା ହୋଇ ରହିଲି । ଯେଉଁ ପଟୁ ଆଡ଼ି ଆସିବା କଥା ‘ହାକାଳି’ (୧) ମାନେ ସେପରି କିନ୍ତୁ କଲେନାହିଁ । ସେମାନେ ତେରଛ ଭାବରେ ଆସିଲେ । ଫଳରେ ଜନ୍ତୁଗୁଡ଼ିକ ପ୍ରଧାନବାବୁ ବା ଅତି ବିଶିଷ୍ଟ ବଙ୍ଗଳାବାବୁଙ୍କ ପାଖରେ ନ ଗଡ଼ି ପାହାଡ଼ ଚଢ଼ି ମୋ ପାଖରେ ବାହାରିବାକୁ ବାଧ୍ୟ ହେଲେ । ଆଗ ମାଈ ହରିଣ ଦୁଇଟି ଚାଲିଗଲେ । ମାଈ ହରିଣ ମାରିବା ମନା ବୋଲି ମାରିଏି ନାହିଁ । ତା’ପରେ ମସ୍ତବଡ଼ ଏକ ଶିଙ୍ଗାଳ ହରିଣ ପଛରେ ଦଉଡ଼ିଆସିଲା ଓ ମୋର ମଞ୍ଚା ପାଖ ଦେଇ ଆଗକୁ ଗଲା । ମୁଁ ଭାବିଲି ଦଉଡ଼ି ପଳାଇ ଯିବ କି ? କିନ୍ତୁ ନା–ସେ ଠିକ୍‌ ମୋ ଠାରୁ ପ୍ରାୟ ଅଶିଗଜ ଦୂରରେ ଛିଡ଼ା ହୋଇ ମୋ ଆଡ଼କୁ ଅନାଇଲା । ମୁଁ ଯେ ଧୀର ସ୍ଥିର ହୋଇ ଖାକି ପୋଷାକ ପିନ୍ଧି ଛପି ରହି ପାରିଛି, କଥା ଭାବି ମନରେ ଖୁବ୍ ଆନନ୍ଦ ଆସୁଥାଏ । ହରିଣଟିର ବେକର ଧଳା ଦାଗ ମୋତେ ପରିଷ୍କାର ଦେଖାଗଲାଣି । ଜନ୍ତୁଟି ଧୀର ହୋଇ ଛିଡ଼ା ହୋଇଛି । ତେଣୁ ଲାଖ କରିବାକୁ ମୋତେ ମୋଟେ ଅସୁବିଧା ହେଲାନି । କେଡ଼େ ସୁନ୍ଦର ସେ ଦିଶୁଥାଏ । ସେଭଳି ପରିବେଶରେ ଜନ୍ତୁଟିଏ ଦେଖିଲେ ସତରେ ମନ ଖୁବ୍‌ ଆନନ୍ଦ ହୁଏ । କିନ୍ତୁ ମୋତେ ତାକୁ ମାରିବାକୁ ହେବ । ମୁଁ ମୋର ୪୫୦-୪୦୦ ରାଇଫଲ ଉଠାଇ ଗୋଟାଏ ଗୁଳି ତା’ ବେକର ସେ ଧଳା ଜାଗାକୁ ଲାଛି ଦେଲି । ବିଚରା ହରିଣଟି ସେଇଠି ଠକ୍‍କିନା ଟଳି ପଡ଼ିଲା-ପାଦେବି ଆଗେଇ ପାରିଲା ନାହିଁ । ମୁହୂର୍ତ୍ତକ ଆଗରୁ ଯେ ମୁଣ୍ଡ ଟେକି ଜଙ୍ଗଲଟା ତା’ର ବୋଲି ଦୁନିଆକୁ ଜଣାଇଦେବାପାଇଁ ଅନାଇ ରହିଥିଲା–ତା’ର ପ୍ରାଣବାୟୁ ଠକ୍‌କିନା ଛାଡ଼ିଗଲା । ଜଙ୍ଗଲ କିନ୍ତୁ ଯେପରି ଥିଲା ସେଇପରି ରହିଗଲା ।

 

(୧) ହାକାଳି-ଯେଉଁ ଲୋକମାନେ ବିପରୀତ ଦିଗରୁ ଜନ୍ତୁମାନଙ୍କୁ ଶିକାରୀମାନଙ୍କ ଆଡ଼କୁ ଆସ୍ତେ ଆସ୍ତେ ଅଡ଼େଇ ଆଣନ୍ତି ।

 

ଅନ୍ୟମାନେ କିଛି ମାରି ନ ପାରି ମୁଁ ଗୋଟାଏ ଶିଙ୍ଗାଳ ହରିଣ ମାରି ପାରିଥିବାରୁ ମୋର ଛାତି କୁଣ୍ଢେ ମୋଟ । ମନ ଭାରି ଖୁସି ଥାଏ । ହାକାଳିଆମାନଙ୍କୁ ମନେ ମନେ ବହୁତ ଧନ୍ୟବାଦ ଦେଲି । ସେମାନେ ତେରଛା ଭାବରେ ଜନ୍ତୁ କଢ଼ାଇ ଆଣିନଥିଲେ ମୁଁ ତ ହରିଣଟି ପାଇ ନଥାନ୍ତି ! ବଡ଼ ବନ ଶିଙ୍ଗ ତା’ର ଥିଲା-ଏ ପର୍ଯ୍ୟନ୍ତ ମୁଁ ତାକୁ ସାଇତି ରଖିଛି ।

 

ଅନ୍ୟ ଶିକାରୀମାନେ ଜନ୍ତୁ ମାରିପାରିନଥିବାରୁ ପୁଣି ଆଉ ଗୋଟାଏ ହାକା କରିବାକୁ ମନସ୍ଥ କରି ଆମେ ମହାନଦୀ କୂଳର ଆଉ ଏକ ଜଙ୍ଗଲକୁ ଗଲୁ । ସେଠାରେ କିନ୍ତୁ ତଳେ ବସି ରହିବାକୁ ହେଲା । ସେ ଆଡ଼ିରେ ଗୋଟାଏ ମାତ୍ର ବାର୍‌ହା ବାହାରିଲା । ପ୍ରଧାନବାବୁ ମାରିଲେ । ସେତେବେଳକୁ ଦିନ ପ୍ରାୟ ଅଢ଼େଇଟା ହେଲାଣି । ଆଉ ଆଡ଼ି କରିବାକୁ ଗଲେ ବେଳ ପାଇବ ନାହିଁ । ଏଣୁ ଆମେ ହରିଣଟିଏ ଓ ବାର୍‌ହାଟିଏ ଧରି ଫେରିଲୁ ଅନୁଗୁଳ । ସେଦିନ ସାରା ଆଉ ଖିଆପିଆ ହେଲା ନାହିଁ । ବାଟରେ ପମ୍ପାସର ଠେଇଁ ପଚାରି ବୁଝିଲୁ ଯେ ସମ୍ୱରଟା ମରିଯାଇଥିଲା ହୁଡ଼ି ଆରପଟେ । ଗାଁ ବାଲାମାନେ ତାକୁ ନେଇଯାଇଛନ୍ତି । ଫରେଷ୍ଟ ଗାର୍ଡ଼ ମୁଣ୍ଡଟି ନେଇଯାଇଚି । ଆଉ ଖୋଳତାଡ଼ ନକରି ଆମେ ଫେରି ଆସିଲୁ ଅନୁଗୁଳ । ସେଠାରେ ଜନ୍ତୁମାନଙ୍କର ଚମଡ଼ା ଛଲା ଗଲା । ମାଉଁସ କିଛି ସେଠାରେ ବଣ୍ଟାବଣ୍ଟି କରି ଆମେ ଫେରିଲୁ କଟକ । ମୁଁ ମୋର ‘ଟ୍ରଫି’ ଟି (ହରିଣ ଚମଡ଼ା ଓ ଶିଙ୍ଗ) କିନ୍ତୁ ଆଣିବାକୁ ଭୁଲି ନଥିଲି । ଶିକାରରେ ଯେ ଯେଉଁ ଜନ୍ତୁ ମାରେ ‘ଟ୍ରଫି’ ଟି ତା’ର ହୁଏ–ମାଂସ କିନ୍ତୁ ସମସ୍ତଙ୍କର–ଏପରିକି ଜନ୍ତୁ ଦିହରେ ଆଗ ଯାହାର ଗୁଳି ବାଜେ ଜନ୍ତୁଟି ତା’ର । ଜନ୍ତୁ ସେ ଗୁଳିରେ ନମରି ପଛରେ ଅନ୍ୟର ଗୁଳିରେ ମଲେ ମଧ୍ୟ ଯେ ପ୍ରଥମ ରକ୍ତ ବାହାର କରିଥିବ ଜନ୍ତୁଟି ତା’ର ବୋଲି ଶିକାରୀ ମହଲରେ ବିଚାର ଥାଏ । ସେଇ ନିୟମ ଅନୁସାରେ ଶିଙ୍ଗ ଓ ଚମଡ଼ା ମୋର ବୋଲି ମୁଁ ଦାବି କଲି ଓ ଆଣିଲି । ବଙ୍ଗାଳିବାବୁମାନେ ଶିଙ୍ଗ ନେବାକୁ ଇଚ୍ଛା କରିଥିଲେ–କିନ୍ତୁ ମୁଁ କିପରି ଦେଇଥାନ୍ତି–ମୋର ଯେ ଏଇଟା ପ୍ରଥମ ଶିକାର ଟ୍ରଫି !

 

କଟକରେ ପହଞ୍ଚୁ ପହଞ୍ଚୁ ରାତି ପ୍ରାୟ ଦଶଟା । ବେଶ୍‌ ଦୁଇଦିନ ଶିକାର ମାଂସ ଖିଆହେଲା । ପିଠିର ମାଂସ ରୋଷ୍ଟ କରିଜାଣିଲେ ଖୁବ୍‌ ସୁଆଦ ଲାଗେ । ଯେ ଥରେ ଖାଉଥିବ ଆଉ ଥରେ ଖଇବା ପାଇଁ ମନ ଟାକୁ ଟାକୁ ହେଉଥିବ । ସେଥିପାଇଁ ପରା କହନ୍ତି ଶିକାର ଗୋଟାଏ ନିଶା–କେବଳ ଏଇ ମାଉଁସ ପାଇଁ ବୋଧହୁଏ ।

Image

 

Unknown

କଳାହାଣ୍ଡିର କଲରାପତରିଆ

 

ବହୁତ ଦିନ ତଳର କଥା । ମୁଁ ସେତେବେଳେ ମେଡ଼ିକେଲ କଲେଜରୁ ଗ୍ରାଜୁଏଟ୍‌ ହୋଇ ହାଉସସର୍ଜନ-ଗିରି କରୁଥାଏ ସେଇ କଟକ ମେଡ଼ିକେଲ କଲେଜରେ । ଫେବୃଆରି ମାସ ଶେଷ ହେବ କି ମାର୍ଚ୍ଚ ମାସ ଆରମ୍ଭ ହେବ ଠିକ୍ ମନେ ପଡ଼ୁନାହିଁ-ସନ ୧୯୫୫ ମସିହାର କଥା । ମୋର ବଡ଼ ଭାଇ ସେତେବେଳେ ପୁଲିସ ବେତାର ବିଭାଗର ବଡ଼ ସାହେବ । ତାଙ୍କର ତ ଓଡ଼ିଶା ସାରା ଗସ୍ତ କରିବାକୁ ଥାଏ । ସେତେବେଳେ ଚାରିଆଡ଼େ ବହୁତ ଜଙ୍ଗଲ ଥିଲା । ଯେଉଁଆଡ଼କୁ ଗଲେ ସେ ଶିକାର କରୁଥିଲେ ଓ ଜନ୍ତୁ ମାରୁଥିଲେ । ସେଥିପାଇଁ କେପ୍‌ଟେନ ମହାନ୍ତିଙ୍କୁ ଜଣେ ବଡ଼ ଶିକାରୀ ବୋଲି ସମସ୍ତେ ଜାଣିଥାନ୍ତି । ତାଙ୍କର ଶିକାର ଅଭିଜ୍ଞତା ତାଙ୍କର ‘ବାଣୁଆ’ ବହିରୁ ଜାଣିପାରିବେ ।

 

ଦିନେ ପୁଲିସ ଆଇ. ଜି ସାହେବ ତାଙ୍କୁ ଡାକି କହିଲେ କଳାହାଣ୍ଡି ଯିବାକୁ । କଳାହାଣ୍ଡିରେ ସେତେବେଳେ ମଣିଷଖିଆ ବାଘ ମାତିଥାନ୍ତି । ସେ ସବୁଙ୍କୁ ମାରିବାକୁ ହେବ । ଭାଇ ବାହାରିଲାରୁ ମୁଁ ବି ତାଙ୍କ ସଙ୍ଗେ ଯିବାକୁ ତିଆର ହେଲି । ହସ୍ପିଟାଲ୍‌ରୁ ଦଶଦିନ ଛୁଟି ନେଲି । ଭାଇଙ୍କର ଜଣେ ବନ୍ଧୁ ପଞ୍ଚକୋଟର ରାଜାସାହେବ ମଧ୍ୟ ଯିବାକୁ ବାହାରିଲେ ।

 

ରାଜାସାହେବ ଦିନେ ପଛରେ ବାହାରିବେ ବୋଲି କହିଲାରୁ ଆମେ ବାହାରିପଡ଼ିଲୁ ଆଗ । ଭାଇଙ୍କର ସେତେବେଳେ ଗୋଟାଏ ଟୁରାର ମଟରଗାଡ଼ି ଥାଏ, ଯାହାର ଚାରିପାଖ ଖୋଲା ଓ ଉପର ଛାତଟା କେନ୍‌ଭାସ୍‌ରେ ତିଆରି । ଇଚ୍ଛା କଲେ ଉପର ଛାତଟା ମେଲା ମଧ୍ୟ କରିହୁଏ । ଭାଇ ତାଙ୍କର ୩୫୫ ମାଉଜାର ( Mauser ) ରାଇଫଲଟି ନେଲେ ଓ ମୁଁ ଗୋଟାଏ ୧୨ ବୋର୍‌ (12 Bore) ଦୁଇ ନଳିଆ ହାତ କଲି । ଦିନ ନଅଟାରେ ଆମେ ବାହାରିପଡ଼ିଲୁ ଅନୁଗୁଳ । ସେତେବେଳେ ମହାନଦୀରେ ପୋଲ ହୋଇ ନ ଥିଲା । ଜୋବ୍ରା ଘାଟରୁ ଫେରି-ଡଙ୍ଗାରେ ପାରି ହେବାକୁ ହୁଏ ଚଉଦ୍ୱାର । ତା’ପରେ ମହାନଦୀ କଡ଼ ରାସ୍ତାରେ ଯାଇ ନୂଆପାଟଣା ଠେଇଁ ଅନୁଗୁଳ ରାସ୍ତାରେ ଉଠୁଥିଲୁ । ନୂଆପାଟଣାଠାରୁ ଜଙ୍ଗଲ ପ୍ରାୟ ଲାଗି ରହିଥାଏ ରାସ୍ତା ଦୁଇକଡ଼ରେ-ମେରାମୁଣ୍ଡଳି ଯାଏ । ଘଞ୍ଚ ଜଙ୍ଗଲ । ବହୁତ ଜନ୍ତୁ ମଧ୍ୟ ଥାଆନ୍ତି । ସମୟ ସମୟରେ ପଲ ପଲ ହରିଣ ରାସ୍ତା ଉପରେ ଦେଖାଯାଆନ୍ତି ଦିନ ବେଳାରେ । ସେଦିନ କିନ୍ତୁ ଆମେ କିଛି ଦେଖିଲୁ ନାହିଁ ।

 

ଅନୁଗୁଳ ପହଞ୍ଚୁ ପହଞ୍ଚୁ ଦିନ ପ୍ରାୟ ବାରଟା ହେଲାଣି । ସେଠାରେ ରହି ଖିଆପିଆ କରି ବାହାରୁ ବାହାରୁ ଦିନ ସାଢ଼େ ତିନିଟା ହେଇଗଲା । ସମ୍ୱଲପୁର ଯିବାକୁ ହେବ । ଆମର ଇଚ୍ଛା ଥାଏ ରେଢାଖୋଲଠେଇଁ ସଞ୍ଜ ହେଲେ, ସଞ୍ଜବେଳୁଆ ବହୁତ ଜନ୍ତୁ ବାଟରେ ଦେଖିପାରିବୁ–କାହିଁକିନା ରେଢ଼ାଖୋଲ ପାଖରୁ ପ୍ରାୟ ସମ୍ୱଲପୁରଯାକେ ଘୋର ଜଙ୍ଗଲ ରାସ୍ତାର ଦୁଇକଡ଼ରେ ଥାଏ । ଏଇଆ କଥାବାର୍ତ୍ତା ହୋଇ ଆମେ ଗାଡ଼ିରେ ଧୀରେ ଧୀରେ ଆଗେଇଲୁ । ଭାଇ ଆଉ ମୁଁ ଆଗ ସିଟ୍‌ରେ ବସିଥାଉଁ । ଭାଇ ଗାଡ଼ି ଚଳାଉଥାନ୍ତି । ମୁଁ ବନ୍ଧୁକ ଧରି ବସିଥାଏ । ଅର୍ଦ୍ଦଳି ପଛରେ ଥାଏ । ଜିନିଷପତ୍ର ଅଧେ ଲଗେଜ କେରିଅରରେ ବନ୍ଧାଯାଇଥାଏ ଓ ଅଧେ ପଛସିଟ୍‌ ପାଖରେ ରଖାଯାଇଥାଏ । ବେଡ଼ିଙ୍ଗ୍‌ ଗୋଟାଏ ଆଗ ମଡ଼ଗାର୍ଡ଼ ଉପରେ ବାମ ପାଖରେ ବନ୍ଧାଯାଇଥାଏ । ଟୁରାର ଗାଡ଼ିମାନଙ୍କରେ ସୁବିଧା ଥାଏ ଏପରି ରଖାଯିବାପାଇଁ ।

 

ଠିକ୍‌ ରେଢ଼ାଖୋଲଠାରେ ଆମକୁ ସଞ୍ଜ ହେଲା । ସେଠାରେ ରାସ୍ତା କଡ଼ ଦୋକାନ ପାଖରେ ଗାଡ଼ି ରଖିଲୁ । ଟିକିଏ ଟିକିଏ ଚା’ ଖାଇସାରି ବାହାରିଲୁ । ଗାଡ଼ିରେ ଆଲୁଅ ଲାଗିଲା । ରେଢ଼ାଖୋଲ ପାର ହୋଇଗଲାଣି । ଚାରି ପାଞ୍ଚ ମାଇଲ ଯିବାପରେ ରାସ୍ତା ଉପରେ କ’ଣ ଗୋଟାଏ କଳା ଜନ୍ତୁଟାଏ ଦଉଡ଼ିଯିବାର ଦେଖିଲୁ । ସେ ଜାଗାକୁ ଯାଇ ସ୍ପଟ୍‌ ଆଲୁଅ ପକାଇବାରେ ଦେଖିଲୁ ଯେ ପ୍ରକାଣ୍ଡ ଏକ ଗାଡ଼ ଭାଲୁ ବାଁପାଖ ରାସ୍ତା କଡ଼ରେ ଛିଡ଼ାହୋଇ ପଛକୁ ଅନାଇ ଆମ ଆଲୁଅକୁ ଦେଖୁଛି । ଅନେକ ସମୟ ତାକୁ ଦେଖିଲୁ । ଭାଲୁଟି ମୋଟେ ଯାଉ ନ ଥାଏ । ଧୀର ସ୍ଥିର ହୋଇ ଛିଡ଼ା ହୋଇଥାଏ । ପ୍ରାୟ ଦଶ ପନ୍ଦର ମିନିଟ ଏପରି ଛିଡ଼ା ହେଲା ପରେ ଭାଲୁଟି ଆସ୍ତେ ଆସ୍ତେ ଜଙ୍ଗଲ ଭିତରକୁ ଚାଲିଗଲା । ଆମେ ପୁଣି ଆଗକୁ ଚାଲିଲୁ ।

 

ଆଉ ମାଇଲିଏ କି ଦୁଇ ମାଇଲ ଯିବା ପରେ ପୁଣି ଗୋଟାଏ କ’ଣ ରାସ୍ତା ଉପର ଦେଇ ଡାହାଣରୁ ବାମକୁ ଚାଲିଗଲା । ଗାଡ଼ି ବନ୍ଦ କରି ଆଲୁଅ ବାକଡ଼ ଜଙ୍ଗଲ ଧାରକୁ ପକାଇବାରୁ ଦେଖିଲୁ ଯେ ମସ୍ତବଡ଼ ମହାବଳ ବାଘ ଆମକୁ ପଛକରି ଛିଡ଼ା ହୋଇଛି । ସେଠାରେ ରାସ୍ତା ବହୁତ ଉଞ୍ଚା । ରାସ୍ତା କଡ଼ ପ୍ରାୟ ପନ୍ଦର କୋଡ଼ିଏ ଫୁଟ ତଳକୁ ଗଡ଼ିଯାଇଛି ଓ ତା’ ଧାରରେ ଜଙ୍ଗଲ ଲାଗି ରହିଛି । ବାଘଟି ଜଙ୍ଗଲ ଧାରରେ ଥିବାରୁ ଆମ ପାଖରୁ ପ୍ରାୟ ତିରିଶ କି ପଇଁତିରିଶ ଫୁଟ ଦୂରରେ ଥିଲା । ଆଲୁଅ ପଡ଼ିଯିବାରୁ ବାଘ ଧୀର ହୋଇ ଛିଡ଼ା ହୋଇଗଲା । ମୁଣ୍ଡ ବଙ୍କାଇ ଆମ ଆଡ଼କୁ ଅନାଇଲା । ବାଘକୁ ଦେଖି ଭାଇଙ୍କ ଅର୍ଦ୍ଦଳି ସେତେବେଳକୁ ଡରରେ ଥରହର ହେଲାଣି । ବାଘର ମୁଣ୍ଡଟା ଗୋଟାଏ ମସ୍ତବଡ଼ ହାଣ୍ଡିପରି । ଏତେ ପାଖରେ ଯେ, ତା’ର ନିଶଗୁଡ଼ିକ ଗଣି ହେବ ପରା । ଦେହର କଳା ପଟା ପଟା ଦାଗ ବେଶ୍‌ ଗଣି ହେଉଛି । ଲାଙ୍ଗୁଡ଼ଟା ସିଧା କରି ରଖିଥାଏ । ବାଘଟି ଧୀର ହୋଇ ଛିଡ଼ାହୋଇଥାଏ ଓ ଆମକୁ ମନପୁରାଇ ଦେଖୁଥାଏ, । ତା’ର ମୁହଁର ଭଙ୍ଗୀରୁ ଜଣାପଡ଼ିଲା ଯେ ସେ ମୋଟେ ଭୀତତ୍ରସ୍ତ ନୁହେଁ । ଆମେ ଅନେକ ସମୟ ତା’ ଉପରକୁ ଆଲୁଅ ପକାଇ ତାକୁ ଦେଖିଲୁ । ସେ ମୋଟେ ଯାଉ ନଥାଏ । ଶେଷରେ ଭାଇ ଗୁଳିଟିଏ ଫୁଟାଇ ଦେବାରୁ ଏକା ଚିଲାକେ ସେ ଚମ୍ପଟ ଦେଲା । ଆମେ ଆଗେଇ ଚାଲିଲୁ । ପଛକୁ ଅନାଇ ଦେଖିଲା ବେଳକୁ ଅର୍ଦ୍ଦଳି ନାହିଁ । ଭାଇଙ୍କୁ କହି ଗାଡ଼ି ବନ୍ଦ କରାଇଲି ଓ ଅର୍ଦ୍ଦଳି କୁଆଡ଼େ ଗଲା ବୋଲି ଖୋଜିଲି । ଅର୍ଦ୍ଦଳିବାବୁ ସେତେବେଳକୁ ଗାଡ଼ିର ଆଗ ସିଟ୍‌ ପଛରେ ଲଦା ଯାଇଥିବା ଜିନିଷପତ୍ର ଭିତରୁ ଆସ୍ତେ ମୁଣ୍ଡ ବାହାର କରିଲାରୁ ଜାଣିଲି ଯେ ସେ ଡରରେ ସିଟ୍‌ ତଳେ ପଶିଯାଇଥିଲା । ବାଘ ଚାଲିଗଲାଣି ଶୁଣି ଆଶ୍ୱସ୍ତ ହୋଇ ପୁଣି ଭଲ ହୋଇ ବସିଲା ।

 

ବାଟରେ ଆଉ କିନ୍ତୁ କିଛି ଦେଖିଲୁ ନାହିଁ । ଏ ଦିଓଟି ଜନ୍ତୁ ଦେଖିଲା ପରେ ସମ୍ୱଲପୁର ପହଞ୍ଚୁ ପହଞ୍ଚୁ ରାତି ପ୍ରାୟ ଏଗାରଟା ହେଲା । ସମ୍ୱଲପୁରରେ ରାତିଟି ରହିଲୁ ଡାକବଙ୍ଗଳାରେ । ସେଠାରେ ଖିଆପିଆର ବନ୍ଦାବସ୍ତ ହୋଇଥାଏ । ଦିବ୍ୟ ଭୋଜନ ପରେ ଟିକେ ବସି କଥାବାର୍ତ୍ତା କରୁଛୁ ଅନ୍ୟ ପୁଲିସ ଅଫିସରମାନେ ଆସିଲେ । ଅନେକ ସମୟ ପର୍ଯ୍ୟନ୍ତ ଗଳ୍ପ ଚାଳିଲା–ଶିକାର ଗଳ୍ପ ଓ ଜୀବଜନ୍ତୁଙ୍କ କଥା । ତା’ ପରଦିନ ସକାଳୁ ବାହାରି ପଡ଼ିଲୁ ଭବାନୀପାଟଣା । ଭବାନୀପାଟଣାର ଡ଼ି . ଏଫ . ଓ . ସେତେବେଳେ ଲାଲୁବାବୁ ।

 

ଲାଲୁବାବୁ ଜଣେ ମସ୍ତବଡ଼ ଶିକାରୀ । ମଣିଷଖିଆ ବାଘ ସେ ଯେତେ ମାରିଛନ୍ତି ଓଡ଼ିଶାରେ କ’ଣ ସାରା ଭାରତରେ ବୋଧହୁଏ କେହି ମାରି ନ ଥିବେ । ଜିମ୍‌ କରବେଟଙ୍କ ଭଳି ସେ ବାଘକୁ ଗୋଡ଼ାଇ ଗୋଡ଼ାଇ ମାରନ୍ତି । ସେଥିପାଇଁ ଲାଲୁବାବୁଙ୍କୁ କଳାହାଣ୍ଡିରେ ରଖାଯାଇଥାଏ–ମଣିଷଖିଆ ବାଘଙ୍କୁ ମାରି ମୂଳପୋଛ କରିବାକୁ । ଆମେ ଆଗରୁ ଠିକଣା କରିଥାଉଁ ଯେ ତାଙ୍କୁ ସଙ୍ଗରେ ନେଇ ଆମେ ଯିବୁ କାଶୀପୁର । ସେଦିନ ରାତିରେ ସେଠାରେ ରହିବାକୁ ପଡ଼ିଲା ।

 

ରାତିରେ ଲାଲୁବାବୁ ଆମକୁ ରଜାଙ୍କ ନଅରକୁ ନେଇଗଲେ । ପାଟଣା ରାଜାଙ୍କ ସଙ୍ଗେ କଥାବାର୍ତ୍ତା ହେଲୁ । ତାଙ୍କର ବୈଠକଖାନାରେ ଦେଖିଲୁ ମହାବଳ ବାଘଟାଏ ଛିଡ଼ା ହୋଇଛି । ମଲା ବାଘର ଚମଡ଼ାକୁ ସିଲାଇ କରି ତା’ ଭିତରେ ମାଲମସଲା ଭର୍ତ୍ତି କରି ଏପରି ଭାବରେ ତିଆରି କରାଯାଇଛି ଯେ ଜଙ୍ଗଲରେ ଛିଡ଼ା କରାଇ ଦେଲେ ଜୀଅନ୍ତା ବାଘ ବୋଲି ଯେ କେହି ନିଶ୍ଚୟ ଭାବିବ । ଖୁବ୍‌ ଚମତ୍କାର ହୋଇଥାଏ ବାଘଟା । ବୋଧହୁଏ ଭାନ୍ ହ୍ୟୁସେନ (Van Heusen) ଦ୍ୱାରା କରାଯାଇଥିଲା ।

 

ବଙ୍ଗଳାକୁ ଫେରି ଳାଲୁବାବୁଙ୍କଠାରୁ ତାଙ୍କର ଶିକାର ଅଭିଜ୍ଞତା ସବୁ ପଚାରିଲୁ । ଆଗରୁ ଶୁଣିଥିଲେ ମଧ୍ୟ ଲାଲୁବାବୁଙ୍କ ନିଜ ମୁହଁରୁ ପୁଣି ଥରେ ଶୁଣିବାକୁ ଭାରି ମଜା ଲାଗେ । ସେ କହି ବସିଲେ, ତାଙ୍କ ସଦ୍ୟ ଫେରିଥିବା ଏକ ଅଭିଯାନର ବୃତ୍ତାନ୍ତ । ଲାଲୁବାବୁଙ୍କ ବଡ଼ ପୁଅ ମୋ ସାଙ୍ଗରେ ପଢ଼ୁଥିଲା–ମାଇନର କ୍ଲାସରେ । ତେଣୁ କରଂଜିଆଠାରୁ ମୋର ତାଙ୍କ ସଙ୍ଗେ ପରିଚୟ ଥାଏ । ମୋର ଅନୁରୋଧ ରକ୍ଷାକରି ସେ କହି ବସିଲେ–

 

ପାଟଣାର ଗୋଟାଏ ଗାଁରୁ ଖବର ଆସିଲା ଯେ ବାଘ ମଣିଷ ମାରି ଘୋଷାରି ନେଇଯାଇଛି ପାହାଡ଼ ଭିତରକୁ । ଲାଲୁବାବୁ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ । ସଙ୍ଗରେ ତାଙ୍କର ସାନ ପୁଅ ମଧ୍ୟ ଗଲା । ଲାଲୁବାବୁ ତାଙ୍କର ପ୍ରିୟ ରାଇଫଲଟି ଧଇଲେ–ବୋଧହୁଏ .୨୭୫ ବୋର ହେବ । ସେ ରାଇଫଲ ଉପରେ ତାଙ୍କର ଅଗାଧ ବିଶ୍ୱାସ । ମଟର ଗାଡ଼ିରେ କିଛି ବାଟ ଯିବା ପରେ ଗାଡ଼ି ବନ୍ଦ କରିବାକୁ ପଡ଼ିଲା । ସେଠାରୁ ସେ ଚାଲି ଚାଲି ଜଙ୍ଗଲ ପାର ହୋଇ ଗାଁରେ ପହଞ୍ଚିଲେ ଓ ସଙ୍ଗେ ସଙ୍ଗେ ଯେଉଁଠି ଲୋକଟି ମରିଥିଲା ସେଠାକୁ ଗଲେ । ସେତେବେଳକୁ ସୂର୍ଯ୍ୟ ତଳକୁ ଖସିବାକୁ ଆରମ୍ଭ କଲେଣି । ଚାରିପାଖ ପାହାଡ଼ ପର୍ବତ ଓ ଜଙ୍ଗଲ । ଯାନବାହାନର ସୋରଶବ୍ଦ ନାହିଁ କି ରାସ୍ତାଘାଟ ନାହିଁ । କେବଳ ମଣିଷ ଚାଳିବା ଗୁଳା ଥାଏ ଜଙ୍ଗଲ ଧାରେ ଧାରେ । ବାଘ ଭୟରେ ସେ ରାସ୍ତାଟି ମଧ୍ୟ ଶୁନ୍‌ଶାନ୍ । ମଣିଷ ମରିଥିବା ଜାଗା ପାଖରୁ ଠାଏ ଠାଏ, ରକ୍ତ ଦାଗ ଓ ଘୋଷରା ଦାଗ ଦେଖି ଦେଖି ଅନେକ ବାଟ ପାହାଡ଼ ପର୍ବତ ଡେଇଁ ଯିବା ପରେ ଗୋଟାଏ ଜାଗାରେ କିଛି ହାଡ଼ ଓ ଅନ୍ତପୁଟା ପୁଳାଏ ଦେଖିବାକୁ ପାଇଲେ । ସେଠାରୁ ପାହାଡ଼ ଗଡ଼ି ଯାଇଛି କିଛି ବାଟ, ତା’ପରେ ପୁଣି ଉଠାଣି ପାହାଡ଼ । ପାହାଡ଼ର ସେ ପଟକୁ ତଳେ ନାଳଟିଏ ବୋହିଯାଇଛି-। ମନହେଲା ଯେପରି ବାଘ ଖାଇସାରି ନାଳରେ ପାଣି ପିଇ ବୋଧହୁଏ ପାହାଡ଼ ତଳ ଛାଇ ଜାଗାରେ ବିଶ୍ରାମ କରୁଛି । ରାତି ହେଲେ ଫେରିବାର ସମ୍ଭାବନା ଖୁବ୍ ବେଶୀ ଥାଏ-

 

ସଞ୍ଜ ହେବାକୁ ବସିଲାଣି । ନରଖାଦକ ପଛରେ ଦୌଡ଼ି ଦୌଡ଼ି ଆସିଛନ୍ତି । ଶିକାରୀମାନଙ୍କ ମଧ୍ୟରୁ କେହିହେଲେ ଶିକାର ହୋଇଯିବାର କିଛି ଅସମ୍ଭବ ନୁହେଁ । ଯାହା କରିବାକୁ ହେବ ଖୁବ୍‌ ଶୀଘ୍ର ଏକ ସିଦ୍ଧାନ୍ତରେ ପହଁଞ୍ଚିବା ଦରକାର । ଲାଲୁବାବୁ ବାଘକୁ ନ ମାରି ଫେରନ୍ତି ନାହିଁ-। ତେଣୁ ସେ ବିଚାରକଲେ ଜଗି ବସି ରହିବାକୁ । ବାଘ ନ ମାରି ବା ଫେରନ୍ତେ କିପରି ! ସଙ୍ଗରେ ତ ଥାଏ ତାଙ୍କର ଖୁବ୍‌ ବିଶ୍ୱାସୀ ରାଇଫଲ । ଟର୍ଚ୍ଚଟିଏ ସେଥିରେ ଖଞ୍ଜା ହୋଇଥାଏ । ମନରେ ଥାଏ ଅସୀମ ସାହସ । ପାଖରେ ସେମିତି କିଛି ବଡ଼ ଗଛ ନଥିଲା । ତେଣୁ ତଳେ ବସି ରହିବାକୁ ହେବ । ଭାଗ୍ୟକୁ ବାଉଁଶ ବୁଦାଗୁଡ଼ିଏ ଥାଏ ପାଖ ଆଖରେ । ତିରିଶ ଚାଳିଶ ଗଜ ଦୂରରେ ଥିବା ଗୋଟାଏ ବାଉଁଶ ବୁଦା ବାଛି ତା’ ମଝିରେ ବସିବା ପାଇଁ ଜାଗାଟିଏ କରାଗଲା । ଲାଲୁବାବୁ ତା’ ମଝିରେ ପଶିବା ପରେ ପଛଆଡ଼ୁ ବାଉଁଶ ପୋତି ବାଟ ବନ୍ଦ କରି ଦିଆଗଲା । ମଲା ମଣିଷର ହାଡ଼ ଓ ଅନ୍ତପୁଟାକୁ ଗୋଟାଏ ଶିକାରେ ବାନ୍ଧି ଶିକାଟିକୁ ଗୋଟାଏ ଶକ୍ତ ଖୁଣ୍ଟରେ ବାନ୍ଧି ଦିଆଗଲା-। ସେଥିରୁ ଗନ୍ଧ ବାହାରୁଥାଏ ଓ ମାଛି ଭଣ ଭଣ ହେଉଥାଆନ୍ତି । ଏସବୁ କରିବା ପରେ ପୁଅକୁ ଲୋକମାନଙ୍କ ସଙ୍ଗରେ ଗାଁକୁ ପଠାଇଦେଲେ ଏବଂ ତାଗିଦ କରାଇଦେଲେ ଖୁବ୍‌ ସତର୍କତାର ସହିତ ଆଗକୁ ପଛକୁ ନଜର ରଖି ଯିବାକୁ । ପୁଅ ହାତରେ ମଧ୍ୟ ବନ୍ଧୁକ ଥାଏ । ସେ ବି ଜଣେ ପୋଖତ ଶିକାରୀ । ତେଣୁ ପାଞ୍ଚ ମାଇଲ ବାଟ ଯିବାକୁ ଡରନ୍ତା ବା କାହିଁକି !

 

ବାଘ ନରଖାଦକ ହେଲେ ଖୁବ୍ ହୁସିଆର ହୋଇଯାଏ–ହେଲେ ବି ଏଇ ପୁଳାକ ମାଂସ ପାଇଁ ମଧ୍ୟ ସେ ଫେରି ଆସିପାରେ । ସେଇ ଆାଶାରେ ଲାଲୁବାବୁ ବସି ରହିଲେ ଜଙ୍ଗଲ ଭିତରେ,ଏକୁଟିଆ ହୋଇ । ଏଣେ ଯଦି ବାଘ ପଛଆଡ଼ୁ ଆସେ ତ ଶିକାରୀ ଶିକାର ହୋଇଯିବାର ଯଥେଷ୍ଟ ଭୟ । ତେଣୁ ଲାଲୁବାବୁ ବାଉଁଶ ବୁଦା ମଝିରେ ଥାଇ ମଧ୍ୟ ପୂରାପୂରି ନିରାପଦ ନୁହନ୍ତି । କିନ୍ତୁ ତାଙ୍କର ଅଦମ୍ୟ ସାହସ ଓ ନିଜ ରାଇଫଲ ଉପରେ ଅଗାଧ ବିଶ୍ୱାସ ତାଙ୍କୁ ବେଖାତିର କରିଥାଏ । ପଛ ଆଡ଼ୁ ଆସିଲେ ମଧ୍ୟ ବାଉଁଶ ଗଛ ବାଘକୁ କିଛି ସମୟ ଅଟକାଇ ପାରିବ ଓ ସେଇ ଅବସର ମଧ୍ୟରେ ସେ ରାଇଫଲ ବ୍ୟବହାର କରିବାକୁ ସମୟ ପାଇବେ । ତାଙ୍କର ବିଶ୍ୱାସ ଥାଏ ଯେ, ସେ ଥରେ ରାଇଫଲ ବ୍ୟବହାର କରିବାକୁ ସମୟ ପାଇଲେ ବଘଟି ତାଙ୍କୁ ମାରିବା ଆଗରୁ ସେ ବାଘକୁ ମାରିପାରିଥିବେ । ଯାହାହେଉ ସେ ଚୁପ୍‍ଚାପ୍‌ ବସି ରହିଲେ । ନଖାଇ ନପିଇ ଜଙ୍ଗଲରେ ଏକୁଟିଆ ବସିରହିବା, ପୁଣି ତଳଟାରେ–ଏ କମ୍‌ ବଡ଼ ସାହସର କଥା ନୁହେଁ । ଏଣେ ପୁଣି ସାପର ଭୟ । ଏହିପରି ଭାବରେ ପ୍ରାୟ ତିନି ଘଣ୍ଟା ବିତିଗଲାଣି । ଜଙ୍ଗଲ ନିଶୁନ । ଝିଣ୍ଟିକାର ଝିଁ ଝିଁ ଶବ୍ଦ ମଧ୍ୟେ ମଧ୍ୟେ ହେଉଥାଏ । ଏପରି ସମୟରେ ହଠାତ୍‌ ଗୋଟାଏ ଶୁଖିଲା କାଠି ଭାଙ୍ଗିବାର ଶବ୍ଦ ଶୁଣାଗଲା । ଲାଲୁବାବୁ ସଜାଗ ହୋଇଗଲେ । ଦେହ ଓ ମନର ସମସ୍ତ ଶକ୍ତି କାନ ପାଖରେ ଠୁଳ କଲେ-ଆଉ କ’ଣ ଶବ୍ଦ ଶୁଣାଯିବ କି ! ବାଘ ଚଲାବୁଲା କଲାବେଳେ ତା’ର ଗୋଡ଼ର ନଖଗୁଡ଼ାକ ଗୋଡ଼ର ମାଂସ ପିଣ୍ଡୁଳାମାନଙ୍କରେ ଲୁଚି ରହିଥାଏ । ତେଣୁ ବାଘ ଚାଲିଳା ବେଳେ କୌଣସି ପ୍ରକାର ଶବ୍ଦ ହୁଏ ନାହିଁ । ବିଲେଇର ଚଲା ଦେଖିଲେ ବୁଝିହେବ ବାଘ କିପରି ବିଚରଣ କରେ । ଏତେ ନିଃଶବ୍ଦରେ ଚାଲିଲେ ମଧ୍ୟ ସମୟ ସମୟରେ ଜଙ୍ଗଲର ଶୁଖିଲା କାଠି ବା ପତ୍ର ଉପରେ ଗୋଡ଼ ପଡ଼ିଯାଏ । ସେଇ ଶବ୍ଦଗୁଡ଼ିକ ବାଘ ଆସିବାର ସୂଚନା ଦେଇଥାଏ । ଯଦି ଅନ୍ୟାନ୍ୟ ବନ୍ୟଜନ୍ତୁ ଆଖ ପାଖରେ ଥାଆନ୍ତି ତାହାହେଲେ ସେମାନେ ମଧ୍ୟ ସତର୍କ ରାବ ଦେଇଥାନ୍ତି । ବିଶେଷତଃ କୁଟୁରା କିମ୍ବା ହରିଣ, ସମ୍ବର ବାଘ ଦେଖିଲେ ବୋବାଇ ଉଠନ୍ତି ଓ ତୁହାକୁ ତୁହା ଶବ୍ଦ କରନ୍ତି । ମାଙ୍କଡ଼ ଗଛ ଉପରୁ ବାଘକୁ ଦୂରରୁ ଦେଖିପାରେ ଏବଂ ଦେଖିଲା ମାତ୍ରେ ଖେଁ ଖେଁ ହୋଇ ଅନ୍ୟମାନଙ୍କୁ ସତର୍କ କରାଇ ଦେଇଥାଏ ।

 

ଲାଲୁବାବୁ ବସିଥିବା ଜାଗାରେ ଅନ୍ୟ ଜନ୍ତୁ ନ ଥିବାରୁ କେବଳ ଏଇ କାଠି ବା ଶୁଖିଲା ପତ୍ରର ଆବାଜ ଉପରେ ନିର୍ଭର କରିବାକୁ ହୋଇଥିଲା । ତେଣୁ ଲାଲୁବାବୁ ଜାଣିଲେ, ବାଘ ନିଶ୍ଚୟ ଆସିଛି । ରାଇଫଲଟି ଆସ୍ତେ ସଜାଡ଼ି ଧଇଲେ । ଟର୍ଚ୍ଚଟିଏ ରାଇଫଲ ନଳି ଦେହରେ ଏପରି ଭାବରେ ବନ୍ଧାଯାଇଥାଏ ଯେ ଟିପିଲା ମାତ୍ରେ ଆଲୁଅ ବନ୍ଧୁକର ମାଛି ଉପର ଦେଇ ଆଗରେ ପଡ଼ିବ ଏବଂ ଆଗରେ ଜନ୍ତୁ ଥିଲେ ଲାଖ କରିବାକୁ ସୁବିଧା ହେବ । ପାଞ୍ଚ ସେଲିଆ ଟର୍ଚ୍ଚ ଆଲୁଅ ଶହେ ଗଜ ଦୂର ପର୍ଯ୍ୟନ୍ତ ଆଲୁଅ କରେ । ବାଘ ଶିକାର ପାଖକୁ ଆସିଲେ ମାତ୍ର ତିରିଶ ଚାଳିଶ ଗଜ ଦୂର ହେବ । ତେଣୁ ଆଲୁଅର ଅଭାବ ରହିବ ନାହିଁ ।

 

କିଛି ସମୟ ପରେ ପଥରଟିଏ ଗଡ଼ି ତଳକୁ ଖସିଲା । ବାଘ ଆଗ ଉଠାଣିର ତଳକୁ ଗଡ଼ୁଛି । ତିନି ଚାରି ମିନିଟ ପର୍ଯ୍ୟନ୍ତ ଆଉ କିଛି ସୋର ଶବ୍ଦ ନାହିଁ । ହଠାତ୍‌ ମାଛିଗୁଡ଼ାକ ଭଣ ଭଣ ହୋଇ ଉଡ଼ିଗଲେ । ଲାଲୁବାବୁ ଜାଣିଲେ ବାଘ ଆସି ଠିକଣା ଜାଗାରେ ପହଞ୍ଚିଗଲାଣି । ମଲାମଣିଷର ଅନ୍ତପୁଟାଗୁଡ଼ାକ ପଚିଥିବାରୁ ମାଛିମାନେ ତା’ ଉପରେ ବସି ରହିଥିଲେ । ବାଘ ସେଥିରେ ମୁହଁ ମାରିବାରୁ ମାଛି ଭଣ ଭଣ ହୋଇ ଉଡ଼ିଗଲେ । ପରନ୍ତୁ ପବନ ବାଘ ଆସିବା ଦିଗରୁ ଳାଲୁବାବୁଙ୍କ ଆଡ଼କୁ ବହୁଥିବାରୁ ଲାଲୁବାବୁ ବାଘର ଗନ୍ଧ ମଧ୍ୟ ବାରିପାରିଥିଲେ । ବାଘ କିନ୍ତୁ ଲାଲୁବାବୁଙ୍କର ସ୍ଥିତି ବିଷୟରେ କିଛି ଜାଣି ପାରିଲା ନାହିଁ । ତେଣୁ ସେ ନିର୍ଭୟରେ ଚାଲି ଆସିଲା । ସନ୍ଦେହର ଅବକାଶ ଆଉ କିଛି ନଥିଲା । ବିଳମ୍ବ କଲେ କାଳେ ବାଘ ଶିକା ଛିଡ଼ାଇ ଅନ୍ତପୁଟା ନେଇ ପଳାଇଯିବ–ଏଇ ମାତ୍ର ଆଶଙ୍କା ।

 

ଲାଲୁବାବୁ ରାଇଫଲ ଉଠାଇ ଟର୍ଚ୍ଚ ଟିପିଲେ । ଆଲୁଅ ବାଘର ଠିକ ମଥା ଉପରେ ପଡ଼ିଲା । ବାଘଟି ତାଙ୍କ ଆଡ଼କୁ ମୁହଁ କରିଥାଏ ଓ ଭୂଇଁରେ ଲେପଟି ପଡ଼ି ଶିକାକୁ କାମୁଡ଼ି ଧରିଥାଏ, । କାଳ ବିଳମ୍ବ ନକରି ଲାଲୁବାବୁ ବାଘର ଚିତାକୁ ଲାଖ ରଖି ବନ୍ଧୁକର ଘୋଡ଼ା ଟିପିଲେ । ଲାଲୁବାବୁଙ୍କର ନିଶାଣ ଭୁଲ ହେବାର ନୁହେଁ । ବାଘ ସେଇଠି ଟଳି ପଡ଼ିଲା । ଦ୍ୱିତୀୟ ଗୁଳି ଦରକାର ହେଲାନି । ଏକ ଆଶ୍ୱସ୍ତିର ମାରି ଲାଲୁବାବୁ ସେଠାରେ ବସି ରହିଲେ ସକାଳ ପର୍ଯ୍ୟନ୍ତ । ଭୋର ଭୋର ଗାଁ ଲୋକେ ଆସି ପହଁଞ୍ଚିଲେ । ପଛରୁ ବାଉଁଶ କେଇଟା ବାହାର କରି ନେବାରୁ ଲାଲୁବାବୁ ବାହାରି ପାରିଲେ ଓ ବାଘ ପାଖକୁ ଯାଇପାରିଲେ ।

 

ଏହିପରି ଅନେକ କଥା ସେ କହିଲେ । ଗପୁ ଗପୁ ରାତି ବେଶି ହୋଇଗଲା । ସେ ଡାକବଙ୍ଗଳାରୁ ବିଦାୟ ନେଲାରୁ ଆମେ ଖାଇ ପିଇ ବିଶ୍ରାମ ନେଲୁ । ତହିଁଆରଦିନ ଲାଲୁବାବୁଙ୍କ ନେଇ ଆମେ ଚାଲିଲୁ ଥୁଆମଲ ରାମପୁର । ସେଠାରେ କିଛି ସମୟ ରହି ଚାଲିଲୁ କାଶୀପୁର । ସେଠା ଡାକବଙ୍ଗଳାରେ ରହିଲୁ । ଆଗରୁ ଖବର ଦିଆଯାଇଥିଲା । ଥାନା ବାବୁ ଚାରୋଟି ମଇଁଷି କିଣି ରଖିଥିଲେ । ଯାଇ ଦେଖିଲୁ ସେଥିରୁ ଗୋଟାଏ ବୁଢ଼ା ଓ ଅନ୍ୟ ଗୋଟାଏ ଅତ୍ୟନ୍ତ ଛୋଟ । ମଣିଷଖିଆ ବାଘ ପାଇଁ ମଇଁଷିମାନ ଛକ ଜାଗାମାନଙ୍କରେ ବନ୍ଧାଗଲା । ଯେଉଁ ଜାଗାମାନଙ୍କରେ ବାଘ ମଣିଷ ମାରିଥିଲା ବା ଯେଉଁ ବାଟ ଦେଇ ସେ ଯିବାଆସିବା କରେ ସେ ସବୁ ଜାଗାମାନଙ୍କରେ ମଇଁଷି ବନ୍ଧାଗଲା ।

 

ଗୋଟାଏ ମଇଁଷି ବଙ୍ଗଳାର ଅଧମାଇଲିଏ ଦୂରରେ ଜଙ୍ଗଲ ରାସ୍ତାର ଧାରରେ ବନ୍ଧାଗଲା, କାରଣ ବାଘଟି ସେ ରାସ୍ତାରେ ଯିବା ଆସିବା କରେ ଓ ତା’ ପାହୁଲ ଦାଗ ଲୋକେ ସେ ରାସ୍ତାରେ ଅନେକ ଥର ଦେଖିଛନ୍ତି । ଆଉ ଗୋଟାଏ ପାଞ୍ଚ ଛଅ ମାଇଲ ଦୂରରେ ଜଙ୍ଗଲର (୧) ‘ଫାୟାର ଲାଇନ୍‌’ କଡ଼ରେ ଗୋଟାଏ ଛକ ଜାଗାରେ ବନ୍ଧାଗଲା । ଅନ୍ୟ ଦୁଇଟିରୁ ଗୋଟାଏ ନାଳ ଆରପାଖ କିଛି ଦୂର ଜଙ୍ଗଲ ଭିତରକୁ ଓ ଅନ୍ୟଟି ନାଳ ଏପଟେ ବନ୍ଧାଗଲା । ପ୍ରତ୍ୟେକ ମଇଁଷିର ଚାଳିଶ ପଚାଶ ଗଜ ଦୂରରେ ଗୋଟାଏ ବଡ଼ ଝଙ୍କାଳିଆ ଗଛ ବାଛି ମଞ୍ଚାଟିଏମାନ ବନ୍ଧାଗଲା । ମଞ୍ଚା ଏପରି ଭାବରେ ବନ୍ଧାଗଲା ଯେ ଦୂରରୁ ନ ଜାଣିବା ଲୋକେ ଠଉରେଇ ପାରିବେ ନାହିଁ । ଲାଲୁବାବୁଙ୍କର ଅଭିଜ୍ଞତା ଏଥିରେ ବହୁତ କାମ ଦେଲା । ସେ ତାଙ୍କ ପିଲା ଦିନୁ ଏସବୁ କାମ କରି ଆସୁଛନ୍ତି । ନୀଳଗିରି ରାଜାଙ୍କ ପାଖରେ ଥାଇ ଶିକାର କରିବାଟାକୁ ଗୋଟାଏ ଖେଳ ବୋଲି ଧରି ନେଇଥାନ୍ତି । ତା’ପରେ ସେ ମୟୂରଭଞ୍ଜରେ ଆସି ରହିଲେ । ସେଇଠି ମଧ୍ୟ ରାଜା ପାରିଧିରେ ଗଲେ ଲାଲୁବାବୁ ସବୁ ବନ୍ଦୋବସ୍ତ କରନ୍ତି । ତେରୁ ଲାଲୁବାବୁଙ୍କର ଶିକାର ବିଷୟରେ ବିଶେଷ ଅଭିଜ୍ଞତା । ବିଶେଷ କରି ନରଖାଦକ ବାଘ ମାରିବାରେ ସେ ଧୁରନ୍ଧର । ତେଣୁ ମୋର ଇଚ୍ଛା ଥାଏ କିପରି ତାଙ୍କଠାରୁ ବାଘ ଶିକାର ବିଷୟରେ କିଛି କାଇଦା କଟକଣା ଶିଖିନେବି । ଏ ମଞ୍ଚା ବନ୍ଧା କୌଶଳ ଦେଖି ମନେହେଲା ବାଘଟିଏ ନିଶ୍ଚୟ ମରାହେବ । ଯଦି ଓ ମୁଁ ସେତେବେଳକୁ ଅନେକ ଶିକାରୀଙ୍କର ବହି ପଢ଼ି କିଛି ଅଭିଜ୍ଞତା ହାସଲ କରିଥିଲି–ମାତ୍ର ପ୍ରକୃତ ରଣକ୍ଷେତ୍ରରେ ତାକୁ କିପରି ବ୍ୟବହାର କରାଯାଏ, ତା’ ସ୍ୱଚକ୍ଷୁରେ ଦେଖିଲି । ବାଘ ବିଶେଷ ଚାଲାକ ଚତୁର । ତା’ର ଶ୍ରବଣ ଶକ୍ତି ଓ ଦୃଷ୍ଟିଶକ୍ତି ଅତ୍ୟନ୍ତ ତୀକ୍ଷଣ । ଘ୍ରାଣ ଶକ୍ତି କିନ୍ତୁ ପ୍ରଖର ନୁହେଁ । ବାଘ ମଧ୍ୟେ ମଧ୍ୟେ ଉପରକୁ ଅନାଇଦିଏ । ତେଣୁ ମଞ୍ଚାଟିମାନ ଝାଙ୍କୁଡ଼ା ଗଛ ଭିତରେ ରଖାଯାଏ ଓ ଏପରି ଭାବରେ ଚାରିଆଡ଼ୁ ଡାଳପତ୍ର ବାନ୍ଧି ଦିଆଯାଏ ଯେ ଉପରକୁ ଅନାଇଲେ ମଧ୍ୟ ବାଘ ମଣିଷର ଆକୃତି ଗଛ ଫାଙ୍କରେ ଦେଖି ପାରେନା ବା ଆକାଶ ଦିଶେନା । ମଞ୍ଚାର ଆଗ ପାଖକୁ ମାତ୍ର ଗୋଟାଏ କି ଦୁଇଟି ଛୋଟ ଫାଙ୍କା ରଖାଯାଇଥାଏ ବନ୍ଧୁକ ନଳି ବାହାରିପାରିବା ପାଇଁ । ଡାଳଗୁଡ଼ିକର କଟା ଜାଗାର ଧଳା ଅଂଶ ଯେପରି ତଳୁ ନ ଦିଶେ ସେଥିପ୍ରତି ବିଶେଷ ନଜର ଦେବାକୁ ପଡ଼େ; କାରଣ ସେ ଧଳା ଅଂଶ ଦେଖିଲେ ବାଘ ସନ୍ଦେହୀ ହୋଇ ପାଖକୁ ନ ଆସିପାରେ । ଗଛ ତଳେ ଡାଳପତ୍ର ମଧ୍ୟ କିଛି ପକାଯାଏ ନାହିଁ–ପାଖଆଖରୁ ଡାଳପତ୍ର ନଆଣି ଦୂରରୁ ଅଣାଯାଇ ମଞ୍ଚା ବନ୍ଧାଯାଏ ଓ ମଞ୍ଚା ବନ୍ଧାଯିବା ପରେ ବଳକା ଡାଳଗୁଡ଼ିକୁ ଦୂରରେ ପକାଇ ଦେବାକୁ ହୁଏ । କୌଣସି ପ୍ରକାର ଅପ୍ରାକୃତିକ ଘଟଣା ଦେଖିଲେ ବାଘ ମୋଟେ ଆସିବ ନାହିଁ । ମଣିଷଖିଆ ବାଘ କିନ୍ତୁ ଆହୁରି ହୁସିଆର । ତେଣୁ ଖୁବ୍‌ ସତର୍କତାର ସହିତ ଏସବୁ ନ କଲେ ବାଘ ଆସିବ ନାହିଁ । ଯାହାହେଉ ଲାଲୁବାବୁଙ୍କର ତତ୍ତ୍ୱାବଧାନରେ ସବୁ ଠିକ୍‌ମତେ ହେଲା ।

 

(୧) ଫାୟାର ଲାଇନ–ଜଙ୍ଗଲ ଭିତରେ ଗଛ କାଟି ସିଧା ସିଧା ରାସ୍ତା ଭଳି କରାଯାଇଥାଏ । ତା’ହେଲେ ଗୋଟାଏ ବଣରେ ନିଆଁ ଲାଗିଲେ ଅନ୍ୟ ବଣକୁ ଯାଇପାରିବ ନାହିଁ । ଏଭଳି ରାସ୍ତା ନିଆଁ ଅଟକାଇ ଦିଏ ବୋଲି,ଏହାକୁ ଫାୟାର ଲାଇନ କହନ୍ତି ।

 

ଆମ ପହଞ୍ଚିବାର ଦିନକ ପରେ ପଞ୍ଚକୋଟର ରାଜା ସାହେବ ସଦଳବଳେ ଆସି ପହଞ୍ଚିଲେ ଓ ବଙ୍ଗଳାରେ ରହିଲେ । ତାଙ୍କ ସଙ୍ଗେ ଥାଏ ତାଙ୍କର ଦୁଇନଳିଆ .୫୦୦ ଏକ୍‌ସପ୍ରେସ୍‌ ରାଇଫଲ ଓ ଦୂରବିଣ ଖଞ୍ଜା . ୩୭୫ ମେଗ୍‌ନାମ ରାଇଫଲ ଓ ଆହୁରି କେତେ କ’ଣ । ଫଟୋ ନେବା ପାଇଁ ଏଗ୍‌ଯାକ୍ଟା କାମେରା; ସେଥିରେ ମଧ୍ୟ ଦୂରବିଣ (telephoto lens) ଖଞ୍ଜା ଯାଇଥାଏ । ସେ ଥିଲେ ଆମର ଅତିଥି । ଏଣୁ କଥା ହେଲା ଯେ ଅତିଥି ଆଗ ବାଘ ମାରିବେ-ତା’ପରେ ଆମେ ମାରିବୁ ।

 

ଠିକ୍‌ ପରଦିନ ବଙ୍ଗଳା ପାଖ ମଇଁଷିଟି ମଲା । ପରୀକ୍ଷା କରି ଜାଣିଲୁ–ମହାବଳ ବାଘ ମାରିଛି । ନରଖାଦକ ହୋଇଥିବ ନିଶ୍ଚୟ । ରାଜାଙ୍କର ବାଘ ପାଇଁ ବସିବାର ହେଲା । କିନ୍ତୁ ରାଜା ତ ଏକୁଟିଆ ବସି ରହିପାରିବେ ନାହିଁ । ଏଣୁ ମଞ୍ଚାଟି ବଡ଼ କରିବାକୁ ହେଲା । ରାଜାଙ୍କ ସଙ୍ଗରେ ତାଙ୍କର ଚାକର ବା ଶିକାରୀ ଓ ଗୁମାସ୍ତା ବସିଲେ । ରାତି ସାରା ଜଗିବାକୁ ହେବ । ତେଣୁ ଖାଇବାର ସରଞ୍ଜାମ ନିଆଗଲା । ଟର୍ଚ୍ଚ ଆଲୁଅ, ଥାରମସ-ଫ୍ଲାସ ଇତ୍ୟାଦି ରହିଲା । ଏସବୁ ଆଡ଼ମ୍ବର ନେଇ ରାଜା ବସିଲେ । ଆମେ ସବୁ ଖାଇ ପିଇ ବ୍ରିଜ ଖେଳି ବଙ୍ଗଳାରେ ଶୋଇଲୁ । ତା’ ପରଦିନ ସକାଳୁ ରାଜା ଓ ତାଙ୍କ ଚରମାନେ ଫେରିଆସିଲେ । ଖୁବ୍ ତାଜା ଦେଖାଯାଉଥିଲେ ସେମାନେ । ତାହାହେଲେ ରାତି ଉଜାଗର କ’ଣ ହୋଇନାହାନ୍ତି ?

 

ପରେ ଶୁଣିଲୁ ଯେ ରାତିଯାକ ରାଜାସାହେବ ଶୋଇ ଘୁଙ୍ଗୁଡ଼ି ମାରିଲେ । ବାଘ ତାଙ୍କୁ ଉଠାଇବାକୁ ଆଉ ଦରକାର ପଡ଼ିଲା ନାହିଁ । ଘୁଙ୍ଗୁଡ଼ି ଶବ୍ଦରେ ବାଘ ତ ବାଘ, ବାଘର ବାପା ଅଜା ମଧ୍ୟ ସେ ପାଖକୁ କେବେହେଲେ ଆସି ନ ଥାନ୍ତା । ମଇଁଷିଟିଏ ଅକାରଣ ମଲା ସିନା ! ଯାହାହେଉ ଭାଇ ବିଚାରିଲେ ସେଦିନ ରାତିରେ ପୁଣି ସେ ନିଜେ ବସିବେ ବୋଲି । କାଳେ ଯଦି ବାଘ ଆସିଯାଏ ! ବେଳେବେଳେ ବାଘ ଭୋକିଲା ଥିଲେ ଓ ପ୍ରଥମଥର ମଢ଼ ପାଖକୁ ଆସି ନ ପାରିଲେ ପରଦିନ ପୁଣି ଆସେ । ମାତ୍ର ମଣିଷଖିଆ ବାଘ ଅତ୍ୟନ୍ତ ଧୂର୍ତ୍ତ ।

 

ସେଦିନ ସକାଳ ଦଶଟା ସରିକି ଖବର ଆସିଲା ଯେ ଦୁଇ ଜଙ୍ଗଲର ଛକ ଜାଗାରେ ଯେଉଁ ପୋଢ଼ଟି ବନ୍ଧା ହୋଇଥିଲା ସେଉଟା ମରିଛି । ଲାଲୁବାବୁଙ୍କୁ ନେଇ ଆମେ ସବୁ ଗଲୁ ପରୀକ୍ଷା କରି ଦେଖିବାକୁ । ସେଠାକୁ ଯାଇ ଦେଖିଲୁ ମଇଁଷିଟିକୁ ଗୋଟାଏ ଚିତାବାଘ ମାରିଛି । ଚିତାବାଘ ମାରିଲେ ତା’ର ଦାନ୍ତ ଚିହ୍ନରୁ ଜଣାପଡ଼େ । ଚିତା ବା କଲରାପତରିଆର ଦାନ୍ତ ଛୋଟ ଛୋଟ ଓ କେନାଇନ୍‌ ଦାନ୍ତମାନଙ୍କର ଦୂରତ୍ୱ ଅଳ୍ପ । ମହାବଳ ବାଘର ଦାନ୍ତ ବଡ଼ ଓ କେନାଇନ୍ ଦାନ୍ତମାନଙ୍କର ଦ୍ୱରତ୍ୱ ବେଶି ଥାଏ, । ଆଖ ପାଖରେ ପାହୁଲ ପାହୁଲ ଦାଗ ମଧ୍ୟ ପଡ଼ିଥାଏ । ସେ ଦାଗ ସବୁ ପରୀକ୍ଷା କରି ଜାଣିଲୁ ଯେ କଲରାପତରିଆ ବା ଚିତାବାଘ ଛଡ଼ା ଅନ୍ୟ କିଛି ନୁହେଁ । ତେଣୁ ସୁବିଧା ଦେଖି ବଡ଼ ଝାଙ୍କୁଡ଼ା ଗଛରେ ମଞ୍ଚାଟିଏ ବନ୍ଧାଗଲା ଓ ଆମେ ବଙ୍ଗଳାକୁ ଜିପ୍‌ରେ ଫେରିଆସିଲୁ ।

 

ଅନ୍ୟ ଶିକାରୀମାନେ ସମସ୍ତେ ଆଗରୁ କଲରାପତରିଆ ବହୁତ ମାରିଥିବାରୁ ସେଉଟା ମାରିବାକୁ ମୋ ଉପରେ ପଡ଼ିଲା । ମଳୁ ଖୋଜୁଥିଲା ଯାହା ବଇଦ ବତାଇଲା ତାହା । ମୁଁ ତ ଆଗରୁ ବାଘଟିଏ ଶିକାର କରିବାକୁ ତିଆର ଥିଲି–ତେଣୁ ହେଉ ପଛେ କଲରାପତରିଆ–ବାଘ ତ ! ମହା ଆନନ୍ଦରେ ବାହାରିପଡ଼ିଲି । ଭାଇଙ୍କର .୩୫୫ ‘ମାଉଯାର’ ରାଇଫଲଟି ହାତପଇଠ କଲି । କଥା ହେଲା ଯେ ମୁଁ ଲାଲୁବାବୁଙ୍କୁ ନେଇ ଯିବି କଲରାପତରିଆ ଶିକାରରେ ଓ ଭାଇ ରାଜାଙ୍କର ଗୋଟାଏ ବାଘମରା ରାଇଫଲ ନେଇ ବଙ୍ଗଳା ପାଖ ମଞ୍ଚାରେ ବସିବେ ବାଘ ଆସିବା ବାଟକୁ ଅନାଇ–ଏବଂ ରାଜା ସାହେବ ବଙ୍ଗଳାରେ ବିଶ୍ରାମ ନେବେ । ବିଲାତି ସୁରା ହେବ ତାଙ୍କର ସଙ୍ଗିନୀ-

 

ଯଥା ସମୟରେ ଖିଆପିଆ ସରିଲା । ଏତିକି ବେଳକୁ ସେଠାକାର ପୁଲିସ ସାହେବ ଆସି ପହଞ୍ଚିଗଲେ । ଶିକାର ଯଦିଓ ସେ ନିଜେ କରନ୍ତି ନାହିଁ ତଥାପି ଶିକାର ଦେଖିବାକୁ ତାଙ୍କର ଭାରି ସଉକ ଥାଏ । ଖୁବ୍‌ ଆଗ୍ରହ ପ୍ରକାଶ କରି ସେ ଆମ ସଙ୍ଗେ ଆସିବାକୁ କହିବାରୁ ତାଙ୍କୁ ମଧ୍ୟ ନେବାକୁ ପଡ଼ିଲା । ଏଣୁ ଆମେ ତିନିଜଣ ସେଠାକୁ ଯାଇ ମଞ୍ଚା ଉପରେ ବସିଲୁ ।

 

ମଞ୍ଚାଟି ବେଶ୍‌ ବଡ଼ ହୋଇଥାଏ । ପଛ ପାଖରୁ ଗୋଟାଏ ସିଡ଼ି ସାହାଯ୍ୟରେ ଆମେ ମଞ୍ଚାକୁ ଉଠିଲୁ । ପ୍ରାୟ ପନ୍ଦର ଫୁଟ ଉପରେ ମଞ୍ଚା । ଆଗ ପାଖରେ ଦିଓଟି ଛୋଟ ଛୋଟ ଫାଙ୍କ । ସେ ଛୋଟ ଫାଙ୍କାବାଟେ ମଢ଼ଟି ପରିଷ୍କାର ହୋଇ ଦିଶୁଥାଏ । ଜନ୍ତୁଟିକୁ ମୋର ମାରିବାକୁ ଥାଏ ବୋଲି ମୁଁ ସେ ଫାଙ୍କ ପାଖରେ ଆଗକୁ ବସିଲି । ଲାଲୁବାବୁ ତାଙ୍କ ରାଇଫଲଟା ମୋତେ ଦେଲେ, କାରଣ ତାଙ୍କ ରାଇଫଲଟିରେ ଟର୍ଚ୍ଚଟିଏ ଯୋଖା ଯାଇଥାଏ । ଟର୍ଚ୍ଚ ଟିପି ଦେଲେ ଆଲୁଅ ସଙ୍ଗରେ ବନ୍ଧୁକର ମାଛି ମଧ୍ୟ ପରିଷ୍କାର ଦିଶେ ଓ ଲାଖ କରିବାପାଇଁ ସୁବିଧା ହୁଏ । ଘଞ୍ଚ ଜଙ୍ଗଲ ଚାରିଆଡ଼େ ଲାଗିଯାଇଥାଏ ଦୂର ପର୍ବତ ପର୍ଯ୍ୟନ୍ତ । ଜଙ୍ଗଲ ଭିତରେ ଯେଉଁ ସିଧାହୋଇ ଜାଗା ପରିଷ୍କାର ରଖାଯାଇଥାଏ ତାକୁ ‘ଫାୟାର ଲାଇନ’ କହନ୍ତି । ଦୁଇ ଫାୟାର ଲାଇନ୍‌ର ଦୋସମାଳି ଜାଗାରେ ଆମର ମଢ଼ଟି ଥାଏ । ଏଣୁ ଚିତାବାଘଟି ସେ ‘‘ଫାୟାର ଲାଇନ’’ ରେ ଆଗ ଜଙ୍ଗଲରୁ ଆସିପାରେ ବା ବିପରୀତ ଜଙ୍ଗଲ ମଝିରେ ମଝିରେ ଆସି ମଧ୍ୟ ମଢ଼ ପାଖରେ ବାହାରିପାରେ । ଆମେ ତିନିହେ ଧୀର ସ୍ଥିର ହୋଇ ବସିଲେ, ବାଘ ଆସିବାର ସମ୍ଭାବନା ବେଶି । ଆମକୁ ଯେଉଁମାନେ ଛାଡ଼ିବାକୁ ଆସିଥିଲେ ସେମାନେ ଆମକୁ ଛାଡ଼ି ଚାଲିଗଲେଣି । ବାଘ ଶିକାରରେ ମଞ୍ଚାରେ ବସିବାକୁ ଥିଲେ ସବୁବେଳେ ଅନେକ ଲୋକ ନେଇ ସେଠାକୁ ଯିବା ଦରକାର ଓ ଦୁଇ ତିନିଜଣ ମଞ୍ଚାରେ ବସି ସାରିଲାପରେ ଅନ୍ୟମାନେ ପାଟିତୁଣ୍ଡ କରି ଫେରିଯିବା ଦରକାର । ତାଦ୍ୱାରା ବାଘ ବୁଝିବ ଯେ, ମଢ଼ ପାଖରେ କେହି ରହିଲେ ନାହିଁ । ତା’ର ସନ୍ଦେହ ରହେନାହିଁ । ସେ ନିର୍ଭୀକ ହୋଇପଡ଼େ ଓ ମଢ଼ ପାଖକୁ ଆସିବାକୁ ଦ୍ୱିଧାବୋଧ କରେନାହିଁ । ଏପରି ମଧ୍ୟ ଦେଖାଯାଇଛି ଯେ, ବାଘ ଲୋକମାନଙ୍କୁ ବାଟୋଇଦେବାକୁ ପଛେ ପଛେ ଯାଇଥାଏ । ସେମାନେ ଜଙ୍ଗଲ ପାର ହୋଇଗଲେ ସେ ନିଶ୍ଚିନ୍ତରେ ଆସି ମଢ଼ ପାଖରେ ହାଜର ହୋଇଯାଏ; ଏପରିକି ଦିନ ଥାଉଁ ଥାଉଁ ମଧ୍ୟ ।

 

ଲାଲୁବାବୁଙ୍କଠୁ ଶୁଣିଛି, ସେ ଥରେ ମୟୂରଭଞ୍ଜରେ କୌଣସି ଏକ ଜାଗାକୁ ଗସ୍ତରେ ଯାଉଥିଲେ । ଯାଉଁ ଯାଉଁ ବେଳ ତିନିଟା କି ଚାରିଟା ହୋଇଗଲା । ସେତେବେଳେ ସେପାଖରେ ରାସ୍ତା ତିଆରି ଚାଲିଥାଏ । ଘୋର ଜଙ୍ଗଲ ରାସ୍ତା ଦୁଇପାଖରେ । ଲାଲୁବାବୁଙ୍କର ମଟରଗାଡ଼ି ଦେଖି ରାସ୍ତାର କୁଲିମାନେ ଅଟକାଇଲେ । ଲାଲୁବାବୁ ରହିଗଲାରୁ ଶୁଣିଲେ ଯେ, ପ୍ରାୟ ଅଧଘଣ୍ଟା ଆଗରୁ ଗୋଟାଏ ମହାବଳ ବାଘ ରାସ୍ତାଉପରୁ ଲୋକଟାଏ ଝାମ୍ପିନେଇ ବାମ ପାଖ ଜଙ୍ଗଲରେ ପଶିଯାଇଛି-। ଲାଲୁବାବୁ ସଙ୍ଗେ ସଙ୍ଗେ ବନ୍ଧୁକ ନେଇ ବାହାରିଲେ ଭିତରକୁ । ସଙ୍ଗରେ ଚାରି ଛଅଜଣ ଭେଣ୍ଡିଆ କୁଲି ବାହାରିଲେ ଲୋକଟିକୁ ଉଦ୍ଧାର କରିବାକୁ । ରକ୍ତଦାଗ ଓ ଘୋଷରା ଦାଗ ଦେଖି ଦେଖି ବଣ ପରେ ବଣ ପାରହୋଇ ବାଉଁଶ ଲଟିରେ ପହଁଞ୍ଚିଲେ । ଠିକ୍‌ ସାଢ଼େ ଚାରିଟା ବେଳକୁ ପାଇଲେ-। ମଣିଷ ତ ମରି ଯାଇଥାଏ । ବାଘ ପୁଣି ତା’ର ଗୋଟିଏ ହାତ ଖାଇଯାଇଛି । ଲାଲୁବାବୁ ଠିକ୍‌ କଲେ ତାକୁ ମାରିବେ । ସଡ଼କ ବେଶୀ ଦୂରନୁହେଁ; ପ୍ରାୟ ଅଧମାଇଲିଏ ହେବ । ପାଖରେ ବଡ଼ ବଡ଼ ଗଛ ସିମିତି ପାଇଲେ ନାହିଁ । ମଞ୍ଚା ବାନ୍ଧିବାକୁ ବି ସମୟ ନାହିଁ, କାରଣ ସଞ୍ଜ ହୋଇଆସୁଥାଏ । ତେଣୁ ସଡ଼କ ପାଖରୁ କୁଲିମାନଙ୍କର ଗୋଟାଏ ଦଉଡ଼ିଆ ଖଟ ଶୀଘ୍ର ଅଣାଗଲା ଓ ଗୋଟାଏ ବାଉଁଶ ବୁଦା ଉପରେ ଖଟ ପକାଇ ଲାଲୁବାବୁ ବସିଗଲେ । ବେଳ ରତ ରତ ହେଲାଣି । ଲୋକମାନଙ୍କୁ କହିଲେ ଜୋରରେ ପାଟିତୁଣ୍ଡ କରି କଥାବାର୍ତ୍ତା ହୋଇ ରାସ୍ତାକୁ ଫେରିଯିବା ପାଇଁ । ‘‘ବନ୍ଧୁକର ତିନୋଟି ଗୁଳି ଫୁଟିବାର ଶବ୍ଦ ଶୁଣି ପାରିଲେ ଆସିବ ।’’ ଲାଲୁବାବୁ ବାଉଁଶ ବୁଦା ଉପରେ ବସିଗଲେ । ପରେ ଲୋକମାନେ ପାଟି କରି କଥାବାର୍ତ୍ତା ହୋଇ ଫେରିଗଲେ । ସେମାନେ ସଡ଼କ ପାଖାପାଖି ହୋଇଛନ୍ତି କିନା ମହାବଳ ବାଘଟା ରାସ୍ତା ଆଡ଼ୁ ମଢ଼ ଆଡ଼କୁ ଚାଲି ଆସିଲା । ପରିଷ୍କାର ଦିନ ଥାଏ-। ପ୍ରକାଣ୍ଡ ନରଖାଦକ । ଲାଲୁବାବୁଙ୍କୁ ଦେଖି ନଥିଲା, ଯଦି ଓ ଲାଲୁବାବୁ ଅତି ଖୋଲାଟାରେ ଉପରେ ବସିଥିଲେ । ମଲାମଣିଷ ପାଖକୁ ଯାଅନ୍ତେ ଲାଲୁବାବୁ ଏକା ଗୁଳିକେ ତାକୁ ମାରିଦେଲେ । ଏଥିରୁ ଜଣାପଡ଼ିଛି ବାଘର ପ୍ରକୃତି ବେଶୀ ଲୋକ କଥାବାର୍ତ୍ତା ହୋଇ ଗଲେ ତାଙ୍କୁ ସେ ବାଟୋଇ ଦେଇ ଆସେ ଓ ସେମାନେ ଦୂରକୁ ଚାଲିଗଲା ପରେ ମଢ଼ ଉପରକୁ ନିଃସନ୍ଦେହରେ ଚାଲିଆସେ-। ଏଇ ସୁଯୋଗ ନେଇ ଶିକାରୀ ତା’ ଉପରକୁ ଗୁଳି ଚଳାଇବାକୁ ସୁବିଧା ପାଏ ।

 

ସେହି ନ୍ୟାୟରେ ଆମ ଲୋକମାନେ ଆମକୁ ବସାଇ ଦେଇ ଚାଲିଗଲେ । ବେଳ ରତ ରତ ହୋଇ ଆସୁଛି । ଆଉ ଟିକକେ ଅନ୍ଧାର ହୋଇଯିବ । ଦୂର ଗାଁରେ ତେଲିଙ୍ଗି ବାଇଦର ଶବ୍ଦ ଶୁଭିଲାଣି । ଯଦି ଓ ସେଦିନ ଜହ୍ନରାତି ଥାଏ, ତେବେ ଜଙ୍ଗଲ ଭିତରକୁ ଜହ୍ନ ଆଲୁଅ ପଡ଼ିବାକୁ ରାତି ଆଠଟା କି ନଅଟା ହେବ । ସେ ଭିତରେ ଚିତାଟା ଆସିଲେ ମୋତେ କେବଳ ଟର୍ଚ୍ଚ ଆଲୁଅ ଉପରେ ନିର୍ଭର କରିବାକୁ ହେବ ।,ଏହିପରି ଭାବୁ ଭାବୁ ଅନ୍ଧାର ହୋଇଗଲା । ଆମ ପାଖରେ ବସିଥିବା ପୁଲିସ ସାହେବ ବେଶି ସମୟ ଧୀର ହୋଇ ବସି ନ ପାରି ଖାଲି ଖସର ଖସର ହୋଇ ଗୋଡ଼ ବଦଳାଇବାରେ ଲାଗିଥାନ୍ତି । ଚାପା ଗଳାରେ ପଚାରୁଥାନ୍ତି, ବାଘ ଆସିଲାଣି କି ? ଏଥିରେ ମୋର ଆଶା ପଣ୍ଡ ହୋଇଯିବ ବୋଲି ମୁଁ ବିଚାରିଥାଏ । ଯଦି ମହାବଳ ବାଘ ହୋଇଥାନ୍ତା ତେବେ ସେ କଦାପି ଆସନ୍ତା ନାହିଁ ମଢ଼ ପାଖକୁ । ବାଘର ଘ୍ରାଣ ଶକ୍ତି କମ ଥିଲେ ମଧ୍ୟ ତା’ର ଶ୍ରବଣ ଶକ୍ତି ଓ ଦୃଷ୍ଟି ଶକ୍ତି ଅତ୍ୟନ୍ତପ୍ରଖର । ତେଣୁ ପୁଲିସ ସାହେବଙ୍କୁ ବୟସ୍କ ବୋଲି କିଛି କହି ନ ପାରିଥିଲେ ମଧ୍ୟ ମନେ ମନେ ବିରକ୍ତ ହେଉଥାଏ । କାହିଁକି ସଙ୍ଗରେ ଆଣିଲି ବୋଲି ମନେ ମନେ ଧିକ୍କାରି ହେଉଥାଏ । ସେ ତ ଶିକାରୀ ନୁହନ୍ତି, ଆସି ଥିଲେ କ’ଣ ହୋଇ ନ ଥାନ୍ତା ! ଇତ୍ୟାଦି ଇତ୍ୟାଦି କେତେ କ’ଣ ଭାବିଯାଉଥାଏ ।

 

ଅନ୍ଧାର ହେବାପରେ ଅଧଘଣ୍ଟାଏ ବିତିଗଲା । ଜଙ୍ଗଲ ଶୁନ୍ ଶାନ୍‌ । ଦୁଇଜଣ ଲୋକ ପାଖରେ ଥିଲେ ମଧ୍ୟ ମନ ଭିତରେ ଟିକେ ଟିକେ ଭୟର ସଞ୍ଚାର ହେଉଥାଏ । କାଳେ ଯଦି କଲରାପତରିଆଟା ସିଡ଼ି ଚଢ଼ି ଆସେ ମଞ୍ଚା ଉପରକୁ ! କାଳେ ଯଦି ଏଉଟା ନରଖାଦକ ହୋଇଥିବ-! ତାହାହେଲେ ତ ଆମ କଥା ସଇଲା ! କିନ୍ତୁ ଆଗକୁ ବସିଥାଏ ମୁଁ । ତେଣୁ ସିଡ଼ି ଚଢ଼ି ଆସିଲେ ଆଗ ପୁଲିସ ସାହେବଙ୍କ ପାଖରେ ଚିତାଟା ପହଞ୍ଚି ଯିବନି କି ! ତାଙ୍କର ଖସର ଖସର ହେବା ବାହାରିଯିବ ଯେ । ଏହିପରି ଗୁଡ଼ାଏ ଅବାନ୍ତର କଥା ମନ ଭିତରେ ଆସୁଥାଏ-। ବଣର ସାରିଆପତନି ଡାକ ଦେଲାଣି–ଟିହ’ଉଁ ଟିହ’ଉଁ । ଝିଣ୍ଟିକାର ଝିଁ ଝିଁ ଶବ୍ଦ ଦୂରରୁ ଶୁଭୁଛି । ତେଣେ ଗାଁର ତେଲିଙ୍ଗି ବାଇଦର ଶବ୍ଦ । ଆମେ ସବୁ ବସିଥାଉ ନିଶ୍ଚଳ ହୋଇ । ମୋର ମନର ସମସ୍ତ ଜୋର ଯାଇ କାନ ପାଖରେ ଠୂଳ ! ଏପରି ସମୟରେ ହଠାତ୍‌ ଯେପରି ସବୁ ନିସ୍ତବ୍‌ଧ ହୋଇଗଲା-। କାନ ଡେରି ଶୁଣିଲି । ହାଡ଼ ଚୋବେଇବାର ଶବ୍ଦ ଶୁଭିଲା । ଚିତା ତାହାହେଲେ ଆସିଗଲା-? ମୋର ନିଃଶ୍ୱାସ ପ୍ରଖର ଗତିରେ ବୋହିବାକୁ ଲାଗିଲା । ବାଘଟାକୁ ଆଉ ଦୁଇ ମିନିଟ ଅଧିକା ସମୟ ଦେଲି ଖାଇବା ପାଇଁ–ସେ ନିର୍ଭୀକ ହୋଇଯିବ ବୋଲି ଏବଂ ମୁଁ ମଧ୍ୟ କିଞ୍ଚିତ ପ୍ରକୃତିସ୍ଥ ହୋଇଯିବି ୟା ଭିତରେ । ଲାଲୁବାବୁ କିନ୍ତୁ ମୋତେ ଚିମୁଟିବାରେ ଲାଗିଥାନ୍ତି ଘନ ଘନ । ମୋର ହୃତ୍‌ପିଣ୍ଡର ଗତି ସେତେବେଳେକୁ ଅନେକ ମାତ୍ରାରେ ବଢ଼ି ଚାଲିଥାଏ । ଶରୀରର ଏଡ଼୍‌ରିନାଲିନ୍‌ ଗ୍ଳେଣ୍ଡ ବହୁପରିମାଣରେ ଏଡ଼୍‌ରିନାଲିନ୍‌ ଶରୀର ମଧ୍ୟକୁ ଶିରାମାନଙ୍କରେ ଢାଳି ପକାଉଥାଏ । ମୁଁ ଖୁବ୍‌ ତତ୍ପର ହୋଇପଡ଼ିଲି । ପାଟି ଅଠା ଅଠା ହୋଇ ଯାଉଥାଏ ଓ ନିଶ୍ୱାସ ପ୍ରଖର ହେବାକୁ ଉଦ୍ୟମ କଲାରୁ ମୁଁ ଧୀରେ ଧୀରେ ପାଟି ମେଲା କରି ଆସ୍ତେ ଆସ୍ତେ ନିଶ୍ୱାସ ନେଉଥାଏ–କାରଣ ଜୋରରେ ନିଶ୍ୱାସ ନେଲେ କାଳେ ବାଘଟି ଶୁଣିପାରିବ । କମ୍ପିତ ହସ୍ତରେ ଅତି ଆସ୍ତେ ଆସ୍ତେ ଲାଲୁବାବୁଙ୍କର ରାଇଫଲ ଆଗ ଫାଙ୍କା ବାଟେ ଗଳାଇ ମଢ଼ ଆଡ଼କୁ ରଖିଲି ଓ ତା’ପରେ ଅଦମ୍ୟ ଚେଷ୍ଟାକରି ଟର୍ଚ୍ଚଟି ଟିପିଲି । ଦେଖିଲି କଲରାପତରିଆଟା ଆମ ଆଡ଼କୁ ପଛ କରି ବସିଛି । ତାହାହେଲେ ନିଶ୍ଚୟ ଆମ ପଛ ଆଡ଼ୁ ଲୋକମାନଙ୍କୁ ବାଟୋଇ ଦେଇ ଆସିଛି-। ଆଲୁଅ ପଡ଼ିବାମାତ୍ରେ ସେ ଧୀର ହୋଇ ରହିଗଲା ଓ ମୋର ଗୁଳି ତା’ ପିଠିରେ ବାଜି ବାମ ପାଖ ଫୁସ୍‍ଫୁସ୍‌ କଣା କରି ବେକ ତଳକୁ ବାହାରି ପଡ଼ିଲା । ଚିତାଟା ଆଉ ଉଠିଲା ନାହିଁ । ସେ ଖିଆ ତା’ର ଶେଷ ହେଲା । ଦ୍ୱିତୀୟ ଗୁଳି ମାରିବାର ଦରକାର ହେଲାନି । ଲାଲୁବାବୁ ମୋ ପିଠିରେ ହାତମାରି ସାବାସ ବୋଲି କହିଲାରୁ ଯାଇ ବୁଝିଲି ଯେ ବାଘଟି ମରିଛି ଏକା ଗୁଳିକେ । ଆସ୍ତେ ଆସ୍ତେ ମୋର ଶରୀରର ଅବସ୍ଥା ସ୍ୱାଭାବିକ ଆଡ଼କୁ ଆସିଲା । ପୁଲିସ ସାହେବ ପଛରୁ ମୋ ଉପରକୁ ଉହୁଁଙ୍କି ପଡ଼ି ଚିତାଟାକୁ ଦେଖିବାକୁ ଚେଷ୍ଟା କରୁଥାନ୍ତି । ଲାଲୁବାବୁ କାହିଁକି ଚିମୁଟିଦେଲେ ପଚାରିବାରୁ ସେ କହିଲେ ଆଉ ବେଶି ସମୟ ରହିଥିଲେ ବାଘ ପଳାଇଯିବାର ସମ୍ଭାବନା ଥିଲା । ତେଣୁ ସେ ଇସାରା ଦେଉଥିଲେ ଜଲଦି ମାରିବା ପାଇଁ ।

 

ମନ ମୋର ଭାରି ଖୁସି ହେଲା । ଲୋକମାନଙ୍କୁ କହିଥାଉଁ ଯେ ଦ୍ୱିତୀୟ ଗୁଳି ନ ଫୁଟିବାଯାକେ ସେମାନେ ଆସିବେ ନାହିଁ । ତେଣୁ ଆଉ ଗୋଟାଏ ଗୁଳି ଫୁଟାଇବାକୁ ପଡ଼ିଲା ଉପର ଆଡ଼କୁ । ତା’ପରେ ଆମେ ଓହ୍ଲାଇ ଆସିଲୁ ଓ ଟର୍ଚ୍ଚ ଆଲୁଅରେ ଦେଖିଲୁ ଯେ କପଲରାପତରିଆ ବାଘଟା ବେଶ୍‌ ବଡ଼ ଓ ତା’ର ଚମଡ଼ା ଖୁବ୍‌ ସୁନ୍ଦର ହୋଇଥାଏ । ଶୀତଦିନରେ ବାଘମାନଙ୍କର ଚମଡ଼ା ଖୁବ୍‌ ସୁନ୍ଦର ହୁଏ । ଲୋକମାନେ ଲଣ୍ଠନ ଓ ଦଉଡ଼ା ଇତ୍ୟାଦି ନେଇ ଆସି ପହଞ୍ଚିଲେ । ପରେ ବାଘକୁ ବାନ୍ଧି ଆମେ ଜିପ୍‌ ପାଖକୁ ଗଲୁ । ବାଘକୁ କାନ୍ଧେଇ ନେବା ପାଇଁ ତାଙ୍କ ଭିତରେ ପାଟିତୁଣ୍ଡ ହଟ୍ଟଗୋଳ ହେଲା । କିଏ ସେ ସମ୍ମାନର ଅଧିକାରୀ ହେବ । ତେଣୁ କଥା ହେଲା ଅଧବାଟ କିଛି ଲୋକ ନେବେ ଓ ଅନ୍ୟମାନେ ଆଉ ଅଧିକ ନେବେ । ସେଇତା ହେଲା ।

 

ଗାଡ଼ିପାଖରେ ପହଞ୍ଚିଲାରୁ ଗାଁ ଯାକର ମାଇପେ ଫୁଲ, ଦୁବ, ବରକୋଳିପତ୍ର ଓ ଦୀପ ଇତ୍ୟାଦି ନେଇ ଆମକୁ ବନ୍ଦାଣ କଲେ ଓ ହୁଳହୁଳି ଦେଇ ମୋ ପାଦ ପାଖରେ ରଖି ଦେଲେ । ମୋ ଉପରକୁ ଅରୁଆ ଚାଉଳ ଗଣ୍ଡାଏ ପକାଇ ଦେଲେ । ସମସ୍ତଙ୍କର ଆନନ୍ଦ କୋଳାହଳ । ସେଆଡ଼ର ଗାଁମାନଙ୍କରେ ବିଶ୍ୱାସ, ବାଘଟେ ଯେ ମାରିବ ତାଙ୍କୁ ସେହିପରି ବନ୍ଦାଣ କରାଯିବ ଓ ସମ୍ମାନ ଦିଆଯିବ । କାରଣ ସେମାନେ ବିଶ୍ୱାସ କରିଥାନ୍ତି ଯେ, ବାଘ ଗୋଟାଏ ଅଶରୀରୀର ଆତ୍ମା–ବାଘରୂପ ନେଇ ମଣିଷଙ୍କର ଅନିଷ୍ଟ କରିଥାନ୍ତି । ତେଣୁ ଯେ ମାରିବ ସେ ନିଶ୍ଚୟ ଜଣେ ମହାମାନବ ବା ମହାପୁରୁଷ ବା ଦେବତା । ସେ ଯାହାହେଉନା କାହିଁକି ସମ୍ମାନର ଅଧିକାରୀ ହୋଇଥାଏ ମୁଁ । ତେଣୁ ମୋ ପ୍ରତି ସେପରି ସମ୍ମାନ ଦେଖାଗଲା ।

 

ମୋର ମନ ଖୁବ୍‌ ପ୍ରଫୁଲ୍ଲ ଥାଏ । ଶିକାରୀ ଜୀବନର ପ୍ରଥମ ଚିତାବାଘ–ପୁଣି ଗୋଟାଏ ଗୁଳିରେ–ଏବଂ ରାଜକୀୟ ଠାଣିରେ–ତେଣୁ ଖୁବ୍‌ ତୃପ୍ତି ! ବାଘଟି ଜିପ୍‌ରେ ଲଦି ଆମେ ଫେରିଲୁ ଡାକବଙ୍ଗଳା । ବଙ୍ଗଳାରେ ପହଞ୍ଚିଲାରୁ ଅନ୍ୟମାନେ ବାଘ ଚାରିପଟେ ବୁଲି ଦେଖିଲେ ଓ ମୋର ଖୁବ୍‌ ପ୍ରଶଂସା କଲେ । ଅନେକ ସମୟ ସେ ବିଷୟରେ ଚର୍ଚ୍ଚା ହେଲା । ଲାଲୁବାବୁ ଆମୂଳଚୂଳ ସବୁ ବଖାଣିଗଲେ । ମୋର ଖୁବ୍‌ ତାରିଫ ମଧ୍ୟ କଲେ । ମୁଁ ବୁଝିଲି ଚିତାଟାଏ ମାରିବା ଏମିତି କିଛି ବଡ଼ କଥା ନୁହେଁ, ତଥାପି ନିଜର ପ୍ରଶଂସା ଶୁଣିଲେ କାହାର ମନ ମୋଟା ନ ହେବ ? ଅନେକ ରାତି ହେଲାରୁ ଖାଇପିଇ ଶୋଇଲୁଁ ।

 

ପରଦିନ ଚିତାଟାର ଛାଲ ଉତରା ହେଲା । ସୁନ୍ଦର ଚମଡ଼ାଟି । ଭାନ୍‌ ହ୍ୟୁସେନ ପାଖକୁ ପଠାଇ ଦିଆଯିବା ପାଇଁ କଞ୍ଚା ଚମଡ଼ାରେ ପ୍ରାୟ ତିନି ଚାରି କିଲୋ ଲୁଣ ଦେଇ ବାନ୍ଧିବୁନ୍ଧି ରଖାଗଲା । ଲୁଣ ଦେଇ ରଖିଲେ ଚମଡ଼ାଏ ଖରାପ ହୁଏ ନାହିଁ କି ଚମଡ଼ାର ରୁମଗୁଡ଼ିକ ଉଠିଯାଏ ନାହିଁ–ଦଶ ପନ୍ଦର ଦିନ ଚମଡ଼ା ଭଲ ରହେ । ତା’ପରେ ତ ଟ୍ୟାନିଂ ହେବ । ଆଉ ଖରାପ ହେବ ନାହିଁ ।

 

ତା’ପରେ ଦୁଇ ଚାରିଦିନ ଖବର କିଛି ମିଳିଲା ନାହିଁ । ଭାଇ ମଧ୍ୟ ବଙ୍ଗଳା ପାଖ ମଞ୍ଚାରେ ବସି ବସି ଥକିଲେ–ବାଘ ଆଉ ଫେରିଲା ନାହିଁ । ଆମେ ଦିନବେଳେ ସବୁ ମଇଁଷିଙ୍କ ପାଖକୁ ଯାଇ ବୁଲି ଆସୁ ଓ ତାଙ୍କୁ ଘାସ, କୁଟା ଓ ପାଣି ଇତ୍ୟାଦି ଦେଉ । ମଇଁଷିମାନେ ଯେଉଁଠି ବନ୍ଧା ଯାଇଥିଲେ ସେଇଠି ବନ୍ଧା ଥାନ୍ତି; କାରଣ ବାଘ ଦିନବେଳେ ମଧ୍ୟ ମାରିପାରେ । ମଇଁଷିଙ୍କର ଗୋଡ଼ରେ ରସି ବନ୍ଧାଯାଇଥାଏ–ବେକରେ ପଘା ଦେଖିଲେ କାଳେ ସନ୍ଦେହୀ ହୋଇଯିବ ସେଥିପାଇଁ । ବାଘ ପାଇଁ ଜିଅନ୍ତା ଖାଦ୍ୟ ବାନ୍ଧିଲେ ସବୁବେଳେ ଗୋଡ଼ରେ ଖଟେଇ ଦିଆଯାଏ । ଦିନସାରା ରାତିସାରା ସେମାନେ ସେଇଠି ବନ୍ଧା ରହନ୍ତି ।

 

ଏଣେ ଛୁଟି ଆମର ସରି ଆସୁଛି । ଆଉ ମୋଟେ ଦୁଇଦିନ ବାକି । ରାଜା ସାହେବ ଚାଲିଗଲେଣି । ହଠାତ୍‌ ଦିନେ ଖବର ଆସିଲା ଯେ ନଅ ଦଶ ମାଇଲ ଦୂର ପାହାଡ଼ ଭିତରେ ଗୋଟାଏ ଗାଁ ପାଖରେ ମହାବଳ ବାଘ ଗାଈଟିଏ ମାରିଛି । ଭାଇଙ୍କର ସରକାରୀ କାମ ଥିବାରୁ ଲାଲୁବାବୁ ଓ ମୁଁ ବାହାରିଗଲୁ । ମଢ଼ ପାଖରେ ପହଞ୍ଚି ଦେଖିଲୁ ଯେ ମହାବଳ ବାଘ ଗାଈଟିକୁ ମାରିଛି ଗୋଟାଏ ହୁଡ଼ି କଡ଼ରେ । ସେ ହୁଡ଼ିର ଟିକେ ତଳକୁ ରାସ୍ତା ଯାଇଥାଏ । ସଞ୍ଜ ହେବାକୁ ଘଣ୍ଟାଏ ବାକି । ତରତରରେ ପାଖ ଗୋଟାଏ ଗଛ ଉପରେ ଦଉଡ଼ି ଖଟଟାଏ ବାନ୍ଧି ଆମେ ଦୁହେଁ ବସିଲୁ । ଲୋକମାନଙ୍କୁ ଜିପରେ ଅଧମାଇଲିଏ ବାଟ ଗାଁକୁ ପଠାଇଦେଲୁ । କ୍ରମେ ସଞ୍ଜ ହୋଇ ଆସିଲା । ଜହ୍ନ ବାହାରି ଚାରିଆଡ଼େ ଆଲୁଅ ବିଛାଡ଼ି ହୋଇ ପଡ଼ିଲା । ଆମେ ଦୁହେଁ ଚୁପ୍ ଚାପ୍‌ ବସି ଜଙ୍ଗଲର ଶବ୍ଦ ଶୁଣୁଥାଉଁ । ବାଘ ଆସିଲେ ଏଇ କୀଟପତଙ୍ଗ ବା ପଶୁ ପକ୍ଷୀଙ୍କର ସତର୍କ ଆବାଜ ଆମକୁ ଜଣାଇ ଦେବାର ଆଶା । କିଛି କେଉଁଆଡ଼ୁ ପାଇଲୁ ନାହିଁ । ମଢ଼ ପରିଷ୍କାର ଧଳା ଦିଶୁଥାଏ । ଆଖ ପାଖରେ ଗଛପତ୍ର ବୁଦା ଲଟି ସବୁ ପରିଷ୍କାର ଦିଶୁଥାଏ । ମୂଷାଟାଏ ଆସିଥିଲେ ମଧ୍ୟ ଦୃଶ୍ୟ ହୋଇଥାନ୍ତା । କିଛି କୁଆଡ଼ୁ ନାହିଁ । ରାତି ଦଶ ହେଲାଣି । ତୋଫା ଜହ୍ନ ଆଲୁଅ ।

 

ବାଘ ମଢ଼ କରିଥିଲେ ତା’ ଆସିବା ବେଳ ଦିନ ଚାରିଟା ବା ପାଞ୍ଚଟା । ସେ ସମୟରେ ନ ଆସିଲେ ରାତି ନଅଟା ବା ଦଶଟାରେ ଆସିପାରେ । ସେତେବେଳେ ମଧ୍ୟ ନ ଆସିଲେ ଆଉ ଗୋଟାଏ ବେଳ ହେଲା ଭୋର ଭୋର । କିନ୍ତୁ ନରଖାଦକର କିଛି ଠିକ୍‌ ଠିକଣା ନଥାଏ । ତେଣୁ ଆମେ କିଛି ସମୟ ଥିର ହୋଇ ବସି ରହିଲୁ । ଏଣେ ପ୍ରଚଣ୍ଡ ଶୀତ । ତରତରରେ ଆସିଥିବାରୁ ଯଥେଷ୍ଟ ଶୀତ ଲୁଗା ଆଣିପାରିନଥିଲୁ । କଳାହାଣ୍ଡି ଶୀତ-ପୁଣି ପାହାଡ଼ ପାଖ । ଧୈର୍ଯ୍ୟ ଆଉ ରହିଲା ନାହିଁ । ବିଚାର କଲୁ ରାତି ବାରଟା ଯାକେ ବସି ଡେରାକୁ ଫେରିବୁ । ଲାଲୁବାବୁ ମଙ୍ଗୁ ନଥିଲେ; କାରଣ ନରଖାଦକ ଯେଉଁ ଜାଗାମାନଙ୍କରେ ବୁଲନ୍ତି ସେଠାରେ ରାତିରେ ଯିବା ଆସିବା କରିବା ମାନେ ମୃତ୍ୟୁ ମୁହଁରେ ପଡ଼ିବା । କିନ୍ତୁ ମହାବଳ ବାଘ ନରଖାଦକ ହେଲେ ସେ ପ୍ରାୟ ଦିନବେଳେ ମଣିଷ ମାରେ । ଅନ୍ୟ ପକ୍ଷରେ ଚିତାବାଘ ମଣିଷଖିଆ ପାଳଟିଲେ ସେ କେବଳ ରାତିରେ ହିଁ ମାରେ । ଯାହାହେଉ ମୋର ସାହସ ଦେଖି ଲାଲୁବାବୁ ନାହିଁ କଲେ ନାହିଁ । ରାତି ବାରଟା ଉପରେ–ମୁଁ ଆଗ ଓହ୍ଲାଇଲି । ଲାଲୁ ବାବୁ ବନ୍ଧୁକ ଧରି ମୋ ଉପରେ ଅଚାନକ ଆକ୍ରମଣ ନ ହେବା ପାଇଁ ନଜର ରଖିଲେ । ମୁଁ ଓହ୍ଲାଇ ଆସି ବନ୍ଧୁକ ଧଇଲାରୁ ଲାଲୁବାବୁ ଓହ୍ଲାଇଲେ ଓ ମୁଁ ଚାରିଆଡ଼କୁ ନଜର ରଖିଲି । ଆମେ ଆମର ବନ୍ଧୁକ ଧରି ଚାରିଆଡ଼କୁ ନଜର ରଖି ଧୀରେ ଧୀରେ ଗାଁ ଆଡ଼କୁ ଆସିଲୁ । ତୋଫା ଜହ୍ନ ଆଲୁଅରେ ଆମକୁ ସବୁ ସଫା ଦିଶୁଥାଏ । ତଥାପି ଖୁବ୍ ସତର୍କ ରହିବାକୁ ପଡ଼ିଥିଲା । ଲାଲୁବାବୁଙ୍କ ପରି ଜଣେ ପୁରୁଣା ଶିକାରୀ ପାଖରେ ଥିଲେ ସତରେ ଭୟ ଲାଗେ ନାହିଁ ।

 

ଗାଁରେ ସମସ୍ତେ କବାଟ କିଳି ଶୋଇଥିଲେ । ଆମ ଲୋକଙ୍କୁ ଖୋଜି ବାହାର କରିବାକୁ ସମୟ ବେଶି ଲାଗିଲା ନାହିଁ । ତାଙ୍କୁ ସବୁ ନେଇ ଜିପ ପାଖକୁ ଆସିଲୁ ଓ ସେଥିରେ ବଙ୍ଗଳାକୁ ଫେରିଲୁ । ବଙ୍ଗଳା ପାଖରେ ଧୂନି ଜଳୁଥାଏ । ହାତ ଗୋଡ଼ ଏତେ ଥଣ୍ଡା ହୋଇଯାଇଥାଏ ଯେ ନିଆଁରେ ପୂରାଇ ଦେବାକୁ ଇଚ୍ଛା ହେଉଥାଏ । ଖାଇପିଇ ଶୋଇଲୁ । ଆଉ ବେଳ ନ ଥାଏ । ତହିଁଆର ଦିନ ଆମେ କଟକ ଅଭିମୁଖେ ବାହାରିପଡ଼ିଲୁ । ଲାଲୁବାବୁଙ୍କୁ କହି ଆସିଲୁ ବାଘମାନଙ୍କ କଥା ବୁଝିବା ପାଇଁ । ବଞ୍ଚିଥିବା ଦିଓଟି ପୋଢ଼ ତାଙ୍କୁ ଦେଇଦେଲୁ ।

 

ମଣିଷଖିଆ ବାଘ ମାରିବା ସହଜ କଥା ନୁହେଁ । ଦଶଦିନ ଛୁଟିନେଇ ବାଘ ମାରିବା କପାଳର କଥା । ବାଘ ନରଖାଦକ ହେଲେ ଭାରି ଚତୁର ହୋଇଯାଏ ଏବଂ ତାକୁ ସେହିପରି ଚତୁରତାର ସହିତ ମାରିବାକୁ ହୁଏ । ଜାଣିବା ଦରକାର, ବାଘ କାହିଁକି ନରଖାଦକ ପାଲଟେ । କୌଣସି କାରଣରୁ ବାଘ ତା’ର ପ୍ରାକୃତିକ ଖାଦ୍ୟ ସଂଗ୍ରହ କରିବାରେ ଅକ୍ଷମ ହେଲେ ସହଜ ଲବ୍‌ଧ ମଣିଷ ମାରିଖାଏ । ବାଘ ଅତିରିକ୍ତ ବୁଢ଼ା ହୋଇ ଦାନ୍ତ ପଡ଼ିଗଲେ ବା ନଖ ଘୋରି ହୋଇଗଲେ ନରଖାଦକ ପାଲଟେ । ଜଙ୍ଗଲରେ ଝିଙ୍କ ସଙ୍ଗେ ଲଢ଼େଇ କରି ବାଘ ତା’ର ଆଗ ଗୋଡ଼ ଜଖମ କଲେ ମଧ୍ୟ ନରଖାଦକ ହୁଏ । ଝିଙ୍କିର ମାଂସ ବାଘର ବଡ଼ ପ୍ରିୟ । ଝିଙ୍କ ମାରିବା ସମୟରେ ବେଳେବେଳେ ବାଘର ପଞ୍ଝାରେ ଝିଙ୍କ କାଠି ପଶିଯାଏ ଓ ଆଉ ବାହାରିପାରେ ନାହିଁ । ଘା ପାଚି ପୁଜହେଲେ ବାଘ ଛୋଟା ହୋଇଯାଏ । ଦ୍ରୁତଗାମୀ ହରିଣ, ସମ୍ୱର, ବାର୍‌ହା, ମାଙ୍କଡ଼ ଏପରିକି ଗୋରୁ ଗାଈଙ୍କୁ ମଧ୍ୟ ମାରିବାରେ ଅକ୍ଷମ ହୋଇ ବାଘ ଭୋକରେ ରହେ ଓ ଶେଷରେ ଜଙ୍ଗଲକୁ କାଠ ପତ୍ର ପାଇଁ ଯାଉଥିବା ମାଇପି ବା ଘାସ କଟାଳିଙ୍କୁ ମାରି ଖାଏ । ଥରେ ମଣିଷ ମାରି ପାରିଲେ ସେ ଅତି ସହଜରେ ମଣିଷ ମାଂସ ଖାଏ ଏବଂ ମଣିଷକୁ ଭୟ ନ କରି ଦିନବେଳା ମଣିଷ ମାରେ । କାରଣ ଦିନବେଳେହିଁ ମଣିଷମାନେ ଜଙ୍ଗଲ ପାଖ ଆଖରେ ବୁଳନ୍ତି ବା ଜଙ୍ଗଲକୁ ଯାଆନ୍ତି । ଆହୁରି ମଧ୍ୟ ଦେଖାଯାଇଛି ଯେ ନୂଆ ଶିକାରୀଙ୍କଦ୍ୱାରା ଜଖମ ହୋଇଯିବା ପରେ ମଧ୍ୟ ବାଘ ନରଖାଦକ ପାଲଟେ । କେହି କେହି କହନ୍ତି ନରଖାଦକ ବାଘର ଛୁଆମାନେ ବଡ଼ ହୋଇଗଲେ ମା’ ପାଖରୁ ଶିଖିଥିବା ବିଦ୍ୟାର ପ୍ରୟୋଗ କରନ୍ତି । ମାତ୍ର ଏଥିରେ ଅନ୍ୟତମ ମଧ ପ୍ରକାଶପାଏ । ସେ ହେଉଛି, ବାଘୁଣିର ଛୁଆମାନେ ସୁସ୍ଥ ସବଳ ଥିଲେ ବଡ଼ ହେଲେ ସେମାନେ ଜନ୍ତୁମାରି ଖାଆନ୍ତି । ନରଖାଦକ ହୁଅନ୍ତି ନାହିଁ ।

 

ଉପରୋକ୍ତ କାରଣମାନଙ୍କ ଯୋଗୁଁ ଚିତାବାଘ ମଧ୍ୟ ମଣିଷ ଖାଏ । ତା’ଛଡ଼ା ଦେଖାଯାଉଛି କଲେରା ମହାମାରି ବେମାରି ପରେ ଚିତାବାଘ ନରଖାଦକ ହୋଇପାରେ । ସେତେବେଳେ ଏତେ ଲୋକ ମରିଥାନ୍ତି ଯେ, ଗାଁମାନଙ୍କରେ ସେସବୁ ମଢ଼କୁ ଗାଁ ପାଖ ଜଙ୍ଗଲ ବା ପାହାଡ଼ମାନଙ୍କ ଧାରରେ ପକାଇ ଦିଆଯାଇଥାଏ–ଯଥାବିଧି ଶବ ସତ୍କାର କରାଯାଇପାରେ ନାହିଁ । ଚିତାବାଘର ରହଣି ଜାଗା ହେଲା ଗାଁ ପାଖ ଜଙ୍ଗଲ ପାହାଡ଼ । ସେସବୁ ମଢ଼ ସହଜରେ ପାଇ ଖାଇଯାଏ ଓ ମଣିଷ ମାଂସରେ ଅଭ୍ୟସ୍ତ ହୋଇଯାଏ । ପରେ ବେମାରି ଭଲ ହୋଇଗଲେ ଏବଂ ଆଉ ମଣିଷ ମଢ଼ ନ ପାଇଲେ ମଧ୍ୟ ଭଲ ମଣିଷଙ୍କୁ ମାରି ଖାଏ, । ଚିତାବାଘ ନରଖାଦକ ହେଲେ ସେ ପ୍ରାୟ ରାତିରେ ଘରେ ପଶି ମଣିଷ ଉଠାଇନିଏ । ତେଣୁ ନରଖାଦକ ଚିତାବାଘ ମାରିବା ବଡ଼ କଷ୍ଟକର ହୋଇଯାଏ । ରାତିରେ ତାକୁ ଖୋଜି ପାଇବା ସହଜ ନୁହେଁ । ଆଉ ରାତି ପାହିବା ପୂର୍ବରୁ ସେ ମାରିଥିବା ମଣିଷକୁ ପ୍ରାୟ ଶେଷ କରି ଦେଇଥାଏ । ଏଣୁ ତାକୁ ମାରିବା ଭୀଷଣ କଷ୍ଟକର ହୋଇପଡ଼େ ।

 

ସେ ଯାହାହେଉନା କାହିଁକି ପ୍ରଦାନ କାରଣ ଯେଁଉଥିପାଇଁ କି ମଣିଷ ନିଜେ ଦାୟୀ, ହେଉଛି ବାଘକୁ ଜଖମ କରି ଛାଡ଼ିଦେବା । ସେ ନିଶ୍ଚୟ ଦିନେ ନା ଦିନେ ନରଖାଦକ ପାଲଟିବ । ଏଣୁ ବାଘକୁ ଜଖମ କଲେ ତାକୁ ପଛରେ ଗୋଡ଼ାଇ ମାରିଦେବା ଉଚିତ । ପରନ୍ତୁ ବାଘ ଯିଏ ମାରିବ ସେ ନିଶ୍ଚିତ ଭାବରେ ଭଲ ବନ୍ଧୁକ ନେଇ ମାରିବ ଯେପରି ଏକା ଗୁଳିକେ ବାଘ ମରେ । ଫରି ବାଣୁଆଙ୍କର ବାଘ ମାରିବା ଉଚିତ ନୁହେଁ ବା ଛୋଟ ବନ୍ଧୁକରେ ବାଘ ମାରିବା ପାଇଁ ଯିବା ଠିକ୍‌ ନୁହେଁ ।

 

ସୁଖର କଥା ଆଜିକାଲି ବାଘର ଭୟ ସେପରି ନାହିଁ । ଏକ ଦିଗରେ ଜଙ୍ଗଲ ନଷ୍ଟ ଓ ଅନ୍ୟ ଦିଗରେ ବିଷ ପ୍ରୟୋଗଦ୍ୱାରା ବାଘ ମାରିବା । ଏ ଯୁଗରେ କୀଟନାଶକ ବିଷ ଆସିଯିବାରୁ ସେଗୁଡ଼ିକୁ ବାଘ ବା ହାତୀ ଇତ୍ୟାଦି ମାରିବାରେ ମଧ୍ୟ ବ୍ୟବହୃତ ହେଉଛି । ଆମ ପିଲାପିଲିମାନେ ଆଉ ବାଘ ଦେଖିବାକୁ ପାଇବେ କି ନା ସନ୍ଦେହ–ଶିକାର କରିବା ତ ଦୂରର କଥା ।

 

ବିଷ ପ୍ରୟୋଗଦ୍ୱରା ଜନ୍ତୁ ମାରିବା ଯେ କିପରି ନୀଚ, ଜଘନ୍ୟ ଏବଂ ଘୃଣ୍ୟ ଏହା କଥାରେ କୁହାଯାଇପାରେନା । ଏପରି ହୀନ ଉପାୟ ଅବଲମ୍ବନ କରିବା ନିତାନ୍ତ ଗର୍ହିତ କାର୍ଯ୍ୟ । ପ୍ରକୃତିର ଗୋଟାଏ ବିରାଟ ଜୀବକୁ ନଷ୍ଟ କରିବା କ’ଣ ଠିକ୍‌ ? ତେଣୁ ଭାରତ ସରକାର ଏବେ ବାଘ ମାରିବା ନିଷିଦ୍ଧ କରି ଦେଇଛନ୍ତି । କିନ୍ତୁ ବାଘକୁ ଖାଲି ମାରିବ ନାହିଁ ବୋଲି ଆଇନ ପ୍ରଣୟନ କଲେ ତ ଚଳିବ ନାହିଁ–ସେମାନଙ୍କର ଖାଦ୍ୟମାନଙ୍କୁ ମଧ୍ୟ ରକ୍ଷା କରିବାକୁ ହେବ । ଅର୍ଥାତ୍ ହରିଣ, ସମ୍ବର, କୁଟୁରା ଇତ୍ୟାଦି ଯେପରି ସଂଖ୍ୟା ବୃଦ୍ଧି କରିପାରିବେ ସେଥିପାଇଁ ଜଙ୍ଗଲର ପରିସର ମଧ୍ୟ ବଢ଼ାଇବା ଦରକାର । ପାହାଡ଼ମାନଙ୍କରେ ଗଛ ଲଗାଇବା ଦରକାର । ନୂଆ ଜଙ୍ଗଲ ତିଆରି କରିବା ଦରକାର । ଦୁଃଖର କଥା ଯେ, ଜଙ୍ଗଲ କଟା ଅବାଧରେ ଚାଲିଛି । ଗୋଟାଏ ଘରୋଇ ହିସାବରୁ ଜଣାପଡ଼ିଛି ଯେ ଏଭଳି ଚୋରା ଜଙ୍ଗଲ କଟାରୁ କେବଳ ଓଡ଼ିଶା ସରକାର ବର୍ଷକୁ ପ୍ରାୟ ତିନିକୋଟି ଟଙ୍କା ଆୟ ହରାଉଛନ୍ତି । ପ୍ରାୟ ସବୁ ପାହାଡ଼ ପର୍ବତ ଟାଙ୍ଗରା ହୋଇଗଲାଣି । ଜଙ୍ଗଲର ସତ୍ତା ଆଉ ରହିବ ନାହିଁ !

 

ତେଣୁ ଖାଲି ବାଘ ମାରିବାକୁ ମନା କରିଦେଲେ ସରକାରଙ୍କର ଦାୟିତ୍ୱ ପୂରଣ ହୋଇଗଲା ନାହିଁ କି ବାଘଗୁଡ଼ାକ ଅଭୟ ପାଇଗଲେ ନାହିଁ । ସବୁ ଦିଗରୁ କିପରି ଗୋଟାଏ କାମର ଫଳ ହାସଳ ହୋଇପାରିବ ତା’ର ବିଚାର କରି ଦେଖିବା ଦରକାର । ସେଥିପାଇଁ ଜଙ୍ଗଲର କିପରି ସଂରକ୍ଷଣ ହୋଇପାରିବ ସେପରି ଆଇନ ମଧ୍ୟ ପ୍ରଣୟନ କରିବା ଦରକାର ।

 

ପରନ୍ତୁ ନୂଆ ଶିକାରୀମାନେ ମଧ୍ୟ ଆଉ ବନ୍ଧୁକ ନଧରି କେମେରା ନେଇ ଫଟୋ ଉଠାନ୍ତୁ । ବଣ ଜଙ୍ଗଲରେ ବୁଲି ଭଲ ଫଟୋଟିଏ ଉଠାଇ ପାରିଲେ ପତ୍ରପତ୍ରିକାମାନଙ୍କଠାରୁ ସେମାନେ ବହୁ ପଇସା ରୋଜଗାର କରି ପାରିବେ । ଶିକାର କେବଳ ପରମିଟ୍‌ ମିଳୁଥିବା ଜଙ୍ଗଲରେ ଆବଦ୍ଧ ରଖି ଅନ୍ୟ ଜାଗାମାନଙ୍କରେ ଏପରି ଫଟୋ ଉଠାନ୍ତୁ ।

 

ଓଡ଼ିଶାର ‘‘ସ୍ପୋଟ୍‌ସ ମେନ୍‌ କ୍ଲବ’’ ଏବେ ଶିକାର କମାଇ ଦେଇ ଜୀବଜନ୍ତୁଙ୍କ ସଂରକ୍ଷଣରେ ଲାଗିଗଲେଣି । ଅନେକ ସଂଖ୍ୟାରେ ସେ କ୍ଲବ୍‍ର ସଭ୍ୟ ହୋଇ ଜୀବଜନ୍ତୁ ସଂରକ୍ଷଣରେ ସହାୟ ହୁଅନ୍ତୁ । ତାହାହେଲେ ଆମ ଓଡ଼ିଶାରେ ଜୀବଜନ୍ତୁଙ୍କ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଶିକାର ମଧ୍ୟ ନିୟମିତଭାବେ ଚାଲିପାରିବ । ଆମର ଭାବି ଯୁବକମାନେ ଆନନ୍ଦ ପାଇ ପାରିବେ ।

Image

 

ଲବଙ୍ଗିରେ ଶିକାର

 

ବିଲାତରୁ ଫେରିଥାଏ । କଟକର ବଡ଼ ମେଡ଼ିକେଲରେ ସରକାରଙ୍କର ଅନୁଗ୍ରହରୁ ଛୋଟ ଚାକିରିଟିଏ ପାଇଥାଏ । ମୋର ବଡ଼ଭାଇ ତ କଟକରେ ଥାଆନ୍ତି । ସନ ୧୯୬୨’ ବେଳକୁ ମୋ ସାନଭାଇ ଦେବେନ୍ଦ୍ର ମଧ୍ୟ ଆସିଗଲା କଟକ–ସରକାରୀ ଚାକିରି ଛାଡ଼ି–ଟେକ୍‌ସ ପ୍ରାକ୍ଟିସ୍‌ : କରିବ ବୋଲି । ଯୋଗକୁ ଭାଇଙ୍କର ଜଣେ ବନ୍ଧୁଶ୍ରୀ ମିଶ୍ର ମଧ୍ୟ କଟକରେ ଇଞ୍ଜିନିୟର ଥାଆନ୍ତି । ୧୯୬୩ର କଥା । ମିଶ୍ରବାବୁ ଦିନେ ବଡ଼ି ସକାଳୁ ଆମଘରକୁ ଆସିଥାନ୍ତି । ଚା କପ୍‌ରେ ଚୁମ୍ବନ ଦେଉ ଦେଉ ବିଚାରହେଲା ଆସନ୍ତା ମାର୍ଚ୍ଚରେ କ’ଣ କରିବା । ଦେବେନ୍ଦ୍ର କହିଲା ବହୁତ ଦିନରୁ ତ ଶିକାର ଯାଇନୁ, ତାହାହେଲେ ପାରିଧିରେ ଗଲେ କିପରି ହୁଅନ୍ତା । ମୁଁ ମଧ୍ୟ ରାଜି ହୋଇଗଲି । ବିଲାତରୁ ଫେରି ଏଠିକା ଆବ୍‌ହାୱା ଖୁବ୍‌ ଭଲ ଲାଗୁ ନ ଥିଲା । ହଠାତ୍‌ ପନ୍ଦରଶହ ଟଙ୍କା ଦରମାରୁ ଆସି ଏଠି ମୋଟେ ଶହେ ପଞ୍ଚାନବେ ଟଙ୍କା ଦରମା ପାଇବା ଓ ସେଠା ଡାକ୍ତରଖାନାର କାମରୁ ଆସି ଆମ ସରକାରୀ ଡାକ୍ତରଖାନାରେ ରହିବାଟା ହଠାତ୍ ମୋର ମଜ୍ଜାଗତ ହୋଇପାରୁନଥିଲା । ପରନ୍ତୁ ବହୁ ଦିନରୁ ଜଙ୍ଗଲ ବୁଲା ମଧ୍ୟ ହୋଇନି ଓ ଶିକାର ମାଂସ ମଧ୍ୟ ଖିଆ ଯାଇନି । ତେଣୁ ମୁଁ ମଧ୍ୟ ଠିକ୍‌ କରିନେଲି । ସେଇ ଅନୁସାରେ ବନ୍ଦୋବସ୍ତ ହେଲା ।

 

ଅନୁଗୁଳର ଡି.ଏଫ୍‌.ଓ ମହୋଦୟଙ୍କୁ ଚିଠି ଲେଖାଗଲା–ଆମପାଇଁ ଲବଙ୍ଗି ବ୍ଲକଟି ରିଜର୍ଭ (reserve) ରଖିବା ପାଇଁ ଏବଂ ଆମକୁ ପରମିଟ୍‌ ଦେବାପାଇଁ । ଯଥାସମୟରେ ସେସବୁ ଆସିଗଲା । ଆମେ ସଦଳବଳେ ବାହାରିଲୁ ଲବଙ୍ଗି । ଗୋଟାଏ ଫିଏଟ୍‌ କାର ଓ ଗୋଟିଏ ଜିପ୍‌ଗାଡ଼ି ସାଙ୍ଗରେ ନେଲୁ । ଖାଦ୍ୟ ସରଞ୍ଜାମ ତ ଜଙ୍ଗଲରେ ମିଳିବ ନାହିଁ । ତେଣୁ ଭଲ ପୁଝାରୀଟିଏ, କିଛି ଟିଣ ଖାଦ୍ୟ, ଅନ୍ୟାନ୍ୟ ସଉଦା, ପନିପରିବା ଇତ୍ୟାଦି ଧରି ଆମେ କଟକରୁ ବାହାରିଲୁ ଦିନ ଦୁଇଟାରେ । ଅନୁଗୁଳରେ ଡି. ଏଫ୍‌. ଓ ଙ୍କୁ ଦେଖାକରି ସାଢ଼େ ପାଞ୍ଚଟାରେ ସେଠାରୁ ବାହାରିଲୁ ଲବଙ୍ଗି । ଟିକରପଡ଼ା ରାସ୍ଥାରେ ପମ୍ପାସର ପର୍ଯ୍ୟନ୍ତ ଯାଇ ବାମକୁ ଲବଙ୍ଗି ରାସ୍ତା ଧରିବାକୁ ହୁଏ । ପମ୍ପାସର ପଯ୍ୟନ୍ତ ରାସ୍ତା ଭଲ–ଏସ୍‌ଫାଲ୍‌ଟର ରାସ୍ତା । ତା’ପରେ କଚ୍ଚା ପାହାଡ଼ିଆ ରାସ୍ତା । ଫିଏଟ୍ ଗାଡ଼ି ଯିବାକୁ କଷ୍ଟ ପଡ଼ିଲା । ତେଣୁ ଧୀରେ ଧୀରେ ବାକି ପାଞ୍ଚମାଇଲ ଯିବାକୁ ହେଲା । ବାଟରେ ଗୋଟାଏ ନାଳ । ପାଣି ନ ଥାଏ । ମାତ୍ର ସେଥିରେ ପୋଲ ବି ନ ଥାଏ, ଖାଲି ପଥର ମାଳ । ପଥରଗୁଡ଼ିକ କିନ୍ତୁ ଛୋଟ ଛୋଟ ଏବଂ ଗୋଲ ଗୋଲ । ରାସ୍ତାରେ ବିଛାଇ ହୋଇ ପଡ଼ିଥାଏ । ଖୁବ୍ ଧୀରେ ଧୀରେ ଫିଏଟ୍‌ ଗାଡ଼ି ନେଲାରୁ ଆରପାଖକୁ ଚାଲିଗଲା । ଲବଙ୍ଗିରେ ପହଞ୍ଚୁ ପହଞ୍ଚୁ ରାତି ହୋଇଗଲା ।

 

ସେଦିନ ବିଶ୍ରାମ ନେଲୁ ଓ ପାଖଆଖ ଗାଁମାନଙ୍କୁ ଖବର ଦେଲୁ ସେଠାକାର ବାଣୁଆମାନଙ୍କୁ ଆସିବା ପାଇଁ । ଯେଉଁସବୁ ଜାଗାକୁ ଶିକାର କରିବାକୁ ଯିବ ସେଠାକାର ବାଣୁଆ ବାସିନ୍ଦାଙ୍କଠାରୁ ଜନ୍ତୁଙ୍କ ବିଷୟରେ ଖବର ନେବା ନିହାତି ଦରକାର । ସେମାନେ ଜାଣନ୍ତି କେଉଁ ଜାଗାରେ ଜନ୍ତୁ ମିଳିବ–କେଉଁଠି ବାଘ, କେଉଁଠି ମିରିଗ ବା କେଉଁଠି କୁଟୁରା ଇତ୍ୟାଦି ମିଳିଯିବ । ସେମାନେ ମଧ୍ୟ ଲୋକ ସଂଗ୍ରହ କରିବାରେ ସାହାଯ୍ୟ କରିବେ ଓ ବାଘ କେଉଁ ଗାଁରେ ମଇଁଷି ବା ଗୋରୁ ମାରିବ ସଙ୍ଗେ ସଙ୍ଗେ ଖବର ଦେବେ ।

 

ଲବଙ୍ଗି ବଙ୍ଗଳାଟି ଗୋଟାଏ ଛୋଟ ହୁଡ଼ିର ମଝାମଝିରେ କିଛି ଜାଗା ସମତଳ କରି ତିଆରି ହୋଇଥାଏ । ବନ ବିଭାଗର ଘର । ତେଣୁ ଏ ଘରଟି ଭଡ଼ାନେଲୁ ବନ ବିଭାଗରୁ । ରାସ୍ତାରେ ପଶ୍ଚିମ ଦିଗରୁ ଆସି କ୍ରମେ ହୁଡ଼ି ଉପରକୁ ଚଢ଼ି ବୁଲି ଆସିଲେ ବଙ୍ଗଳାଟି ପଡ଼େ । ଏଣୁ ବଙ୍ଗଳା ପାଖରୁ ଅନାଇଲେ ରାସ୍ତାଟି ପରିଷ୍କାର ଦେଖାଯାଏ । ରାସ୍ତା ତଳକୁ ଆହୁରି ଖାଲ ମେଲିଯାଇ ପାଏ, ବାଟ ଛଡ଼ାରେ ପୁଣି ପାହାଡ଼ ଉପରକୁ ଉପରକୁ ଉଠିଥାଏ । ଚାରିପଟ ଛୋଟ ବଡ଼ ହୁଡ଼ି । ରାସ୍ତାରୁ ବଙ୍ଗଳା ଉପରକୁ ନଆସି ସିଧା ଚାଲିଗଲେ ଗୋଟାଏ ନାଳ ପଡ଼େ । ନାଳ ପାରି ହୋଇଗଲେ ବାଁ ପାଖରେ ଛୋଟ ଗାଁଟିଏ । ଦଶ କି ବାରଟି ଚାଳଘର । ସେଥିରୁ ଗୋଟାକରେ ଫରେଷ୍ଟ ଗାର୍ଡ଼ ରହେ । ନାଳ ଉପରକୁ ଗୋଟାଏ କାଠର ଗେଟ୍ ବା ଫାଟକ । ରାତିରେ ସେ ଫାଟକ ବନ୍ଦ କରାଯାଏ । ଆଉ ଗୋଟାଏ ଫାଟକ ଥିଲା ପମ୍ପାସର ଗାଁପାଖରେ–ଏହି ଫାଟକ ସବୁ ବେଆଇନ ଶିକାରୀ ବା ‘ପୋଚାର’ ମାନଙ୍କୁ ବନ୍ଦ କରିବା ପାଇଁ । ପୋଚାରମାନେ ରାତିରେ ଆସି ଆଲୁଅ ପକାଇ ଜନ୍ତୁ ମାରି ନେଇଯାଆନ୍ତି । ଆଲୁଅ ପକାଇ ହରିଣ, ସମ୍ୱର ଇତ୍ୟାଦି ଜିପ୍‌ ବା କାର ଭିତରୁ ଥାଇ ମାରିବା ବେଆଇନ ଏବଂ ଗର୍ହିତ କାର୍ଯ୍ୟ ।

 

ବଙ୍ଗଳାର ଉପର ମୁଣ୍ଡରେ ପାହାଡ଼ ଉଠି ଉଠି ଉପରକୁ ଉପରକୁ ଯାଇଥାଏ । ସେଥିରେ ସାଳିଆ ବାଉଁଶ ବୁଦା ବୁଦା ହୋଇ ଠାଏ ଠାଏ ଥାଏ । ମଝିରେ ମଝିରେ କୋଚିଲା, ସାଗୁଆନ୍‌, ଅସନ ପ୍ରଭୃତି ଜଙ୍ଗଲ ଗଛରେ ଭର୍ତ୍ତି । ପାହାଡ଼ର ଆରପଟୁ ଖୁବ୍ ଗହରିଆ ହୋଇଯାଇ ଗୋଟାଏ ଚକଡ଼ା ସମତଳ ଜାଗା । ସେଉଟା ପାରିହେଲେ ତୀଖ ଉଠାଣି ପୁଣି ମେଲି ହୋଇଯାଇଥାଏ । ଚାରିଆଡ଼େ ଜଙ୍ଗଲ । ଏପରି ସୁନ୍ଦର ପରିବେଶ ମଧ୍ୟରେ ସବୁପ୍ରକାର ଜନ୍ତୁ ଥାଆନ୍ତି । ହରିଣ, ସମ୍ବର, କୁଟୁରା, ଠେକୁଆ, ଚିତାବାଘ ହାତୀ, ଭାଲୁ ଇତ୍ୟାଦି ଇତ୍ୟାଦି । ବଙ୍ଗଳା ପାଖରେ ଛିଡ଼ାହେଲେ ଅନେକ ପ୍ରକାର ପକ୍ଷୀ ମଧ୍ୟ ଦେଖାଯାଆନ୍ତି । ସକାଳୁଆ ଅନେକ କୋଚିଲାଖାଇ (Hornbill) ଆସି ବଙ୍ଗଳା ପାଖ ଉଚ୍ଚ ଗଛଉପରେ ବସନ୍ତି । ଅନେକ ମଧ୍ୟ କହିବାର ମୁଁ ନିଜେ ଶୁଣିଛି, ଏଇ ବଙ୍ଗଳା ପିଣ୍ଡାରେ ବସି ସକାଳେ ସଞ୍ଜରେ ରାସ୍ତାକଡ଼ ବିଲମାନଙ୍କରେ ଓ ବିଲ ଉପରକୁ ଥିବା ଘାସ ପଡ଼ିଆରେ ବଣକୁକୁଡ଼ା, କୁଟୁରା, ହରିଣ ଓ ସମ୍ୱର ମଧ୍ୟ ଦେଖାଯାଇଛି । ବେଳେ ବେଳେ ବାଘ ମଧ୍ୟ ‘ବଙ୍ଗଳାପାଖକୁ ଆସିଥାନ୍ତି । ମୁଁ ନିଜେ ଅନେକ ବଣ କୁକୁଡ଼ା, ମୟୁର ମଧ୍ୟ ଦିନ ଆଠଟାରେ ଦେଖିଛି । ଦିନେ ସଞ୍ଜବେଳେ ସମ୍ବରଟାଏ ମଧ୍ୟ ଦେଖିଥିଲି । ହାତରେ ବନ୍ଧୁକ ନ ଥିଲା । ମାରିପାରିଲି ନାହିଁ । ବଙ୍ଗଳାର ଅନତିଦୂର ବିଲମାନଙ୍କରେ ଦିନ ଦୁଇଟା ପରେ ଅନେକ ମୟୂର ଆସି ଫସଲ ଖାଇବାର ମଧ୍ୟ ଆମେ ଅନେକ ଥର ଦେଖିଛୁ; ମାତ୍ର ବନ୍ଧୁକ ନେଇ ପାଖକୁ ଯାଇହୁଏ ନାହିଁ ସେମାନେ ଉଡ଼ିଯାନ୍ତି । ଦିନକର କଥା–ମୁଁ ଥାଏ ବିଲାତରେ । ଭାଇ ଓ ଦେବେନ୍ଦ୍ର ପିଲାମାନଙ୍କୁ ନେଇ ଆସି ଏଇ ବଙ୍ଗଳାରେ ରହିଥିଲେ । ରାତିରେ ଟର୍ଚ୍ଚ ଓ ସ୍ପଟ୍‌ଲାଇଟ୍‌ ଧରି ବଙ୍ଗଳା ତଳ ରାସ୍ତାରେ ବୁଲୁ ବୁଲୁ ଗୋଟାଏ ନୁହେ ଦୁଇଟା ନୁହେଁ ଏକା ସଙ୍ଗରେ ତିନି ତିନିଟା ମହାବଳ ବାଘ ତାଙ୍କ ସ୍ପଟ ଆଲୁଅରେ ଦେଖାଗଲେ ! ସେମାନେ ହତଭମ୍ବ ହୋଇ ଛିଡ଼ା ହୋଇଗଲେ ବହୁତ ସମୟ । ବାଘଗୁଡ଼ାକ ମଧ୍ୟ ଯାଉନଥାନ୍ତି । ଖାଲି ଏପାଖ ସେପାଖ ହେଉଥାନ୍ତି । ମୋଟେ ତିରିଶ ଚାଳିଶ ଗଜ ଦୂରରେ ସେମାନେ ଚାରିପାଖେ ବୁଲିଲେ । ଏମାନଙ୍କ ହାତରେ ବନ୍ଧୁକ ଥିଲେ ମଧ୍ୟ ଏତେ ପାଖରେ ତିନିଟା ବାଘ ଦେଖି ମାରିବାକୁ ସାହସ କଲେନାହିଁ । ଯାହାହେଉ କିଛିସମୟ ଏପରି ବୁଲାବୁଲି କରିବା ପରେ ସେମାନେ ଉପର ପାହାଡ଼କୁ ଉଠିଗଲେ । ଦେବେନ୍ଦ୍ର ଓ ଭାଇ ଆଶ୍ୱସ୍ତିର ନିଃଶ୍ୱାସ ମାରି ବଙ୍ଗଳାକୁ ଫେରିଆସିଲେ ।

 

ସେଦିନ ରାତି ଆଠଟା ଆଡ଼କୁ ପାହାଡ଼ ଆରପାଖ ଗାଁରୁ ଜଣେ ପୁରୁଣା ଶିକାରୀ ଆସିଗଲା । ତା’ଠାରୁ ଆମେ ସବୁ ବୁଝିଲୁ । କ’ଣ କ’ଣ କରାଯିବ ମଧ୍ୟ ବିଚାର କରାଗଲା । କଥା ହେଲା ପରଦିନଟି ଆମେ ପାହାଡ଼କୁ ପାହାଡ଼ ହାକା କରିବୁ । ତା’ ପରଦିନ ଆମେ ବଡ଼ି ଭୋରରୁ ଖାଇବା ଜିନିଷ ନେଇ ବାହାରି ପଡ଼ିବୁ ପାଞ୍ଚ ସାତ ମାଇଲ ଜଙ୍ଗଲ ଭିତରକୁ ଗୋଟାଏ ଲୁଣା ଝର (Salt lick) ପାଖକୁ । ସେଠାରେ ଦିନସାରା ଓ ରାତିସାରା ରହି ଜନ୍ତୁ ଦେଖି ଓ ଫଟୋ ଉଠାଇ ଫେରିବୁ ତହିଁଆରଦିନ ସକାଳୁ । ଏସବୁ ବିଚାର କରି ଆମେ ନିଶ୍ଚିନ୍ତରେ ଖାଇପିଇ ଶୋଇଲୁ ।

 

ଭୋର ଭୋର ଲୋକଟି ଚାଲିଗଲା ଆଖପାଖ ଗାଁରୁ ତିରିଶ ଚାଳିଶ ଜଣ ହାକାଳିଆ (Beater) ଙ୍କୁ ଡାକି ଆଣିବାକୁ । ଆମକୁ ଯେଉଁ ଛାଡ଼ ମିଳିଥାଏ ସେଥିରେ ଆମକୁ ଗୋଟାଏ ହରିଣ ଗୋଟାଏ ସମ୍ବର ଓ ଗୋଟାଏ କୁଟୁରା ମାରିବାପାଇଁ ଛାଡ଼ ମିଳିଥାଏ । ସେ ପୁଣି ସବୁ ପୁରୁଷ ଜନ୍ତୁ । ମାଇ ଜନ୍ତୁ ମାରିବାକୁ ମନା । ଏହିସବୁ କଟକଣା ଭିତରେ ଆମେ ଥାଉଁ । ହାକାଳିଆଙ୍କ ସଙ୍ଗେ କଥା ହେଲା ଯେ ଜନ୍ତୁ ନ ପାଇଲେ ସେମାନଙ୍କୁ ଜଣକା ଆଠଅଣା ଲେଖାଏ ଦିଆଯିବ । ଜନ୍ତୁ ମିଳିଲେ କିନ୍ତୁ ମାଂସ କିଛି କିଛି ଦିଆଯିବ ମାତ୍ର । ଠିକ୍‍ ହେଲା–ଲବଙ୍ଗି ଗାଁ ପାହାଡ଼ଟି ଆଗ ଆଡ଼ି କରାଯିବ; ତା’ପରେ ଆମେ ଯିବୁ ଆମ ଆସିବା ବାଟରେ ଥିବା ଗୋଟାଏ ବଡ଼ ପାହାଡ଼କୁ ।

 

ଆମେ ସବୁ ନିତ୍ୟକର୍ମ ସାରି ଖିଆପିଆ କରିନେଇ ବାହାରୁ ବାହାରୁ ଆଠଟା ବାଜିଗଲା-। ଆମର ଶିକାର ପୋଷାକ ହେଲା ମୋଟା ଖାକି କନାର ପୁରା ପେଣ୍ଟ୍‌ ଓ ସାର୍ଟ । କେନଭାସର ଜୋତା ଓ ମଥାରେ ସୋଲ ଟୋପି ବା‘ବେରି କେପ୍‌’ । ମୁଁ ଧଇଲି ବାରବୋର ଦୁଇନଳିଆ ବନ୍ଧୁକ-। ଦେବେନ୍ଦ୍ର ମଧ୍ୟ ଧଇଲା ବାରବୋର ଦୁଇନଳିଆଟିଏ । ଭାଇ ନେଲେ ତାଙ୍କର .୪୭୦ ଦୁଇନଳିଆ ରାଇଫଲ ଓ ମିଶ୍ରବାବୁ ତାଙ୍କର .୩୭୫ ବୋର ଏକନଳିଆ ମେଗ୍‌ନାମ୍‌ ରାଇଫଲ । ଆମ ଭିତରେ କଥା ହେଲା ବଡ଼ ଜନ୍ତୁ ବାହାରିଲେ ରାଇଫଲ ବ୍ୟବହାର ହେବ, ଛୋଟ ଜନ୍ତୁ ବାହାରିଲେ ଛଡ଼ାଯିବ ନାହିଁ । ହାକାଳିଆମାନଙ୍କୁ ପାହାଡ଼ର ଗୋଟାଏ କଡ଼ରେ ଧାଡ଼ିବାନ୍ଧି ଛିଡ଼ା ହେବାକୁ ପଠାଇ ଦେଲୁ-। ତାଙ୍କୁ ବୁଝାଇଦେଲୁ ଯେ ଅଧଘଣ୍ଟାକ ପରେ ସେମାନେ ଶିକାରୀମାନଙ୍କ ଆଡ଼କୁ ଜନ୍ତୁମାନଙ୍କୁ ତଡ଼ିଦେବେ । ସେଇ ଅଧଘଣ୍ଟାକ ଭିତରେ ଯାଇ ଆମେ ଛକ ଜାଗାମାନଙ୍କରେ ବସିଯାଇଥିବୁ-

 

ଆଡ଼ି କରିବା ଆଗରୁ ଆମକୁ ଜାଣିବା ଦରକାର ଜନ୍ତୁଙ୍କୁ ତଡ଼ିଲେ ସେମାନେ କେଉଁ ଆଡ଼କୁ ଯାଆନ୍ତି । ସାଧାରଣତଃ ଦେଖାଯାଇଥାଏ, ଯେଉଁ ଆଡ଼କୁ ଜଙ୍ଗଲ ବେଶି ବେଶି ଥାଏ ଓ ନିଶ୍ଚଳ ଥାଏ ତଡ଼ିନେଲେ ଜନ୍ତୁ ସେଇ ଆଡ଼କୁ ଯାଆନ୍ତି । ଏଣୁ ଶିକାରୀମାନେ ସେଇସବୁ ଜନ୍ତୁ ଚଲାବାଟ (Game path) ମାନଙ୍କରେ ବସିଯିବା ପରେ ଆଡ଼ି ଆରମ୍ଭ ହୁଏ । ଯେଉଁମାନେ ହାକା କରନ୍ତି ସେମାନେ ବେଶି ପାଟିଗୋଳ କରି ଯିବା ଠିକ୍‌ ନୁହେଁ । ସେମାନେ ୨୦/୨୫ ଫୁଟ ଦୂରରେ ଥାଇ ଟିକିଏ ଅର୍ଦ୍ଧବୃତ୍ତାକାର ଭାବରେ କଥାବାର୍ତ୍ତା କରି ଆଗକୁ ଆସ୍ତେ ଆସ୍ତେ ଗତି କରିବା ଦରକାର । ଗଲାବେଳକୁ ହାତରେ ଧରିଥିବା ଟାଙ୍ଗିଆ ବା କଟୁରିରେ ଗଛ କିମ୍ୱା ପଥର ଦିହରେ ଥରେ ଥରେ ବାଡ଼େଇ ଦେଲେ ଯଥେଷ୍ଟ ହୁଏ ।

 

ଆସ୍ତେ ଆସ୍ତେ ଗତିକଲେ ଜନ୍ତୁମାନେ ମଧ୍ୟ ଆସ୍ତେ ମସ୍ତେ ଆଗକୁ ଗତି କରନ୍ତି ଓ ଶିକାରୀ ଯଥେଷ୍ଟ ସୁବିଧା ପାଏ, ଗୁଳି ଚଳାଇବାକୁ । ଯଦି ହୋ ହୋ ପାଟିକରି ବା ବାଜା ବଜାଇ ଜନ୍ତୁଙ୍କୁ ତଡ଼ିନିଆଯାଏ ତାହାହେଲେ ଜନ୍ତୁ ହୁରୁଡ଼ିଯାଇ ଛିନ୍‍ଛତର ହୋଇଯାଆନ୍ତି । ଏତେ ଜୋରରେ ଦୌଡ଼ନ୍ତି ଯେ ଗୁଳି ଚଳାଇବାକୁ ଅସୁବିଧା ହୁଏ । ସେଥିପାଇଁ ଆଡ଼ି କରାଯିବା ପୂର୍ବରୁ ହାକାଳିଆମାନଙ୍କୁ ସବୁବେଳେ ବୁଝାଇ ଦେବାକୁ ହୁଏ, ଓ ଶିକାରୀମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ତାଙ୍କ ସଙ୍ଗରେ ପଠାଇ ଦେବାକୁ ହୁଏ । ତା ନ ହେଲେ ଜନ୍ତୁ ମାରିବା ବଡ଼ କଷ୍ଟକର ହୋଇଯାଏ । ଆଡ଼ି କଲେ ଆଗ ଛୋଟ ଜନ୍ତୁ ଆସନ୍ତି । ପରେ ପରେ ଭାଲୁ ଓ ଶେଷରେ ବାଘ ଇତ୍ୟାଦି ଆସନ୍ତି । ସବାଶେଷରେ ପକ୍ଷୀମାନେ ଉଡ଼ି ଆସନ୍ତି । ତେଣୁ ପକ୍ଷୀ ଉଡ଼ି ଆସିବା ଆରମ୍ଭ ହେଲେ ଜାଣିବ ହାକାଳିଆମାନେ ପାଖକୁ ଆସିଗଲେଣି ଆଉ ଜନ୍ତୁ ବାହାରିବାର ସମ୍ଭାବନା ନାହିଁ ।

 

ଶିକାରୀମାନେ ସାଧାରଣତଃ ତଳେ ବସି ରହନ୍ତି । ସେଥିପାଇଁ ଖାକି କନାର ବା ସାଗୁଆ (Bottle green) କନାର ପୋଷାକ ପିନ୍ଧିଥିଲେ ଏବଂ ଧୀର ନିଶ୍ଚଳ ହୋଇ ବସି ରହିଲେ ଜନ୍ତୁ ଶିକାରୀଙ୍କୁ ଦେଖି ନ ପାରି ବହୁତ ପାଖକୁ ଆସିଯାଆନ୍ତି । ଏଣୁ ଗୁଳି ଚଳାଇବାକୁ ସୁବିଧା ହୁଏ । ଯେଉଠି ଆଗରୁ ବନ୍ଦୋବସ୍ତ କରାଯାଇଥାଏ ବା ଯେଉଁଠି ବାଘ ବାହାରିବାର ସମ୍ଭାବନା ଥାଏ । ଏହି ସବୁ ମଞ୍ଚା ଗଛ ଉପରେ ପ୍ରାୟ ତେର କି ପନ୍ଦର ଫୁଟ ଉପରେ କଲେ ଭଲ ହୁଏ । ଶିକାରୀ ମଞ୍ଚା ଉପରେ ରହି ବେଶ୍‍ ଦୂରରୁ ଜନ୍ତୁଙ୍କୁ ଦେଖିପାରେ ଓ ସୁବିଧା ମୁତାବକ ଗୁଳି ଚଳାଇଥାଏ । ଫଟୋ ମଧ୍ୟ ଉଠାଇବାକୁ ସୁବିଧା ହୁଏ । ବାଘ ଘାଉଲା ହୋଇ ଡିଆଁ ମାରିଲେ ଦଶ ବାର ଫୁଟରୁ ବେଶି ଉଠିପାରେ ନାହିଁ । ତେଣୁ ମଞ୍ଚା ତେର ଫୁଟ ଉପରେ ଥିଲେ ଶିକାରୀ ନିରାପଦ ରହେ ।

 

ଆମର ତ ସେପରି ସୁବିଧା ନ ଥିଲା । ତେଣୁ ଆମେ ତରତରରେ ଯାଇ ତଳେ ବସିଗଲୁ । ଯେଉଁ ସବୁ ରାସ୍ତାମାନଙ୍କରେ ଜନ୍ତୁ ଗଡ଼ନ୍ତି ସେଇ ଜାଗା ବାଛି ବାଛି ଆମେ ବସିଲୁ । ଯେଉଁଟି ଛୋଟ ଜନ୍ତୁ ଗଡ଼ିବାର ସମ୍ଭାବନା ସେଠାରେ ବାର ବୋର ରଖାଗଲା । ଯେଉଁଠି ବଡ଼ ଜନ୍ତୁ ଗଡ଼ିବାର କଥା ସେଠାରେ ରାଇଫଲବାଲାଙ୍କୁ ବସାଇ ଦିଆଗଲା । ପ୍ରାୟ ଶହେଗଜ ଛଡ଼ା ଛଡ଼ାରେ ଆମେ ସବୁ ବସିଲା ପରେ ବଣରେ ଚଢ଼େଇ ପରି ରାବଦେଇ ଆମେ ନିଜ ନିଜର ଅବସ୍ଥିତି ବିଷୟରେ ପରସ୍ପରକୁ ଜଣାଇଦେଲୁ–ଗୁଳି କଲାବେଳେ ସେ ଦିଗକୁ ନ କରିବା ପାଇଁ; ଆଗକୁ ବା ପଛକୁ ଗୁଳି କରାଯାଇପାରେ । ଶିକାରୀ ଥରେ ସ୍ଥାନ ଜଣାଇଦେଲା ପରେ ଆଉ ଜାଗା ବଦଳାଇବ ନାହିଁ । ତାହା ନହେଲେ ଗୁଳି ମାଡ଼ରେ ଶିକାରୀ ଶିକାର ହୋଇଯିବାର ସମ୍ଭାବନା ଥାଏ । ଏସବୁ କରିବା ପରେ ପରେ ଆଡ଼ି ସମୟ ମୁତାବକ ଆରମ୍ଭ ହେଲା । ଆମେ ଧୀର ହୋଇ ବସିଛୁ । ଅନେକ ସମୟ ଗଲା । ପକ୍ଷୀମାନେ ଉଡ଼ିଗଲେ । ଜଣେ ଜଣେ ହାକାଳି ମଧ୍ୟ ଦେଖାଗଲେଣି, ଜନ୍ତୁଙ୍କର ଦେଖା ନାହିଁ । କିଛି ନ ମିଳିବାରୁ ନିରାଶ ହୋଇ ଉଠିଲୁ ।

 

ଅନ୍ୟ ଜାଗାକୁ ଯିବା କଥା । ହାକାଳିମାନଙ୍କୁ ଆଗରୁ ପଠାଇଦେଲୁ । ଆମେ ବଙ୍ଗଳାକୁ ଯାଇ ଜିପଗାଡ଼ି ନେଇ ସେ ଜାଗାରେ ଆଗ ପହଞ୍ଚିଗଲୁ । ହାକାଳିଆମାନେ ଆସିବା ଆଗରୁ ଆମେ ଯାଇ ଛକ ଜାଗାମାନଙ୍କରେ ବସି ରହିଲୁ । ତଳେ ବସି ରହିବାକୁ ହେଲା । ଶିକାର ପଦ୍ଧତି ଅନୁସାରେ ଯେ ଯାହାର ସ୍ଥାନ ଅନ୍ୟମାନଙ୍କୁ ଜଣେଇଦେଲେ । ତାପରେ ସବୁ ଚୁପ୍ ଚାପ୍ । ମୁଁ ବସିଥାଏ ଏକୁଟିଆ, ପାହାଡ଼ର ଠିକ୍ ଗଡ଼ନ୍ତି ଜାଗାରେ । ଅନେକ ଭାବନା ମନରେ ଖେଳିଯାଉଥାଏ-। ଜଙ୍ଗଲରେ ଏକୁଟିଆ ବସିଲେ ଅନେକ ଭାବନା ମନରେ ଆସେ । ଯଦି ବାଘଟାଏ ବାହାରେ କଣ କରିବି । ତାକୁ ମାରିବି କି ନା ଛାଡ଼ିଦେବି । ମୋ ପାଖରେ ତ ବାର ବୋର ଦୁଇନଳିଆଟିଏ ମାତ୍ର-। ଦୁରକୁ ପରିଷ୍କାର ଦିଶୁଥାଏ । ଥରେ ଭାବୁଥାଏ ବାଘକୁ ଛାଡ଼ିଦେବି-

 

ପୁଣି ଥରେ ଭାବୁଥାଏ, ଯାହା ହେବ ହେଉ ପଛେ ବାଘକୁ ପାଇଲେ ଆଉ ଛାଡ଼ିବାର ନୁହେଁ । ତଳେ ଛିଡ଼ାହୋଇ ବାଘଟିଏ ମାରିପାରିଲେ ଜଣେ ବଡ଼ ଶିକାରୀ ବୋଲି ନାମ ଡାକ ପଡ଼ିବ ନାହିଁ କି ? ଯାହାହେଉ ଅପଲକ ଦୃଷ୍ଟିରେ ମୁଁ ଆଗକୁ ଅନାଇ ରହିଥାଏ । ଠିକ୍ ଏତିକିବେଳେ ଡାହାଣପାଖ ରାସ୍ତା-ଧାରରେ କଣ ଗୋଟାଏ ଖସ୍ ଖାସ୍ ହେଲା । ଆଖି ଆସ୍ତେ ଫେରାଇ ଦେଖିଲି ଛୋଟ ବିଲେଇ ଛୁଆ ଭଳି ଦୁଇଟା ଚିତାବାଘ ଛୁଆ ମୋ ଆଡ଼କୁ ଧପାସି ଆସୁଛନ୍ତି ! କ’ଣ କରିବି ! ଛୁଆମାନଙ୍କର ପଛରେ ମା’ ନିଶ୍ଚୟ ଥିବ ! ଛୁଆ ଥାଇ ମା’ ଖୁବ୍ ଭୟଙ୍କର ହୁଏ ! ସେତେବେଳକୁ ଛୁଆଗୁଡ଼ିକ ମୋଠାରୁ ପ୍ରାୟ ତିରିଶ ଗଜ ଦୂରରେ ଥାଆନ୍ତି । ମୁଁ ନିଜକୁ,ମୋର ଧୀର ସ୍ଥିର ହୋଇ ବସି ରହିବାର କୌଶଳକୁ ମନେ ମନେ ଧନ୍ୟବାଦ୍ ଦେବାରେ ଲାଗିଲି । ଚିତା ଛୁଆଗୁଡ଼ିକ ମୋର ସ୍ଥିତି ବିଷୟରେ ସଂପୂର୍ଣ୍ଣ ଅଜ୍ଞ । ମାତ୍ର ଏ କ’ଣ ? ଛୁଆଗୁଡ଼ିକ ଯେ ଆହୁରି ଆଗେଇ ଆସୁଛନ୍ତି । ଯେ କୌଣସି ମୁହୂର୍ତ୍ତରେ ମା’ ଆସିଯିବ ଓ ତା’ପରେ ସେ ତ ନିଶ୍ଚୟ ଭୟଙ୍କର ମୂର୍ତ୍ତି ଧରିବ । ମୋତେ ତାହାହେଲେ କ’ଣ ମାରିବାକୁ ହେବ ? ନା, ଛୁଆ ଥାଇ ମା’କୁ ମାରିବାର ନୁହେଁ । ବାଧ୍ୟ ହୋଇ ମୁଁ ହାତ ହଲାଇ ପାଟିରେ ସୁ ସୁ କରି ଶବ୍ଦ କଲି । ଛୁଆ ଦିଓଟି ଖପ୍ ଖାପ୍ ହୋଇ ପାଖ ଜଙ୍ଗଲକୁ ବିଜୁଳି ବେଗରେ ଡେଇଁପଡ଼ି ଅଦୃଶ୍ୟ ହେଲେ । ତେଣୁ ଆଉ ମା ଆସିବା ପାଇଁ ଅପେକ୍ଷା କରିବା ଦରକାର ନ ଥିଲା । ଛୁଆଗୁଡ଼ିକ ଗଲା ପରେ ମୁଁ ପୁଣି ଧୀରହୋଇ ବସିରହିଲି ଅନ୍ୟ ଜନ୍ତୁଙ୍କ ଅପେକ୍ଷାରେ ।

 

ହାକାଳିଆମାନେ ଆସିବା ବେଳକୁ ପ୍ରାୟ ଏକଘଣ୍ଟା ହୋଇଯାଇଥାଏ । ଆଡ଼ି ଆରମ୍ଭ ହେଲା । ଅଧାଅଧି ଆଡ଼ି ହେବା ପରେ ମିଶ୍ର ବାବୁଙ୍କଠାରୁ ଗୁଳି ଶବ୍ଦ ହେଲା । ପରେ ପୁଣି ଆଉ ଗୋଟାଏ ଗୁଳି, ଫୁଟିବାର ଶବ୍ଦ । ଠିକ୍ ତା ପରେ ପରେ ପୁଣି ପରେ ଯେଉଁ ବାରହା ପଲ ମୋ ଆଡ଼କୁ ପାହାଡ଼ ଉପରୁ ଗଡ଼ୁଥିଲେ ଗୁଳି ଶବ୍ଦରେ ଫାଟିପଡ଼ି ପଛକୁ ମୁହାଁଇଲେ ଏବଂ ହାକାଳିଆଙ୍କ ମଝିରେ ଧସି ପଶି ପଛକୁ ପଳାଇଗଲେ । ଏଣେ ଗୁଳି ଶବ୍ଦ ଶୁଣି ହାକାଳିଆମାନେ ମଧ୍ୟ ଅଣହେଳା କରି, ଜଲଦି ପଳାଇଆସିଲେ । ଭାଗ୍ୟକୁ ମିଶ୍ରବାବୁ ଗୁଳିରେ ସମ୍ବରଟାଏ ମରି ଥିଲା ।

 

ମିଶ୍ରବାବୁଙ୍କ କହିବା ଅନୁସାରେ ହାକା ଆରମ୍ଭ ହେବାର ସମୟ ପରେ ତାଙ୍କ ଆଗରେ ଖସ୍ ଖସ୍ ମସ୍ ମସ୍ ହୋଇ ସମ୍ବରଟା ଆସିଲା । ଟିକିଏ ଦୌଡ଼ୁଥାଏ ପୁଣି ଠିଆହୋଇ ଟିକିଏ ପଛକୁ ଅନାଉଥାଏ । ଏହିପରି ଭାବରେ ପ୍ରାୟ ଷାଠିଏ ଗଜ ପାଖକୁ ଆସିଲେ ପରେ ସେ ଯେତେବେଳେ ପଛକୁ ଅନାଇ ଛିଡ଼ା ହେଲା ୩୭୫ ରାଇଫଲର ଗୁଳିଟି ଠିକ୍ ତା’ର ବେକକୁ ଲକ୍ଷ୍ୟକରି ମରାଗଲା । ଗୁଳିଟି ଠିକ୍ ବେକରେ ନ ବାଜି ଟିକିଏ ତଳକୁ ଛାତିରେ ବାଜିଲା । ସମ୍ବର ସଙ୍ଗେ ସଙ୍ଗେ ନ ମରି ଶହେ ଗଜ ଖଣ୍ଡେ ମିଶ୍ରବାବୁ ପାଖ ଦେଇ ପଛକୁ ଦୌଡ଼ିଗଲାବେଳେ ମିଶ୍ରବାବୁ ଆଉ ଗୋଟାଏ ଗୁଳି ଲାଛିଦେବାକୁ ସମୟ ପାଇଲେ । ଦ୍ୱିତୀୟ ଗୁଳି ଖାଇ ସମ୍ବରଟି କଚାଡ଼ିହୋଇ ପଡ଼ିଲା ଓ ଗଡ଼ନ୍ତିରେ ଗଡ଼ିଯାଇ ଜଳ ନାଳ ପାଖରେ ରହିଗଲା । ହାକାଳିଆମାନେ ଆସିଲାରୁ ସଙ୍ଗେ ସଙ୍ଗେ ଜଙ୍ଗଲରୁ ଦଣ୍ଡା ଓ ନଇ କଟାହୋଇଗଲା । ସମ୍ବରଟିକୁ ବନ୍ଧାବନ୍ଧି କରି ବୋହିଲେ । ମହା ଆନନ୍ଦରେ ସମସ୍ତେ ବଙ୍ଗଳାକୁ ଫେରିଲେ । ବେଳ ଢେର୍ ହୋଇଯାଇଥିଲା । ଆମେ ଗାଧୁଆ ପାଧୁଆ ସାରିଲା ବେଳକୁ ସମ୍ବରର ଛାଲ ଉତୁରା ସରିଥିଲା । ହାକାଳିଆମାନଙ୍କୁ କିଛି କିଛି ମାଂସ ଦେଇ ବିଦାୟ ଦେଲୁଁ । ଆମେ ସବୁ ଖିଆପିଆ ସାରି ଟିକିଏ ବିଶ୍ରାମ ନେଉ ନେଉ ସଞ୍ଜ ହେଲାଣି ।

 

ବଙ୍ଗଳା ଆଗ ସମତଳ ଜାଗାରେ କିଛି ସମୟ ବସିଲିଁ । ଚାରିଆଡ଼େ ଜଙ୍ଗଲରୁ ଭାସି ଆସୁଥାଏ ନାନା ରକମର କଳରବ । ଦୂରରୁ କୁଟୁରାଟାଏ ବୋବାଇବାର ଶବ୍ଦ । କେଉଁଠୁ ବା ମୟୂରଟିଏ ଡାକୁଥାଏ । ବଣ କୁକୁଡ଼ାଙ୍କର ରାବ ବଙ୍ଗଳା ତଳ ଜଙ୍ଗଲରୁ ଶୁଭୁଥାଏ । ଆମେ ବସି ବସି ଶୁଣୁଥାଉଁ । ରାତ୍ର ଭୋଜନ ଡେରି ହେବ । ମାଂସ ରନ୍ଧା ହେବାକୁ ଅଛି । ତେଣୁ ବିଚାର କଲୁ ବ୍ରିଜ୍‌ ଖେଳିବାକୁ । ଚାରିଜଣ ବସି କଣ୍ଟ୍ରାକ୍‍ଟ ବ୍ରିଜ୍‌ ଖଳିଲୁଁ । କେତେବେଳେ ସେ ଏଗାରଟା ବଜିଲା ଜାଣିପାରିଲୁ ନାହିଁ । ସକାଳୁ ଉଠି ଜଙ୍ଗଲ ଭିତରକୁ ଯିବାକୁ ହେବ । ତେଣୁ ଖାଇପିଇ ଶୋଇଲୁ । ଚାଲି ଚାଲି ଥକା ହୋଇ-ଥିବାରୁ ନିଦ ବେଶ୍ ହେଲା ।

 

ସକାଳୁ ଉଠି ନିତ୍ୟକର୍ମ ସାରି ବାହାରୁ ଦିନ ଆଠଟା । ସାଙ୍ଗରେ ପାଣି ଓ ପାଞ୍ଚ ଜଣଙ୍କ ପାଇଁ ଦିନକର ଖାଦ୍ୟ ଧରି ଆମେ ବାହାରି ପଡ଼ିଲୁ । ଶିକାରୀ ଜଣଙ୍କ ଆମ ଜିନିଷତକ ଧଇଲା । ଆମେ ବନ୍ଧୁକ, କେମେରା ଓ ଦୂରବିଣଟିମାନ ଧଇଲୁ । ଚାଲି ଚାଲି ସାତ ଆଠ ମାଇଲି ଯିବାକୁ ହେବ, ପାହାଡ଼ ପର୍ବତ ପାରହୋଇ ଲୁଣା ମାଟିପାଖ ଝରକୁ । କିଛିବାଟ ଜିପରେ ଗଲୁ । ତା’ପରେ ଜିପଟାକୁ ରାସ୍ତାଧାରରେ ଜଙ୍ଗଲରେ ଛାଡ଼ି ଚାଲିଲୁ । ଓଜନଦାର ବନ୍ଧୁକ ଧରି ଏପରି ଜଙ୍ଗଲ ରାସ୍ତାରେ ଚାଲିବାକୁ କଷ୍ଟ ହେଉଥାଏ । ହେଲେ ମନ ବେଶ୍ ଆନନ୍ଦ ଥାଏ । ଏଣୁ କଷ୍ଟ ସହ୍ୟ ହେଉଥାଏ । ଯାଉଁ ଯାଉଁ ଗୋଟାଏ ପରିତ୍ୟକ୍ତ ରାସ୍ତା ପଡ଼ିଲା । ସେ ରାସ୍ତାରେ ଯାଉଁ ଯାଉଁ ବାଟରେ ଦେଖିଲୁ ମୟୂରମାନେ ରାସ୍ତା ଉପର କିପରି ସଫା-କରି କ୍ରୀଡ଼ା କରନ୍ତି । କିଛିବାଟ ଗଲା ପରେ ଦଳେ ହନୁମାଙ୍କଡ଼ଙ୍କୁ ଦେଖିଲୁ । ଆମକୁ ଦେଖି ସେମାନେ ଗଛର ଆହୁରି ଉପରକୁ ଉଠିଗଲେ । ରାସ୍ତାରେ ଆଗପଛ ହୋଇ ଯାଉଛୁ, ହଠାତ୍ ତିରିଶ ଗଜ ଦୂରରୁ ରାସ୍ତାକଡ଼ ପାହାଡ଼ ଧାର ଛାଇ ହୋଇଥିବା ଗୋଟାଏ ଖାଲ ଜାଗାରୁ ଗୟଳଟାଏ (Bison) ଉଠି ଦୌଡ଼ିଗଲା । ଏତେ ଜୋରରେ ଓ ଏଡ଼େ ଅଚାନକଭାବେ ସେ ଉଠି ଦୌଡ଼ିଲା ଯେ ଆମେ ହଠାତ୍ କ’ଣଟାଏ ବୋଲି ଭାବୁ ଭାବୁ ସେ ଆମର ଦୃଷ୍ଟିରେ ଅଗୋଚରକୁ ଚାଲିଗଲାଣି ! ଆସ୍ତେ ଆସ୍ତେ ଆମର ହୃତପିଣ୍ଡ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲା । ଝାଳ ମରିଲା । ଆମେ ଆଗକୁ ଚାଲିଲୁ ।

 

କିଛିବାଟ ଗଲା ପରେ ଆମେ ରାସ୍ତାରୁ ଗଡ଼ି ଗୋଟାଏ ଚଲାଦାଣ୍ଡି ଧଇଲୁ ଓ ଜଙ୍ଗଲ ଭିତରେ ଭିତରେ ଗଲୁ । ଏଣିକି ଗଛଗୁଡ଼ାକ ବେଶ୍ ବଡ଼ ବଡ଼ । ନିଆଁ ଲାଗି ତଳ ସଫା ହୋଇଯାଇଥାଏ । ତେଣୁ ଚାଲିବାକୁ କଷ୍ଟ ହେଉନଥାଏ । ଗଛଗୁଡ଼ିକ ବଡ଼ ବଡ଼ ଥିବାରୁ ଆମେ ଅନେକ ଦୂରକୁ ମଧ୍ୟ ପରିଷ୍କାର ଦେଖିପାରୁଥାଉଁ । ଗଛ ଛାଇ ଛାଇରେ ଯାଇ ଯାଇ ଆମକୁ ଖରା ବାଧୁ ନଥାଏ । ପୋଡ଼ାଜଙ୍ଗଲ ପରେ ଯେଉଁ ଜଙ୍ଗଲ ପଡ଼ିଲା ସେଥିରେ କଣ୍ଟା ବୁଦା ଇତ୍ୟାଦିରେ ଯିବାକୁ କଷ୍ଟ ହେଲା । ଯାହାହେଉ ଅଧଘଣ୍ଟାଏ ଆଉ ଚାଲିଲା ପରେ ଆମେ ଠିକଣା ଜାଗାରେ ପହଞ୍ଚିଗଲୁଁ । ଦିନ ପ୍ରାୟ ତିନିଟା ହେବ ସେତେବେଳକୁ ।

 

ସେ ଜାଗାଟି ଗୋଟାଏ ପାହାଡ଼ କଡ଼ରେ । ଝରଟିଏ ଅଛି । ମାତ୍ର ପାଣି ବେଶି ବାହାରୁନଥିବାରୁ ଅଳ୍ପ ଜାଗାରେ ପାଣି ଟିକେ ଥାଏ । ପାଣି ଉପରକୁ ତିଖ ଉଠାଣି । ସେ ଉଠାଣି ଧାରରେ ଲୁଣି ମାଟି । ଏହି ଲୁଣି ମାଟି ଖାଇବା ପାଇଁ ପଲ ପଲ ସମ୍ବର, ହରିଣ, ଗୟଳ ଇତ୍ୟାଦି ଆସିଥାନ୍ତି । ସେଇଥିପାଇଁ ସେ ଜାଗାଟି ସେମାନଙ୍କର ଖୁରାଦାଗରେ ଭର୍ତ୍ତି ହୋଇ-ଯାଇଥାଏ । ତଳ ମାଟି କାଦୁଅ ହୋଇଯାଇଥାଏ । ଖାଲର ତଳ ପଟକୁ ମସ୍ତବଡ଼ ଏକ ଝାଙ୍କୁଡ଼ା ଗଛ । ଖାଲ ଜାଗାର ଉପର ମୁଣ୍ଡକୁ ପ୍ରାୟ କୋଡ଼ିଏ କି ତିରିଶ ଫୁଟ ଉଚ୍ଚ । ବଡ଼ ବଡ଼ ଗଛ ଥାଏ । ତା’ ଉପରକୁ ଉଠିଗଲେ ପାହାଡ଼ଟିଏ ଉଠି ଉଠି ଯାଇଥାଏ ସ୍ୱର୍ଗକୁ ଛୁଇଁଲା ଭଳି । ପାହାଡ଼ ଉପରେ ବାଉଁଶ ବୁଦା ଅନେକ ।

 

ଆମେ ପହଞ୍ଚି ଦେଖିଲୁ ଖାଲ ଉପର ଉଚ୍ଚା ଜାଗାରେ * କୁମାଟାଏ ଅଛି । ଝାଙ୍କୁଡ଼ା ଗଛ ଉପରେ ମଞ୍ଚାଟାଏ ମଧ୍ୟ ଦେଖିଲି । ଖୋଳିତାଡ଼ି ପଚାରିବାରୁ ଶିକାରଟି କହିଲା ଯେ ସେ ଓ ତା’ର ବନ୍ଧୁମାନେ ଜନ୍ତୁ ମାରିବାକୁ ଏଠାକୁ ଆସନ୍ତି । ସେଇଥିପାଇଁ ଏଗୁଡ଼ିକ କରାଯାଇଛି । ଆଇନତଃ ଲୁଣା ଝର ପାଖରେ ଜନ୍ତୁ ମାରିବା ଏକେବାର ମନା, ଯେପରିକି ରାତିରେ ଆଲୁଅ ପକାଇ ମିରିଗ, ସମ୍ବର ସବୁ ମାରିବା ମନା । କିନ୍ତୁ ଆମ ଲୋକମାନେ ସ୍ୱାଧୀନ ହେବା ପରେ ଏସବୁ ଆଇନକୁ ଆଉ ମାନୁନାହାନ୍ତି । ଫଳରେ ଆମ ଜଙ୍ଗଲରେ ଜନ୍ତୁ ଆଉ ଦେଖିବାକୁ ସେପରି ମିଳୁନାହାନ୍ତି ।

 

* କୁମା—ଅତି ଛୋଟ କୁଡ଼ିଆ । ଘାସ ବା ଡାଳ ପତ୍ରରେ କରାଯାଇଥାଏ ।

 

ସେ ଯାହାହେଉ ଆମେ ତରତରରେ କୁମାଟିକୁ ଟିକେ ବଡ଼ କରି-ଦେଲୁ ଓ ଭଳକରି ଡାଳପତ୍ର ଦେଇ ଛନ୍ଦିଦେଲୁ । ଚାରିଟା ବେଳକୁ ଆମେ ସମସ୍ତେ ତା’ ଭିତରେ ଖିଆପିଆ ସାରି ବସିଗଲୁ । ମିଶ୍ରବାବୁଙ୍କର ଗୋଟାଏ କେମେରା ଥାଏ । ଜନ୍ତୁଙ୍କ ଆସିବା ବେଳ ହେଲାଣି । ଖାଲଟି ପରିଷ୍କାର ଦେଖାଯାଉଥାଏ । ଆମେ ସବୁ ଧୀରହୋଇ ବସି ଛୋଟ ଛୋଟ କଣାବାଟେ ଅନାଉଁଥାଉ । ଏହିପରି କିଛିସମୟ ବସିଲା ପରେ ଆମ ଉପର ପାହାଡ଼ ଧାରରେ ପ୍ରାୟ ଶହେ ଗଜ ଦୂରରେ ମାଙ୍କଡ଼ଗୁଡ଼ିଏ ଖେଁ ଖେଁ ହୋଇ ଉଠିଲେ । ଆମେ ଜାଣିଲୁ ବାଘଟାଏ କି ଚିତାଟାଏ ବୋଧହୁଏ ଆସୁଛି ପାଣି ପାଖକୁ । ଜଙ୍ଗଲରେ ବାଘ ବା ଚିତାବାଘ ଦେଖିଲେ ହନୁଗୁଡ଼ିକ ଏହିପରି ଖେଁ ଖେଁ ହୁଅନ୍ତି । ଏଣୁ ବାଘ କେଉଁଆଡ଼େ ଯାଉଛି, କ’ଣ କରୁଛି ଇତ୍ୟାଦି ଖବର ଏଇ ହନୁମାଙ୍କଡ଼ମାନେ ଦେଇଥାନ୍ତି । କୁଟୁରା, ବଣକୁକୁଡ଼ା ଇତ୍ୟାଦି ମଧ୍ୟ ବାଘର ଠାବ ଜଣାଇଦିଅନ୍ତି । ଆମେ ଖୁବ୍ ଉଦବିଗ୍ନ ହୋଇ ବସିଛୁ । ବାଘ ପାଣି ପିଇବାକୁ ଆସିବ ବୋଲି, ମାତ୍ର ଆସିଲା ନାହିଁ । ଦୁଇପା ବାଟ ତଳକୁ ଆଉ ଗୋଟାଏ ପାଣି ଜାଗା ଅଛି । ବୋଧହୁଏ ସେଠାକୁ ଚାଲିଗଲା । ଠିକ୍ ସାଢ଼େ ଚାରିଟା ବେଳକୁ ଦେଖିଲୁ କୁଟୁରାଟିଏ ଧୀରେ ଧୀରେ ଗଡ଼ୁଛି ବିପରୀତ ଦିଗରୁ ପାଣି ପାଖକୁ । ବିପରୀତ ଦିଗରୁ ଜନ୍ତୁ ଆସିଲେ ସେ ଗଡ଼ିଆସିବ ଖାଲ ଜାଗାକୁ । ଯେହେତୁ ଆମେ ଏପାଖ ଉଠାଣିରେ ଥାଉଁ, ଜନ୍ତୁ ଗଡ଼ିଲେ ଆମକୁ ପରିଷ୍କାର ଦେଖାଯିବ । କୁଟୁରା ଦେଖି ବାଣୁଆ ଜଣକ ମୋତେ ଇସାରା ଦେଉଥାଏ ଓ ଭାଇଙ୍କ ଆଡ଼କୁ ଅନାଉଥାଏ । ତା’ ପାଟିରୁ ଲାଳ ଗଡ଼ିଲାଣି-। ଆମେ କେହି ବନ୍ଧୁକ ଉଠାଉନଥାଉ । ଏଣେ ମିଶ୍ରବାବୁ ଫଟୋ ନେବାରେ ବ୍ୟସ୍ତ ରହିଥାନ୍ତି-। କୁଟୁରାଟି ମହା ଆନନ୍ଦରେ ପାଣି ପିଇସାରି ଠୁକୁରୁ ଠୁକୁରୁ ହୋଇ ଚାଲିଗଲା । ଜଙ୍ଗଲରେ ପଶି କେଉଁ ଆଡ଼େ ଅଦୃଶ୍ୟ ହୋଇଗଲା । ବାଣୁଆ ଜଣଙ୍କର ମୁହଁ ଆମ୍ବିଳ ଖାଇଲା ପରି ହୋଇଗଲା-

 

କିଛି ସମୟ ପରେ ଗୟଳ ଛୁଆଟିଏ ଆସିଲା ପାଣି ପିଇବାକୁ । ଛୁଆଟିକୁ ଦେଖି ଆମେ ଭାବିଲୁ ତା’ ମା’ ମଧ୍ୟ ଆସିବ ତଳକୁ । କିନ୍ତୁ ଦେଖିଲୁ କଳା ମିଚ୍ ମିଚ୍ ତାର ମା ଟିକେ ଉପରକୁ ରହିଗଲା । ଆଉ ତଳକୁ ଖସିଲା ନାହିଁ । ପିଲାଟି ପାଣି ପିଇ ଉଠିବା ମାତ୍ରେ ସେ ତାକୁ ନେଇ ଚାଲିଗଲା । ବୋଧହୁଏ ମା’ଟି ହିଂସ୍ରଜନ୍ତୁଙ୍କୁ ପହରା ଦେବାପାଇଁ ଉପରେ ରହିଗଲା । ସେ ତଳକୁ ଆସିଥିଲେ କାଳେ ହିଂସ୍ରଜନ୍ତୁଙ୍କୁ ପହରା ଦେବାପାଇଁ ଉପରେ ରହିଗଲା । ସେ ତଳକୁ ଆସିଥିଲେ କାଳେ ହିଂସ୍ରଜନ୍ତୁ ପାଖକୁ ଆସିଯିବ ଓ ସେ କିଛି କରିପାରିବା ଆଗରୁ ପିଲା ଉପରେ ବିପଦ ପଡ଼ିବ, ସେଥିପାଇଁ ବୋଧହୁଏ ସେ ଉପରେ ଥାଇ ଚାରିକଡ଼କୁ ନଜର ରଖିଲା । ସେମାନେ ଚାଲିଯିବା ପରେ ଅନ୍ଧାର ଆସିଗଲା । ଘଡ଼ିଏ ଅନ୍ଧାର ପରେ ଜହ୍ନ ଆସିବ । ଆମର ତ ରାତି ସାରା ସେଠାରେ ଜଗିବାକୁ ପ୍ରସ୍ତାବ ଥାଏ । ତେଣୁ ଟିକିଏ ଶୋଇବାର ବନ୍ଦୋବସ୍ତ କଲୁ । ତଳେ ଡାଳପତ୍ର ପାରି ବସିଥିଲୁ । ସେହି ଡାଳପତ୍ର ଉପରେ ଚିତ୍ କାତ୍ ମାରି ଶୋଇଲୁ । ଅଳ୍ପ ସମୟ ଶୋଇବା ପରେ ଜହ୍ନ ଆଲୁଅ ବିଛାଡ଼ିହୋଇ ପଡ଼ିଲା । ଶିକାରୀ ଜଣଙ୍କ କିନ୍ତୁ ନ ଶୋଇ ଚେଇଁଥାଏ । ଜହ୍ନ ଉଠିଲା ପରେ ପରେ ଦୂରରେ କଣଟାଏ ଖସ୍ ଖସ୍ ହେଲା । ଶୁଖିଲା ପତ୍ର ଉପରେ ଜନ୍ତୁଟି ଆସିଲା ବେଳେ ପତ୍ର ଖସ୍ ଖସ୍ ଶବ୍ଦରେ ଆମର ନିଦ ଭାଙ୍ଗିଗଲା । ସମସ୍ତେ ଉଠି ବସିଲୁ ଓ ଶବ୍ଦ ହେଉଥିବା ଜାଗାକୁ ଅନାଇ ରହିଲୁ । ଦେଖିଲୁ କଳା ମିଚ୍ ମିଚ୍ ହୋଇ କଣ ଗୋଟାଏ ପାଣି ପାଖକୁ ଆସୁଛି । ଖୁବ୍ ଆସ୍ତେ ଆସ୍ତେ ସେ ପାଣି ଆଡ଼କୁ ଅଗ୍ରସର ହେଉଛି । ଶହେ ଗଜ ଦୂର ହେବ । ଟିକିଏ ଆସେ,ପତ୍ର ଖସ୍ ଖସ୍ ହୁଏ, ପୁଣି ଟିକେ ଧୀର ହୋଇଯାଏ । ଏହିପରି ଭାବରେ ସେ ତିରିଶ ଗଜ ପାଖକୁ ଆସିଲା ବେଳକୁ ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍ ହୋଇଗଲା । ତିରିଶ ଗଜ ପାଖକୁ ଆସିଲାରୁ ଜାଣିଲୁ ଯେ ବାରହାଟାଏ ପାଣି ପିଇବାବୁ ଆସୁଛି । ମୁଁ ଆଉ ସମ୍ଭାଳି ନ ପାରି ଟିକେ ଭଲ କରି ଦେଖିବି ବୋଲି ଛିଡ଼ା ହୋଇଗଲି । ସେଇ ହଲଚଲ ଦେଖି ବା ମୋ ମୁଣ୍ଡ ହଠାତ୍ ଘେର ଭିତରୁ ବାହାରି ପଡ଼ିବାର ଦେଖି ସେ ଚମ୍ପଟ ଦେଲା । ଏତେ ଆସ୍ତେ ଆସିବାର କାରଣ ବୋଧହୁଏ ସେ ସେଠାରେ * ‘‘ପୋଚାର’’ ଙ୍କ ଠାରୁ ଗୁଳି ମାଡ଼ ପୁର୍ବରୁ କେବେ ପାଇଥିଲା ନିଶ୍ଚୟ । ସେଇଥିପାଇଁ ବଡ଼ ସନ୍ତର୍ପଣରେ ସେ ଆସୁଥିଲା । ବାରହା ପଳାଇଗଲା ପରେ ଅନେକ ସମୟ ଆମେ ବସିରହିଲୁଁ । ଜଙ୍ଗଲର ଅପୂର୍ବ ଶୋଭା ଦେଖୁଥାଉଁ ଏବଂ ଭିନ୍ନ ଭିନ୍ନ କୀଟପତଙ୍ଗଙ୍କର ରାବ ଶୁଣୁଥାଉ । ଦୁରରୁ ଜନ୍ତୁମାନଙ୍କର ଡାକ ମଧ୍ୟ ଶୁଣିପାରୁଥାଉ । ମାତ୍ର ଅନ୍ୟ କୌଣସି ଜନ୍ତୁ ସେଠାକୁ ଆସିବାର ଆଉ ସୋର ଶବ୍ଦ ପାଇଲୁ ନାହିଁ । ତେଣୁ ପୁଣି ଶୋଇବାର ଆୟୋଜନ କଲୁଁ ।

 

* ପୋଚାର–ଯେଉଁମାନେ ଛାଡ଼ ନ ନେଇ ଅନ୍ୟାୟରେ ଏବଂ ଅନ୍ୟାୟ ଉପାୟରେ ଜନ୍ତୁ ମାରନ୍ତି ।

 

ଦିନବେଳେ ହନୁମାନଙ୍କର ଖେଁ ଖେଁ ହେବା ଓ ବାଘ ନ ଆସିବା ଦେଖି ଆମେ ଭାବିଥିଲୁ ବାଘ ବୋଧହୁଏ ଠଉରାଇପାରିଛି ଆମେ ଜଗିଛୁ ବୋଲି । ଏ ବିଷୟରେ ବହୁ ଜର୍ଚ୍ଚା ମଧ୍ୟ ହୋଇଥିଲା । ଯଦି ନରଖାଦକ ହୋଇଥିବ ସେଉଟା ! କିନ୍ତୁ ମଣିଷଖିଆ ହୋଇଥିଲେ ତ ଆଗରୁ ଜଣାଯାଇଥାନ୍ତା । ଗାଁ ଲୋକେ କହିଥାନ୍ତେ କିମ୍ବା ଶିକାରୀ ଜଣକ କହିଥାନ୍ତା ସେ ବିଷୟରେ । ଏହିସବୁ ଚିନ୍ତାକରି ଠିକ୍ କଲୁଁ ଯେ ବାଘଟା କେବେହେଲେ ନରଖାଦକ ନୁହେଁ । ଯାହାହେଉ କଥାହେଲା ସମସ୍ତେ ଶୋଇବେ ନାହିଁ । ପାଳିକରି ଜଣେ ଜଣେ ଉଜାଗର ରହିବେ ଓ ଚାରିଆଡ଼କୁ ନିଘା ରଖିବେ ଏବଂ ଶବ୍ଦ ବାରିବେ । ଏପରି କଲେ ବିପଦର ଆଉ ଆଶଙ୍କା ରହିବ ନାହିଁ । ତେଣୁ ସେହିପରି କରାଗଲା । ମୁଁ ପ୍ରଥମେ ଜଗି ରହିଲି । ସମସ୍ତେ ଶୋଇଲେ । ଶିକାରୀ ଜଣଙ୍କ କିନ୍ତୁ ଶୋଇଲା ନାହିଁ । ମୋ ସାଙ୍ଗେ ଜଗି ରହିଲା । କିଛି ସମୟ ବିତିଗଲା । କୁଆଡ଼ୁ କିଛି ଶବ୍ଦ ନାହିଁ । ଜନ୍ତୁ ଆସିବାର ମଧ୍ୟ କିଛି ଶୁଣି ପାରିଲି ନାହିଁ । ମିଶ୍ରବାବୁ କଡ଼ ଲେଉଟାଇଲେ । ତାଙ୍କ ହାତଟା ବାଡ଼ କତିକି ଚାଲିଗଲା । ଅଳ୍ପ ସମୟ ପରେ ଶୁଣାଗଲା ବା...ବା...ବା...ବାଆଘ-ବାଘ । ଅନ୍ୟମାନେ ଯେ ଛାଇ ନିଦରେ ଶୋଇଥିଲେ ସମସ୍ତେ ହାଉଳି-ଖାଇ ଉଠିଲେ ଓ ସମସ୍ତଙ୍କ ପାଟିରେ ବାଘ, ବାଘ, ବାଘ ବୋଲି ଡକା । କ’ଣ ହେଲା କ’ଣ ହେଲା ବୋଲି ଶିକାରୀ ଓ ମୁଁ ପାଟିକରି ପଚାରିବାରୁ ସେମାନେ ଧଡ଼ଧାଡ଼ ହୋଇ ଉଠି ପଡ଼ିଲେ ଓ କୁଆଡ଼େ କିଛି ନ ଥିବାରୁ ଦେଖି ଫେଁକିନା ହସି ଉଠିଲେ । ଖୁବ ହସଟାଏ ହେଲା । ଟର୍ଚ୍ଚ ଟିପି ଦେଖିଲୁ ଯେ ଗୋଟାଏ ବଣୁଆ ଝିଟିପିଟି ବାଡ଼ ଦିହକୁ ଲାଗି ରହିଛି । ବୋଧହୁଏ ସେଉଟା ହାତ ଉପରେ ଚଢ଼ିଯାଇଛି । ସେଇଥିପାଇଁ ଏ ବାଘର ପ୍ରଳାପ । ଶିକାରୀ ଆଗରେ ଏପରି ‘‘ସାହସିକତା’’ ଦେଖାଇବାଦ୍ୱାରା ଆମକୁ ଟିକିଏ ମାଡ଼ି ପଡ଼ୁଥାଏ । ଯାହେଉ ପଛେ ଖୁବ ହସ ଲହରୀରେ ଆମର ଦୁର୍ବଳତା ଲୁଚାଇବାକୁ ଚେଷ୍ଟାକରି ରହିଲୁ । ରାତ୍ରି ଖିଆପିଆ ସାରି-ନେଲୁ ସେ ହସ ଲହରିର ମାଧ୍ୟମରେ । ତା’ପରେ ପାଳିକରି ସମସ୍ତେ ଟିକେ ଟିକେ ଶୋଇଲୁ । ରାତିରେ ଆଉ କୌଣସି ଜନ୍ତୁ ଆସିଲେ ନାହିଁ । କିପରି ବା ଆସିଥାନ୍ତେ ଏତେ ପାଟିଗୋଳ ପରେ !

 

ସକାଳ ହେଲା । ଆଉ ଜନ୍ତୁ ଦେଖିବାର ସମ୍ଭାବନା ନାହିଁ । ଗଛ ପାଖରେ ନିଆଁ ଜାଳି ସାଙ୍ଗରେ ନେଇଥିବା ଚା ତିଆରି କଲୁ ଓ ବେଶ୍ ଗ୍ଲାସେ ଗ୍ଲାସେ ପିଇଲୁ । ତା’ପରେ ଚାଲିଲୁ । ମୁଁ ପଛରେ ଚାଲୁଥାଏ ଓ ଶିକାରୀ ଜଣଙ୍କ ଆଗରେ ଆଗରେ ବାଟ କଢ଼ାଇ ଯାଉଥାଏ । ଦଶ ପନ୍ଦର ମିନିଟ ଯିବା ପରେ ହଠାତ୍ କୁଟୁରାଟାଏ ବାହାରି ଦୌଡ଼ିଗଲା । କୁଟୁରାଟାକୁ ରାଇଫଲରେ ମାରିଥିଲେ ଛତୁ ହୋଇଯାଇଥାନ୍ତା ଭାବି ଭାଇ ମାରିଲେ ନାହିଁ । ଶିକାରୀ ଜଣଙ୍କର ମୁହଁ ହାଣ୍ଡି । କିଛି ଜନ୍ତୁ ମଲା ନାହିଁ ! ଲୁଣାମାଟି ଓ ଝରରେ ସିନା ମାରିବାକୁ ମନା ବୋଲି ମାରିଲୁ ନାହିଁ । ଖୋଲା ଜଙ୍ଗଲରେ ପୁଣି ଦିନ ବେଳା ତ ମାରିବାକୁ ମନା ନୁହେଁ । କାଳେ ଆଉ କ’ଣ ହାବୁଡ଼ି ଯିବ ଆଗରେ--ଜନ୍ତୁଟିଏ ନିଶ୍ଚୟ ମାରିବାକୁ ହେବ । ଏହିସବୁ ବିଚାରକରି ମୁଁ ଆଗକୁ ଗଲି । ବାର ବୋର ଦୁଇନଳିଆଟାଏ ଧରିଥାଏଁ । ଦୁଇଟି ଏଲ୍ ଜି. (L. G.) ଦୁଇ ନଳିରେ ଭର୍ତ୍ତି କରି ରଖିଲି ।

 

ନିଆଁରେ ପୋଡ଼ି ଯାଇଥିବା ଜଙ୍ଗଲରେ ଆସି ପହଂଚିଗଲୁଣି । ଦୂରକୁ ସଫା ଦେଖାଯାଉଛି । ବେଳ ପ୍ରାୟ ସାଢ଼େ ଆଠଟା ହେବ । ମାତ୍ର ଖରା ସେ ଜଙ୍ଗଲ ଭିତରକୁ ପଶିପାରିନଥାଏ । କେବଳ ଦୂର ପର୍ବତ ଶିଖରରେ ଖରା ଥାଏ । ହେଲେ ଜଙ୍ଗଲ ଭିତରଟା ବେଶ୍ ପରିଷ୍କାର ଦେଖାଯାଉଥାଏ । ହଠାତ୍ ଦିଓଟି ସମ୍ବର ଆଗରେ ଛିଡ଼ା ହୋଇଥିବାର ଦେଖିଲି । ବେଶୀ ବଡ଼ ନୁହନ୍ତି । ପ୍ରାୟ ସତୁରି ଅଶିଗଜ ଦୂର ହେବ । ମୁଁ ଟିକିଏ ଆଗକୁ ଯାଇ ଗୋଟାଏ ଏଲ. ଜି. ମାଇଲି । ସମ୍ବରର ଠିକ୍ ମେରୁଦଣ୍ଡରେ ବାଜିବାରୁ ସେଉଟା ସେଇଁଠି ପଡ଼ିଗଲା । ଅନ୍ୟଟିକୁ ମାରିପାରିଥାନ୍ତି, ମାତ୍ର ଗୋଟାଏ ମାଇଲେ ଯଥେଷ୍ଟ ମାଂସ ମିଳିଯିବ ଖାଇବା ପାଇଁ, ଅଧିକା ମାରି କ’ଣ ହେବ, ତେଣୁ ଛାଡ଼ିଦେଲି । ପାଖକୁ ଯାଇ ଦେଖିଲି ସମ୍ବରଟି ମରିନାହିଁ । ଆଉ ଗୋଟାଏ ଛରରା ତା’ ମୁଣ୍ଡକୁ ମାରିଲାରୁ ସେ ମରିଗଲା ।

 

ଶିକାରୀ ଜଣଙ୍କର ମହା ଆନନ୍ଦ । ଗତ କାଲିର କୁଟୁରା ଓ ବାରହା ଛାଡ଼ି, ଆଜି ସକାଳୁ ପୁଣି କୁଟୁରାଟାଏ ଛାଡ଼ି, ସମ୍ବରଟାଏ ପାଇବାରୁ ସେ ଆନନ୍ଦରେ ଗଦ୍ ଗଦ୍ ହୋଇଗଲାଣି । ଗଲା ରାତିର ହାଉକି ଯଦି ଭୁଲିଯାଏ ଚିରଦିନ ପାଇଁ ତାହାହେଲେ ତ ଭଲ ହେବ; ଆଖ ପାଖ ଗାଁମାନଙ୍କରେ ଆମର ଯଶଗାନ କରିବ ଓ ଅବ୍ୟର୍ଥ ନିଶାଣ ବୋଲି ଗାଇ ବୁଲିବ ନିଶ୍ଚୟ । ଏଇସବୁ ଭାବି ଆମକୁ ବି ଖୁସି ଲାଗୁଥାଏ । ଏତେ ଦୂରବାଟ ଆଉ ଚାଲିବାକୁ ଥିଲେ ମଧ୍ୟ ଆମକୁ କଷ୍ଟ ଜଣାପଡ଼ିଲା ନାହିଁ । ଦିନ ଏଗାରଟା ସରିକି ଆମେ ଜିପ ପାଖରେ ପହଞ୍ଚିଲୁ । ଜିପରେ ଆମକୁ ବସାଇ ଦେଇ ଶିକାରୀ ଗଲା ଗାଁରୁ ଲୋକ ନେଇ ସମ୍ବରଟିକୁ ବୋହି ଆଣିବାକୁ । ସମ୍ବରଟିକୁ ଶାଗୁଣା ଇତ୍ୟାଦିଙ୍କଠାରୁ ବଞ୍ଚାଇ ରଖିବା ପାଇଁ ଡାଳପତ୍ର ଘୋଡ଼ିଆ ଯାଇଥିଲା ।

 

ଅଧଘଣ୍ଟାକ ପରେ ଆମେ ବଙ୍ଗଳାରେ ପହଞ୍ଚିଲୁ । ଗାଧୁଆ ପାଧୁଆ ସାରି ଖିଆପିଆ କରୁଛୁ ଏତିକି ବେଳେ ଶିକାରୀ ସମ୍ବରଟି ନେଇ ପହଞ୍ଚିଲା । ଆମ ଛୁଟି ସରି ଆସିଥାଏ । ସମ୍ବର ଫଡ଼ିଆ ଓ ତା’ ମେରୁଦଣ୍ଡାର ମାଂସ କିଛି ନେଇ ଏବଂ ଛାଲଟି ଗାଡ଼ିରେ ଲଦି ଆମେ ସଜବାଜ ହୋଇ ବାହାରିପଡ଼ିଲୁ କଟକ । ଦିନ ସାଢ଼େଚାରିଟା ସରିକି ସେଠାରୁ ବାହାରି କଟକ ପହଞ୍ଚୁ ପହଞ୍ଚୁ ରାତି ସାଢ଼େ ଆଠଟା ।

 

ମାଂସ କିଛି ମିଶ୍ରବାବୁ ଦେଇ ବାକିତକ ଆମେ ଦେଶ ଦୁଇ ଦିନ ଖାଇଲୁ । ସେ ବେଳର କଥା ଆଜି ଆଉ ନାହିଁ । ପୋଚାରମାନଙ୍କ ଦାଉରୁ ଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଲବଙ୍ଗିକୁ ଆଉ ସହଜରେ ଛାଡ଼ ମିଳୁନାହିଁ । ଏକ ପ୍ରକାର ଭଲ ହୋଇଛି । ମାତ୍ର ବାହାର ପୋଚାରମାନଙ୍କ ଅପେକ୍ଷା ଗାଁର ଶିକାରୀମାନେ ଯେ ବେଶୀ ମାରିଦିଅନ୍ତି ଏକଥା ସରକାରଙ୍କର ବୁଝିବା ଉଚିତ । ଜନ୍ତୁଙ୍କୁ ରକ୍ଷା କରିବାକୁ ହେଲେ ଜଙ୍ଗଲକୁ ନଷ୍ଟ କରିବାକୁ ନ ଦେବା ଓ ଗାଁମାନଙ୍କରୁ ବନ୍ଧୁକ ସବୁ ଉଠାଇନେବା ଦରକାର । ବିଶେଷତଃ ଖରାଦିନରେ-ଯେତେବେଳେ ଜମିରେ ଫସଲ ନ ଥାଏ । ଆହୁରି ବେଶୀ ସଂଖ୍ୟାରେ ଫରେଷ୍ଟ ଗାର୍ଡ଼ ମୃତୟନ କରିବା ଦରକାର । ପୋଚାର କେହି ଧରାହେଲେ ସେ ଯେ କେହି ହେଉ ପଛକେ କଠୋର ଦଣ୍ଡ ହେବା ଦରକାର । ଲୁଣାମାଟି ଓ ଝର ଜାଗାରେ ଯେପରି ଜନ୍ତୁମାନେ ସୁରୁଖୁରୁରେ ପାଣି ଓ ଲୁଣିମାଟି ଖାଇପାରିବେ ସେଥିପ୍ରତି ଅୟୋଜନ ହେବା ଦରକାର । ଏହିପରି ଭାବରେ ଯଦି ସରକାରଙ୍କର ଚିନ୍ତାଧାରା ଚାଲେ ତେବେ ଯାଇ କିଛି ଜନ୍ତୁ ରହିବେ ଓ ଆମ ପିଲା କବିଲାମାନେ ଜନ୍ତୁ ଦେଖିପାରିବେ ।

 

ଜଙ୍ଗଲର ଭିତରେ ଯେ ଫରେଷ୍ଟ ଗାର୍ଡ଼ ରହେ ତା’ର ଦରମା ନିତାନ୍ତ କମ । ସେ ଭୋକ ଉପାସରେ ରହି ଜଙ୍ଗଲ ଜଗିଥାଏ । ତେଣୁ ବେଳ ପଡ଼ିଲେ ଦୁଇ ପଇସା ଉପରୁ ରୋଜଗାରର ଲାଳସା ଏଡ଼ିଦେବା କଷ୍ଟକର ହେଉଥିବ । ଅନେକ ସମୟରେ ବେଆଇନ ଶିକାରୀମାନେ (Poacher) ବନ୍ଧୁକ ଧରି ଗାର୍ଡ଼କୁ ଡରାଇ ଫାଟକ ଖୋଲିଦେବାକୁ ବାଧ୍ୟ କରିଥାନ୍ତି । ବିଶେଷତଃ ପୋଚାରମାନେ ଯଦି ବଡ଼ ବଡ଼ ହାକିମ ବା ସେମାନଙ୍କର ପୁଅ ପୁତୁରା ତାହାହେଲେ ତ କଥା ଅଲଗା । ଗାର୍ଡ଼ ନିଜେ ଡରିମରି ଫାଟକ ଖୋଲିଦିଏ ଓ ଦେବାର ମୁଁ ନିଜେ ମଧ୍ୟ ଅନେକ ଦୃଷ୍ଟାନ୍ତ ଜାଣିଛି ।

 

ଏହିସବୁ ବିଭ୍ରାଟ ପାଇଁ ଜଙ୍ଗଲରେ ଆଉ ଜନ୍ତୁ ସେପରି ଭାବରେ ନାହାନ୍ତି । ଜନ୍ତୁ ନ ରହିଲେ ଶିକାର କିମ୍ବା ଫଟୋଉଠା କିପରି ହେବ ? ସମୟ ଆସିଛି ଆମ ସମସ୍ତଙ୍କ ଏ ବିଷୟ ଗଭୀରଭାବେ ବିଚାରକୁ ନେବା ଦରକାର ଓ ପ୍ରତିକାର ପାଇଁ ବାଟ କରିବା ଦରକାର । ‘‘ଗେମ ଓ୍ୟାର୍ଡ଼େନ’’ (game warden) ସବୁ ମୃତୟନ କରାଯାଇ ପ୍ରତ୍ୟେକ ଜଙ୍ଗଲ ଜାଗା * ‘‘ପେଟ୍ରୋଲିଂ’’ କରାଯିବା ଦରକାର । ଆଇନ୍ ଅମାନ୍ୟକାରୀଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା କରିବା ଦରକାର । ଏ ସବୁ ନ କଲେ ଜୀବଜନ୍ତୁ ସବୁ ଅଦୃଶ୍ୟ ହେବାକୁ ଆଉ ବେଶୀ ଦିନ ଲାଗିବ ନାହିଁ । ବେଳହୁଁ ସତର୍କ ହେବା ଦରକାର । ତା ନ ହେଲେ ଆମେ ଯେପରି ଭାବରେ ଜଙ୍ଗଲରେ ବୁଲି ଛାଡ଼ ନେଇ ଜନ୍ତୁମାରି ବା ଫଟୋ ଉଠାଇ, ଆନନ୍ଦ ପାଇ ପାରିଲୁ, ସେପରି ଆନନ୍ଦରୁ ଆମ ପିଲାମାନେ ବଞ୍ଚିତ ରହିବେ । ମଣିଷ ବିନା ଯେପରି ଘର ସବୁ ଖା ଖାଁ ଲାଗେ-ମାଡ଼ି ପଡ଼େ; ସେହିପରି ଜନ୍ତୁବିହୀନ ଜଙ୍ଗଲ ଖାଲି ଖାଲି ଲାଗିବ । ଆଉ ସୁନ୍ଦର ଦିଶିବ ନାହିଁ କି ଜଙ୍ଗଲର ପ୍ରାକୃତିକ ଆକର୍ଷଣ ରହିବ ନାହିଁ । ଜଙ୍ଗଲରେ ପଶିଗଲେ ଶରୀରର ସେ ଯେଉଁ ଶିହରଣ ଓ ବେପଥୁ ଜାଗି ଉଠେ–ମନ ଚଞ୍ଚଳ ହୋଇଯାଏ–ଜନ୍ତୁବିହୀନ ଜଙ୍ଗଲରେ ସେପରି ହେବ ନାହିଁ । ଫଳରେ ମନରେ ଆନନ୍ଦ ଆସିବ ନାହିଁ ।

 

* ପେଟ୍ରୋଲିଂ-ପହରା ଦେବା ।

 

ତଥାପି ବେଳ ଅଛି । ସବୁ ସରିଯାଇନାହିଁ । ସରକାର ଯଦି ଇଚ୍ଛା କରନ୍ତି ବହୁତ କିଛି କରିହେବ । ସେଥିପାଇଁ ଲୋକଜାଗରଣ ଦରକାର । ଆମ ଜଙ୍ଗଲ ସମ୍ପଦକୁ ରକ୍ଷା କରିବପାଇଁ ଏଇ ଆମ ପିଲାଏ କେବଳ ପାରିବେ । କାରଣ ସେଇ ପିଲାମାନେହିଁ ତ ଏ ଦେଶର ଭାବି ଉତ୍ତରଧିକାରୀ ।

Image

 

ଲବଙ୍ଗିର ଗୋରୁଖିଆ ବାଘ

 

ସନ ୧୯୬୩ କି ୧୯୬୪ ମସିହା ହେବ । ପୂର୍ବ ବର୍ଷ ପରି ଲବଙ୍ଗି ଯିବାକୁ ସବୁ ଠିକ୍ ହେଲା । ବହୁତ ନେହୁରା ହେବାରୁ ଲବଙ୍ଗି ବ୍ଲକରେ ଶିକାର ପାଇଁ ଗୋଟାଏ ଛାଡ଼ ହାତପଇଠ କଲୁଁ-। ମିଶ୍ରବାବୁ ଓ ଭାଇ ଛୁଟି ନେଲେ । ମୁଁ ମଧ୍ୟ ବାହାରିଲି । ସାନଭାଇ ଦେବେନ୍ଦ୍ର ମଧ୍ୟ ଚାଲିଲା ଆମ ସାଙ୍ଗରେ । ଚାରିଜଣ ନ ହେଲେ ଯେ ବ୍ରିଜ ଖେଳ ହେବ ନାହିଁ । ରାତିରେ ସମୟ କଟିବ କିପରି-? ଆମମାନଙ୍କର ବାହାରିବାର ଜାଣି କଟକର ଜଣେ ବ୍ୟବସାୟୀ ବନ୍ଧୁ ପାଣିବାବୁ ମଧ୍ୟ ବାହାରିଲେ-। ସେ ବନ୍ଧୁ ଜଣକ ତାଙ୍କ ଜିପ ଗାଡ଼ି ନେଲେ । ମିଶ୍ରବାବୁ ମଧ୍ୟ ଗୋଟାଏ ଜିପ କେଉଁଠୁ ଯୋଗାଡ଼ କରିବେ ବୋଲି କହିଲେ । ଯାହାହେଉ ଗୋଟାଏ ଜିପ୍ ଓ ଗୋଟାଏ ଫିଏଟ କାର ନେଇ ଆମେ ବାହାରକୁ ସବୁ ଉପକରଣ ନେଇ ପ୍ରାୟ ଦିନ ଗୋଟାକରେ । ସେଇ ମାର୍ଚ୍ଚ କି ଏପ୍ରିଲ ମାସ ହେବ । ଅନୁଗୁଳଠେଇ ପୁଣି କିଛି ସରଞ୍ଜାମ କିଣିବାକୁ ଥିଲା । କିଣାକିଣିକରି ବାହାରୁ ବାହାରୁ ସାଢ଼େ ପାଞ୍ଚଟା ହେଲା । ଲବଙ୍ଗି ପହଞ୍ଚୁ ପହଞ୍ଚୁ ରାତି ହୋଇଗଲା । ଆଗରୁ ଖବର ଦେଇଥିବାରୁ ଫାଟକମାନ ଖୋଲା ରଖାଯାଇଥିଲା । ତେଣୁ ଯିବାକୁ ଅସୁବିଧା ହେଲାନି । ଡ଼ି. ଏଫ୍ . ଓ. ମହୋଦୟଙ୍କର ଅନୁମତି ମଧ୍ୟ ନେଇଥିଲୁ ରାତିରେ ବୁଲି ଜନ୍ତୁ ଦେଖିବା ପାଇଁ । ସେ ଅନୁମତିପତ୍ର ନେଇ ଦେଖାଇବାରୁ ଲବଙ୍ଗି ପାଖ ଫାଟକ ମଧ୍ୟ ଖୋଲା ରଖାଗଲା । ଆମେ ପହଞ୍ଚି ଚା ଜଳଖିଆ ଖାଇ ଗୋଟାଏ ଜିପରେ ବାହାରିଲୁ ରାୟଗଡ଼ା ଅଭୟାରଣ୍ୟ ଦେଖିବାକୁ । ଏଣେ ପୁଝାରୀକୁ କହିଗଲୁ ରାନ୍ଧାବଢ଼ା କରି ରଖିବାପାଇଁ । ଆମର ଶିକାର ପୋଷାକ ସବୁ ଖାକି ରଙ୍ଗର । ଗରମ ପଡ଼ିଯାଇଥିବାରୁ ବିଶେଷ ଅସୁବିଧା ହେଲାନି । ଖରାଦିନେ ଜଙ୍ଗଲରେ କିପରି ବୁଲିଲେ ଖୁବ୍‍ ଭଲ ଲାଗେ । ସେ ଆନନ୍ଦ, ଉପଭୋଗ ବିନା ଖାଲି ବର୍ଣ୍ଣନା କରିବା କଷ୍ଟକର । ମିଶ୍ରବାବୁଙ୍କର ଖୁବ୍ ଦାମି ସ୍ପଟ୍ ଆଲୁଅଟିଏ ଥାଏ । ତାକୁ ଜିପ୍ ବେଟାରିରେ ଖଞ୍ଚା ହେଲା । ଆମର ନିରାପତ୍ତା ପାଇଁ ଗୋଟାଏ ୩୭୫ ମେଗ୍‌ନାମ ରାଇଫଲ ଧରି ଜିପ୍‌ରେ ବସି ଚାଲିଲୁ । ସାଙ୍ଗରେ ଗାର୍ଡ଼ ମଧ୍ୟ ଗଲା । କାଳେ ଆମେ ଜନ୍ତୁ ମାରି ପକାଇବୁ-ସେଥିପାଇଁ ଆମକୁ ବାରଣ କରିବାକୁ ସେ ଗଲା ।

 

ଭାରତର ଅନ୍ୟାନ୍ୟ ଜାଗାରେ ମଧ୍ୟ ଏହିପରି କରାଯାଇଥାଏ । ଜଙ୍ଗଲ ବିଭାଗ ପକ୍ଷରୁ କେହି ହେଲେ ଜଣେ ଯାଏ ସାଙ୍ଗରେ । ରାତିରେ ଅଭୟାରଣ୍ୟରେ ବୁଲିଲେ ଅନେକ ଜନ୍ତୁ ଦେଖାଯାନ୍ତି । ହାତୀ ମଧ୍ୟ ବାହାରିଥାଏ ମଧ୍ୟେ ମଧ୍ୟେ । ଆମେ ଛଅଜଣ ଜିପ୍‌ରେ ବୋଝାଇ ହୋଇ ଚାଲିଲୁ । ଲବଙ୍ଗି ବଙ୍ଗଳା ତଳ ରାସ୍ତାରେ ଆଗକୁ ଗଲେ ଗୋଟାଏ ସାଗୁଆନ ବଣ ପଡ଼ିବ । ସାଗୁଆନ ଗଛଗୁଡ଼ିକ ବର୍ଷେ ଦୁଇବର୍ଷର ହୋଇଥିବାରୁ ଜଙ୍ଗଲ ବିଭାଗ ଗଛ ଚାରିପାଖ ସଫା ରଖିଥାନ୍ତି । ତେଣୁ ପ୍ରାୟ ଦେଢ଼ଶହ ଏକର ଜମିରେ ଛୋଟ ଛୋଟ ସାଗୁଆନ ଗଛ ଥାଇ ପରିଷ୍କାର ଥାଏ । ତେଣୁ ବହୁ ଦୂରରୁ ସେ ବଣରେ ଜନ୍ତୁ ଥିଲେ ଜନ୍ତୁର ଆଖି ସ୍ପଟ୍ ଆଲୁଅରେ ଦେଖାଯାଏ । ଜିପ୍‌ର ହୁଡ଼ ଖୋଲି ମୁଁ ଛିଡ଼ା ହୋଇଥାଏ ଓ ସ୍ପଟ୍ ଆଲୁଅ ଚାରିଆଡ଼କୁ ପକାଉଥାଏ । ରାୟଗଡ଼ା ଆହୁରି ବହୁତ ଦୂର । ରାତି ସେତେବେଳକୁ ଆଠଟା କି ସାଢ଼େଆଠଟା ହେବ । ଅନ୍ଧାର ରାତି । ଜଙ୍ଗଲ ଶୂନ୍‍ଶାନ ଥାଏ । କେବଳ ଆମ ଜିପ୍‌ର ଶବ୍ଦ ଶୁଣାଯାଉଥାଏ । ଆମେ ସବୁ ଚୁପ୍‍ଚାପ ବସିଥାଉ । ମିଶ୍ରବାବୁ ଓ ଭାଇ ଆଗରେ ବସିଥାନ୍ତି । ମିଶ୍ରବାବୁ ଜିପ୍ ଚଲାଉଥାନ୍ତି ଓ ଭାଇ ଦୂରବିଣଟି ଧରି ଦେଖୁଥାନ୍ତି । ପାଣିବାବୁ ଯାଇ ନ ଥାନ୍ତି । ସାଗୁଆନ ବଣଠାରେ ପହଞ୍ଚି ଆଲୁଅ ପାକାଇବାରୁ ବହୁ ଦୂରରେ-ପ୍ରାୟ ଦେଢ଼ଶ ଗଜ ଦୂରରେ ଦୁଇଟି ଆଖି ଜୁଳୁ ଜୁଳୁ ଲାଲହୋଇ ଦେଖାଗଲା । ଆମେ ଭାବିଲୁ ବାଘ ହୋଇଥିବ ପରା । କାରଣ ବାଘର ଆଖିରେ ଆଲୁଅ ପଡ଼ିଲେ ଦୂରରୁ ଲାଲ ଦେଖାଯାଏ । ବହୁ ସମୟ ପର୍ଯ୍ୟନ୍ତ ଆମେ ଆଲୁଅ ପକାଇଲୁ ମାତ୍ର କିଛି ସ୍ପଷ୍ଟଭାବରେ ଦେଖିପାରିଲୁ ନାହିଁ । ଦୂରବିଣର ସାହାଯ୍ୟ ନିଆଗଲା । ସେଥିରେ ମଧ୍ୟ କିଛି ସ୍ପଷ୍ଟ ଦେଖିହେଲା ନାହିଁ । ତେଣୁ ଆମେ ହତାଶ ହୋଇ ଆଗକୁ ଗଲୁ ସାଗୁଆନ ବଣର ଆରପଟକୁ । ରାୟଗଡ଼ା ରାସ୍ତା ବାମରେ ଛାଡ଼ି ଯାଇଥାଉଁ । ଆଉ କିଛି ଜନ୍ତୁ ଆଗରେ ଦେଖାଗଲେ ନାହିଁ । ତେଣୁ ଆମେ ଫେରିଲୁ । ରାୟଗଡ଼ା ରାସ୍ତାକୁ ଯିବାକୁ ହେବ । ଫେରନ୍ତି ରାସ୍ତାରେ ପୁଣି ପାହାଡ଼ ପାଖକୁ ଆଲୁଅ ପକାଇ ଦେଖିଲୁ ଯେଉଁଠି ଆଖି ଦିଶୁଥିଲା । ମାତ୍ର ସେଠାରେ ମଧ୍ୟ ସେ ଲାଲ ଆଖି ଆଉ ଦେଖିବାକୁ ପାଇଲୁ ନାହିଁ । ତାହାହେଲେ କ’ଣ ଜନ୍ତୁଟି ହୁଡ଼ି ପାରହୋଇ ରାୟଗଡ଼ା ରାସ୍ତା ଆଡ଼କୁ ଯାଉଛି କି ! ଏପରି ଭାବନା ମନରେ ଆସନ୍ତେ ଆମେ ତରତରରେ ସେ ଆଡ଼କୁ ଗୋଟାଏ ନାଳ ପାରହୋଇ ଚାଲିଲୁ । ଦେବେନ୍ଦ୍ରକୁ ସ୍ପଟ ଆଲୁଅ ଦେଇ ମୁଁ ୩୭୫ ରାଇଫଲଟି ଧଇଲି । ଗୁଳି ଭର୍ତ୍ତି କରିଛି ତିନୋଟି । ଜନ୍ତୁ ତ ମାରିବାକୁ ରାତିରେ ମନା । ତଥାପି ଲୋଭ ସମ୍ଭଳା ପଡ଼ିଲା ନାହିଁ । କାଳେ ଯଦି ବାଘ ହୋଇଥିବ କି କ’ଣ । ସେତେବେଳେ ବାଘ ମାରିବା ମନା ହୋଇନଥିଲା । ତେଣୁ ସବୁ ଶିକାରୀଙ୍କର ବିଶ୍ୱାସ ପରି ତିନୋଟି ଗୁଳି ବନ୍ଧୁକରେ ପୁରାଇଥିଲି । ଦେଖାଯାଉ ଭାଗ୍ୟରେ କ’ଣ ମିଳିଯାଉଛି ! ଏହିପରି ଭାବି ଆମେ ଆଗକୁ ଗଲୁଁ ।

 

ରାୟଗଡ଼ା ରାସ୍ତାକୁ ଯାଇ ଠିକ୍ ଗୋଟାଏ ମୋଡ଼ ବାଙ୍କିଗଲାରୁ ଦେବେନ୍ଦ୍ରର ଆଲୁଅ ପଡ଼ିଲା ଡାହାଣ ପାଖକୁ । ଆଲୁଅ ପଡ଼ିଲାରୁ ଦେଖିଲୁ ମସ୍ତବଡ଼ ଏକ ଭାଲୁ ହୁଡ଼ିରୁ ଗଡ଼ି ଆସୁଥାଏ-। ଆଲୁଅ ପଡ଼ିବାମାତ୍ରେ ଜିପ୍ ଆଗ ଦେଇ ବାମ ପାଖ ଘନ ଜଙ୍ଗଲକୁ ପଶିଯିବାକୁ ଦଉଡ଼ିଲା-। ଜିପର ଗତି ସେତେବେଳକୁ ପ୍ରାୟ ଆସ୍ତେ ହୋଇଗଲାଣି । ତଥାପି ଜିପ ଚାଲୁଥାଏ ଓ ଭାଲୁ ଦଉଡ଼ୁ ଥାଏ । ଏପରି ଅବସ୍ଥାରେ ମୁଁ ୩୭୫ର ମାଛିକୁ ଦେଖି ଭାଲୁର ଠିକ୍ ଛାତିକୁ ଲାଖକରି ମାରିଲି ଏକ ଗୁଳି । କ’ଣ ହେଲା ହଠାତ୍ କିଛି ଜଣାପଡ଼ିଲା ନାହିଁ । ଭାଲୁଟା ତ କାହିଁ ଅଟକିଲା ନାହିଁ ! ଦଉଡ଼ି ଚାଲିଗଲା ! ମନଟା ଭାରି ଖରାପ ହେଲା । ଦଉଡ଼ିବା ଜନ୍ତୁଟାକୁ କାହିଁକି ମାଇଲି । ଅକାରଣ ଗୁଳିଟିଏ ନଷ୍ଟ ହେଲା ସିନା ! ଲାଖ ଭୁଲ ହେଲା ବୋଧହୁଏ । ମନକୁ ମନ ଧିକାରି ହେଲି-। ଚାରିପାଖ ଆଲୁଅ ପକାଇ ଦେଖିଲୁଁ କିଛି କୁଆଡ଼ୁ ଦୃଶ୍ୟ ହେଲା ନାହିଁ । ମନ ଦୁଃଖରେ ଆଗକୁ ଚାଲିଲୁ ।

 

ରାୟଗଡ଼ା ଯିବାକୁ ହେଲେ ଦୁଇ ତିନୋଟି ଘାଟି ପାରହେବାକୁ ହୁଏ । ଘାଟି ପାଖରେ ତିନି ଚାରୋଟି କୁଟୁରା ଦେଖିଲୁ ପାହାଡ଼ରୁ ଓହ୍ଲାଉଥିଲେ । ଆଉ କିଛି ଦେଖିଲୁ ନାହିଁ । ଘାଟି ପାରହୋଇ ରାୟଗଡ଼ାରେ ପହଞ୍ଚିଲୁ । ଏଇ ଜଙ୍ଗଲ-ରାସ୍ତା ହିଳଜର୍ କମ୍ପାନୀ କରିଛନ୍ତି ଟ୍ରକରେ ବାଉଁଶ ବୋହିବା ପାଇଁ । ବାଉଁଶ ସେମାନେ ନେଉଛନ୍ତି କାଗଜ କଳ ପାଇଁ । ଆମର ଏ ଯୁଗର ସଭ୍ୟତାରେ କାଗଜ ତ ବହୁତ ଦରକାର । ସେଥିପାଇଁ ଜଙ୍ଗଲ ନଷ୍ଟକରି ଆମେ କାଗଜ ତିଆରି କରୁ । ପ୍ରତିବର୍ଷ ଏଥିପାଇଁ କେତେ ଯେ ଜଙ୍ଗଲ କଟାଯାଏ ତା’ର କ’ଣ କିଛି କଳନା ଅଛି ? ସବୁ ଜଙ୍ଗଲ କଟା ସରିଲେ କ’ଣ କରାଯିବ ଆଜହୁଁ କଳ୍ପନା କରିବା ଦରକାର !

 

ରାୟଗଡ଼ା ପହଞ୍ଚିବା ମାତ୍ରେ ଖୁବ୍ ଥଣ୍ଡା ଲାଗିଲା । ରାସ୍ତାର ଦୁଇପାଖରେ ଖୁବ୍ ବଡ଼ ବନ ଗଛ । ସୁନ୍ଦର ଜଙ୍ଗଲ । ଶାଳ, ପିଆଶାଳ, ସାଗୁଆନ ଓ ଅନ୍ୟାନ୍ୟ ଗଛରେ ଜଙ୍ଗଲଟି ଭରପୁର-। ଚାରିଆଡ଼କୁ ଆଲୁଅ ପକାଇ ଆମେ ଚାଲିଥାଉ । ଆଗରେ ଥିବା ନାଳ ପାଖକୁ ଆମେ ଗଡ଼ିଯାଉଛୁ ଏପରି ସମୟରେ ମସ୍ତବଡ଼ ଏକ ଗୟଳ (Bison) ଆସି ରାସ୍ତା ଉପରେ ଛିଡ଼ା ହେଲା-। ଏଡ଼େ ବଡ଼ ଗୟଳ ଆଗରୁ କେବେ ମୁଁ ଦେଖିନଥିଲି । ତା’ର ଶିଙ୍ଗ ଯୋଡ଼ାକ ଖୁବ୍ ବଡ଼ ବଡ଼ । ମନରେ ଦୁଃଖ ହେଲା କାହିଁକି କେମେରାଟି ଅଣାନଗଲା ବୋଲି । ଏତେ ପାଖରେ ଓ ଏତେ ଧୀରସ୍ଥିର ହୋଇ ଛିଡ଼ାହୋଇଥିଲା ଯେ, ଇଚ୍ଛା କରିଥିଲେ ଗୋଟାଏ ପନ୍ଦର କୋଡ଼ିଏ ଫୁଟିଆ ବାଡ଼ିରେ ତା’ ସିଙ୍ଗକୁ ଛୁଇଁ ହୋଇଯାଇଥାନ୍ତା ପରା । ବହୁ ସମୟ ଛିଡ଼ାହେବା ପରେ ସେ ଆସ୍ତେ ଆସ୍ତେ ବାଁ ପାଖରେ ଥିବା ଛୋଟ ହୁଡ଼ିଟି ଉଠିବାକୁ ଗଲା ଓ ଆମେ ଆଗେଇ ଚାଲିଲୁ । ଅଧମାଇଲିଏ ପରେ ଜୀବଜନ୍ତୁଙ୍କ ପାଇଁ ଖୋଳା ଯାଇଥିବା ଗୋଟାଏ ପାଣି ଜାଗା ପଡ଼ିବ । ସେଠାରୁ ଜନ୍ତୁମାନେ ଆସି ପାଣି ପିଅନ୍ତି । ଏହିପରି ପାଣି ଜାଗା ବନ୍ୟ ବିଭାଗ ଖୋଳାଇଥାନ୍ତି ଜନ୍ତୁଙ୍କ ପାଇଁ । ଖରାଦିନରେ ଚାରିଆଡ଼କୁ ପାଣି ଶୁଖିଗଲେ ଏପରି ବନ୍ଧୁକୁ ସବୁ ଜନ୍ତୁ ଆସି ପାଣି ପିଅନ୍ତି । ପ୍ରତ୍ୟେକ ଜଙ୍ଗଲରେ ବିଶେଷତଃ ପ୍ରତ୍ୟେକ ଅଭୟାରଣ୍ୟରେ ଏପରି ବନ୍ଧ ବା ପୋଖରୀ ଖୋଳାଯାଇଥାଏ ମଝିରେ ମଝିରେ । ବନ୍ଧରେ ପହଞ୍ଚିବା ଆଗରୁ ଗୋଟାଏ ପଡ଼ିଆ ଦେଖିଲୁ । ସେଠାରେ ଦୁଇଟି ହରିଣ ଚରୁଥିଲେ । ଆମର ଆଲୁଅ ପଡ଼ିବାମାତ୍ରେ ଜଙ୍ଗଲ ଭିତରକୁ ପଶିଗଲେ-। ସେମାନେ ବଡ଼ ତରକା ବୋଲି ଜଣା ପଡ଼ିଲା । ତାହା ହେଲେ ଏ ଅଭୟାରଣ୍ୟ ମଧ୍ୟ ବେଆଇନ ଶିକାର ହେଉଛି କି ? ମନରେ ସନ୍ଦେହ ଜାତହେଲା ।

 

ବନ୍ଧ ପାଖରେ ଆଉ କିଛି ଦେଖିଲୁ ନାହିଁ । ଆଗକୁ ଗଲୁ । କିଛିବାଟ ଗଲା ପରେ ଦେଖିଲୁ ରାସ୍ତାକଡ଼ରେ ଅସଂଖ୍ୟ ଆଖି ଆମ ଗାଡ଼ି ଆଲୁଅ ଓ ସ୍ପଟ ଆଲୁଅରେ ଜୁଳୁଜୁଳୁ ହୋଇ ଦିଶୁଛି । ଆମେ ଭାବିଲୁ ହରିଣ ପଲ ହେବେ ପରା । ମାତ୍ର ଆଜିକାଲି ଏତେ ଗୁଡ଼ାଏ ହରିଣ ଗୋଟାଏ ଜାଗାରେ ଦେଖିବା ସମ୍ଭବ ନୁହେଁ । ତେଣୁ ସନ୍ଦେହରେ ପଡ଼ି ଆଗକୁ ଆଗକୁ ଗଲୁ ଓ ପାଖରୁ ଆଲୁଅ ପଡ଼ିବାରୁ ଜଣାଗଲା ଯେ ସେଗୁଡ଼ିକ ସବୁ ମଇଁଷି ପଲ । ମଇଁଷିଆଳମାନେ ମଇଁଷି ଚରାଇବାକୁ ଆଣନ୍ତି ଜଙ୍ଗଲକୁ ଓ ରାତି ହୋଇଯିବାରୁ ସେଠାରେ ରହିଯାଇଛନ୍ତି । ରାସ୍ତା ଧାରକୁ ପାଞ୍ଚ ଦଶଜଣ ମଇଁଷିଆଳ ଶୋଇଥାନ୍ତି । ମଧ୍ୟ । ଅଭୟାରଣ୍ୟ ଭିତରେ ବିଶେଷତଃ ରାତିରେ ଏମାନଙ୍କର ରହିବାର ନୁହେଁ । ମାତ୍ର କିଏ ମାନୁଛି ଆଇନ୍‌କାନୁନ୍‌ ବା କିଏ ଏମାନଙ୍କୁ ଧରିବ ? ଆଜିକାଲିକାର ସମାଜରେ ଲୋକପ୍ରିୟ ସରକାର ହୋଇଥିବାରୁ ଲୋକମାନେ ଭାବନ୍ତି ଆଇନଅମାନ୍ୟ କରିଥିଲେ ବି ତାଙ୍କର ପ୍ରତିନିଧିମାନେ ତାଙ୍କୁ ରକ୍ଷା କରିବାକୁ ବାଧ୍ୟ ! ଏଣୁ କାହାରିକୁ ଖାତିର ନ ଥାଏ । ଭୋଟ ଦେବାଟା ଯେ ତାଙ୍କ ହାତରେ ! ଅନ୍ୟ ଦିଗରେ ବଣ୍ୟ ବିଭାଗର ତଳିଆ କର୍ମଚାରୀମାନେ ମଧ୍ୟ କିଛି କହନ୍ତି ନାହିଁ । ସେମାନେ ତ ଗରିବ । ଏମାନଙ୍କ ସଙ୍ଗେ ମିଳିମିଶି ଚଳିଲେ ତାଙ୍କର ନିଶ୍ଚୟ ସୁବିଧା ହୋଇଥାଏ । ଏପରି ଅବସ୍ଥାରେ ଅଭୟାରଣ୍ୟରେ ରକ୍ଷଣାବେକ୍ଷଣ କଦାପି ଭଲ ହୋଇନପାରେ । ସେଥିପାଇଁ ଆମେ ଆଉ କୌଣସି ଜନ୍ତୁ ଦେଖିବାକୁ ପାଇଲୁ ନାହିଁ । ମିଇଁଷିଆଳମାନେ ସବୁ ହୁରୁଡ଼ାଇ ଦେଇଛନ୍ତି ବୋଲି ଜାଣିଲୁ । ଫେରନ୍ତି ରାସ୍ତାରେ ମଇଁଷିଆଳମାନଙ୍କୁ ଉଠାଇ ତାଙ୍କ ପାଖରେ ବସିଲୁ । ନିଆଁ ଜଳୁଥାଏ-। କଥାବାର୍ତ୍ତା ହେଉ ହେଉ ଜନ୍ତୁଙ୍କ କଥା ପଡ଼ିଲା । ସେମାନେ ଆମକୁ ମଧ୍ୟ ଗୋଟାଏ ‘‘ପୋଚି’’ ଦଳବୋଲି ଭାବି ନେଲେଣି । ତେଣୁ ସବୁ ଗହନ କଥା କହିବାକୁ ସେମାନେ କୁଣ୍ଠାବୋଧ କଲେନାହିଁ । ସେମାନେ କହିଲେ, ‘‘ଶିକାରିମାନେ ପ୍ରାୟ ଆସୁଛନ୍ତି ଏଠାକୁ; ଜନ୍ତୁ ମାରିଦେଇ ଯାଉଛନ୍ତି । ପାଖ ଆଖର ରାଜା ମହାରାଜା, ସହରର ବଡ଼ ବଡ଼ ହାକିମହୁକୁମା ବା ତାଙ୍କ ପିଲାଛୁଆ ବାଲିକିଆରି ପଟୁ ବା ଟିକରପଡ଼ା ଆଡ଼ୁ ରାୟଗଡ଼ା ଅଭୟାରଣ୍ୟରେ ପଶି ଜନ୍ତୁ ମାରି ନେଇଯାଉଛନ୍ତି । ଏଇତ ପଅରଦିନ କେତେକ ବାଣୁଆ ଆସିଥିଲେ । ଏଇ ଅଭୟାରଣ୍ୟ ଭିତରେ ଗୋଟାଏ ବଡ଼ ସମ୍ବର ମାରି ଏଠାରେ ଛାଲ ଉତାରି ମାଂସ ସବୁ ନେଇଗଲେ ।’’ ଏହାସବୁ ଶୁଣିଲାପରେ ଆମେ ଆଉ ଜଙ୍ଗଲ ବୁଲି ଜନ୍ତୁ ଦେଖିବାର ଆଶା ଛାଡ଼ିଲୁ । ବଙ୍ଗଳାକୁ ଫେରିଲୁ-। ବାଟରେ ଆଉ କିଛି ଦେଖିବାକୁ ପାଇଲୁ ନାହିଁ ।

 

ବଙ୍ଗଳାକୁ ଫେରିବା ବେଳକୁ ରାତି ସାଢ଼େ ଗୋଟାଏ ହୋଇଯାଇ ଥାଏ । ଖାଇପିଇ ଶୋଇଲୁଁ । ମୋର ତ ମନ ଲାଗିଥାଏ । ଭାଲୁଟାକୁ ମାରିଛି । ଗୁଳି ନିଶ୍ଚୟ ବାଜିଥିବ । ୩୭୫ର ଲାଖ ତ ଭୁଲ ହେବାରେ ନୁହେଁ । ପରନ୍ତୁ ଗୁଳି ଜନ୍ତୁ ଦେହରେ ବାଜି ନ ଥିଲେ ଶବ୍ଦ ଅନ୍ୟପ୍ରକାର ହୋଇଥାନ୍ତା । ଜନ୍ତୁ ଦେହରେ ଗୁଳି ବାଜିଲେ ଟିକେ କମ୍ ଆବାଜ୍ ହୁଏ । ସେତେବେଳର ଶବ୍ଦ କିନ୍ତୁ ଦେହରେ ବାଜିବାର ଶବ୍ଦ । ତାହାହେଲେ କ’ଣ ହେଲା ? ଜନ୍ତୁଟି ଗଲା କୁଆଡ଼େ ? ବଡ଼ିଭୋରରୁ ଉଠି ମୁଁ ଦେବେନ୍ଦ୍ରକୁ ସଙ୍ଗରେ ନେଇ ଚାଲିଲି ସାଗୁଆନ ବଣ କତିକି । ଯେଉଁ ଜାଗାରେ ଭାଲୁକୁ ଗୁଳିକରିଥିଲି ସେଠାକୁ ଯାଇ ଜିପ୍‌ରୁ ଓହ୍ଲାଇ ଗୁଳି ମାଡ଼ ହେବା ଜାଗାକୁ ଯାଇ ଦେଖିଲି, ଠୋପାଏ ଦୁଇଠୋପା ରକ୍ତ ବୁନ୍ଦା ଗଛ ଡାଳରେ ଲାଗିଛି । ଗୁଳି ତାହାହେଲେ ନିଶ୍ଚୟ ବାଜିଛି ବୋଲି ପ୍ରତ୍ୟୟ ହେଲା । ଲକ୍ଷ୍ୟଭ୍ରଷ୍ଟ ହୋଇନାହିଁ । ତେଣୁ ଖୁବ୍ ସନ୍ତର୍ପଣରେ ଆଗକୁ ବନ୍ଧୁକ ରଖି ଚାଲିଲି । ବାମପାଖ ରାସ୍ତା ତଳକୁ ଗଡ଼ିଗଲା ମାତ୍ରେ ଦେଖିଲି କଳାହୋଇ କ’ଣ ଗୋଟାଏ ଜନ୍ତୁ ବୁଦା ଆରପଟରେ ଦିଶୁଛି । ଘାଉଲା ହୋଇ ଜନ୍ତୁଟା କ’ଣ ଆମ ଆସିବାର ଶବ୍ଦ ଣୁଣି ଆକ୍ରମଣ କରିବାକୁ ଉଦ୍ୟତ କି ? ନା ନା ! ଦିନ ହେଲାଣି, ଏପରି ପଦାଟାରେ ଓ ରାସ୍ତାକଡ଼ରେ ଜନ୍ତୁଟା ବଞ୍ଚିଥିଲେ ରହି ନ ଥାନ୍ତା । ତେଣୁ ପ୍ରକୃତିସ୍ଥ ହୋଇ ଭଲକରି ଆରପଟକୁ ନିରେଖି ଦେଖିବାକୁ ଜଣାପଡ଼ିଲା ଜନ୍ତୁଟି ମରିଯାଇଛି । ମଲା ଭାଲୁଟା ବୁଦାର ଆରପଟରେ ପଡ଼ିରହି କାଠ ହୋଇଗଲାଣି । ରାତିରେ ବୁଦାର ଛାଇ ଆଲୁଅକୁ ଅଟକାଇଥିବାରୁ ତାକୁ ଦେଖି ପାରି ନ ଥିଲୁ । ମନ ଖୁବ୍ ଖୁସି ହୋଲା ଯେ ଦଉଡ଼ୁଥିବା ଜନ୍ତୁକୁ ଚଳନ୍ତି ଜିପରୁ ମାରିପାରିଲି ବୋଲି । ଭାଲୁ, ବାର୍‍ହା କିମ୍ବା ବାଘ ଇତ୍ୟାଦିକୁ ରାତିରେ ମାରିଲେ ଏତେଟା ଦୋଷାବହ ନଥିଲା ସେତେବେଳେ । ପ୍ରକୃତରେ କିନ୍ତୁ କହିବାକୁ ଗଲେ ଶିକାରୀମାନେ ଜିପ୍ ଉପରୁ ଆଲୁଅ ପକାଇ କୌଣସି ଜନ୍ତୁ ମାରିବାର ନୁହେଁ । ମୁଁ ସେତେବେଳେ ଅତ୍ୟନ୍ତ ଅଧୀର ହୋଇ ମାରିଦେଲି ସିନା ! ମାତ୍ର ଏପରି କରିବା ଠିକ୍ ହୋଇ ନ ଥିଲା ।

 

ସଙ୍ଗେ ସଙ୍ଗେ ବଙ୍ଗଳାକୁ ଫେରି ଲୋକ ତିନି ଜଣ ସଙ୍ଗରେ ଆଣି ଭାଲୁକୁ କିପରି ଲଦି ନେଇଗଲୁ । ତା’ର ଛାଲ ଉତାରିଲାରୁ ଜଣାଗଲା ଯେ, ଗୁଳିଟା ଭାଲୁର ଛାତିରେ ପଶି ହୃଦୟଯନ୍ତ୍ରକୁ ଭେଦିଯାଇଛି । ତେଣୁ ଭାଲୁଟି ବେଶୀ ବାଟ ପଳାଇ ଯାଇପାରିନାହିଁ । ସଙ୍ଗେ ସଙ୍ଗେ ମରି ପଡ଼ିଛି । ଗୁଳି ମାରିବା ଜାଗାରୁ ପ୍ରାୟ ତିରିଶ ଗଜ ଚାଲିଯାଇପାରିଥିଲା ମାତ୍ର ।

 

ଜନ୍ତୁର ହୃତପିଣ୍ଡରେ ଗୁଳି ବାଜିଲେ ସେ ମରିବ ନିଶ୍ଚୟ ମାତ୍ର ମରିବା ଆଗରୁ କିଛିବାଟ ଚାଲିଯିବ । ସେଥିପାଇଁ ହିଂସ୍ରଜନ୍ତୁଙ୍କୁ ସାଧାରଣତଃ ହୃତପିଣ୍ଡକୁ ଲକ୍ଷ୍ୟ କରି ମରାଯାଏ ନାହିଁ–ବିଶେଷତଃ ବାଘ ବା ଚିତାକୁ ଏପରି ଭାବରେ ମରାଯାଏ ନାହିଁ; କାରଣ ମରିବା ଆଗରୁ ସେ ଶିକାରୀକୁ ମାରି ଦେଇ ପାରେ । ଯଦି ଶିକାରୀ ନିରାପଦ ଜାଗାରେ ଥାଏ, ତାହାହେଲେ ହୃତପିଣ୍ଡକୁ ମାରିବା ମନା ନୁହେଁ । ବାଘ ମାରିବାକୁ ଥିଲେ ତା’ର ବେକକୁ ବା ତାଳୁକୁ ଲକ୍ଷ୍ୟ କରି ମାରିପାରିଲେ ବାଘ ସେଇଠି ପଡ଼ି ରହେ । ଆଉ ଉଠିପାରେ ନାହିଁ । ଯଦି ଜନ୍ତୁଟି ଅନ୍ୟ ଦିଗକୁ ମୁହଁ କରି ଚାଲିଛି ତାହା ହେଲେ ହୃତ୍‌ପିଣ୍ଡରେ ଗୁଳି ବାଜିଲେ ସେ ସେହି ଦିଗକୁ ଦୌଡ଼ିଯାଏ ଓ ମରେ ।

 

ଆଜିକାଲି ଦେଖାଯାଉଛି ବହୁତ ଭାଲୁ ସହର ବଜାର ପାଖକୁ ଚାଲି ଆସୁଛନ୍ତି । ମୁଁ ଏଇ ବ୍ରହ୍ମପୁରରେ ତିନି ବର୍ଷ ହେଲା ରହିଲିଣି, ବହୁତ ଲୋକ ଭାଲୁ କାମୁଡ଼ାରେ ଆସି ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । କାହାର ଆଖି ଫୁଟିଯାଉଛି ତ କାହାର ମୁଣ୍ଡର ଚମଡ଼ା ଉତାରିହୋଇ ଆସିଛି । ଏହିପରି ଅନେକ ରୋଗୀ ଭାଲୁର ଆଞ୍ଚୁଡ଼ା ଖାଇ ଆସିଥାନ୍ତି । ଏହାର କାରଣ ହେଲା ଆଜିକାଲି ଜଙ୍ଗଲ ସରି ଆସିଲାଣି । ଭାଲୁ ସାଧାରଣତଃ ଜଙ୍ଗଲର ଫଳମୂଳ ଉଈ ଇତ୍ୟାଦି ଖାଏ । ବଣରୁ ଚାର, କେନ୍ଦୁ, ବାହାଡ଼ା, ହରିଡ଼ା ଇତ୍ୟାଦି ଫଳ ଉଭେଇଗଲାଣି । ସେସବୁ ଫଳଗଛ କାଟି ସଫା କରାଗଲାଣି । ଫଳରେ ଜଙ୍ଗଲରୁ ଉଈ ମଧ୍ୟ କମିଗଲେଣି । ଭାଲୁମାନେ ବା ଖାଇବେ କ’ଣ । ସେମାନେ ଜଙ୍ଗଲ ଛାଡ଼ି ଆସି ବିଲମାନଙ୍କରେ ଆଖୁ ଖାଉଛନ୍ତି ଓ ଆଖୁ ବଣରେ ପଶୁଛନ୍ତି । ଲୋକ ହାବୁଡ଼ିଗଲେ ଆଞ୍ଚୁଡ଼ି ଦେଉଛନ୍ତି । ଏଥିରେ ଭାଲୁଙ୍କର ବା ଦୋଷ କ’ଣ ରହିଲା ! ତାଙ୍କ ପାଇଁ ଅନ୍ତତଃ କିଛି ଜଙ୍ଗଲ ଛାଡ଼ିଦେବା ଦରକାର । ତା’ ହେଲେ ସେମାନେ ଆଉ ଗାଁ ଗଣ୍ଡା ପାଖକୁ ଆସିବେ ନାହିଁ ।

 

ସେଦିନ ଆମର ଛୋଟ ଛୋଟ ହୁଡ଼ି ସବୁ ହାକା କରିବାର ଥାଏ । ଲୋକମାନେ ଆଠଟାବେଳକୁ ଆସିଯିବେ । ତେଣୁ ଆମେ ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ଶିକାର ପୋଷାକ ପିନ୍ଧି ବାହାରିପଡ଼ିଲୁ । ପାଣିବାବୁ ମଧ୍ୟ ବାହାରିଲେ । ଆଗ ବଙ୍ଗଳା ତଳ ହୁଡ଼ି ହାକା କରିବାର ଥାଏ । ଲୋକମାନଙ୍କୁ ଗୋଟାଏ ଗୋଟାଏ ବିଡ଼ି ଟାଣିବାକୁ ଦେଲୁଁ । ବିଡ଼ି ସେ ଲୋକଙ୍କର ଭାରି ପ୍ରିୟ । ଜନୈକ ଶିକାରୀକୁ ଆମେ କିପରି ବସିବା ଓ ହାକା କେଉଁଆଡ଼କୁ ହେବ ବୁଝାଇ ଦେଲୁ । ଶିକାରୀ ଅନ୍ୟମାନଙ୍କ ସଙ୍ଗେ ପରାମର୍ଶ କରି ଆମକୁ ନେଇ ଚାଲିଲା ତଳପାଖ ଗୋହରିରେ ବସାଇ ଦେବାକୁ । ଲୋକମାନେ ପାହାଡ଼ର ଆରପଟୁ ଆମଆଡ଼କୁ ଜନ୍ତୁମାନଙ୍କୁ ହାକାଳି ଆଣିବା ପାଇଁ ଚାଲିଗଲେ । ପାଣିବାବୁ ବସିଲେ ଆଗ, ତା’ପରେ ମୁଁ, ତା’ପରେ ଦେବେନ୍ଦ୍ର ଓ ଭାଇ ଏବଂ ମିଶ୍ର ବାବୁ ସବାଶେଷ ଘାଟିକୁ ଗଲେ । ହାକା ଆାରମ୍ଭ ହେଲା । ଆମେ ଆମର ସ୍ଥିତ ଅନ୍ୟମାନଙ୍କୁ ଏବଂ ପରସ୍ପରଙ୍କୁ ପକ୍ଷୀ ଭଳିଆ ଶବ୍ଦ କରି ଜଣାଇଦେବା ପରେ ଚୁପ୍‌ଚାପ୍ ବସି ରହିଲୁଁ । ଆଡ଼ି ଆରମ୍ଭ ହେବାର ପ୍ରାୟ ପଇଁଚାଳିଶ ମିନିଟ ପରେ ପାଣିବାବୁ ଗୋଟାଏ ଗୁଳି ଫୁଟାଇଲେ । ତା’ପରେ ସବୁ ବନ୍ଦ । ହାକାଳିମାନେ ଆସି ପାଖରେ ପହଞ୍ଚି ଗଲେଣି । ଆମେ ଉଠି ଆସିଲୁ ପାଣିବାବୁଙ୍କ ପାଖକୁ-। ସେ ଗୋଟାଏ ଗୁରାଣ୍ଡି ମାରି ପାରିଛନ୍ତି । ଯାହାହେଉ ହାକା ଫାଙ୍କା ଯାଇନାହିଁ ତ ! କିଛି ମାଂସ ମିଳିଗଲା ଖାଇବା ପାଇଁ । ସେଉଟାକୁ ବଙ୍ଗଳାକୁ ପଠାଇଦେଲୁ ରନ୍ଧା ହେବା ପାଇଁ । ତା’ପରେ ଆମେ ଚାଲିଲୁ ଅନ୍ୟ ପାହାଡ଼ ପାଖକୁ । ଦିନ ଅଢ଼େଇଟା ଭିତରେ ଆମେ ତିନି ଚାରୋଟା ହାକା କଲୁଁ । ମାତ୍ର ଆଉ କିଛି ଜନ୍ତୁ ମାରି ପାରିଲୁ ନାହିଁ । ହାକାଳିମାନଙ୍କୁ ଆଠଅଣା ଲେଖାଁଏ ପଇସା ଦେଇ ବିଦାୟ ଦେଲୁଁ ।

 

ଆମର ସେଦିନ ପନ୍ଦର ଟଙ୍କା ଖରଚ ହେଲା ସତ ମାତ୍ର ପାଞ୍ଚ ଛଅ କିଲୋ ମାଂସ ତ ମିଳିଲା–ମଜା ମଧ୍ୟ ହେଲା । ବଙ୍ଗଳାକୁ ଆସି ପହଞ୍ଚିବା ପରେ ପାଣିବାବୁଙ୍କର କାମ ଥିବା ହେତୁ ସେ କଟକ ଯିବାକୁ ବାହାରିଲେ । ତାଙ୍କର ବହୁତ କାମ କଟକରେ । ଗୋଟାଏ ବାଉଁଶ ଟ୍ରକରେ ଅନୁଗୁଳ ଗଲେ ଓ ସେଠାରୁ ସେ ବସ ଧରି କଟକ ରମାନା ହେବେ । ସେ ଗୋଟାଏ ଜନ୍ତୁ ମାରିପାରିଥିବାରୁ ବେଶ୍ ଖୁସିଥାନ୍ତି । କିଛି ଶିକାର ମାଂସ ସଙ୍ଗରେ ଧରି ସେ ବାହାରିଗଲେ ।

 

ଆମେ ଗାଧୁଆ ପାଧୁଆ ସାରି ଖାଇବାକୁ ଯାଉଛୁ ଜଣେ ଲୋକ ଦୌଡ଼ି ଦୌଡ଼ି ଆସି ଖବର ଦେଲା ଯେ ପାହାଡ଼ ଆରପାଖ ଗାଁରେ ଗୋଟାଏ ମହାବଳ ବାଘ ଗୋରୁଟିଏ ମାରିଛି । ସେଦିନ ପ୍ରାୟ ସାଢ଼େ ଦଶଟାରେ ସେ ପୋଢ଼ଟାକୁ ମାଡ଼ି ବସି ମାରିପକାଇଛି । ଦିନ ସେତେବେଳକୁ ସାଢ଼େତିନିଟା । ସନ୍ଧ୍ୟା ହେବାକୁ ଆଉ ମୋଟେ ସାଢ଼େ ତିନିଘଣ୍ଟା ବାକି । ଆମେ ତରତରରେ ବାହାରିପଡ଼ିଲୁ । ଯାହି ତାହି ଗଣ୍ଡାଏ ଖାଇଲି ଓ ସଙ୍ଗରେ କିଛି ଖାଇବାର ଧରି ନେଲୁ-। ଲୋକଟିକୁ ଆଗ ଦୌଡ଼ାଇ ଦେଲୁ ପାହାଡ଼ ଆରପାଖକୁ ପାରହୋଇ ସେ ଯାଇ ଆଗ ପହଞ୍ଚିବ ବୋଲି । ଆମେ ଜିପ୍ ରାସ୍ତାରେ ବୁଲି ଯିବାକୁ ହେଲେ ଆମକୁ ଅନ୍ତତଃ ପଇଁଚାଳିଶ ମିନିଟ ଲାଗିଯିବ ।

 

.୪୭୦ ଡବଲ ବେରେଲ ରାଇଫଲ ଓ ମିଶ୍ରବାବୁଙ୍କର ୩୭୫ ମେଗନାମ ଏକନଳିଆ ରାଇଫଲ ଧରି ଆମେ ବାହାରିପଡ଼ିଲୁ । ଭାଇ, ମିଶ୍ରବାବୁ, ଦେବେନ୍ଦ୍ର ଓ ମୁଁ । ଜିପ୍‌ରେ ପାହାଡ଼ ଏ ପଟରେ ବୁଲି ବୁଲି ଯିବାକୁ ହେଲେ ଦୁଇଟା ଗାଁ ପଡ଼େ । ସେସବୁକୁ ପାର ହୋଇ ଆମେ ପାହାଡ଼ ଆର ପଟକୁ ଯାଇ ଗାଁରେ ଜିପ୍ ରଖିଲୁ । ଅନେକ ଲୋକ ଗାଁ ଦାଣ୍ଡରେ ରୁଣ୍ଡ ହୋଇଥାନ୍ତି । ଖବର ଦେବା ଲୋକ ମଧ୍ୟ ଆସି ପହଞ୍ଚି ଯାଇଥାଏ । ଗୋଟାଏ ଦଉଡ଼ିଆ ଖଟ ଓ ରସି ମଧ୍ୟ ଯୋଗାଡ଼ ହୋଇଯାଇଥାଏ । ସେ ସବୁ ସରଞ୍ଜାମ ଧରି ଆମେ ବାହାରିଲୁ ବାଘ ମଢ଼ କରିଥିବା ଜାଗାକୁ । ବିଲ ଓ ଝୋଟଝାଟି ଜଙ୍ଗଲ ପାରହୋଇ ଆମେ ବନ ଜଙ୍ଗଲରେ ଦାଢ଼ରେ ଆସି ପହଞ୍ଚିଲୁଁ । ଗ୍ରାମରୁ ପ୍ରାୟ ଏକ କିଲୋମିଟର ହେବ କି ଟିକିଏ କମ ହେବ । ଜଙ୍ଗଲର ଦାଢ଼କୁ ଗୋଟାଏ ପଡ଼ିଆ ଓ ତା’ କଡ଼କୁ ବିଲ । ବିଲ ଓ ପଡ଼ିଆ ମଧ୍ୟରେ ଧାଡ଼ିଏ ଅନାବନା ଗଛ । ତେଣୁ ବିଲରୁ ପଡ଼ିଆଟି ପରିଷ୍କାର ଦେଖାଯାଉନଥାଏ । ଜଙ୍ଗଲ ପାଖକୁ ଲାଗି ପଡ଼ିଆରେ ଧାଡ଼ିଏ ଛୋଟ ଛୋଟ ପଣସ ଗଛ । ପ୍ରାୟ ସାତ ଆଠ ବର୍ଷର ଗଛ ସେଗୁଡ଼ାକ । ତା’ପରେ ଜଙ୍ଗଲ ଲାଗି ରହୁଥାଏ । ବାଘ ଗାଈଟିକୁ ମାରିଥାଏ ସେ ପଣସ ଗଛର ଧାଡ଼ି କଡ଼କୁ-ଜଙ୍ଗଲ ଧାରକୁ । ମଢ଼ ପାଖରେ ଆଉ କୌଣସି ପ୍ରକାର ବଡ଼ ଗଛ ନ ଥାଏ । ସଞ୍ଜ ହେବାକୁ ଅଳ୍ପ ସମୟ ବାକି । ବାଘ ମଢ଼ ପାଖକୁ ଆସିବାର ଗୋଟାଏ ବେଳ ହେଉଛି ସଞ୍ଜ ହେବା ଆଗରୁ । ତେଣୁ ଜଲଦି ଆମକୁ ମଞ୍ଚା ବାନ୍ଧିବାକୁ ହେବ । ଦେଖିଲୁ ଗୋଟାଏ ବଡ଼ ଗଛ ବିଲ ଓ ପଡ଼ିଆ ମଝିରେ ଥିବା ଅନାବନା ଗଛ ପାଖକୁ ଲାଗି ରହିଛି । ମଢ଼ ପାଖରୁ ପ୍ରାୟ ଦେଢ଼ଶ ଗଜ ଦୂର ହେବ । ମଢ଼ପାଖ ପଣସ ଗଛ ସବୁ ଛୋଟ ଗଛ । ତେଣୁ ମଞ୍ଚାବାନ୍ଧି ବସିବାକୁ ବିଶେଷ ସୁବିଧା ହେବ ନାହିଁ । ବିଶେଷତଃ ବାଘ ପାଇଁ ।

 

ତରତରରେ ବିଲ ପାଖର ବଡ଼ ଗଛରେ ପ୍ରାୟ ତେର ଚଉଦ ଫୁଟ ଉଚ୍ଚର ଭାଡ଼ିଟିଏ ବନ୍ଧାଗଲା । ଦଉଡ଼ିଆ ଖଟଟାକୁ ଏପରି ଭାବରେ ବନ୍ଧାଗଲା ଯେ ତା’ଉପରେ ଦୁଇଜଣ ସୁରୁଖୁରୁରେ ବସିପାରିବେ । ଖଟର ଆଗ ପାଖ ଡାଳପତ୍ର ଦେଇ ଢାଙ୍କିବାକୁ ବେଳ ପାଇଲା ନାହିଁ । ସୂର୍ଯ୍ୟ ପାହାଡ଼ ସେପଟକୁ ଯାଇନାହାନ୍ତି । ଭାଡ଼ି ଉପରେ ବସିଲେ ସୂର୍ଯ୍ୟକିରଣ ମୁହଁରେ ପଡ଼ିବ । ମଢ଼ଟି ବହୁତ ଦୂର ହେବାକୁ ତାକୁ ଘୋସାରି ଅଣାଯାଇ ପଡ଼ିଆ ମଝିରେ ରଖାଗଲା ଓ ଗୋଟାଏ ଖୁଣ୍ଟ ପୋତି ତାକୁ ବାନ୍ଧିଦିଆଗଲା ।

 

ଅଡ଼ୁଆ କଥା ହେଲା ଯେ, କିଏ ଭାଡ଼ିରେ ବସିବ ବାଘ ମାରିବା ପାଇଁ । ଆମେ ସମସ୍ତେ ତ ବାଘ ଶିକାର ପାଇଁ ବ୍ୟଗ୍ର । ତେଣୁ ଲଟାରୀ କରାଗଲା । ଲଟାରୀରେ ମୋ ନାମ ଉଠିବାରୁ ମୁଁ ପ୍ରଧାନ ଶିକାରୀ ହେଲି ଓ ମୋତେ ସାଙ୍ଗ ଦେବାକୁ ମିଶ୍ରବାବୁ ଆଗ୍ରହ ପ୍ରକାଶ କରିବାରୁ ସେ ମୋ ସଙ୍ଗରେ ରହିଲେ । ଆମେ ଦୁଇ ଜଣ କିଛି ଖାଦ୍ୟ ପଦାର୍ଥ ଏବଂ ପାଣି ସାଙ୍ଗରେ ରଖିଲୁଁ । ଟର୍ଚ୍ଚଟିଏ ମଧ୍ୟ ପାଖରେ ରଖିଲୁ । ଗୋଟାଏ କମ୍ବଳ ସାଙ୍ଗରେ ଥିଲା–ତାକୁ ମଧ୍ୟ ରଖିଲୁଁ ।

 

ଗୋଟାଏ ଦଉଡ଼ି ସାହାଯ୍ୟରେ ଖଟ ଉପରକୁ ଉଠିଯିବା ପରେ ବନ୍ଧୁକ ଗୁଡ଼ିକ ଉଠାଇ ନେଲୁଁ ଏବଂ ତା’ ପରେ ପରେ ଦଉଡ଼ିଟିକୁ ଉପରକୁ ଉଠାଇନେଲୁଁ । ତା’ପରେ ପରେ ଅନ୍ୟ ସମସ୍ତେ ଟିକିଏ ଜୋରରେ କଥାବାର୍ତ୍ତା ହୋଇ ଗାଁକୁ ଚାଲିଗଲେ । ମୁଁ ମୋର ୪୭୦ ଦୁଇନଳିଆ ରାଇଫଲଟି ଧରି ଆଗକୁ ବସି ରହିଲି । ମିଶ୍ରବାବୁ ମୋ ପଛକୁ ୩୭୫ ମେଗ୍‌ନାମ ରାଇଫଲ ଧରି ବସିଲେ । ଦିନ ରତ ରତ ହେଉଥାଏ । ସୂର୍ଯ୍ୟକିରଣ ତଥାପି ଆମ ଦେହରେ ପଡ଼ିଥାଏ । ମାତ୍ର ମଢ଼ ଉପରେ ପାହାଡ଼ର ଛାଇ ପଡ଼ିଗଲାଣି । ମୁଁ ବସିଥିବା ଜାଗାକୁ ମଢ଼ ଓ ଦୂରରେ ଥିବା ପଣସ ଗଛଗୁଡ଼ିକ ବେଶ୍ ପରିଷ୍କାର ଦେଖାଯାଉଥିଲା । ପଣସ ଗଛ ଆରପଟକୁ ବୁଦାବୁଦା ଗଛ ପାହାଡ଼ ପର୍ଯ୍ୟନ୍ତ ମେଲିଯାଇଥାଏ । ମିଶ୍ରବାବୁ ଧୀର ହୋଇ ବସି ପାରିଲେ ନାହିଁ । ଏପାଖ ସେପାଖ ହୋଇ ସିଗାରେଟଟିଏ ଲଗାଇଲେ । ବୟସ୍କ ବୋଲି ମୁଁ କିଛି କହିପାରିଲି ନାହିଁ । ସିଗାରେଟର ଧୂଆଁ ଛୁଟି ଚାଲିଲା ।

 

ମୁଁ ତ ଏକ ଲୟ ରଖିଥାଏ ମଢ଼ ଆଡ଼କୁ ଏବଂ ଜଙ୍ଗଲ ଆଡ଼କୁ । ବାଘର ଗୋଟାଏ ଆସିବା ବେଳ ହେଲା ସଞ୍ଜ ଆଗରୁ । କ’ଣ କରେ । ଲୋକମାନଙ୍କର ପାଟି ଆଉ ଶୁଭୁନାହିଁ । କେତେବେଳୁ ଗାଁରେ ପହଞ୍ଚିଗଲେଣି ବୋଧହୁଏ । ବାଘ ଆସିବାର ଏଇ ହେଉଛି ପ୍ରକୃଷ୍ଟ ସମୟ । ମିଶ୍ରବାବୁଙ୍କର ସିଗାରେଟର ଧୂଆଁ ଛୁଟିଥାଏ । ଖରା ପଡ଼ି ଧୂଆଁର ଆକାର ବେଶ ପରିଷ୍କାର ଦିଶୁଥାଏ । ଯଦି ବାଘ ଏତିକିବେଳେ ଆସେ ତାହାହେଲେ ସେ ନିଶ୍ଚୟ ଆମର ସ୍ଥିତି ଅତି ଅକ୍ଲେଶରେ ଜାଣିପାରିବ । ଏଇଆ ଭାବି ଭାବି ମୋତେ ବଡ଼ ଅଡ଼ୁଆ ଲାଗୁଥାଏ । ମନେ ମନେ ମିଶ୍ରବାବୁଙ୍କ ଉପରେ ରାଗ ଆସୁଥାଏ । ବାଘ ଶିକାରରେ ବସି ରହିବାକୁ ହେଲେ ଖୁବ୍ ଧୀର ହୋଇ ବସିବାକୁ କ’ଣ ଜଣାନାହିଁ ।

 

ଏହିପରି ଭାବୁଛି–ଠିକ୍ ଏତିକିବେଳେ ଦେଖିଲି ଏକ ମସ୍ତବଡ଼ ମହାବଳ ବାଘ ପାହାଡ଼ ଆଡ଼ୁ ରାଜକୀୟ ଠାଣିରେ ଚାଲିଆସିଲା । ମାତ୍ର ଏ କ’ଣ-ପଣସ ଗଛ ଗୁଡ଼ିକର ଆରପଟରେ ଥିବା ବୁଦା ବୁଦା ଗଛମାନଙ୍କ ଆଢ଼ୁଆଳକୁ ହଠାତ୍ ଚାଲିଗଲା କାହିଁକି ? ମଢ଼ଟି ଯେଉଁଠି ପଡ଼ିଥିଲା ସେଠାରୁ ତ ଆମେ ମଢ଼କୁ ଆହୁରି ଆଗକୁ ଟାଣି ଆଣିଥିଲୁ । ତେଣୁ ମଢ଼କୁ ନ ପାଇ ବୁଦା ଭିତରେ ଲୁଚି ରହିଲା ବୋଧହୁଏ । ପ୍ରତି ମୁହୂର୍ତ୍ତରେ ଆଶା କରୁଥାଏ ବାଗ ମଢ଼ ପାଖକୁ ଆସିଯିବ ପରା । ମନର ଉଦ୍‌ବେଗ ଓ ଛାତିର ଧଡ଼କ । ଆଗରୁ ବନ୍ଧୁକରେ ଗୁଳି ଭର୍ତ୍ତି କରି ରଖିଥାଏ । ବାଘ ମାରିବାର ସେ ଯେଉଁ ଆକାଂକ୍ଷା ତାହା ଲେଖାର ବର୍ଣ୍ଣନା କରିହେବ ନାହିଁ । ନିଶ୍ୱାସ ପ୍ରଶ୍ୱାସ ପ୍ରଖର ଗତିରେ ବୋହିବାକୁ ଲାଗିଥାଏ । ଗୋଟାଏ ଘୋଡ଼ା ଭଳି ସେ ବାଘଟା । ଦିନବେଳେ ବାହାରି ପଡ଼ିଲା ଓ କିପରି ଯେ ପୁଣି ଛପି ରହିଲା ଆଶ୍ଚର୍ଯ୍ୟର କଥା ! କମ୍ପିତ ହାତରେ ରାଇଫଲଟି ଧରି ନିଶ୍ୱାସ ଚାପିରଖି ମୁଁ ଅନାଇ ରହିଲି । ଖରାଟା ମୋ ମୁହଁରେ ପଡ଼ିଥାଏ । ମିଶ୍ରବାବୁଙ୍କୁ କହୁଣିରେ ଇସାରା ଦେବାରୁ ସେ ସିଗାରେଟ୍‌ଟି ଲିଭାଇ ଦେଲେ ଓ କ’ଣ ବୋଲି ଆଗକୁ ଝୁଙ୍କି ଆସିଲେ । ମୁଁ ପାଟି କରି କିଛି କହିପାରୁନଥାଏ । ସେତେବେଳକୁ କିନ୍ତୁ ବାଘଟି ବୁଦା ଆରପଟକୁ ଲୁଚିଗଲାଣି । ମନର ଉଦ୍‌ବେଗ ଅଧିକରୁ ଅଧିକ ହେଉଥାଏ । ଦୁଇ ନଳିଆ ରାଇଫଲ୍‌ଟି ଆଗକୁ ଟେକି ଧରିଥାଏ-। ବାଘ ବାହାରିଲେ ଲାଖ କରିବାକୁ ସୁବିଧା ହେବ ବୋଲି । କ୍ରମେ ହାତ ଘୋଳାଇ ହେଲାଣି-। ଏକ ଲୟରେ ମୁଁ ଆଗକୁ ଅନାଇ ବସି ରହିଥାଏ । ବସି ବସି ଥକିଲି–ହେଲେ ବାଘ ଆଉ ବାହାରିଲା ନାହିଁ । ସଞ୍ଜ ଆସିଗଲା । ସେଦିନ ଥାଏ କୃଷ୍ଣପକ୍ଷର ରାତି । ଘୋର ଅନ୍ଧାର ମାଡ଼ି ଆସିଲା । ଆଉ ଆଖିକୁ ଦିଶିଲା ନାହିଁ । ଆମେ ଧୀର ହୋଇ ବସି ରହିଲୁ । ଆଶା ଥିଲା କାଳେ ରାତି ହେଲେ ବାଘଟି ଚାଲି ଆସିବ ମଢ଼ ପାଖକୁ । ବସି ବସି ହାଲିଆ ଲାଗିଲା । ଅନ୍ଧାରରେ ମଢ଼ ଆଗକୁ ଅନାଇ ଅନାଇ ଆଖି ମଧ୍ୟ ବଥା କଲାଣି । ରାତି ଆଠଟା ଯାଇ ବାରଟା ହେଲାଣି । ବାଘ ଆସିବା ବେଳ ଚାଲିଗଲା । ମଢ଼ ପାଖରୁ ହାଡ଼ ଚୋବାଇବାର ଶବ୍ଦ କିଛି ଶୁଣାଗଲା ନାହିଁ । ବାଘର ଆଉ ଗୋଟାଏ ଆସିବାବେଳ ଭୋର ଚାରିଟା କି ପାଞ୍ଚଟା । ଡେରି ଅଛି । ଏଣେ ଭୋକ ହେଲାଣି-। ତେଣୁ ଟିଫିନ୍ କେରିଆର ବାହାର କରି କିଛି କିଛି ଖାଇ ନେଲୁଁ । ପାଣି ବୋତଲରୁ ପାଣି ମୁନ୍ଦିଏ ମୁନ୍ଦିଏ ପିଇ ଖଟ ଉପରକୁ ସଜାଡ଼ି ନେଇ ଶୋଇବାର ବନ୍ଦୋବସ୍ତ କଲୁ । ଛୋଟ ଖଟିଟିରେ ଜାଗା ହେଉ ନଥାଏ । ଭାରି କଷ୍ଟେ ମଷ୍ଟେ ଗୋଡ଼ ଲମ୍ବାଇ ହେଲା । ଗୋଟାଏ ମାତ୍ର କମ୍ବଳ ଥିଲା-। ପୂରାପୂରି କାହାକୁ ହେଲେ ଘୋଡ଼ି ହେବାକୁ ପାଇଲା ନାହିଁ । ରାତି ବେଶୀ ହେବାରୁ ଶୀତ ମଧ୍ୟ ବେଶ୍ ଲାଗୁଥାଏ । ମାର୍ଚ୍ଚ ମାସ ହେଲେ ମଧ୍ୟ ରାତିରେ ପାହାଡ଼ କଡ଼ରେ ବେଶ୍ ଶୀତ କରେ-। ମୋର ନିଦ ଭଲ ହେଲା ନାହିଁ । କିଛି ସମୟ ପରେ ଉଠି ବସି ରହିଲି । ଜଙ୍ଗଲର ବିଭିନ୍ନ ପ୍ରକାରର ଶବ୍ଦ ଶୁଣିବାରେ ଲାଗିଲି । ତା’ ଭିତରେ ସବୁବେଳେ ଆଶା ଥାଏ–ଏଇ, ବାଘ ହାଡ଼ ଚୋବାଇବାର ଶବ୍ଦ ଶୁଣାଗଲା କି ? ମାତ୍ର କିଛି କୁଆଡ଼ୁ ନ ଥାଏ । ଗାଁର ସୋର ଶବ୍ଦ କିଛି ନାହିଁ । ଚାରିଆଡ଼େ ନିଶ୍ଚଳ । ଝିଙ୍କାରିର ଝିଁ ଝିଁ ଶବ୍ଦରେ କାନ ଅତଡ଼ା ପଡ଼ୁଥାଏ । ଦୂର ପାହାଡ଼ରୁ କୁଟୁରା ଏବଂ ହରିଣ ସମ୍ବରର ଡାକ ମଧ୍ୟ ଶୁଭୁଥାଏ । କିଟିକିଟିଆ ଅନ୍ଧାର । ମଧ୍ୟେ ମଧ୍ୟେ ଭୂଇଁ ପେଚାର ଟିହଁଉ ଟିହଁଉ ଡାକ କାନକୁ ଖୁବ୍ ମଧୁର ଶୁଣାଯାଉଥାଏ । ମିଶ୍ର ବାବୁ ଶୋଇଯାଇଛନ୍ତି । ମୁଁ ଏକୁଟିଆ ଚେଇଁ ରହିଥାଏ । ରାତି ଢେର ହୋଇଗଲାଣି । ପ୍ରାୟ ସାଢ଼େ ତିନିଟା କି ଚାରିଟା ହେବ । ଏତେ ଅନ୍ଧାର ଯେ ଯେତେ ପାଖକୁ ରେଡ଼ିଆମ୍ ଡାଏଲ ଘଡ଼ିଟି ଆଣିଲେ ମଧ୍ୟ ଠିକ୍‌ ଜାଣି ହେଉ ନଥାଏ ସମୟଟା-। ଠିକ୍ ଏତିକିବେଳେ ଗୋଟାଏ କୁଟୁରା ତୁହାକୁ ତୁହା ବୋବାଇବାକୁ ଲାଗିଲା ପାଖ ପାହାଡ଼ ମଝାମଝିରେ । ବୁଝାଗଲା ବାଘଟି ସେଆଡ଼କୁ ଚାଲିଗଲା । ମନ ଦୁଃଖ ମନରେ ମାରି ଆକାଶକୁ ଚାହିଁ ରହିଲି । ପାହାନ୍ତା ତାରା ବାହାରିଆସୁଥାଏ । ସପ୍ତର୍ଷିମଣ୍ଡଳ ତଳକୁ ଚାଲିଗଲାଣି । ଧ୍ରୁବତାରା ପରିଷ୍କାର ଜୁଳୁ ଜୁଳୁ ଦେଖାଯାଉଥାଏ । ଆସ୍ତେ ଆସ୍ତେ ଅନ୍ଧାର ଚାଲିଯାଉଥାଏ । କିଛି ସମୟ ପରେ ଫର୍ଚ୍ଚା ହୋଇଗଲେ ପୂରାପୂରି । ଗାଁ ଆଡ଼ୁ ସୂର୍ଯ୍ୟ ବାହାରିବାର ଆଭାସ ହେଲା-

 

ମଢ଼ ପାଖରେ କିଛି ଶବ୍ଦ ନାହିଁ । ସବୁ ଚୁପ୍ ଚାପ୍ । ପାହାନ୍ତିଆ ଆଡ଼କୁ ମୁଁ ମଢ଼ ଆଡ଼କୁ ଲକ୍ଷ୍ୟ ରଖିଲି ସତ ମାତ୍ର ବାଘର ଆଉ ଦର୍ଶନ ମିଳିଲା ନାହିଁ । ବାଘ ବୋଧହୁଏ ସେତେବେଳକୁ ପାହାଡ଼ ଉପରକୁ ଗଲାଣି । କୁଟୁରାଟି ବାଘକୁ ଦେଖି ଏପରି ତୁହାକୁ ତୁହା ବୋବାଉଥିଲା । ଯାହାହେଉ ସେଦିନ ବାଘ ମରାଯାଇପାରିଲା ନାହିଁ । ମାତ୍ର ଜଙ୍ଗଲରେ ଗୋଟାଏ ରାତି କଟାଇବା ମୋର ହେଲା ସେଇ ପ୍ରଥମ । ପ୍ରକୃତରେ ସୌନ୍ଦର୍ଯ୍ୟ ଉପଭୋଗ ହିଁ ସେ ଦିନର ତାତ୍ପର୍ଯ୍ୟ । ବାଘ ଶିକାର ନ ହେଲେ କ’ଣ ହେବ ପ୍ରକୃତରେ ନାନାବିଧ ସୌନ୍ଦର୍ଯ୍ୟକୁ ଉପଭୋଗ କରି ମନ ଯେ କି ଆନନ୍ଦ ପାଇଲା ସେ କଥା କଲମ ମୂନରେ ଲେଖିହେବ ନାହିଁ । ଶିକାର ନ କଲେ ବି ମୁଁ ସମସ୍ତଙ୍କୁ କହିବି ଜଙ୍ଗଲରେ ଏହିପରି ଦିନେ ରାତିରେ କଟାଇବାକୁ ।

 

ସକାଳ ହେଲାରୁ ଭାଇ ହେରିକା ଜିପ୍ ନେଇ ଆସି ପହଞ୍ଚିଲେ । ଆମକୁ ଗଛରୁ ଓହ୍ଲାଇବାକୁ କହି ମଢ଼ ଦେଖିବାକୁ ଗଲେ । ବାଘ ଗତ ରାତିରେ ଆସି ନାହିଁ ମି ମଢ଼ ଖାଇନାହିଁ । ତେବେ କ’ଣ ବାଘ ଭୋକରେ ରହିଗଲା । ବେଳେବେଳେ ବାଘ ଦ୍ୱିତୀୟ ରାତିରେ ମଧ୍ୟ ଆସିଥାଏ-। ତେଣୁ ଠିକ୍ ହେଲା ଭାଇ ଓ ଦେବେନ୍ଦ୍ର ଦ୍ୱିତୀୟ ରାତିରେ ପୁଣି ଜଗିବେ । ଖଟ ଆଉ ଖୋଲା ଗଲା ନାହିଁ । ମଢ଼କୁ ଆଉ କିଛି କରା ନ ଯାଇ ଡାଳପତ୍ର ଘୋଡ଼ାଇ ଦିଆଗଲା । ମଢ଼କୁ ଦିନବେଳେ ଶାଗୁଣାଙ୍କ କବଳରୁ ରକ୍ଷା କରିବାକୁ ହେଲେ ଏହିପରି ଡାଳପତ୍ର ଘୋଡ଼ାଇ ଦିଆଯାଏ-

 

ବାଘ ଦିନ ଥାଉଁ ଥାଉଁ ଆସିଥିଲା ମୁଁ ସମସ୍ତଙ୍କୁ କହିଲି–ମାତ୍ର ବାଘଟି ପଣସ ଗଛ ଏପଟକୁ ଆଉ ଆସିନଥିଲା । ସେ ପଟକୁ ଯାଇ ଆମେ ବାଘର ପଞ୍ଝା ଚିହ୍ନ (pug mark) ଦେଖିଲୁ ଓ ବୁଦା ଆର ପଟରେ ଲୁଚି ବସିଥିବାର ଦାଗ ମଧ୍ୟ ଦେଖିଲୁ । ତେଣୁ ଦ୍ୱିତୀୟ ରାତିରେ ପୁଣି ଥରେ ଆସିପାରେ ବୋଲି ଆଶା ହେଲା ।

 

ବଙ୍ଗଳାକୁ ଫେରି ମିଶ୍ର ବାବୁ ଓ ମୁଁ ଖିଆପିଆ ସାରି ବେଶ୍ ପହରେ ଶୋଇଗଲୁ । ଦିନ ଦୁଇଟା ବେଳକୁ ଉଠି ଗାଧୋଇ ପାଧୋଇ ପୁଣି ଗ୍ରାସେ ଗ୍ରାସେ ଠୁଙ୍କି ଦେଲୁ । ଚାରିଟା ସରିକି ବାହାରି ପଡ଼ିଲୁ ସେ ଗ୍ରାମକୁ ଯିବା ପାଇଁ । ସେଠାକୁ ଯାଇ ଭାଇ ଓ ଦେବେନ୍ଦ୍ରକୁ ଗାଡ଼ି ଉପରେ ବସାଇ ଦେଲୁଁ ଦିନ ଥାଉଁ ଥାଉଁ । ମଢ଼ ଉପରୁ ଡାଳପତ୍ର କାଢ଼ି ନେଲୁ । ଖରା ଥାଏ–ଆମେ ଅନ୍ୟମାନଙ୍କୁ ନେଇ ବଡ଼ପାଟିରେ କଥାବାର୍ତ୍ତା କରି ଗାଁକୁ ପେରିଆସିଲୁ । କଥା ହୋଇଥିଲା ଯେ ଭାଡ଼ିରେ ଭାଇ ଓ ଦେବେନ୍ଦ୍ର ରାତି ନଅଟା କି ଦଶଟା ଯାକେ ବସିବେ । ତା’ପରେ ଆମେ ପେଟ୍ରୋମାକ୍‌ସ ଆଲୁଅ ନେଇ ତାଙ୍କୁ ନେଇ ଆସିବୁ । ବାଘ ଯଦି ଆସେ ବୋଧହୁଏ ଦିନ ଥାଉଁ ଥାଉଁ ବା ସଞ୍ଜ ବେଳକୁ ଚାଲି ଆସିବ । ଯଦି ନଆସେ ତା’ହେଲେ ଆଉ ମୋଟେ ଆସିବାର ସମ୍ଭାବନା ନାହିଁ ।

 

କଥା ମୁତାବକ ଆମେ ଗାଁକୁ ଫେରି ଆସି ଅପେକ୍ଷା କଲୁ । ଗଣ୍ଡାଏ ମୁଢ଼ି ମଗାଇ ଚୋବାଇବାକୁ ଲାଗିଲୁ । କ୍ରମେ ଗାଁଟା ସାରା ଲୋକ ଆସି ଆମ ବସିଥିବା ଜାଗାରେ ରୁଣ୍ଡ ହେବାକୁ ଲାଗିଲେ । ଇୟାଡ଼ୁ ସିଆଡ଼ୁ କଥାବାର୍ତ୍ତା ହେବାକୁ ଲାଗିଲୁ । ପ୍ରଧାନତଃ ଶିକାର କଥା, ଜୀବଜନ୍ତୁଙ୍କ କଥା । ଏ ବାଘଟା କିପରି ଗାଁର ଗୋରୁଗୁଡ଼ାକ ମାରି ଖାଉଛି । ଏଉଟା ଗୋଟାଏ ରାକ୍ଷାସ କି କ’ଣ ବୋଲି ମଧ୍ୟ ମତ ପ୍ରକାଶ ପାଇଲା । ଗାଁର ମୁଖିଆ ଓ ଶିକାରୀମାନଙ୍କୁ ଆମେ ବହେ ବୁଝାଇଲୁ, ଜଙ୍ଗଲ ନଷ୍ଟ ନ କରିବାକୁ । ଜଙ୍ଗଲ ନଷ୍ଟ କଲେ ଅନ୍ୟାନ୍ୟ ଜୀବ ଜନ୍ତୁ ରହିପାରିବେ ନାହିଁ । ତେଣୁ ବାଘ ପ୍ରଭୃତିଙ୍କର ଖାଦ୍ୟର ଅନଟନ ହେବା ଫଳରେ ବାଘ ଭୋକରେ ରହିନପାରି ଗାଁର ଗୋରୁ ଗାଈ ଏପରିକି କୁକୁଡ଼ା ମଧ୍ୟ ମାରି ଖାଇବ । ଅନ୍ୟାୟ ଶିକାର କରି ମିରିଗ ସମ୍ବର ମାରି ପକାଇଲେ ମଧ୍ୟ ଏହିପରି ହେବ । ଜଙ୍ଗଲ ପଦା ହୋଇଯିବ । ଗାଁ ବାଲା ଖାଲି ହୁଁ ହାଁ କଲେ ମାତ୍ର କିଛି ବୁଝିଲା ଭଳି ମନେ ହେଲା ନାହିଁ । ଗାଁ ଶିକାରୀମାନେ ଅନ୍ୟାୟ ଶିକାର (poaching) ବହୁତ କରନ୍ତି । ଫସଲ ରକ୍ଷାକରିବା ନାମରେ ସେମାନେ ବନ୍ଧୁକ ଛାଡ଼ ପାଆନ୍ତି । ମାତ୍ର ପାଣି ଜାଗା (water hole) ଦେଖି ବା ଜନ୍ତୁ ଯିବା ରାସ୍ତା (game path) ରେ ବସି ସେମାନେ ଜନ୍ତୁ ମାରନ୍ତି । ବେଶି ସଂଖ୍ୟାରେ ଘାଉଲା ମଧ୍ୟ କରିଥାନ୍ତି । ଘାଉଲା ଜନ୍ତୁମାନେ ଶେଷରେ ବଳିଆ କୁକୁର ବା ଗଧିଆର ଶିକାର ହୁଅନ୍ତି । ଏମାନଙ୍କର କିଛି ବାଛ ବିଚାର ନ ଥାଏ । ମାଈ ଜନ୍ତୁ ମଧ୍ୟ ମାରିପକାନ୍ତି । କୌଣସି କଟକଣା ମାନନ୍ତି ନାହିଁ । ଆମ ଲୋକମତ ସରକାର ଏସବୁ ପ୍ରତି ନଜର ଦେଇ ପାରିନାହାନ୍ତି କି ଏହାର ପ୍ରତିକାରର ବାଟ ଫିଟାଇପାରିନାହାନ୍ତି । ଫଳରେ ଆମ ଜଙ୍ଗଲରେ ଆଉ ଜନ୍ତୁ ଦେଖିବାକୁ ସୁବିଧା ହୁଏ ନାହିଁ । ଏବେ ଏବେ ଭାରତ ସରକାର ଗୋଟାଏ ଆଗୁଆ ଦଳ (task force) ଗଢ଼ିଲେଣି, ବାଘମାନଙ୍କୁ ଅକାଳ ମୃତ୍ୟୁର ରକ୍ଷାକରିବା ପାଇଁ । ଆମ ଜଙ୍ଗଲମାନଙ୍କରୁ ବାଘ ପ୍ରାୟ ସରି ଆସିଲେଣି । ଯଦି କିଛି କରାନଯାଏ ଆଉ ଦଶବର୍ଷ ପରେ ବାଘଟିଏ ଦେଖିବାକୁ ମଧ୍ୟ ମିଳିବ ନାହିଁ । ଏହିସବୁ କଥା ବୁଝାଉ ବୁଝାଉ ବେଳ ଗଡ଼ିଗଲାଣି । ରାତି ହେଲାଣି ଅନେକ ।

ଢୋ ଢୋ–ଏଁ, ଏ ଯେ ବନ୍ଧୁକର ଆବାଜ–ବାଘ ମଢ଼ କରିଥିବା ଦିଗରୁ ଆସିଲା । ମାତ୍ର ରାଇଫଲ୍‌ର ଗୁଳି ତ ଏ ନୁହେଁ । ମନରେ ସନ୍ଦେହ ହେଲା । ବାଘ ଆଉ ଆସିଗଲା କି । ଅଳ୍ପ ସମୟ ପରେ ଆଉ ଗୋଟାଏ ଗୁଳିର ଶବ୍ଦ । ନା–ଏ ବି ତ ରାଇଫଲ୍ ଗୁଳିର ଶବ୍ଦ ନୁହେଁ ! ତାହାହେଲେ ବାଘ ପରିବର୍ତ୍ତରେ ଆଉ କ’ଣ ମାଡ଼ ହେଲା କି । ନା ପୂର୍ବ କଥାବାର୍ତ୍ତା ଅନୁସାରେ ଏ ହେଉଛି ସଙ୍କେତ–ଆମକୁ ଡାକିବାର । ଆମେ ଦଶ ପନ୍ଦର ଜଣ ଲୋକ ଧରି ଆଲୁଅ ନେଇ ଚାଲିଲୁ ଭାଡ଼ି ଆଡ଼ ଗଛ ତଳକୁ । ସେତେବେଳକୁ ସାଢ଼େ ଆଠଟା ହୋଇଥାଏ । ଗଛ ତଳକୁ ଯାଇ ସେମାନଙ୍କୁ ଓହ୍ଲାଇ ଆଣିଲୁ । ବାଘର ଦେଖା ଦର୍ଶନ ନାହିଁ । ଶାଗୁଣାଗୁଡ଼ାକ ରାତି ହେଲେ ବି ମଢ଼ ଖାଇବାରେ ବ୍ୟସ୍ତ । ତେଣୁ ସଦଳବଳେ ଗାଁକୁ ଆସି କିଛି ସମୟ ରହି ବଙ୍ଗଳାକୁ ଫେରିଲୁ ।

ତହିଁ ପରଦିନ କଟକ ଫେରିଲୁ । ଆଉ ତ ଛୁଟି ନ ଥାଏ । ବାଘ ମରା ନୋହିଲା । ବାଘଟି ମୁଁ ମାରିପାରିଥିଲେ ମନ ଖୁସି ହୋଇଥାନ୍ତା । ମାତ୍ର ଆମର ବୋକାମି ପାଇଁ ଏ ମହାବଳ ବାଘଟି ମରାଯାଇପାରିଲା ନାହିଁ । ପ୍ରଥମରୁ ମୋର କାହିଁକି ମନେ ହେଉଥିଲା ଯେ ବାଘ ମଢ଼ ପାଖକୁ ଆସି ନାହିଁ । ତା’ର କାରଣ ସବୁ ବିଚାର କରାଯାଉ–

ଆମର ପ୍ରଥମ ଭୁଲ ହେଲା ଆମେ ମଞ୍ଚା ବାନ୍ଧିଲୁ ମଢ଼ର ପୂର୍ବ ଦିଗକୁ । ପଶ୍ଚିମ ଦିଗକୁ ପାହାଡ଼ ଓ ଜଙ୍ଗଲ ରହିଲା, ଠିକ୍‌ ଯେଉଁ ଦିଗରୁ ବାଘ ଆସିବ । ଆମ ଦେହରେ ଖରା ପଡ଼ିଥିଲା ଏବଂ ଆମେ ମଞ୍ଚାରେ ବସିଥିଲେ ବି ଗଡ଼ାଣିଆରେ ଥିବା ହେତୁ ଜଙ୍ଗଲ ଦାଢ଼ ଅପେକ୍ଷା ଖୁବ୍ ବେଶି ଉଚ୍ଚରେ ନ ଥିଲୁ । ତେଣୁ ବାଘ ଆସିଲେ ତା’ର ଆଖି ସିଧା ଆମ ଆଡ଼କୁ ନିଶ୍ଚୟ ପଡ଼ିବ ଓ ଆମକୁ ସେ ନିଶ୍ଚୟ ଦେଖିପାରିଥିବ । ମୁଁ ପୁଣି ଚଷମା ପିନ୍ଧିଥିଲି । ଚଷମା ଉପରେ ଖରା ପଡ଼ିଥିଲା । ତା’ର ପ୍ରତିବିମ୍ବ ନିଶ୍ଚୟ ବାଘ ଦେଖିପାରିଥିବ ।

ଦ୍ୱିତୀୟ ଭୁଲ ହେଲା ଆମେ ମଞ୍ଚାଟିକୁ ଭଲ ଭାବରେ ଡାଳପତ୍ର ଦେଇ ଘୋଡ଼ାଇନଥିଲୁ, ତେଣୁ ବାଘ ଆମକୁ ଦେଖିନେବା ମୋଟେ ଅସମ୍ଭବ ନୁହେଁ ।

ତୃତୀୟ ଭୁଲ ହେଲା–ମଢ଼କୁ ପଦାକୁ ଟାଣି ଆଣିବା । ଯେଉଁଠାରେ ବାଘ ମଢ଼କରି ପକାଇଥାଏ ସେଠାରୁ ଟାଣି ନେବା କଥା ନୁହେଁ । ତାହାହେଲେ ବାଘର ସନ୍ଦେହ ହେବ ଓ ସେ ବେଶି ସତର୍କ ହୋଇଯିବ । ଅବଶ୍ୟ ମଢ଼ ପଡ଼ିଥିବା ଜାଗାରୁ ମଢ଼କୁ ଟାଣି ନେଲେ ବି ବାଘ ବେଳେବେଳେ ଆସେ । ମାତ୍ର ଖୁବ୍ ଘଞ୍ଚ ଜଙ୍ଗଲ ମଧ୍ୟରେ ସେପରି କଲେ ସେ ଆସେ–ଏପରି ଖୋଲା ପଡ଼ିଆ ଜାଗାରେ ନୁହେଁ ।

ଚତୁର୍ଥ ଭୁଲ ହେଲା ମଞ୍ଚାରେ ବସି ବାଘ ଆସିବା ବେଳକୁ ସିଗାରେଟ ଇତ୍ୟାଦି ଖାଇବା-। ବିଶେଷତଃ ଯେତେବେଳେ ପବନ ଆମ ଆଡ଼ୁ ମଢ଼ ଆଡ଼କୁ ବହୁଥିଲା । ବାଘ ଆମ ସିଗାରେଟର ଗନ୍ଧ ନିଶ୍ଚୟ ପାଇଥିବ ।

ବାଘ ଶିକାର କରିବାକୁ ହେଲେ ଅନେକ କଥା ଭାବିଚିନ୍ତି କରାଯାଇଥାଏ । ଟିକିଏ ଏପାଖ ସେପାଖ ହେଲେ ବାଘ ଚତୁର ହୋଇଯାଏ–ସନ୍ଦେହ କରେ । ଭୋକରେ ରହେ ପଛକେ ମଢ଼ ପାଖକୁ ଆଉ ଆସେ ନାହିଁ । ସେଥିପାଇଁ କୁହାଯାଏ ବାଘ ମାରିବାକୁ ବସିଲେ ଏକୁଟିଆ ବସିବ ଓ ଖୁବ୍ ଚୁପ ଚାପ ହୋଇ ବସି ରହିବ । କଥାବାର୍ତ୍ତା ବା ହଲଚଲ ହେଲେ ବାଘର ଦୃଷ୍ଟି ପଡ଼ିଯିବାର ଆଶଙ୍କା ଥାଏ ।

ସେ ଯାହା ହେଉ ଉପରୋକ୍ତ ଭୁଲଗୁଡ଼ିକ ପାଇଁ ମୁଁ ସେଦିନ ମହାବଳ ବାଘକୁ ମାରିପାରିଲି ନାହିଁ । ଏ ସବୁ ବନ୍ଦୋବସ୍ତରେ ମୋର କିଛି କହିବାର ନ ଥିଲା । ମୁଁ ଭାବିଥିଲି ଗୋଟାଏ ପଣସ ଗଛରେ ଭାଡ଼ି କରି, ମଢ଼କୁ ନ ଘୁଞ୍ଚାଇ ବସିଯିବା ପାଇଁ ସେପରି କରିଥିଲେ ହୁଏତ ବାଘଟି ମରାଯାଇପାରିଥାନ୍ତା । କାହିଁକି ନା ଯେଉଁ ପଣସ ଗଛରେ ଭାଡ଼ି ବାନ୍ଧିବାକୁ ଭାବିଥିଲି ସେଠାରୁ ମଢ଼ଟି ମୋଟେ ଚାଳିଶ ପଚାଶ ଗଜ ଦୂର ଓ ମଢ଼ ଯେଉଁ ଜାଗାରେ ଥିଲା ଠିକ୍ ସେଇ ଜାଗାରେ ଥାଆନ୍ତା । ବାଘର ସନ୍ଦେହ ହୋଇନଥାନ୍ତା । ଆମକୁ ସେ କଦାପି ଠାବ କରିପାରିନଥାନ୍ତା । ମାତ୍ର ମୋ କଥା ରହିଲା ନାହିଁ । ଅନ୍ୟମାନେ କହିଲେ ପଣସ ଗଛ ଅତି ନରମା ଗଛ; ବେଶୀ ଉଚ୍ଚ ନୁହେଁ । ସେଥିରେ ବିପଦ ହୋଇପାରେ; ବାଘ ଘାଉଲା ହେଲେ ଭୟଙ୍କର ହୋଇଯାଏ ଇତ୍ୟାଦି ଇତ୍ୟାଦି । ମାତ୍ର ମୋର ବିଶ୍ୱାସ ଥିଲା ୪୭୦ ରାଇଫଲର ଗୁଳିରେ ବାଘଟି ନିଶ୍ଜୟ ଏକ ଗୁଳିରେ ମାରିଦେଇ ପାରିଥାଆନ୍ତା । ବିଶେଷତଃ ବାଘ ଯେପରି ଦିନ ଥାଉଁ ଥାଉଁ ଆସିଥିଲା କିଛି ଅସୁବିଧା ହୋଇନଥାନ୍ତା ଲାଖ କରିବାକୁ ।

ବାଘ ମାରିବା ଖୁବ୍ ସହଜ କଥା ନୁହେଁ । ଭାରି ଚାଲାକ ଜନ୍ତୁ । ବହୁତ ଭାବିଚିନ୍ତି ତାକୁ ଠକାଇ ପାରିଲେ ଯାଇ ସେ ମରେ । ବାଘ ନ ମାରିଲେ କ’ଣ ହେଲା ଅନେକ ଶିକ୍ଷା ବାଘ ମରା ବିଷୟରେ ହୋଇଗଲା । ଜଙ୍ଗଲରେ ରାତିସାରା ରହିଲେ କିପରି ଲାଗେ ତାହା ମଧ୍ୟ ମୁଁ ଅନୁଭବ କଲି ଅନ୍ତରେ ଅନ୍ତରେ । ଯେଉଁମାନେ ଏକୁଟିଆ ବସି ଚିନ୍ତା କରିବାକୁ ଭଲ ପାଆନ୍ତି ତାଙ୍କ ପାଇଁ ଏପରି ଗୋଟାଏ ଅନୁଭୂତି କୋଟିକେ ଗୋଟାଏ ମିଳେ ।

Image

 

ବରବରା ଜଙ୍ଗଲର ଭୂତ

 

ବେଶୀ ଦିନ ତଳର କଥା ନୁହେଁ । ସନ ୧୯୬୬ କି ୧୯୬୭ ମସିହାର କଥା । ଥରକର ଆମେ ତିନି ଭାଇ, ପୂର୍ଣ୍ଣ ଓ ମିଶ୍ରବାବୁ କଟକରୁ ଗଲୁ ବରବରା ଜଙ୍ଗଲକୁ ପାରିଧିରେ । ସେତେବେଳେ ଖୋର୍ଦ୍ଧାର ଡି.ଏଫ.ଓ . ଥାଆନ୍ତି ମୋର ଅନ୍ୟ ଜଣେ ବଡ଼ ଭାଇ । ସେ ମଧ୍ୟ ଆମ ସାଙ୍ଗରେ ଗଲେ । ବରବରା ବଙ୍ଗଳାରେ ରହି ଶିକାର କରିବାର କଥା । ସେଥିପାଇଁ ବରବରା ଜଙ୍ଗଲ ଆମ ପାଇଁ ଛାଡ଼ ହେଲା । ପରମିଟ ମିଳିଲା । ଫରେଷ୍ଟ ସାହେବ ସାଙ୍ଗରେ ଥିବାରୁ ଆମେ ମହା ଆନନ୍ଦରେ ଜଙ୍ଗଲରେ ବୁଲିଲୁ । ବଙ୍ଗଳାରେ ଖିଆପିଆର ଧୁମ୍ ଧାମ ମଧ୍ୟ ଲାଗିଥାଏ । ରାତିରେ ଆମେ ପାହାଡ଼କୁ ପାହାଡ଼ ବୁଲି ସ୍ପଟ ଆଲୁଅ ପକାଇ ଜନ୍ତୁ ଦେଖୁ; ଆଉ ଦିନବେଳେ ଚାଲି ଚାଲି ଶିକାର କରୁ । ଏହିପରି ଭାବରେ ଆମର ତିନିଦିନ ସେଠାରେ ରହିବାର ଥାଏ ।

 

ପ୍ରଥମ ଦିନ ରାତିରେ ଆମେ ସଭିଏଁ ଗୋଟାଏଁ ଜିପରେ ବୋଝାଇ ହୋଇ ସାଗୁଆନ ବଣକୁ କଲୁଁ । ଯେଉଁଠି ଆମ ଆଲୁଅ ପଡ଼ୁଥାଏ ସେଇଠି ଗୟଳଟାଏ । ଅସୁମାରି ଗୟଳ । ଏତେ ଗୟଳ ଅନ୍ୟ କେଉଁଠି ହେଲେ ଦେଖାଯାଆନ୍ତି ନାହିଁ । ଛୋଟ ବଡ଼ ହୋଇ କେତେ ଗୟଳ ତା’ର କଳନା କିଏ କରିବ ! କେବଳ ବଡ଼ରମା ଅଭୟାରଣ୍ୟ ଛଡ଼ା ଏତେ ଗୟଳ ଓଡ଼ିଶାରେ ପ୍ରାୟ ଅନ୍ୟ କେଉଁଠି ଦେଖାଯାଆନ୍ତି ନାହିଁ ବୋଲି ଭାଇ କହିଲେ ।

 

ଏଇ ବରବରା ପାହାଡ଼–ପୂର୍ବ ପର୍ବତପୁଞ୍ଜର ଅଂଶ । ଏହା ନୟାଗଡ଼ ଯାଏ ମେଲି ଯାଇଛି । ଖୁବ ବଡ଼ ଆୟତନ । ଚାରିଆଡ଼େ ପାହାଡ଼ ଓ ମଝିଟା ଗୋଟାଏ ସମତଳ ଭୂଇଁ । ହଜାର ହଜାର ଏକରର ଜଙ୍ଗଲ । ସେଥିରେ ସାଗୁଆନ, ଶାଳ, ପିଆାଶାଳ ଓ ବାଉଁଶ ଗଛ ଭର୍ତ୍ତି । ନାନା ଜାତିର ଅନାବନା ଗଛ ମଧ୍ୟ ଅନେକ । ଖୁବ ବଡ଼ ବଡ଼ ଗଛ । ଠାଏ ଠାଏ ମଧ୍ୟ ଗଛ ଏବେ ବି ଲଗାଯାଉଛି । ଜାଗାଟି ବେଶ ମନୋରମ ହୋଇଥାଏ ।

 

ଯାହା ହେଉ ତହିଁ ପରଦିନ ରାତିରେ ଆମେ ଆମ ଜିପରେ ପାହାଡ଼ ଚଢ଼ୁ ଚଢ଼ୁ ତିନୋଟି ବାଘ ଦେଖିବାକୁ ପାଇଲୁ । ସେଥିରୁ ବୋଧହୁଏ ଗୋଟାଏ ମାଇ ବାଘ ଓ ଅନ୍ୟ ଦୁଇଟି ତା’ର ଛୁଆ-। ବାଘ ପ୍ରାୟ ତିନିବର୍ଷ ଯାଏ ଛୁଆଙ୍କୁ ପାଖରେ ପାଖରେ ରଖେ ଏବଂ ଶିକାର ଶିଖାଏ । ତା’ପରେ ସେମାନେ ବଡ଼ ହୋଇଗଲେ ତାଙ୍କୁ ବିଦା କରିଦିଏ । ସେମାନେ ଅନ୍ୟ ବଣକୁ ଚାଲିଯାଆନ୍ତି-। ବାଘମାନଙ୍କ ମଧ୍ୟରେ କିଏ କେଉଁ ବଣର ମାଲିକ ଓ କିଏ କେଉଁ ଜାଗାରେ ଶିକାର କରି ଖାଇପାରିବ ସେ ସବୁର ମାଲିକାନା ସତ୍ୱ ଠିକ ହୋଇଯାଏ । ଗୋଟାଏ ବଣର ବାଘ ଅନ୍ୟ ବଣକୁ ଆସିଗଲେ ସେ ବଣର ବାଘ ତାକୁ ଭୀଷଣ ଚିଡ଼େ ଓ ତାକୁ କାମୁଡ଼ା କାମୁଡ଼ି କାରି ଖେଦି ଦିଏ ତା’ ନିଜ ଜାଗାକୁ । ସେ ଦିନ ଏ ତିନି ବାଘଙ୍କୁ ଦେଖିସାରି ଆମେ ବଙ୍ଗଳାରେ ବସି ବ୍ରିଜ ଖେଳ ଖେଳୁଁ-

 

ଦିନେ ଉପରବେଳା ଅନ୍ୟମାନେ ବିଶ୍ରାମ ନେଉଥାନ୍ତି । ପୁର୍ଣ୍ଣ ଓ ମୁଁ ଦିନ ଚାରିଟାବେଳେ ଦୁଇଟା ବନ୍ଧୁକ ଧରି ବାହାରିପଡ଼ିଲୁ ବଙ୍ଗଳା ପଛ ଜଙ୍ଗଲକୁ କିଛି ଶିକାର ଉଦ୍ଦେଶ୍ୟରେ । ଚାଲି ଚାଲି ବେଶ ଖଣ୍ଡେ ଦୂର ଗଲୁ । ନିଶ୍ଚଳ ରାସ୍ତା । ଗାଡ଼ି ଗୁଳାରେ ଗୁଳାରେ ଚାଲି ଚାଲି ପାହାଡ଼ ତଳ ପର୍ଯ୍ୟନ୍ତ ଗଲୁ । ବେଳ ରତ ରତ ହୋଇ ଆସିଲା । ଖରାଦିନ ତ । ଶୁଖିଲା ପତ୍ର ପଡ଼ିଛି ଜଙ୍ଗଲ ଭିତରେ । ମାତ୍ର ଗାଡ଼ି ଗୁଳାରେ ଆମେ ଯାଇଥିବାରୁ କିଛି ଶବ୍ଦ ହେଉନଥାଏ । ଆମେ ବେଶ ଛପି ଛପି ଯାଉଥାଉଁ । ଏତିକି ବେଳେ ପାହାଡ଼ରୁ ଗୋଟାଏ ଜନ୍ତୁ କି କ’ଣ ଓହ୍ଲାଇବାର ଶବ୍ଦ ହେଲା । ଶୁଖିଲା ପତ୍ର ଉପରେ ଗାଈଟିଏ ଚାଲି ଚାଲି ଆସିଲେ ଯେପରି ସଡ଼ ସାଡ଼ ଶବ୍ଦ ହୁଏ ଠିକ୍ ସେହିପରି ଶବ୍ଦ । ଠିକ ଆମରି ଆଡ଼କୁ ଆସିବାର ଶବ୍ଦ । ପୂର୍ଣ୍ଣକୁ କହିଲି ମୋ ପଛରେ ଛପି କରି ବସିଯିବା ପାଇଁ । ମୁଁ ଗୋଟାଏ ବଡ଼ ଉଇ ହୁଙ୍କା ପଛରେ ବସିଗଲି । ଯଦି ଜନ୍ତୁ ଗଡ଼ିବ ଠିକ ମୋ ଆଗଦେଇ ଆସିବ ଓ ପ୍ରାୟ ତିରିଶ ଗଜ ଦୂରରେ ବୋଧହୁଏ ଯିବ । ମୁଁ ରାଇଫୁଲର ନଳି ଆଗକୁ ରଖି ବସି ରହିଲି । ସଡ଼ରସଡ଼ର, ତା’ପରେ ପୁଣି ଧୀର । କିଛି ସମୟ ପରେ ପୁଣି ସଡ଼ ସାଡ଼ । ଏପରି ଭାବରେ କିଛି ସମୟ ବିତିଗଲା । ସେତେବେଳେକୁ ସୂର୍ଯ୍ୟ ପାହାଡ଼ ଆର କଡ଼କୁ ଗଡ଼ିଗଲେଣି । ଜଙ୍ଗଲ ଭିତରଟା ଅନ୍ଧାରିଆ ହୋଇଆସିଲା । ସଡ଼ ସାଡ଼ ଶବ୍ଦ ହେଉଛି ପ୍ରାୟ ଦୁଇ ଶହ ଗଜ ଦୂରରେ । ଆମରି ଆଡ଼କୁ ଆସିବାର ଶବ୍ଦ । ପୁଣି ସବୁ ଶୁନଶାନ୍ । କେଇ ସେକେଣ୍ଡ ପରେ ପୁଣି ଶବ୍ଦ ହେଲା । ଜନ୍ତୁଟି ତା’ ହେଲେ ଆମରି ଆଡ଼କୁ ଆଗେଇ ଆସିଛି ଏଥର । ଶହେ ଗଜ ଦୂରରେ କ’ଣ ଗୋଟାଏ ଝାପସା ହୋଇ ମଧ୍ୟ ଦିଶିଗଲା । ମୁଁ ବିଚାରିଲି ସମ୍ୱରଟାଏ ବୋଧହୁଏ । ତା’ର ଶିଙ୍ଗ ଠଉର କରିବାକୁ ନିରେଖି ଅନାଇଲି–କିଛି କିନ୍ତୁ ଦିଶିଲା ନାହିଁ । ଆହୁରି ଆଗେଇ ଆସିଲା । ସେତେବେଳକୁ ମୋର ଛାତି ଧଡ଼ ଧାଡ଼ ହେଲାଣି । କାଳେ ଯଦି ହିଂସ୍ର ଜନ୍ତୁ ହୋଇଥିବ । ପୂର୍ଣ୍ଣ ଅଛି ପାଖରେ । କ’ଣ କରେ ! ଯଦି ବାଘ ହୋଇଥାଏ ! ମାତ୍ର ବାଘ ହୋଇଥିଲେ ସେ ତ ସଡ଼ ସାଡ଼ ଶବ୍ଦ କରି ଆସିବ ନାହିଁ । ତାହା ହେଲେ କ’ଣ ଭାଲୁ ! ପୂରାପୂରି ଅନ୍ଧାର ହୋଇନାହିଁ । ସେତିକିବେଳକୁ କଳା ମିଚିମିଚିଆ ହୋଇ କଣଟାଏ ପ୍ରାୟ ତିରିଶ ଗଜ ପାଖ ହୋଇଗଲା । ମୁଁ ମୋର .୩୫୫ ମାଉଜାର ରାଇଫଲଟି ତା’ ଆଡ଼କୁ ଲକ୍ଷ୍ୟ ରଖି ଘୋଡ଼ା ଟିପିଲି । ହଠାତ୍ ସବୁ ଶୂନଶାନ । ଯେପରିକି ଜନ୍ତୁ ଫନ୍ତୁ ସେଠାରେ କେହି ନାହାନ୍ତି । ଜନ୍ତୁ ଯଦି ହୋଇଥାନ୍ତା ଗୁଳି ଶବ୍ଦରେ ସେ ତ କୌଣସି ଆଡ଼େ ଦୌଡ଼ି ଯାଇଥାଆନ୍ତା ବା ତା’ ଦେହରେ ବାଜିଥିଲେ ପଡ଼ିଯାଇଥାଆନ୍ତା । କିଛି କୁଆଡ଼େ ନାହିଁ । ମେଜିକ କଲାବାଲା ଯେପରି ବାଣଟେ ଫୁଟାଇଦେଇ ସବୁ ନିଶୁନ କରି ପକାଏ ଠିକ ସେହିପରି ହେଲା । କିଛି ବୁଝି ପାରିଲି ନାହିଁ । ଦଉଡ଼ିଗଲି ଜନ୍ତୁ ଥିବା ଜାଗାକୁ । ସେଠାରେ ଜନ୍ତୁର କିଛି ଚିହ୍ନି ପାଇଲି ନାହିଁ । ତେବେ କ’ଣ ମୋର ମତିଭ୍ରମ ହେଲା ? ଅନେକ ଖୋଜା ଖୋଜି କଲୁ । ଜନ୍ତୁ ନା ଫନ୍ତୁ–କିଛିର ଆଭାସ ମିଳିଲା ନାହିଁ । ଏ ପର୍ଯ୍ୟନ୍ତ ବି ମୁଁ କିଛି ବୁଝିପାରେନା–କ’ଣ ସେ ଦିନ ହେଲା ବୋଲି । ଜନ୍ତୁର ପାଦ ଚିହ୍ନ ତ ଥାଆନ୍ତା । ଶୁଖିଲା ପତ୍ର ଉପରେ ଆସୁଥିବାରୁ ବୋଧହୁଏ ତା’ର କିଛି ସତ୍ତା ପାଇଲୁ ନାହିଁ କି କ’ଣ । ମନର ଏତେ ଉଦବିଗ୍ନତା ଓ ତା’ପରେ ବନ୍ଧୁକ ଫୁଟିବାର ଶବ୍ଦ–ଏଇ ପରିବେଶରେ ବୋଧହୁଏ ଜନ୍ତୁଟା କୁଆଡ଼େ ଉଭେଇଗଲା ! ଦେଖି ହେଲା ନାହିଁ କି କିଛି ବୁଝି ହେଲା ନାହିଁ । ଜନ୍ତୁ ଦେହରେ ଗୁଳି ବାଜି ନାହିଁ ନିଶ୍ଚୟ ।

 

ମନର ବିକାର ବା ‘‘ହେଲୁସିନେସନ’’ (Hallucination) କ’ଣ ଏହିପରି ହୁଏ । ତାହାହେଲେ କ’ଣ ସେଉଟା ଗୋଟାଏ ଜଙ୍ଗଲର ଭୂତ ଥିଲା !

Image

 

Unknown

ବାର୍‌ହା ଶିକାର ନ ହେଲା

 

କଟକରୁ ବେଶି ଦୂରବାଟ ନୁହେଁ । ଚୌଦ୍ୱାର ସେପଟେ ନୂଆପାଟଣା ଗାଁ । ସେଠାରୁ ମହାନଦୀ କୂଳେ କୂଳେ ଗଲେ ଗୋଟାଏ ଛୋଟ ଗାଁ । ସେଇ ଗାଁରୁ ଚାଲି ଚାଲି ବିଲ ମଧ୍ୟରେ ଉତ୍ତରକୁ ଅଧମାଇଲିଏ ଗଲେ ମାଳ ମାଳ ପାହାଡ଼ । ପାହାଡ଼ରେ ତ ବଡ଼ ଗଛ ଆଉ ନାହିଁ । ସବୁ ଗାଁ ବାଲାମାନେ କାଟି ସାରିଛନ୍ତି । ଓଡ଼ିଶାର ପ୍ରାୟ ସବୁ ପାହାଡ଼ ଏପରି ଲଣ୍ଡା ହୋଇଗଲାଣି ଯେ ଆଉ କିଛିଦିନ ପରେ ପଥର ଦିଶିଯିବ । ଅନ୍ୟ ପକ୍ଷରେ ମୃତ୍ତିକା ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ମାତ୍ର ଗାଁ ମାଇପଙ୍କ ଦାଉରୁ ପାହାଡ଼ଗୁଡ଼ାକ ରକ୍ଷା କରାଯାଇ ପାରୁନାହିଁ । ଏହାଦ୍ୱାରା ସରକାର ପ୍ରାୟ ତିନି କୋଟି ଟଙ୍କା କ୍ଷତି ସହୁଛନ୍ତି (କେବଳ କାଠ ଚୋରୀ ପାଇଁ ) । ପରନ୍ତୁ ମୃତ୍ତିକା କ୍ଷୟ ମଧ୍ୟ ବେଶି ବେଶି ହେଉଛି । Prevention is better than cure ଏହାର ଆଉ କିଛି ମୂଲ୍ୟ ଥିଲା ଭଳି ଜଣାପଡ଼ୁନାହିଁ । ପଥର ଦିଶିଗଲେ ଓ ମାଟିସବୁ ପାହାଡ଼ ଉପରୁ ଧୋଇ ହୋଇଗଲେ ଆଉ କେବେ ହେଲେ ସେଥିରେ ଗଛ ହେବ ନାହିଁ । ଫଳରେ ପାହାଡ଼ିଆ ଜାଗାର ଜଳବାୟୁ ଏପରି ପରିବର୍ତ୍ତନ ହୋଇଯିବ ଯେ ତଳ ଜାଗାମାନଙ୍କରେ ଚାଷବାସ ମଧ୍ୟ ହେବ ନାହିଁ । ଆମ ସରକାର କ’ଣ ବୁଝିବେ ନାହିଁ !

 

ସେ ଯାହାହେଉ ଏହିସବୁ ପାହାଡ଼ଗୁଡ଼ିକ କଣ୍ଟାଗଛରେ ପରିପୂର୍ଣ୍ଣ । ସେଇ କଣ୍ଟା ବୁଦା ମଧ୍ୟରେ ପଲ ପଲ ବାର୍‍ହା ରହନ୍ତି । ସନ୍ଧ୍ୟା ହେଲେ ତଳ ବିଲମାନଙ୍କୁ ଗଡ଼ି ଧାନ ଖାଆନ୍ତି ଓ ପାଣି ଜାଗାମାନଙ୍କରେ ଖେଳି ବୁଲନ୍ତି । ଶହ ଶହ ବାରହା । ବାରହା ମାରିବାକୁ ଗାଁ ଲୋକେ ପାହାଡ଼ ତଳେ ଗାତ ଖୋଳି ଥାଆନ୍ତି । ସେସବୁ ଗାତରେ ବସିଲେ କେବଳ ଶିକାରୀର ମୁଣ୍ଡଟି ଉପରକୁ ଦିଶିବ । ଜହ୍ନ ରାତିରେ ସେ ଗାତରେ ଧୀରହୋଇ ବସିଲେ ବାରହା ପାହାଡ଼ ତଳକୁ ଗଡ଼ି ବିଲକୁ ଯିବା ବାଟରେ ବନ୍ଧୁକରେ ମାରି ହେବ । ମାତ୍ର ବାରହାଙ୍କର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ବା ରାସ୍ତା ନ ଥାଏ । ଯେ କୌଣସି ଜାଗାରୁ ସେମାନେ ଓହ୍ଲାଇ ପଡ଼ି ପାଣି ଜାଗାକୁ ଦୌଡ଼ିନ୍ତି । ଶିକାରୀ ବସିଥିବା ପାଖଦେଇ ଗଲେ ମାରି ହୁଏ, ନଚେତ୍‌ ନାହିଁ ।

 

୧୯୬୬ ମସିହା କଥା । ଦିନେ ମୋର ବଡ଼ଭାଇ,ସାନଭାଇ ଓ ମୁଁ ମୋର ଜଣେ ବନ୍ଧୁଙ୍କର ଜିପ ଗାଡ଼ିରେ ସେ ଗାଁକୁ ଗଲୁ । ସେଠାରେ ଜିପ ରଖିଦେଇ ଚାଲି କରି ଗଲୁ ପାହାଡ଼ ତଳକୁ । ଗାଁରୁ କଳା କୁକୁଡ଼ାଟାଏ କିଣା ହେଲା । ଗାଁର ମୁଖିଆମାନେ ଓ ଶିକାରୀମାନେ କହିଲେ ଦେହୁରି କୁକୁଡ଼ା ନ ମାଇଲେ ବାରହା ମାଡ଼ ହେବ ନାହିଁ । ଗ୍ରାମ ଦେବତା ପାହାଡ଼ର ଠିକ ତଳକୁ ଥାପନା ହୋଇଛନ୍ତି । ତେଣୁ କୁକୁଡ଼ାଟିକୁ ନେଇ ଗାଁ ଦେହୁରି ତା’ ବେକଟାକୁ ଖଚ୍‍ କରି କାଟି ପକାଇଲା ଓ ରକ୍ତଗୁଡ଼ାକ ଦେବୀଙ୍କ ମୁଣ୍ଡ ଉପରେ ଉଜାଡ଼ି ଦେଲା । କଣ ଗୁଡ଼ାଏ ବିଡ଼ି ବିଡ଼ି ହୋଇ କହିଗଲା, ସେ କେବଳ ବୁଝିଲା । କାଲ ଠାର କାଲ ମା’ ଜାଣେ । ଗାଁ ଲୋକ ସବୁ ବୁଝିଗଲା ଭଳି ମୁଣ୍ଡ ହଲାଉଥାନ୍ତି । ଆମେ ବା କିପରି ବୁଝନ୍ତୁ ! ଯାହା ହେଉ ପୂଜା ସରିଲା । ମୁଁ କିନ୍ତୁ ସେ କୁକୁଡ଼ାଟିକୁ ଠାକୁରାଣୀଙ୍କ ଭୋଗ ବୋଲି ରଖି ନେଲି ।

 

ସେତେବେଳକୁ ବେଳ ରତ ରତ ହୋଇଆସିଲାଣି । ଆମେ ସବୁ ତଳେ ଗାତ ଖୋଳାଯାଇଥିବା ତିନୋଟି ଜାଗା ବାଛି ବନ୍ଧୁକ ଧରି ବସିଗଲୁ । ଜହ୍ନ ରାତି । ଘଡ଼ିକ ପରେ ଜହ୍ନ ବାହାରିବ । ଚୁପ୍ ଚାପ ବସି ରହିଲୁ ଓ ଉପରର ମୁକ୍ତ ଆକାଶର ନୀଳ ରଙ୍ଗ ଦେଖିବାକୁ ଲାଗିଲୁ । ଜହ୍ନ ଆଲୁଅରେ ତାରାଗୁଡ଼ାକ ଗଣି ହେଉଥାଏ । ସେଇ କେତୋଟି ତାରା ମିଟିମିଟି କରି ଆମକୁ ଯେପରି ଆଶ୍ୱାସନା ଦେଉଥାନ୍ତି । ଗାଁର ତେଲିଙ୍ଗି ବାଜାର ଶବ୍ଦ ଧୀରେ ଧୀରେ ଭାସି ଆସୁଥାଏ । ବିଲମାନଙ୍କରୁ ଧାନକଟା ପ୍ରାୟ ସରିଯାଇଥାଏ–ମାତ୍ର ତଳ ଜାଗାରେ ପାଣି ଆଣ୍ଠୁଏ ଆଣ୍ଠୁଏ ଥାଏ । ସେଇ ପାଣି ଜାଗାକୁ ବାରହା ପଲ ଗଡ଼ିବାର କଥା । ମୋ ସାଙ୍ଗରେ ଗାଁର ଜଣେ ଶିକାରୀ ବସିଥାଏ ମୋର ଠିକ ପଛକୁ । ଗୋଟାଏ ଗାଡ଼ରେ ଦୁଇ ଜଣ ବସିବାକୁ ଅସୁବିଧା ହେଉଥାଏ । ମାତ୍ର ଅଗତ୍ୟା ବସ୍ତାଟିଏ ତଳେ ପାରି ଦେଇ ଆମେ କୌଣସିମତେ ବସି ରହିଲୁ । ଜହ୍ନ ବାହାରି ଆସିଲାଣି । ରାତି ପ୍ରାୟ ଆଠଟା ହେବ । ଚାରିଆଡ଼ ଶୂନ୍‍ଶାନ । ଲୋକବାକ କେଉଁକାଳରୁ ଯିବା ଆସିବା ବନ୍ଦ କରିଦେଲେଣି । ବାରହା ପାହାଡ଼ରୁ ଗଡ଼ିବାର ଶବ୍ଦ ଶୁଣିଲୁ । ପଥର ଖଡ଼ ଖାଡ଼୍ ହୋଇ ତଳକୁ ଗଡ଼ିଲା ଓ ବୁଦାମାନଙ୍କରେ ବାରହା ବାଡ଼େଇ ହେବାର ଭୁଷ୍‍ଭାଷ ଶବ୍ଦ ମଧ୍ୟ ଶୁଣାଗଲା । ପଲ ପଲ ବାରହା । ଯେଉଁଆଡ଼େ ଯାଆନ୍ତି ସେଆଡ଼େ ଏପରି ଶବ୍ଦ କରି ଯାଆନ୍ତି । ଗୋଟାଏ ଗୋଟାଏ ବାରହା ଗଡ଼ିଲେ । ମାତ୍ର ଆମ ପାଖ ଦେଇ ଯାଉନଥାନ୍ତି । ବହୁ ଦୂରରେ-ବାର ବୋର୍‍ର * ‘‘ରେନ୍‌ଜ’’ ବାହାରେ । ମନ ମରି ଆସୁଥାଏ । ତଥାପି ଆଶା ଥାଏ କାଳେ ଅବା କେଉଁ ଗୋଟାଏ ବାରହା ପା୍ଖ ଦେଇ ଚାଲିଯିବ ଓ ଗୁଳି ଚଳାଇବାକୁ ସୁଯୋଗ ଦେବ । ଏପରି ଭାବୁ ଭାବୁ ଗୋଟାଏ ବାରହା ସତକୁ ସତ ମୋ ଆଡ଼କୁ ଆସିଲେ । ମୁଁ ବନ୍ଧକୁଟିକୁ ତା’ ଆଡ଼କୁ ବୁଲାଇ ଆଣୁ ଆଣୁ ମୋର ଖୁବ ପାଖ ଦେଇ ଖୁବ ଜୋରରେ ଦୌଡ଼ି ପଳାଇଗଲା । ଏତେ ଜୋରରେ ଦୌଡ଼ି ପଳାଇଗଲା ଯେ ବନ୍ଧୁକର ଲାଖ ଠିକ ରଖି ହୋଇ ନଥାଆନ୍ତା ଏବଂ ମାରିଥିଲେ ବି କ’ଣ ଫଳ ହୋଇଥାଆନ୍ତା କହିହେବ ନାହିଁ । ଅନ୍ୟମାନଙ୍କ ପାଖକୁ ଆଉ କେହି ଗଡ଼ିଲେ ନାହିଁ । ଜହ୍ନ ରାତିରେ ତାଙ୍କୁ ସବୁ ଗୋଡ଼ାଇ ମାରିବା ସମ୍ଭବପର ନୁହେଁ । ପାଣିରେ ସେମାନେ ପଶି ଦୂରକୁ ଚାଲିଯିବେ । ତେଣୁ ଆଉ କିଛି ସମୟ ଅପେକ୍ଷା କରି ଆମେ ଗ୍ରାମକୁ ଫେରିଲୁ । ବାଟରେ ଆସୁ ଆସୁ ଗାଁ ବାଲାଙ୍କୁ ପଚାରିବାରେ ଜଣାଗଲା ଗାଁର ଶିକାରୀ ବାରହାଙ୍କୁ ପ୍ରାୟ ଗୁଳି ଚଳାଇଥାଆନ୍ତି ଏବଂ ଘାଉଲା ମଧ୍ୟ କରିଥାଆନ୍ତି । ସେଥିପାଇଁ ସେମାନେ ପାହାଡ଼ରୁ ଗଡ଼ି ଅତି ଜୋରରେ ଦୌଡ଼ିଗଲେ ।

 

* ରେନ୍‍ଜ (Range) ମାନେ ବନ୍ଧକୁର ଗୁଳି ଯେତେ ବାଟ ଯାକେ କାମ କରେ । ତାହାକୁ ସେ ବନ୍ଧୁକର ରେନ୍‍ଜ ବୋଲି କୁହାଯାଏ ।

 

ବାର୍‌ହା ମାରିବା ପାଇଁ କୌଣସି ସମୟ ନିର୍ଘଣ୍ଟ ନ ଥାଏ । ଏହା ଗୋଟାଏ ଅତି ନୀଚ ଜୀବ (vermin) ବୋଲି କୁହାଯାଏ । ଏମାନେ ଫସଲ ଖୁବ ନଷ୍ଟ କରନ୍ତି । ତେଣୁ ବାରହା ମାରିବାରେ କୌଣସି ଆଇନ ବା କଟକଣା ନ ଥାଏ । ସେଥିପାଇଁ ଆମେ ଏହାକୁ ରାତିରେ ବସି ଆଲୁଅ ପକାଇ ମାରିବାକୁ ଠିକ କରିଥିଲୁ । ଏହା ମୋଟେ ବେଆଇନ ଶିକାର ନୁହେଁ । ସେ ଯାହା ହେଉ ବାରହା ମାଡ଼ ହେଲା ନାହିଁ । କଥାରେ କହନ୍ତି ଶିକାର ବେକାର । ଆଜି ସତକୁ ସତ ବେକାରଟାରେ ଆସି ଫେରିଲୁଁ ।

 

ମନ କଷ୍ଟ ମନରେ ମାରି ଆମେ ଗାଁରେ ପହଞ୍ଚିଲୁ । ଅଧିକାଂଶ ଗାଁବାଲାମାନେ ନିଦରେ ଶୋଇଲେଣି । କାଁ ଭାଁ ଦୁଇ ଚାରିଜଣ ଆମକୁ ଦେଖି ବାହାରି ଆସିଲେ । ଆମଠାରୁ ସବୁ ଶୁଣି ଶୁଣି ଥରେ ଆସିବାକୁ ଅନୁରୋଧ କଲେ । ବାରହା ପାଇଁ ଦିନବେଳେ ହାକା କରିବେ ବୋଲି ମଧ୍ୟ ଆମକୁ ପ୍ରତିଶ୍ରୁତି ଦେଲେ । ସମୟ ହେଲେ ଆଉ ଥରେ ଆସିବୁ କହି ଆମେ ଜିପରେ ବସିଲୁ । ଜିପ ଚୌଦୁଆର ପାଖ ହେଉ ନ ହେଉଣୁ ଜିପର ଡାଇନାମୋ ଖରାପ ହେଲା । ବେଟାରି ଆଉ ଚାର୍ଜ ନେଉନାହିଁ । ଯାହା ହେଉ କୌଣସି ମତେ କଟକରେ ଆସି ପହଞ୍ଚିଗଲୁ । ଦେହୁରି ବୋଧହୁଏ ପୂଜା ଭଲଭାବରେ କରିନଥିଲା । ତେଣୁ ବାରହା ତ ମଲା ନାହିଁ, ବାଟରେ ଜିପ ମଧ୍ୟ ଖରାପ ହେଲା । ଏପରି ଦେଖାଯାଇଛି ହାତରେ ହତିଆର ନ ଥାଇ ଜଙ୍ଗଲକୁ ଗଲେ ଅନେକ ଜନ୍ତୁ ଦେଖାଯାଆନ୍ତି, ମାତ୍ର ଯେଉଁ ଥର ସବୁ ସରଞ୍ଜାମ ନେଇ ବଣକୁ ଯାଇ ଗୋଟାଏ ବି କିଛି ଦେଖାଯାଆନ୍ତି ନାହିଁ । ଜନ୍ତୁଙ୍କର ଗୋଟାଏ ଷଷ୍ଠ ଇନ୍ଦ୍ରିୟ (Sixth sense) ଅଛି କି କ’ଣ !

 

ବାରହାଗୁଡ଼ାକ ଭାରି ତରକା ଜନ୍ତୁ । ସବୁଠୁ ସୁବିଧା ଉପାୟ ହେଉଛି ତାଙ୍କୁ ଜିଅନ୍ତା ଧରିବା । ଗୋଟିଏ ବାଡ଼ ବସାଇ ନେବାକୁ ହୁଏ ବାରହା ଯିବା ରାସ୍ତାରେ । ଆର ପଟରେ ମଧ୍ୟ ବାଡ଼ ବସାଇ ନେଲେ ଭଲ । ବାଡ଼ ଦୁଇଟିର ଦୁରତ୍ୱ ଆସ୍ତେ ଆସ୍ତେ ସଙ୍କୁଚିତ ହୋଇ କେବଳ ଗୋଟାଏ ବାରହା ଗଳିଯିବା ପାଇଁ ବାଟ ରଖାଯାଏ । ସେ ବାଟ ଶେଷରେ ଗୋଟାଏ ମସ୍ତବଡ଼ ଖାତ ଖୋଳି କାଠି ପତ୍ର ଦେଇ ଘୋଡ଼ାଇ ରଖାଯାଇଥାଏ । ଯେତେବେଳେ ବାରହା ଗଡ଼ିଆସନ୍ତି ସେମାନେ ବାଡ଼ କଣା ନ କରି ତା କଡ଼େ ଯାଇ ସେ ଖାତ ଭିତରେ ପଡ଼ିଯାଆନ୍ତି । ଅନେକ ଜାଗାରେ ଏହିପରି ଭାବରେ ଏକାଧିକ ବାରହା ଖାତରେ ପଡ଼ିରହନ୍ତି ଏବଂ ଦିନ ହେଲେ ତାଙ୍କୁ ପିଟିପିଟି ମରାଯାଏ । ଯଦିଓ ଏହା ଗୋଟାଏ ଖୁବ୍ ଶିକାରୋଚିତ ଉପାୟ ନୁହେଁ ତଥାପି ବାରହାଙ୍କ ସଂଖ୍ୟା ଅତ୍ୟଧିକ ବଢ଼ିଗଲେ ଓ ଫସଲ ନଷ୍ଟ କଲେ ଏହାଛଡ଼ା ଅନ୍ୟ ଉପାୟ ନ ଥାଏ । ତେଣୁ ସମୟେ ସମୟେ ଏହିପରି ଭାବରେ ବାରହାଙ୍କୁ ଧରି ମାଂସ ଖିଆଯାଏ ।

Image

 

ମୋତେ *ଟ୍ରେକାର ସାଜିବାକୁ ହେଲା

 

ଜଙ୍ଗଲରେ ଜନ୍ତୁ ଠାବ କରିବା କାଠିକର ପାଠ । ଖୁବ ତନ୍ନ ତନ୍ନ କରି ନ ଦେଖିଲେ ଜନ୍ତୁ କୁଆଡ଼େ ଯାଇଛି, କେଉଁଠି ଶୋଇଛି ବା କେଉଁଠି ପାଣି ପିଇଛି ଇତ୍ୟାଦି ଜାଣିବାର ଉପାୟ ନ ଥାଏ-। ଆମେ ଯେତେବେଳେ ଶିକାରକୁ ଯାଉଁ ଗାଁର ଜଙ୍ଗଲୀ ଲୋକ ଆମ ପାଇଁ ଜନ୍ତୁ ଠାବ କରନ୍ତି । ତେଣୁ ଆମେ ନିଜେ ଟ୍ରେକାର (tracker) ସାଜିବା ଦରକାର ପଡ଼େନି । ଜଙ୍ଗଲରେ ରହୁଥିବା ଲୋକମାନେ ବଣର ଜନ୍ତୁମାନଙ୍କର ଗତିବିଧିକୁ ଏପରି ଲକ୍ଷ୍ୟ ରଖିଥାଆନ୍ତି ଯେ ସେମାନେ ହଠାତ୍ କହିପାରିବେ କେଉଁଠି କ’ଣ ଜନ୍ତୁ ଥିଲା ବା ଯାଇଛି ବା ଶୋଇଛି । ମୟୂର କିପରି ମାଟି ଉପରେ ସଫା କରି କ୍ରୀଡ଼ା କରେ ସେ କଥା ମୁଁ ଆଗରୁ କହିଛି ।

 

* ଟ୍ରେକାର–ଜନ୍ତୁ ଯିବା ରାସ୍ତାରେ ଜନ୍ତୁର ପଞ୍ଝା ଚିହ୍ନ ଇତ୍ୟାଦି ଦେଖି ଦେଖି ଜନ୍ତୁର ପିଛା ଯେ କରେ, ତାକୁ ଟ୍ରେକାର (tracker) କହନ୍ତି ।

 

ଜନ୍ତୁ ଚାଲିଗଲେ ବଣର ବାଲି ଉପରେ ବା ଓଦା ମାଟି ଉପରେ ଖୁରା ବା ପଞ୍ଝାର ଦାଗ ପଡ଼ିଥାଏ । ସେ ଦାଗ ସଦ୍ୟ କି, ନୁହେଁ ତା’ ମଧ୍ୟ କହି ହେବ । ସଜ ଦାଗ ହୋଇଥିଲେ ଖୁରା ଦାଗ ପରିଷ୍କାର ଥିବ । କିଛି ସମୟ ଡେରି ହୋଇଯାଇଥିଲେ ସେ ଦାଗ ଉପରେ ପୋକ ଯୋକ ଯିବାର ଗାର ବା ପବନରେ ବାଲି ଉଡ଼ି ସେ ଦାଗକୁ ବିକୃତ କରିବାର ଚେଷ୍ଟା ହୋଇଥିବ ବା ଶୁଖିଲା ପତ୍ର ପଡ଼ିଯାଇଥିବ । ଜନ୍ତୁ ଯିବା ରାସ୍ତାରେ ଘାସକୁ ଲକ୍ଷ୍ୟ ରଖିଲେ ମଧ୍ୟ ଜାଣି ହେବ ଯେ ଘାସ ଗୁଡ଼ିକ ସଦ୍ୟ ବଙ୍କା ହୋଇଛି କି ଡେରି ହୋଇଗଲାଣି । ସଦ୍ୟ ବଙ୍କା ହୋଇଯାଇଥିଲେ କେତେକ ଘାସ ପୁଣି ସଳଖ ହୋଇ ଛିଡ଼ା ହୋଇଯିବାର ଉଦ୍ୟମ କରୁଥିବେ ଓ କେତେକ ସଳଖ ହୋଇଯାଇଥିବେ ଇତ୍ୟାଦି । ଜନ୍ତୁ ଯିବା ରାସ୍ତାରେ କେଉଁଠି ପରିସ୍ରା କରିଥିବ ବା ହଗିଥିବ ତାହା ଦେଖି ମଧ୍ୟ କହି ହେବ ଜନ୍ତୁ କୁଆଡ଼କୁ ଯାଇଛି । ଏପରିକି, ଜନ୍ତୁଟି ଭୀତସ୍ରସ୍ତ ଥିଲା କି ଧୀରେ ଧୀରେ ଯାଇଛି ବା ଦୌଡ଼ି ଯାଇଛି ତା’ ମଧ୍ୟ ଅକ୍ଳେଶରେ କହି ହେବ ।

ଗାଁ ଶିକାରୀମାନେ ବେଳେବେଳେ ତାଙ୍କ ପୋଷା କୁକୁରକୁ ନେଇ ଶିକାର ଯାଆନ୍ତି । ଏଇ ପୋଷା କୁକୁରମାନେ ଜନ୍ତୁ ଠାବ କରିବାରେ ଧୁରନ୍ଧର । ଅନେକ ସମୟରେ ଏଇ ପୋଷା କୁକୁରମାନଙ୍କ ଯୋଗୁଁ ଶିକାରୀମାନଙ୍କର ଜୀବନ ରକ୍ଷା ହୋଇଥବାର ପ୍ରଭୂତ ଭାବରେ ଖବର ମିଳେ । ଏ ସବୁ ବିଷୟରେ ଜିମ୍‌ କରବେଟ୍ ତାଙ୍କର ‘ଜଙ୍ଗଲ ଲୋର’ (jungle Lore) ବହିରେ ତନ୍ନ ତନ୍ନ କରି ବୁଝାଇଛନ୍ତି ।

ସନ ୧୯୭୦ ମସିହା କଥା । ଏପ୍ରିଲ ମାସ । ମୁଁ ଛୁଟି ନେଇ କଟକରେ ଥାଏ । ପୁରୀର କଲେକ୍ଟର ସାହେବ ଭାଇଙ୍କୁ ଖବର ପଠାଇଲେ ଚନ୍ଦକାର ପାଗଳା ହାତୀକୁ ମାରିଦେବାକୁ-। ଗତ ଦୁଇବର୍ଷରୁ ଉପର ହେବ ଚନ୍ଦକା ଜଙ୍ଗଲରେ ପାଗଳା ହାତୀ ଯୋଡ଼େ କି ତିନିଟା ମାତି ଗାଁ ଗଣ୍ଡାର ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର ଚଳାଇଛନ୍ତି । କେତେକ ଲୋକ ହାତୀ ହାବୁଡ଼ରେ ପଡ଼ି ମଲେଣି ମଧ୍ୟ । ଏଣୁ ଗାଁ ଲୋକଙ୍କର ଓଜର ଆପତ୍ତିରେ ପୁରୀର ଜିଲ୍ଲାପାଳ ହାତୀଗୁଡ଼ିକୁ ବଦମାସ (rogue) ବୋଲି ହୁଲିଆ ଜାରୀ କରିଛନ୍ତି । ତାଙ୍କୁ ମାରିବାକୁ ବହୁ ଶିକାରୀ ଯାଇ ବିଫଳ ହୋଇଥାଆନ୍ତି । କିଛି ପୁରସ୍କାର ମଧ୍ୟ ପାଇବାର ଆଶା ଥାଏ ସରକାରଙ୍କଠାରୁ-। ତେଣୁ ବହୁ ଶିକାରୀ ଜିଲାପାଳଙ୍କଠୁ ଛାଡ଼ି ନେଇ ବୁଲି ଆସିଲେଣି । ମାତ୍ର କେହି ହେଲେ ହାତୀକୁ ମାରି ପାରୁନାହାନ୍ତି । ବହୁତ ଦିନ ଆଗରୁ ହାତୀ ବନ୍ୟ ବିଭାଗରୁ ଯାଇ ରାଜସ୍ୱ ବିଭାଗର ଆୟତ୍ତାଧୀନ ହୋଇଛି । ସେଇଥିପାଇଁ ହାତୀ ମାରିବାକୁ ହେଲେ ଜିଲାପାଳ ଛାଡ଼ି ଦିଅନ୍ତି; ବନ୍ୟ ବିଭାଗ ନୁହେଁ ।

ଚନ୍ଦକା ଜଙ୍ଗଲ ଏଇ ଦଶ ପନ୍ଦର ବର୍ଷ ଆଗରୁ ଖୁବ୍ ଘଞ୍ଚ ଥିଲା । ପଟିଆଠାରୁ ଅନ୍ଧାରୁଆ ଦେଇ ଡମପଡ଼ା ଓ ମହାନଦୀ ଧାର ପର୍ଯ୍ୟନ୍ତ ଜଙ୍ଗଲ ଲାଗି ରହିଥିଲା । ତେଣେ ମହାନଦୀ ଆରପଟେ ଘୋର ଜଙ୍ଗଲ ଆଠଗଡ଼ ଜଙ୍ଗଲକୁ ଲାଗି ନରସିଂହପୁର ଟିକରପଡ଼ା ଯାଏ ମଧ୍ୟ ଥିଲା । କ୍ରମେ ଜଙ୍ଗଲ ନଷ୍ଟ କଲେ ଲୋକମାନେ । ଆଇନକାନୁନ ଲାଗୁ ହେଲା ନାହିଁ । ରାତି ରାତି କାଠ ଚୋରି ହୋଇଗଲା । ତା’ ସଙ୍ଗେ ଲୋକସଂଖ୍ୟା ଏତେ ବଢ଼ିଗଲା ଯେ ବଣରୁ ଫଳମୂଳ ଲୋକମାନେ ଯାଇ ଖାଇଗଲେ । ଗାଁମାନଙ୍କରୁ ସଉରୁଣି ମାଇପେ ଜଙ୍ଗଲକୁ ଯାଇ ବୋଝ ବୋଝ ଫଳନ୍ତି ଗଛ–କେନ୍ଦୁ, ଚାରା, ଆମ୍ବ, ବାହାଡ଼ା ଇତ୍ୟାଦି କାଟି ସଫାକଲେ । ଏପରିକି ବେଲ ଗଛ ବି ରହିଲା ନାହିଁ । ଫଳରେ ଜଙ୍ଗଲରୁ ହାତୀ-ଖାଦ୍ୟ ଲୋପ ପାଇବାକୁ ଲାଗିଲା । ଅନ୍ୟ ପକ୍ଷରେ କାଗଜ କଳ ମାଲିକ ବଣରୁ ବାଉଁଶ ଗଛ କାଟି ଟ୍ରକକୁ ଟ୍ରକ ବୋହି ନେଲେ । ବଣ ସଫା ହୋଇ ଆସିଲା । ଯେଉଁ ବଣରେ କୋଇଲିର ଥଣ୍ଟ ନ ଥିଲା କି କୁଆର ରାବ ଶୁଭୁ ନଥିଲା ସେଇଠି ପୁଣି ମଟର ଗାଡ଼ିର ଆବାଜ ଓ ହଳ ଲଙ୍ଗଳର ହୁରୁଡ଼ି ହୁ । ଆଉ ଯାହା ବା ରହିଲା ଗାଁ ବାଲାଙ୍କର ମଇଁଷି ପଲ ସଫା କଲେ । ତାହା ହେଲେ ହାତୀ ମାନେ ବା କରନ୍ତି କ’ଣ ! ତାଙ୍କର ପ୍ରିୟ ଖାଦ୍ୟ ବଣର ବାଉଁଶପତ୍ର, କେନ୍ଦୁ ଓ ବେଲ ଇତ୍ୟାଦି ଫଳ । ସେ ସବୁ ନ ପାଇ ଜଙ୍ଗଲଧାର ଚାଷ ଜମିରେ ପଶି ଧାନ ବା ଆଖୁ ଖାଇବାରେ ଲାଗିଲେ । ମଧ୍ୟେ ମଧ୍ୟେ ଖୁବ୍ ଭୋକହେଲେ ଗାଁରେ ପଶି ଖଳାରୁ ଧାନ ବା କୁଟା ଖାଇଲେ,କଦଳୀ ଖାଇଲେ । ପଲ୍ଲୀ ଗାଁର ଫରି ବାଣୁଆମାନେ ଚୁଣ୍ଟା ବନ୍ଧୁକ ଧରି ଚୋଟେ ଦୁଇ ଚୋଟ ହାତୀ ଦେହକୁ ମାଇଲେ । ହାତୀ ତ ମଲା ନାହିଁ–ମାତ୍ର ଘାଉଲା ହେଲା-। ଘା ପାଚି ପୂଜ ହେଲା । ଟଣଟଣି ବେଦନା ସହି ନ ପାରି ହାତୀ ମାରଣା ପାଲଟିଗଲା । ଯେଉଁ ମଣିଷ ହାତୀକୁ ପାଗଳ କଲା ସେଇ ମଣିଷ ପୁଣି ପାଗଳ ବୋଲି ତାକୁ ମାରିଦେବାକୁ ହୁଲିଆ ଜାରି କଲା । ଏସବୁ ହେଲା ହାତୀ ମାରଣା ହେବାର କାରଣ । ଏ ଦୁନିଆ କ’ଣ ଖାଲି ମଣିଷଙ୍କ ପାଇଁ !

 

ପୁରୀ ଜିଲାପାଳଙ୍କ ଡାକରା ପାଇ ଭାଇ ବାହାରିଲେ ଚନ୍ଦକା ଜଙ୍ଗଲ ଦେଖିବାକୁ । ସଙ୍ଗରେ ମୁଁ ମଧ୍ୟ ଗଲି । ଫରେଷ୍ଟ କରପୋରେସନର ଜିପ ବୁଲୁଥାଏ ଚନ୍ଦକା ଜଙ୍ଗଳରେ ତାଙ୍କର କାଠ କୁପ୍ ଦେଖିବାକୁ । ଆମେ ସେ ସୁଯୋଗ ନେଇ ଜିପରେ ଚାରିଆଡ଼େ ବୁଲି ଖବର ନେଲୁ ବଦମାସ ହାତୀଟା କେଉଁଠି ରହୁଛି । ଅନ୍ଧାରୁଆ ଗାଁକୁ ଗଲୁ । ସେଠା ଲୋକଙ୍କୁ ପଚାରିଲୁ । ସେଇ ଗାଁର ପାଣୁ ମଙ୍ଗରାଜକୁ ହାତୀ ମାରିଦେଇଥାଏ । ଖବର ନେବାରୁ ଜଣାଗଲା ଯେ ପାଣୁ ଦିନକର ବଡ଼ିଭୋରରୁ ଗାଁରୁ ବାହାରି ଜଙ୍ଗଲ ଧାରରେ ଥିବା ଝରଠିକି ପୋଖରୀପାଣି ଯାଇଥିଲା । ତା’ ସାଙ୍ଗରେ ଆଉ ଜଣେ ଟୋକା ମଧ୍ୟ ଥିଲା । ପାଣୁ ବସିଛି । ପାଗଳା ହାତୀଟା ହଠାତ ବାହାରି ପଡ଼ିଲା । ପାଣୁ ଛାନିଆ ହୋଇଗଲା ମାତ୍ର ଦୌଡ଼ି ଯାଇପାରିଲା ନାହିଁ । ହାତୀ ତାକୁ ଶୁଣ୍ଢରେ ଧରି କଚି ପକାଇଲା । ପାଣୁର ପ୍ରାଣବାୟୁ ଉଡ଼ିଗଲା । ଗୋଡ଼ରେ ମାଡ଼ିମକଚି ହାତୀ ପାଣୁର ସତ୍ତା ରଖିଲା ନାହିଁ । ପାଣୁ ଗୋଟିଏ ମାଂସ ପିଣ୍ଡୁଳା ହୋଇଗଲା । ସାଙ୍ଗ ଟୋକା ପାଣୁର ଏ ଅବସ୍ଥା ଦେଖି ଗାଁକୁ ଯାଇ ଖବର ଦେଲା ପାଣୁର କଥା । ସେଇଦିନୁ ଗାଁ ଲୋକଙ୍କର ଭାରି ଭୟ । ଦିନ ନ ହେଲେ ଘରୁ କେହି ବାହାରୁ ନାହାନ୍ତି । ଏହିପରି କଥାବାର୍ତ୍ତା ହେଉ ହେଉ ଆମେ ଜାଣିବାକୁ ପାଇଲୁ ଯେ ପାଗଳା ହାତୀ ଅନ୍ଧାରୁଆ ଆଡ଼େ ନାହାନ୍ତି । ଧୋବାବନ୍ଧ ଆଡ଼େ ଚାଲି ଯାଇଛନ୍ତି ବୋଧହୁଏ ।

 

ଚନ୍ଦକାର ରେନ୍‍ଜର ବାବୁଙ୍କ ପାଖକୁ ଫେରି ଆସିଲୁ । ତାଙ୍କ କଥା ଅନୁସାରେ ଆମେ ପୁଣି ଗଲୁ ଦାଳୁଅ ଗାଁକୁ । ସେଠି ପହଞ୍ଚି ନଟବର ଜଟ ପାଖରୁ ଶୁଣିଲୁ ହାତୀ ସେ ଗାଁର ହରିଆକୁ ମଧ୍ୟ ମାରିଛି । ମାତ୍ର ହାତୀ ବିଷୟରେ ତାଜା ଖବର କିଛି ପାଇଲୁ ନାହିଁ ।

 

ଚନ୍ଦକାକୁ ଫେରି ଆସିଲୁ । ରେନ୍‌ଜର ବାବୁ କହିଲେ ସେ ହାତୀ ବିଷୟରେ ଖୋଜ ଖବର ନେବେ । ଦୁଇତିନିଦିନ ଭିତରେ ଚନ୍ଦକାର ଥାନାବାବୁ ମଧ୍ୟ ଖବର ନେବେ ବୋଲି କହିଲେ-। ତେଣୁ ଆମେ ଠିକ୍ କଲୁ ଯେ ଚାରି ପାଞ୍ଚ ଦିନ ପରେ ବନ୍ଦୋବସ୍ତ କରି ହାତୀଟି ମାରିବାକୁ ଆସିବା-। କଟକ ଫେରିଆସିଲୁଁ ।

 

ଆମ ରହିବା ପାଇଁ ନନ୍ଦନକାନନର ଗୋଟାଏ ଟ୍ରାଭଲାର ଲଜ୍ ଠିକ୍ ହେଲା । ଆମେ ନନ୍ଦନକାନନଠି ରହିବୁ ଓ ଦିନସାରା ହାତୀ ଖୋଜି ବୁଲିବୁ । ହାତୀ ହାବୁଡ଼ରେ ପଡ଼ିଗଲେ ମରାହେବ । ହାତୀ ଶିକାର ତ ଦିନବେଳେ ହୁଏ । ତେଣୁ ଚିନ୍ତା କ’ଣ ? ସବୁ ବନ୍ଦୋବସ୍ତ କରିବାକୁ ଚାରି ଛଅ ଦିନ ଡେରି ହୋଇଗଲା । ଠିକ୍ ହେଲା ଯେ ମୁଁ ଗୋଟାଏ . ୪୭୦ ବୋରର ଦୁଇନଳିଆ ରାଇଫଲ୍ ନେବି । ଭାଇ ତାଙ୍କର ୪୭୦ ନେବାର ଠିକ ହେଲା ।

 

ଭାରତର ଜଙ୍ଗଲରେ ହାତୀ ଶିକାରରେ ଗଲେ ସବୁବେଳେ ଦୁଇ ଜଣ ଯିବା ବାଞ୍ଛନୀୟ-। କାରଣ ଆଫ୍ରିକା ଭଳି ଭାରତର ଜଙ୍ଗଲ ତ ପଦା ପଦା ଘାସ ଭୂଇଁ ନୁହେଁ । ଘଞ୍ଚ ଜଙ୍ଗଲରେ ହାତୀ ହାବୁଡ଼ି ଯିବାର ସମ୍ଭାବନା ଥାଏ । ପରନ୍ତୁ ହାତୀ ଫରିବାଣୁଆଙ୍କ ଗୁଳି ଖାଇ ଘାଇଲା । ମଣିଷ ଦେଖିଲେ ଚିହିଙ୍କି ଆସେ । ଲଟା ଗହଳି ମଧ୍ୟରେ ବନ୍ଧୁକ ବୁଲାଇ ମାରିବା ସହଜ କଥା ନୁହେଁ-। ତେଣୁ ସବୁବେଳେ ଦୁଇଜଣ ହାତୀ ଶିକାରରେ ଯିବା କଥା । ନ ହେଲେ ବିପଦର ସମ୍ଭାବନା ବହୁତ ବେଶି । ଏପରିକି ଆଫ୍ରିକାରେ ମଧ୍ୟ ଅନେକ ଶିକାରୀ ହାତୀ ପାଦତଳେ ମରିଛନ୍ତି-। ସେଇ ନ୍ୟାୟରେ ମୁଁ ବାହାରିଲି ସାଙ୍ଗରେ ।

 

ମୋର ମନେ ଅଛି ଆମେ ଯେତେବେଳେ ପ୍ରଥମ ହାତୀ ଶିକାରରେ ବାହାରିଲୁ ସମ୍ବଲପୁରର ହାତୀବାଡ଼ି ଜଙ୍ଗଲକୁ । ସେ ପ୍ରାୟ ୧୯୫୨ । ୫୩ ର କଥା । ଭାଇଙ୍କର ଗୋଟିଏ .୫୦୦ ଏକସପ୍ରେସ ଦୁଇନଳିଆ ରାଇଫଲ୍‍ ଥାଏ । ମୁଁ ନେଇଥାଏ .୪୫୦–.୪୦୦ ଦୁଇନଳିଆ ରାଇଫଲ । ପାଞ୍ଚ ଛଅମାଇଲ ଚାଲି ଚାଲି ଯାଇ ଘୋର ଜଙ୍ଗଲରେ ହାତୀର ଠାବ କରାଗଲା ଦିନ ପ୍ରାୟ ବାରଟାବେଳେ । ଏକ ଫରଲଙ୍ଗ୍ ବାଟରୁ ହାତୀର ଅନ୍ତନଳିର ଘୁଡ଼୍ ଘାଡ଼୍ ଶବ୍ଦ ଶୁଣିପାରିଲୁ । ଛୋଟ ଭାଇ ଦେବେନ୍ଦ୍ର ଓ ଅନ୍ୟମାନଙ୍କୁ ପାଖରେ ଥିବା ଗୋଟିଏ ବଡ଼ ପଥର ଉପରେ ବସାଇଦେଇ ଆମେ ଦୁଇଜଣ ଟ୍ରେକାରକୁ ନେଇ ଆଗେଇଲୁଁ । ହାତୀ ଶୋଇଛି ନିଘୋଡ଼ ନିଦରେ-। ଆମେ ଯେଉଁଆଡ଼ୁ ଗଲୁ ସେପଟରୁ ହାତୀର ପେଟଟି କେବଳ ଦିଶୁଥାଏ-। ମୁଣ୍ଡ ଦିଶୁନଥାଏ । ହାତୀଟି ଗୋଟାଏ ଛାଇ ଜାଗାରେ ଶୋଇରହିଥାଏ । ଗୋଟାଏ ଲଟି ବୁଦା ପାର ହୋଇ ଆରପଟକୁ ଭାଇ ଓ ମୁଁ ଗଲୁ–ହାତୀର ଠିକ୍ ତିରିଶଫୁଟ ଦୂରକୁ । ସେତିକିବେଳେ ହାତୀଟି ମୁଣ୍ଡ ଟେକି ଆମକୁ ଅନାଇଲା–ପୂରାପୂରି ଉଠିନଥାଏ ଖାଲି ଉଠିବାକୁ ଉଦ୍ୟତ ହେଉଥାଏ-। ଏତିକିବେଳେ ଭାଇଙ୍କର .୫୦୦ ଏକସପ୍ରେସ ରାଇଫଲର କାର୍ତୁସ ଫୁଟିଉଠିଲା । ଭାଇ ହାତୀର ମୁଣ୍ଡକୁ ଗୁଳିଟି ମାରିଲେ । ମୁଣ୍ଡରୁ ରକ୍ତ ପିଚକାରି ମାରିଲା ଭଳି ଛାଟିହୋଇ ଗଳ ଗଳ ବୋହିବାରେ ଲାଗିଲା । ହାତୀଟି ତଳେ ପଡ଼ିଗଲା । ଉପରକୁ ଗୋଡ଼ ଟେକି ଛାଟିପିଟି ହେଲା । ଆମେ ଭାବିଲୁ ହାତୀଟି ମରିଗଲା । ୫୦୦ ଏକସପ୍ରେସର ଗୁଳି, ଗୋଟାଏ କେନନ୍ ଭଳି । ହାତୀକୁ ଟେକି ଫୋପାଡ଼ି ଦେବା କଥା । ତେଣୁ ଆମେ ଟିକିଏ ଆଶ୍ୱସ୍ତିର ନିଶ୍ୱାସ ମାରିଲୁ । ମାତ୍ର କିଛି ସମୟ ପରେ ହାତୀ ପୁଣି ଉଠି ଠିଆହେଲା । ଭାଇଙ୍କର ବନ୍ଧୁକ ପୁଣି ଗର୍ଜିଉଠିଲା । ମୋର ତ ପ୍ରଥମ, ଏଇ ବଣୁଆ ହାତୀ ଏତେ ପାଖରେ ଦେଖା । ମୁଁ ହତଭମ୍ବ ହୋଇ ଛିଡ଼ାହୋଇଥାଏ । ଭାଇଙ୍କ ହାତରୁ ଗୋଟାଏ ଗୁଳି ଖସିପଡ଼ିଲା ତଳକୁ । ଅନ୍ୟ ଗୁଳିତକ ପକେଟରେ । ପକେଟରୁ ଗୁଳି ବାହାର କରିବା ପାଇଁ ହାତୀ ଉପରେ ନଜର ରଖି ଗଛ ଉହାଡ଼କୁ ଯିବାପାଇଁ ପଛେଇ ପଛେଇ ଯିବାବେଳେ ଗୋଟାଏ ଥୁଣ୍ଟା ଗଛ ଦେହରେ ବା ଆଣ୍ଠୁଟି ବାଜି ଜଖମ ହୋଇଗଲା । ଭାଇ ବସିପଡ଼ିଲେ-। ହାତୀଟି କିନ୍ତୁ ଆମଆଡ଼କୁ ନ ଆସି ଆମର ବିପରୀତ ଦିଗକୁ ଆସ୍ତେ ଆସ୍ତେ ଯାଇ ଦୌଡ଼ିଲା ଦୂର ପାହାଡ଼ ଆଡ଼କୁ । ଯଦି ହାତୀ ଆମ ଆଡ଼କୁ ଆସିଥାନ୍ତା ତାହାହେଲେ ମୋର ବନ୍ଧକୁ ମୁଁ ଫୁଟାଇପାରିଥାନ୍ତି ନିଶ୍ଚୟ । ଏହିଭଳି ସନ୍ଧି ସମୟରେ ଦୁଇଜଣ ସବୁବେଳେ ଦରକାର; ବିଶେଷତଃ ଆମ ଭାରତର ଜଙ୍ଗଲରେ । ଆଫ୍ରିକା ଭଳି ପଦା ଜାଗା ଥିଲେ ହାତୀର ଏତେ ପାଖକୁ ଯିବାର ଦରକାର ପଡ଼ନ୍ତା ନାହିଁ । ହାତୀର ଶିକାରୀ ପାଖକୁ ଆସିଯିବାକୁ ସମୟ ଲାଗନ୍ତା ଓ ସେ ସମୟ ମଧ୍ୟରେ ଶିକାରୀ ଅନେକ କଥା କରିପାରିଥାନ୍ତା । ମାତ୍ର ଭାରତର ଜଙ୍ଗଲ ବୋଲି ଆମକୁ ତିରିଶ ଫୁଟ ପାଖକୁ ଯିବାକୁ ହେଲା ଓ ଭୟର କାରଣ ରହିଲା ।

 

ସେ ଯାହା ହେଉ ସେଦିନ ଖିଆପିଆ ସାରି ଓପରବେଳା କାରଟିରେ ସବୁ ସରଞ୍ଜାମ ନେଇ ଆମେ ବାହାରିପଡ଼ିଲୁ । ଶାମ ଥାଏ ସାଙ୍ଗରେ ରୋଷାଇ କରିଦେବାକୁ । ଭୁବନେଶ୍ୱରରୁ ମିଶ୍ରବାବୁଙ୍କ ପାଖରୁ .୪୭୦ ବୋର ରାଇଫଲଟିଏ ନେବାକୁ ହେବ । ତେଣୁ ତରତରରେ ଯାଉଁ ଯାଉଁ ରସୁଲଗଡ଼ ଠେଇଁ ଆମ ଗାଡ଼ିରେ ଜଣେ ବୁଢ଼ା ଆସି ବାଡ଼େଇହେଲା । ତାକୁ ଡାକ୍ତରଖାନା ନେଇ ଛାଡ଼ିଲୁ ଓ ଥାନାରେ ଖବର ଦେଲୁ । ସେଠାରୁ ବାହାରି ମିଶ୍ରବାବୁଙ୍କ ଘରକୁ ଯିବାବେଳକୁ ଡେରି ହୋଇଗଲାଣି । ଯାହା ହେଉ ତାଙ୍କ ବସାରେ ଚା’ କପେ କପେ ଖାଇ ରାଇଫଲଟି ହାତପଇଠ କରି ଆମେ ଚନ୍ଦକାରେ ପହଞ୍ଚୁ ପହଞ୍ଚୁ ରାତି ଆଠ । ସେତେବେଳକୁ ବର୍ଷା ଅସରାଏ ହୋଇଗଲାଣି । ବର୍ଷା ହେବାରୁ ଆମେ ମନେ ମନେ ଖୁବ୍ ଖୁସି ହୋଇଗଲୁ । କାରଣ ହାତୀ ପାଦର ଚିହ୍ନ ଅକ୍ଳେଶରେ ଦେଖି ହେବ ଓ ତାକୁ ଗୋଡ଼ାଇବାକୁ ସହଜ ହେବ । ନନ୍ଦନକାନନରେ ଟ୍ରାଭଲାର ଲଜରେ ପହଞ୍ଚି ଦେଖିଲୁ ଘରକୁ ପାଣି ଆସୁନାହିଁ । ରାତାରାତି ମେକାନିକକୁ ଡକାଗଲା-। ପମ୍ପ କଳରୁ ପାଣି ଆସିଗଲା । ରୋଷାଇବାସ କରିବାକୁ କହି ଆମେ ବାହାରିପଡ଼ିଲୁ ରେନ୍‌ଜର ବାବୁଙ୍କ ପାଖକୁ । ତାଙ୍କ ପାଖରୁ ଖବର ମିଳିଲା ଯେ, ଘୁସୁରିଆ ପଦା ପାଖାପାଖି ହାତୀଟି ରହୁଛି । ବସାକୁ ଫେରି ଖାଇପିଇ ଶୋଇଲୁ ।

 

ବଡ଼ି ସକାଳୁ ଛଅଟା ବେଳକୁ ଆମେ ତିଆରି ହୋଇଗଲୁ ଚନ୍ଦକାକୁ ଯିବୁ ବୋଲି । କଥା ହୋଇଥାଏ କରପୋରେସନ ଜିପ ତାଙ୍କ କୁପକୁ ବୁଲି ଗଲାବେଳେ ଆମେ ଯିବୁ ଘୁସୁରିଆପଦା । ଆମେ ଚନ୍ଦକା ପହଞ୍ଚିଲା ବେଳକୁ ଜିପ ମଧ୍ୟ ଆସିଗଲା । ଆମେ ରାଇଫଲଟିମାନ ଧରି ଓ ରେନ୍‌ଜର ବାବୁଙ୍କୁ ସାଙ୍ଗରେ ନେଇ ଚାଲିଲୁ ଘୁସୁରିଆପଦା । ସେଇଠି ବନବିଭାଗର ବିଟ୍‍ଘର ଥାଏ । ଦାରୁଠେଙ୍ଗ ଓ ପାଖାପାଖି ଗ୍ରାମର ଲୋକେ ସାଗୁଆନ କାଠ ଚୋରି କରନ୍ତି । ସେମାନଙ୍କୁ ରୋକିବା ପାଇଁ ଘୁସୁରିଆପଦା ଠେଇଁ ବନବିଭାଗର ଲୋକ ରହିଥାଆନ୍ତି । ଘୋର ଜଙ୍ଗଲର ମଝିରେ ବିଟ୍ ଘର । ବଡ଼ ବଡ଼ ଖୁଣ୍ଟ ଦେଇ ବିଟ୍‌ଘର ଚାରିପଟ ବୁଜା ହୋଇଛି । ସେ ଆଖପାଖରେ ବହୁତ ହାତୀ ରହୁଛନ୍ତି । ଚାରିଆଡ଼େ ବାଉଁଶଗଛ ମଧ୍ୟ ଅଛି । ମାତ୍ର ବାଉଁଶ ଗଛରେ ଫୁଲ ହୋଇଥିବାରୁ ସେ ଗୁଡ଼ିକ ମରିଗଲେଣି ।

 

କଥରେ ପରା ଅଛି :

 

ବାଉଁଶ ଫୁଲିଲେ ମରେ

ମଣିଷ ବୁଲିଲେ ମରେ ।।

 

ବାଉଁଶଗଛରେ ଖଣ୍ଡିଏ ପତ୍ର ନାହିଁ । ହାତୀଙ୍କ ପ୍ରିୟ ଖାଦ୍ୟ ବାଉଁଶ ପତ୍ର । ତେଣୁ ହାତୀ ଗାଁ ଗଣ୍ଡାରେ ପଶି ପାଳଗଦାରୁ ପାଳ ଖାଇବା କେବଳ ଯେ ଭୋକ ଦାଉରୁ ଏ କଥା ବୁଝିବାକୁ ଡେରି ହେଲାନି ।

 

ଆମେ ଘୁସୁରିଆପଦାର ତଳକୁ ଥିବା ନାଳକୁ ଗଲୁଁ । ସେ ନାଳର ଶଯ୍ୟାରେ ଯାଇ ଦେଖିଲୁ ଗୋଟାଏ ଗଣ୍ଡ ପରିକା ହୋଇଛି । ସେ ଗଣ୍ଡକୁ ଅନେକ ହାତୀ ଆସିଥିବାରୁ ପାଦଚିହ୍ନମାନଙ୍କରୁ ଜାଣିଲୁ । ଗୋଟାଏ ମସ୍ତବଡ଼ ପାଦଚିହ୍ନ ଦେଖି ତାକୁ ମାପିଲୁ ଯେ ପ୍ରାୟ ଦଶଫୁଟ ଉଚ୍ଚ ବିଶିଷ୍ଟ ହାତୀ ହେବ । ହାତୀର ଆଗ ଗୋଡ଼ର ପାଦଚିହ୍ନ ବୃତ୍ତର ବାହାର ପାଖ (circumference) ମାପି ତାକୁ ଦୁଇଜଣ କଲେ ହାତୀର ଉଚ୍ଚତା ସଙ୍ଗେ ସମାନ ହୁଏ । ତେଣୁ କେତେ ବଡ଼ ହାତୀ ତା’ ପାଦଚିହ୍ନ ଦେଖିଲେ କଳନା କରି ହୁଏ ।

 

ସେ ବଡ଼ ହାତୀଟାର ପାଦଚିହ୍ନ ଦେଖି ଦେଖି ପ୍ରାୟ ଦୁଇ ତିନି କିଲୋମିଟର ଚାଲି ଚାଲି ଗଲୁ । ବଡ଼ ହାତୀଟା ଗୋଟାଏ ଗାଁ ପାଖଦେଇ ଯାଇଛି ଓ ଆଗ ଜଙ୍ଗଲରେ ପଶିଛି । ସେ ଆଡ଼େ ବର୍ଷା ହୋଇନଥିବାରୁ ପାଦଚିହ୍ନ ଦେଖିବା କଷ୍ଟକର ହୋଇପଡ଼ୁଥାଏ । ଆମ ସାଙ୍ଗରେ ଟ୍ରେକାର କେହି ନ ଥାଆନ୍ତି । ତେଣୁ ଅନେକ ସମୟରେ ମୋତେ ଇ ଟ୍ରେକାର ସାଜିବାକୁ ପଡ଼ିଥିଲା । ହାତୀ ଟ୍ରେକିଙ୍ଗ କରିବା ଅତି ସହଜ; କାରଣ ଏତେ ବଡ଼ ଜନ୍ତୁଟାଏ–ଯେଉଁଆଡ଼େ ଯିବ ଧପାସି ଯିବ । ଗଛପତ୍ର ଲଟା ସବୁ ମଡ଼ମାଡ଼ ଭାଙ୍ଗିବା ବା ପାଦରେ ଦଳି ଦେଇ ଯିବ । ହେଲେ ବି ଶୁଖିଲା ଜାଗାରେ ଗଲେ ହାତୀର ପାଦଚିହ୍ନ ପାଇବା କଷ୍ଟକର । ସେ ହାତୀଟା ପଛରେ ସେଦିନ ଆମେ ପ୍ରାୟ ତିନିଟାଯାକେ ବୁଲିଲୁ । ମାତ୍ର ତାକୁ ଠାବ କରିପାରିଲୁ ନାହିଁ । ଏଣେ ରେନ୍‌ଜର ବାବୁ ହେରିକା ଥକା ହେଲେଣି । ବିଚାର କଲୁ ଫେରିବୁ ! ଚନ୍ଦକାକୁ ଫେରି ଗାଡ଼ି ନେଇ ନନ୍ଦନକାନନ ପହଞ୍ଚୁ ପହଞ୍ଚୁ ପ୍ରାୟ ସଞ୍ଜ । ଗାଧୁଆପାଧୁଆ ସାରି ଖିଆପିଆ କରୁଛୁ ଖୁବ ଅସରାଏ ବର୍ଷା ହୋଇଗଲା । ମନେ ମନେ ଭାବିଲି ଯଦି ଜଙ୍ଗଲରେ ମଧ୍ୟ ବର୍ଷା ହୋଇଥିବ ତାହା ହେଲେ ଖୁବ ସୁବିଧା ହେବ ହାତିଟିକୁ ଠାବ କରିବା ପାଇଁ । ବର୍ଷା ଛାଡ଼ିଗଲା ପରେ ମୁଁ ବାହାରକୁ ଆସିଲି ।

 

ବାହାରକୁ ଆସି ଜଙ୍ଗଲ ଆଡ଼କୁ ଟର୍ଚ୍ଚ ଟିପି ଦେଲାରୁ ଦେଖିଲି ହ୍ରଦର ଆରପଟେ ପଲେ ହରିଣ ହ୍ରଦକୂଳରେ ଚରୁଛନ୍ତି । ଆମର ଟ୍ରାଭଲାର ଲଜଟି ଚୁଡ଼ଙ୍ଗ ହ୍ରଦ କୂଳରେ । ହ୍ରଦର ଗୋଟାଏ ନାସି ଆମ ବଙ୍ଗଳା ପାଖ ଦେଇ ଖଣ୍ଡେ ଦୂର ପଶିଯାଇଛି । ସେ ନାସିର ଆରପଟରେ ଗୋଟାଏ ଛୋଟ ହୁଡ଼ି । ଚାରିଆଡ଼େ ଜଙ୍ଗଲ । ଆମର ଡାହାଣ ପଟରେ ତ ରହିଲା ନନ୍ଦନକାନନର ଜୀବଜନ୍ତୁଙ୍କ ଘର । ତେଣୁ ବାଁ ପଟ ଓ ଆଗରେ ଜଙ୍ଗଲ ରହିଥାଏ । ହ୍ରଦର ଆରପାଖରେ ବଟାନିକେଲ ବଗିଚାର ଘରଦ୍ୱାର ଓ ବଗିଚା । ତେଣୁ ନାସି ଆରପଟଟା ଏକେବାରେ ନିଶ୍ଚଳ ଥାଏ-। ଗୁଡ଼ାଏ ହରିଣଙ୍କ ଆଖି ଟର୍ଚ୍ଚ ଆଲୁଅରେ ଦେଖି ଭାଇଙ୍କୁ ଡାକିଲି । ମଟର ଗାଡ଼ିର ଆଲୁଅ ପକାଇ ଦେଖିଲୁ ପ୍ରାୟ ଦଶଟା କି ବାରଟା ହରିଣ ଚରି ବୁଲୁଛନ୍ତି । ଭୟ କରୁନାହାନ୍ତି । ସତରେ ଜୀବଜନ୍ତୁଙ୍କୁ ଅଭୟ ଦେଲେ ସେମାନେ ମଣିଷକୁ ନ ଡରି ପାଖକୁ ଆସନ୍ତି । ହରିଣମାନଙ୍କଠାରୁ ଆମର ଦୂରତା ମୋଟେ ଶହେ ଗଜ ହେବ କି ନାହିଁ । ମାତ୍ର ସେମାନେ ଆମର କଥାବାର୍ତ୍ତା ଓ ଆଲୁଅକୁ ନ ଡରି ବେଶ ଚରି ବୁଲିଲେ । ଆମେ ଅନେକ ସମୟ ପର୍ଯ୍ୟନ୍ତ ତାଙ୍କୁ ଦେଖିଲୁଁ । ଖୁସି ଲାଗୁଥାଏ ଦେଖିବାକୁ ।

 

ପରଦିନ ସକାଳୁ ଥଣ୍ଡା ଥାଏ । ଆମେ ପୁଣି ସାଢ଼େ ଛଅଟାକୁ ଯାଇ ଚନ୍ଦକାରେ ପହଞ୍ଚିଲୁ । କରପୋରେସନ ଜିପ ପୁଣି ଆସିଗଲା । ଆମେ ଅନୁରୋଧ କରି ତାଙ୍କ ସଙ୍ଗେ ଗଲୁ ଘୁସୁରିଆପଦା ।ବାଟରେ ଶୁଖିଲା କଣ୍ଟାବାଉଁଶ ବୁଦା ମାଳକୁ ମାଳ । ତା’ର ମଝିରେ ଗଳିରାସ୍ତା ଭଳି ଜିପ ଯିବା ପାଇଁ ରାସ୍ତା । ରାସ୍ତାରେ ଅନେକ ହାତୀ ହଗିଥିବାର ଦେଖିଲୁଁ । ଗତ ରାତିରେ ବର୍ଷାରେ ଭୂଇଁ ଓଦା ରହିଛି । ହାତୀମାନଙ୍କପାଦ ଚିହ୍ନ ମଧ୍ୟ ସ୍ପଷ୍ଟ ଦିଶୁଛି । ବନ ବିଭାଗର ଚଟିଘରେ ପହଞ୍ଚିଲୁ-। ଆମ ସଙ୍ଗରେ ଚନ୍ଦକାର ଥାନାବାବୁ ମଧ୍ୟ ଥାଆନ୍ତି । ତା’ ଛଡ଼ା ଆଉ ଜଣେ ଗାର୍ଡ଼ ଥାଏ-। ଚଟିଘରେ ଦୁଇତିନି ଜଣ ଗାର୍ଡ଼ ଥିଲେ । ସେମାନଙ୍କୁ ପଚାରିଲାରୁ ସେମାନେ କହିଲେ ଯେ ଗତ ରାତିରେ ବହୁତ ହାତୀ ନାଳକୂଳରେ ଥିଲେ । ଧୋବାବନ୍ଧଆଡ଼େ ଯିବାର ଶବ୍ଦ ସେମାନେ ପାଇଛନ୍ତି-। ତେଣୁ ଆମେ ଜିପରେ ନାଳ ପାଖକୁ ଯାଇ ଜିପ ଥୋଇଦେଲୁ । ସେଠାରୁ ଚାଲି ଚାଲି ଧୋବାବନ୍ଧଆଡ଼େ ଗଲୁ । ନାଳ କଡ଼ରୁ ଦେଖିଲୁ ଗୋଟାଏ ବଡ଼ ହାତୀର ପାଦ ଚିହ୍ନ ମଧ୍ୟ ସେଇ ଧୋବାବନ୍ଧଆଡ଼େ ଯାଇଛି । ବର୍ଷା ଯୋଗୁ ଭୂଇଁ ଓଦା ଥାଏ । ହାତୀର ପାଦଚିହ୍ନ ସୁସ୍ପଷ୍ଟ ଓ ତାଜା ଦେଖାଯାଉଥାଏ । ସେ ପାଦଚିହ୍ନକୁ ଅନୁସରଣ କରି ଆମେ ଚାଲିଲୁ ଧୋବାବନ୍ଧ । ମତେ ଭାରି ଖୁସି ଲାଗୁଥାଏ । ମୁଁ ଆଗ ଆଗ ସେ ଚିହ୍ନ ଦେଖି ଦେଖି ଚାଲିଥାଏ ଅନ୍ୟମାନେ ମୋ ପଛରେ ଆସୁଥାଆନ୍ତି । ଖଣ୍ଡେ ଦୂର ପରେ ଧୋବାବନ୍ଧ ପଡ଼ିଲା । ସେଠାରେ ଦେଖିଲୁ ଅନେକ ହାତୀର ପାଦଚିହ୍ନ । କେତେକ ବନ୍ଧକୁ ଆସିବାର ଓ କେତେକ ବନ୍ଧରୁ ଚାଲିଯିବାର ଚିହ୍ନ । ସେଥିରୁ କେଉଁଟି ଆମର ହାତୀ ଜାଣିବା କଷ୍ଟକର ହେଲା । ପୁରୁଣା ପାଦଚିହ୍ନ ତ ବେଶ ଜଣାଗଲା । ନୂଆ ପାଦଚିହ୍ନ ଭିତରୁ କେଉଁଟି ଆମର ଜାଣିବା ପାଇଁ ଗୋଟାଏ ଉପାୟ କଲି । ସେ କାଦୁଅ ପାଣି ଜାଗା ଚାରିପଟେ ବୁଲିଲୁ ଓ ବୁଲୁ ବୁଲୁ ଆସ୍ତେ ଆସ୍ତେ ଦୂରକୁ ଦୂରକୁ ଗଲି । ଏପରି କରିବାରୁ ଦେଖିଲି ଆମର ବଡ଼ ହାତୀଟି ବନ୍ଧ ଚଢ଼ି ସାଗୁଆନ ଜଙ୍ଗଲଆଡ଼େ ମେଲି ଯାଇଛି । ଅନ୍ୟ ପାଦଚିହ୍ନ ଛୋଟ ଛୋଟ ଏବଂ ତା’ ସଙ୍ଗେ ସଙ୍ଗେ ସାନ ଛୁଆର ପାଦଚିହ୍ନ । ସେଥିରୁ ଜାଣିଲୁ ମାଈ ହାତୀଗୁଡ଼ିକ ଦଳବାନ୍ଧି ଅନ୍ୟଆଡ଼େ ଗଲେ ଏବଂ ତାଙ୍କ ସଙ୍ଗେ ଛୁଆ ହାତୀ ମଧ୍ୟ ଗଲେ । ଆମର ଏକଘରିଆ ହାତୀଟି ବଡ଼ ବଡ଼ ପାଦ ଚିହ୍ନ–ଏକୁଟିଆ ଗଲା ବିପରୀତ ଦିଗ ବଣକୁ ।

 

ସାଗୁଆନ ବଣକୁ ଗଲୁ । ଚିହ୍ନ ଦେଖି ଦେଖି ସାଗୁଆନ ଜଙ୍ଗଲରେ ହାତୀର ପିଛା କରିବା ମୋଟେ କଷ୍ଟକର ହେଲାନି । ସାଗୁଆନ ପତ୍ର ତ କୌଣସି ଜନ୍ତୁ ଖଆନ୍ତି ନାହିଁ–ହାତୀ ବି ଖାଏ ନାହିଁ; ମାତ୍ର ଛୋଟ ଛୋଟ ଗଛ ଭାଙ୍ଗିଦେଇଥାଏ । ସେଇଆ କରିଛି । ଯାଉଁ ଯାଉଁ ହାତୀଟି ଏଠି ଗୋଟାଏ ସାଗୁଆନ ଗଛ ଭାଙ୍ଗିଛି ତ ସେଠି ଗୋଟାଏ ଭାଙ୍ଗିଛି । କେଉଁଠି ବା ନଅ ଦଶ ଫୁଟ ଉଚ୍ଚାରେ ସାଗୁଆନ ଗଛରେ କାଦୁଅ ଲେସିହୋଇ ରହିଛି । ହାତୀ ସେଇଠି ଦେହ ଘସି ହୋଇଛି । କାଦୁଅ ଏକେବାରେ ତଟକା । ତେଣୁ ସେ ସବୁ ଦେଖି ଦେଖି ତା ପିଛା କରିବା ଖୁବ୍ ସହଜ ହେଲା-। ସାଗୁଆନ ବଣ ପାର ହୋଇ ହାତୀ ପଶିଛି ପାଖ ଅନାବନା ବଣରେ । ସେ ବଣରେ ବାଉଁଶ ବୁଦା ଓ ଅନ୍ୟାନ୍ୟ ନାନା ଜାତିର ଗଛବୃଚ୍ଛ ଭର୍ତ୍ତି । କାଦୁଅ ହୋଇଥାଏ କିଛିଟା । ତାକୁ ପିଛାକରି ଆମେ ଯାଇ ବାଉଁଶ ବଣରେ ପହଞ୍ଚିଲୁ । ତା’ ଭିତର ଦେଇ ହାତୀ ଯାଇଛି । କାଳେ ଆମ ଶବ୍ଦ ଶୁଣି ଆମକୁ ଛକିବ ସେଥିପାଇଁ ଆମେ ଖୁବ୍ ଧୀରେ ଧୀରେ ଅଗ୍ରସର ହେଉଥାଉଁ । ହାତୀର ଅନ୍ତନାଡ଼ୀର ଶବ୍ଦ ଅନେକ ଦୂରରୁ ଶୁଣାଯାଏ । ଧୀର ହୋଇ ଛିଡ଼ାହେଲେ ପ୍ରାୟ ଗୋଟାଏ ଫରଲଙ୍ଗ ଦୂରରୁ ହାତୀର ପେଟର ଶବ୍ଦ ଶୁଣାଯିବ ଓ ହାତୀ ଆମର ସ୍ଥିତି ଜାଣି ନ ଥିଲେ ତାର କାନ ବାଡ଼େଇ ହେବାର ଶବ୍ଦ ମଧ୍ୟ ଶୁଣାଯିବ । ସେ ସବୁକୁ କାନ ରଖି ଆମେ ବାଉଁଶ ବୁଦା ମଧ୍ୟରେ ପଶିଲୁ । ଖଣ୍ଡେ ଦୂର ତା’ର ପାଦ ଚିହ୍ନ ଦେଖି ଦେଖି ଗଲୁ ସତ, ମାତ୍ର ସେ ବାଉଁଶ ବୁଦା ଭିତରେ ଏପରି ଭାବରେ ଯାଇଛି ଯେ ତା ପିଛା ଆଉ କରି ନ ପାରି ପୁଣି ଯେଉଁଆଡ଼େ ପଶିଥିଲୁ ସେଇଆଡ଼ୁ ବାହାରି ଆସିଲୁଁ । ବାଉଁଶ ବୁଦାକୁ ଘେର ମାରି ଆରପଟକୁ ଯାଇ ପୁଣି ତା’ର ପାଦ ଚିହ୍ନ ପାଇଲୁ ଏବଂ ଆଗକୁ ଆଗକୁ ଗଲୁ । ଏତିକିବେଳକୁ ମନରେ ଭୟ ଲାଗିଲାଣି । କୌଣସି ସଦ୍ୟ ବିପଦର ଆଶଙ୍କା ହେଲେ ଯେପରି ମନରେ ଶଙ୍କା ଆସେ ଠିକ୍ ସେହିପରି ଭାବନା ମନରେ ହେଲା-। ତାହା ହେଲେ ହାତୀ କ’ଣ ଖୁବ୍ ପାଖରେ ! ମାରଣା ହାତୀର ପ୍ରକୃତି ହେଉଛି ଛପି ରହିବା-। କୌଣସି ବାଙ୍କ ଜାଗାରେ ଧୀର ହୋଇ ଛିଡ଼ା ହୋଇଥିବ ପରା । ପାଖ ହୋଇଗଲେ ହଠାତ୍ ଆକ୍ରମଣ କରିବ । ହାତୀର ଅଚାନକ ଆକ୍ରମଣ ଏଡ଼ି ପଳାଇ ଯିବା ଏ ଘୋର ଜଙ୍ଗଲ ମଧ୍ୟରେ ସମ୍ଭବ ନୁହେଁ । ଆମ ସାଙ୍ଗରେ ରେନ୍‍ଜର ବାବୁ, ଥାନା ବାବୁ ଓ ଜଣେ ଗାର୍ଡ଼ । ଏ ତିନି ଜଣଙ୍କ ଜୀବନ ଆମ ଦୁଇ ଜଣଙ୍କ ଉପରେ ନିର୍ଭର କରୁଛି । କାରଣ ଭାଇଙ୍କ ପାଖରେ ଓ ମୋ ପାଖରେ କେବଳ ହାତୀମରା ବନ୍ଧୁକ ରହିଛି । ଅନ୍ୟମାନେ ତ ଦେଖଣାହାରି । ମୋ ମନ ଆନ୍ଦୋଳିତ ହେବାକୁ ଲାଗିଲା । ଭାଇଙ୍କ ମୁହଁକୁ ଅନାଇ ଜାଣିଲି ସେ ମଧ୍ୟ ଦୋଘାଇରେ ପଡ଼ିଛନ୍ତି । ବିବ୍ରତ ଅଛନ୍ତି ।

 

ହାତୀର ପାଦଚିହ୍ନ ଖୁବ୍ ତାଜା ଦେଖାଯାଉଥାଏ । ତେଣୁ ହାତୀଟି ଯେ ଖୁବ୍ ନିକଟରେ–ଆଗରେ ଅଛି ସେଥିରେ କୌଣସି ସନ୍ଦେହ ନ ଥାଏ । ଦିନ ସେତେବେଳେ ସାଢ଼େ ଆଠଟା କି ନଅଟା ହେବ । ହାତୀ ଶୋଇବା ବେଳ ତ ବାରଟା–ଖରା ଟାଣ ହେଲେ ଯାଇ । ତେଣୁ ହାତୀ ଶୋଇନି ଏ କଥା ନିଶ୍ଚିତ । ତା’ର ପେଟର ଆଓ୍ୱାଜ ଓ କାନର ଫଡ଼ଫଡ଼ ଶୁଣାଯାଉନାହିଁ । ତେବେ କ’ଣ ହାତୀ ସର୍ତକ ହୋଇଯାଇ ଛପି ରହିଲାଣି ! ଏହିପରି ମନରେ ଆଶଙ୍କା କରି ଖୁବ୍ ଧୀରେ ଧୀରେ ଆମେ ଆଗକୁ ଯାଉ ଯାଉ ଅନ୍ୟମାନଙ୍କୁ ପଛରେ ରଖି ଚୂପଚାପ ଆଗେଇ ଆସିବାକୁ କହିଲୁ । ମନରେ ଖୁବ୍ ଗୋଟାଏ ଆସନ୍ନ ବିପଦର ଆଶଙ୍କା ଥାଏ ।

 

ଠିକ୍ ଏତିକିବେଳେ ଶୁଣିଲୁ ଜିପ୍‍ର ହର୍ଣ୍ଣ । ଘନ ଘନ ହର୍ଣ୍ଣ ବାଜୁଛି । ହଠାତ୍ ମନେହେଲା ହାତୀ କ’ଣ ଜିପ୍ ଆଡ଼େ ମୁହାଁଇଯାଇଛି କି ? ଡ୍ରାଇଭର କାହିଁକି ଏପରି ଘନ ଘନ ବଜାଇଛି ! ଫେରିବାକୁ ବାଧ୍ୟ ହେଲୁ । ଜିପ୍ ପାଖକୁ ଆସି ଦେଖିଲୁ ଚାରି ପାଞ୍ଚ ଜଣ ଲୋକ ଜିପ୍‍ ପାଖରେ ଅଛନ୍ତି । ଆମକୁ ଦେଖି କହିଲେ ହାତୀ ଘୁସୁରିଆ ପଦା ସେପଟେ ହୁଡ଼ିରେ ଅଛି । ସେମାନେ ଦେଖିଛନ୍ତି । ତାହାହେଲେ କ’ଣ ଆମ ହାତୀଟି ଏ ବଣରୁ ଘୂରିଯାଇ ସେଠି ପହଞ୍ଚିଲାଣି । ତାଙ୍କ କଥାରେ ବିଶ୍ୱାସ କରି ଫେରିଲୁଁ । ଜିପରେ ସମସ୍ତଙ୍କୁ ଜାଗା ନ ହେବାରୁ ଥୋକେ ଚାଲିଲେ । ଆମେ କେଇଜଣ ଜିପରେ ବସି ବିଟ୍‍ ଘର ଦେଇ ଆରପଟ ରଗଡ଼ିକୁ ଗଲୁ । ଖଣ୍ଡେବାଟ ଯାଇ ଜିପ ଆଉ ଯାଇପାରିଲା ନାହିଁ । ଆମେ ସେ ମୁଣ୍ଡିଆକୁ ଚଢ଼ିଲୁ । ସତକୁ ସତ ହାତୀ ହଗିଥିବାର ଦେଖିଲୁଁ । ମାତ୍ର ଏ ତ ଗୋଟାଏ ନୁହେଁ–ପଲେ ହାତୀ ଯିବାର ଚିହ୍ନ ପାଇଲୁ । ମୁଣ୍ଡିଆଟି ଗଛପତ୍ରରେ ଭର୍ତ୍ତି ହୋଇଛି । ସେତେବେଳକୁ ଖରା ତେଜ ହେଲାଣି । ମୁଣ୍ଡିଆର ଅଧାବାଟ ଉଠିଯାଇ ହାତୀ ରହିବାର ଜାଗା ଠଉରାଇଲୁ । ଦେଖିଲୁ ମୁଣ୍ଡିଆର ଗୋଟାଏ ପାଖରେ ଅତି ଘଞ୍ଚ ଜଙ୍ଗଲ । ହାତୀଗୁଡ଼ିକ ସେଠାରେ ଅଛନ୍ତି ଜାଣି ଆମେ ଧୀରେ ଧରେ ଆଉ କିଛି ବାଟ ଅଗ୍ରସର ହେଲୁ । ଶୁଖିଲା ଧୁଳି ଉଡ଼ାଇ ପବନର ଗତି ଲକ୍ଷ୍ୟ କଲୁ । ଦେଖିଲୁ ପବନ ହାତୀ ରହିଥିବା ଜାଗାରୁ ଆମ ଆଡ଼କୁ ବହୁଛି । ତାହା ହେଲେ ହାତୀ ଆମର ଗନ୍ଧ ପାଇବ ନାହିଁ । ସେଇଠି ଅନ୍ୟ ସମସ୍ତଙ୍କୁ ରହିବାକୁ କହି ଭାଇ ଓ ମୁଁ ଆଗକୁ ଗଲୁ–ମୁଣ୍ଡିଆ ଚଢ଼ି ଉପରକୁ ଉପରକୁ ଉଠିଲୁଁ । ଜଗା ଆମକୁ ବାଟ କଢ଼ାଇ ନେଉଥାଏ । ହାତୀମାନଙ୍କର ବିପରୀତ ଦିଗରୁ ଆମେ ମୁଣ୍ଡିଆ ଚଢ଼ିଲୁ ଓ ସେମାନଙ୍କର ଖୁବ୍ ପାଖକୁ ଗଲୁ । ସେତେବେଳକୁ ହାତୀ ଓ ଆମ ଭିତରେ ତଫାତ୍ ମୋଟେ ସତୁରି ଗଜ ହେବ କି ନାହିଁ । ପାହାଡ଼ ଉପରଟା ଗୋଟାଏ ଚଟାଣ ପରିକା ହୋଇଥାଏ । ଚଟାଣଟାରେ ଗଛପତ୍ର ପ୍ରାୟ ନ ଥାଏ । ତା’ ଚାରିପାଖ କଣ୍ଟାଗଛରେ ଭର୍ତ୍ତି । ଆମେ ଗୋଟାଏ ପାଖରେ ଓ ହାତୀଗୁଡ଼ିକ ଆରପଟରେ । ଆମେ ଦେଖିଲୁ ପଲେ ହାତୀ ତାଙ୍କ ଛୁଆମାନଙ୍କୁ ଧରି ଗଛ ଛାଇରେ ଅଛନ୍ତି । ଦନ୍ତା ହାତୀର ସନ୍ଧାନ ପାଇଲୁ ନାହିଁ । ସେତେବେଳକୁ ଦିନ ବାରଟା ହେଲାଣି । ଏତକ ପାହାଡ଼ ଚଢ଼ିବାକୁ ଆମକୁ ଘଣ୍ଟାଏ ଲାଗିଥିଲା । ଖୁବ୍ ଧୀରେ ଧୀରେ ଢିମା ଢିମା ପଥର ଚଢ଼ି ଯିବାର ଯେ କି କଷ୍ଟ ତାହା ହାତୀ ଦେଖିବାର ଉତ୍ତେଜନାରେ ଜଣାପଡ଼ିନଥିଲା । ଚଟାଣ ଉପରକୁ ଯାଇ ପେଟେଇ ପେଟେଇ କଣ୍ଟାବୁଦା ତଳେ ତଳେ ଯିବାର ମଜା ଫେରନ୍ତି ରାସ୍ତାରେ ଜଣାପଡ଼ିଲା । ଦନ୍ତାକୁ ନ ପାଇ ମନ ଏପରି ମରିଗଲା ଯେ ଓହ୍ଲାଇବାର କଷ୍ଟ ଉଠିବାଠାରୁ ବେଶୀ ଜଣାପଡ଼ିଲା । କଷ୍ଟ ହେଉ ପଛେ ଓହ୍ଲାଇବାକୁ ତ ପଡ଼ିବ । ଯାହା ହେଉ ଦିନ ଗୋଟାଏ ସରିକି ଆସି ମୁଣ୍ଡିଆ ତଳେ ପହଞ୍ଚିଲୁ । ସେଠାରେ ସମସ୍ତେ ଜିପ୍ ପାଖକୁ ଆସି ଜିପରେ ବସି ବିଟ ଘରକୁ ଫେରିଲୁ । ସଙ୍ଗରେ କିଛି ଖାଇବାର ଆଣିଥିଲୁ । ସମସ୍ତେ ବାଣ୍ଟି କୁଣ୍ଟି ଖାଇଲୁ । ଖାଇସାରି ମୁନ୍ଦେ ମୁନ୍ଦେ ପାଣି ପିଇ ସାଷ୍ଟାମ ହେଲାରୁ ବିଚାର କଲୁ ଯେ ସକାଳର ସେଇ ଗୋଟିକିଆ ହାତୀର ପିଛା ପୁଣି କରିବୁ । ଜଗା ଓରଫ ଜଗନ୍ନାଥ ତ ସାଙ୍ଗରେ ଥାଏ । ଭଲଭାବରେ ହାତୀ ପାଖକୁ କଢ଼ାଇ ନେଇଯିବ ବୋଲି ବିଶ୍ୱାସ ହେଲା ।

 

ଜଗାକୁ ସାଙ୍ଗରେ ନେଇ ପୁଣି ଚାଲିଲୁ ସକାଳୁ ଯେଉଁଠୁ ଫେରିଆସୁଥିଲୁ । ସେଠାରୁ ଜଗା ଚାଲିଲା ଆଗେ ଆଗେ । ଆମେ ଖୁବ୍ ସନ୍ତର୍ପଣରେ ପଛେ ପଛେ ଚାଲିଲୁ । ସେତେବେଳକୁ ରେନ୍‌ଜର ବାବୁ ଥକା ହୋଇଯାଇଥିଲେ । ସେ ପଛରେ ରହିଗଲେ । ଭାଇ, ଥାନା ବାବୁ ଓ ମୁଁ ଚାଲିଲୁ, ଜଗା ପଛରେ ହାତୀର ଅନିସା କରି । ପବନ ବୋହୁଥାଏ ଆଗରୁ ଆମ ଆଡ଼କୁ । ତେଣୁ ହାତୀ ଆମ ଗନ୍ଧ ଯେ ପାଇବ ନାହିଁ ଏହା ଆମର ହୃଦବୋଧ ହେଲା । ଦେଖିଲୁ ହାତୀ ସେ ଜଙ୍ଗଲରୁ ବାହାରି ଗାଡ଼ି ଗୁଳାରେ ଗୁଳାରେ ଚାଲିଛି । ଅନେକ ଗଛର ଡାଳ ଭାଙ୍ଗିଛି । କିଛି ବାଟ ଗାଡ଼ି ଗୁଳାରେ ଯାଇ ପୁଣି ବା ପାଖ ଜଙ୍ଗଲରେ ପଶିଯାଇଛି । ଜଗାକୁ ହାତୀ ପିଛା କରିବାକୁ କହି ଆମେ ସେ ଶଗଡ଼ଗୁଳାରେ ଚାଲିଲୁ ଆଗକୁ । ଦେହ ଅବଶ ହୋଇଆସୁଥାଏ । ବନ୍ଧୁକର ଓଜନ ବେଶି ହେଲା ପରି ଲାଗୁଥାଏ । ଠିକ୍ ଏତିକିବେଳେ ଗୋଟାଏ ଗଛର ଡାଳ କଡ଼କାଡ଼ ହୋଇ ଭାଙ୍ଗିବାର ଶବ୍ଦ ଶୁଣାଗଲା । ହାତୀ ଯେ ଅନତିଦୂରରେ ଅଛି ଏଥିରେ ସନ୍ଦେହ ରହିଲା ନାହିଁ । ଦେହର ଅବସନ୍ନତା ଛାଡ଼ିଗଲା । ଆମେ ଖୁବ୍ ଉତ୍ସାହିତ ହୋଇ ଆଗକୁ ଗଲୁ । ହାତୀ ବାମ ପାଖ ଜଙ୍ଗଲରେ–ଶଗଡ଼ ଗୁଳାର ମୋଟେ ସତୁରି ଅଶି ଗଜ ଦୂରରେ । ଆଉ ଟିକିଏ ଗଲେ ହାତୀ ଦିଶିବ-। ଭାଇ ଓ ମୁଁ ଆଗକୁ ଗଲୁ । ଅନ୍ୟମାନଙ୍କୁ ପଛରେ ରହିବାକୁ ଠାରି କହିଲି ଓ ସେମାନେ ରହିଲେ-। ଭାଇ ଗୋଟାଏ ଗଛ ଆଢ଼ୁଆଳକୁ ଯାଇ ବନ୍ଧୁକ ନିଶାଣ କରି ରହିଲେ । ମୁଁ ଗୋଟାଏ ବୁଦା କଡ଼କୁ ଯାଇ ବନ୍ଧୁକ ନିଶାଣ କଲି । ହାତୀ ଚାଲିଛି ଆଗକୁ । କଙ୍ଗଡ଼ା ଗଛ ସିଧା ହୋଇ ବଢ଼ିଯାଇଛି । ଠିକ୍ ତା’ର ସେ ମନ ଖୁସିରେ ଚାଲିଛି । ଆଗକୁ ଯାଇଥିବାରୁ ତା’ର ଡାହାଣ ପାଖ ଆମ ଆଡ଼କୁ ରହିଛି-। କଙ୍ଗଡ଼ା ଗଛର ଠିକ୍ ଆଗକୁ ମୁଣ୍ଡ ବାହାରିଲା ବେଳକୁ ଭାଇଙ୍କ ବନ୍ଧୁକ ଗର୍ଜି ଉଠିଲା । ହାତୀଟି ସେଇଠି ଠିଆ ହୋଇଗଲା । ମୁଁ ଠିକ୍ ସେଇ ମୁହୂର୍ତ୍ତରେ ଗୁଳିଟିଏ ମାଇଲି । ହାତୀର ମୁଣ୍ଡର ଗେରୁରେ ଗୁଳି ବାଜିଲେ ଯାଇ ସେ ମରିବ । ମୁଣ୍ଡର ଗେରୁକୁ ଗୁଳି ଯିବାକୁ ହେଲେ ଦୁଇକାନର ଗହ୍ୱରକୁ ଯୋଗ କରୁଥିବା କାଳ୍ପନିକ ଲେଖା ମଧ୍ୟ ଦେଇ ଗୁଳି ଯିବା ଦରକାର-। ହାତୀର ଯେଉଁଆଡ଼ୁ ମାରିଲେ ମଧ୍ୟ ଯଦି ଗୁଳି ସେ ରେଖା ଭେଦ କରେ ତାହା ହେଲେ ନିଶ୍ଚୟ ଗେରୁକୁ ଯିବ ଓ ହାତୀ ନିଶ୍ଚୟ ସେଇଠି ମରିବ । ଗୋଟଏ ପାଖରୁ ମାରିବାକୁ ହେଲେ ଠିକ୍ କାନମୂଳକୁ ମାରିଲେ ହାତୀଟି ସେଇଠ ପଡ଼ିବ । ଆମର ଦୁଇଟିଯାକ ଗୁଳି କାନ ମୂଳକୁ ଯାଇଛି-। ହାତୀ ସେଇଠି ଟଳିପଡ଼ିଲା । ସେଇ କଙ୍ଗଡ଼ା ଗଛରେ ତା ବେକ ଏପରି ଭାବେ ଠେସି ହୋଇ ରହିଲା ଯେ ହାତୀଟି ଠିକ୍ ବସିଲା ଭଳି ବସି ରହିଲା । ମୁଣ୍ଡଟି ଟେକିହୋଇ ରହିଲା । ଦୂରରୁ ଦେଖିଲେ ହାତୀଟି ମରିଯାଇଛି ବୋଲି କେହି ଭାବିବେ ନାହିଁ । ପାଖକୁ ଯାଇ ଛୋଟ ରାଇଫଲରେ ଆଉ ଦୁଇ ତିନି ଗୁଳି ଥାନା ବାବୁ ମାଇଲେ । ମାତ୍ର ଦରକାର ନ ଥିଲା ।

 

ଲାଗ ଲାଗ ଗୁଳି ଶବ୍ଦ ରେନ୍‍ଜରବାବୁ କଣ୍ଟାଫଣ୍ଟା ନ ମାନି ଦୌଡ଼ି ଦୌଡ଼ି ଆସିଗଲେ । ଜିପଟି ମଧ୍ୟ କିପରି ବୁଲି ବୁଲି ଆସି ପନ୍ଦର ମିନିଟ ପରେ ପହଞ୍ଚିଗଲା । ସେତେବେଳକୁ ଦିନ ଚାରିଟା ହେବ ପରା । ମୁଁ ହାତୀ ପାଖରେ ଛିଡ଼ା ହେଲି । ଭାଇ ଫଟୋ ନେଲେ ଓ ଭାଇ ଛିଡ଼ା ହେଲେ ମୁଁ ଫୋଟ ନେଲି । ତା’ପରେ ହାତୀର ଦେହ ମୁଣ୍ଡ ପରୀକ୍ଷା କରି ଦେଖିଲାରୁ ଦେଖିଲୁ ଯେ ଚାରି ପାଞ୍ଚଟି ଘା ଦାଗ ଅଛି–ବେକରେ ପିଠିରେ ଚାରିଆଡ଼େ । ସେସବୁ ଗାଁ ଫରିବାଣୁଆଙ୍କର କାଣ୍ଡ-। ଗୋଟାଏ ଘା ପାଚି ପୂଜ ହୋଇଯାଇଛି । ସେଥିରୁ ଜଣାଗଲା ହାତୀଟି କାହିଁକି ଚିଡ଼ିଚିଡ଼ା ହୋଇଯାଇଥିଲା । ଲୋକ ଦେଖିଲେ ଗୋଡ଼ାଉଥିଲା । ଦାନ୍ତ ଗୁଡ଼ାକ ଖୁବ୍ ବଡ଼ ବଡ଼–ବୁଢ଼ା ହାତୀ-। ମାତ୍ରକ ଖୁବ୍ ହୃଷ୍ଟପୁଷ୍ଟ ଥିଲା । ଦାନ୍ତ କାଟି ବାହାର କରିବା ପାଇଁ ଲୋକ ଡାକିବାକୁ ହେବ । ତେଣୁ ଆମେ ଜିପରେ ଫେରିଲୁ ଗାଁକୁ । ଗାଁରେ ଖବର ଦେଇ ଆମେ ଗଲୁ ଚନ୍ଦକା । ଚନ୍ଦକାରୁ ଆମ ଗାଡ଼ି ନେଇ ଗଲୁ ନନ୍ଦନକାନନ । ସେଠାରେ ଧୁଆଧୋଇ ହୋଇ ଚା’ ଖାଇ ସାଢ଼େ ଛଅଟା ସରିକି ଚନ୍ଦକା ଆସିଲୁ । ସେଠାରୁ ଜିପରେ ପୁଣି ଘୁସୁରିଆପଦା ହୋଇ ଗଲୁ ହାତୀ ମରିଥିବା ଜାଗାକୁ ରାତି ସାଢ଼େ ସାତଟା ସରିକି । ପହଞ୍ଚି ଦେଖିଲୁ ଗାଁ ସାରା ଲୋକ ଭର୍ତ୍ତି । ଟର୍ଚ୍ଚ ମସାଲ ଜଳୁଛି । ଆମେ ଗଲାରୁ ହାତୀର ଦାନ୍ତ କାଟିବାକୁ କହିଲୁ । ସେମାନେ ଦାନ୍ତ କାଟିବାରେ ଲାଗିଲେ । ଦାନ୍ତ କାଟୁ କାଟୁ ମୁଣ୍ଡରୁ ଦୁଇ ଚାରିଟା ବାରବୋର ଗୁଳି ବାହାର କଲେ । ଦୁଇଟା ଦାନ୍ତ କାଟିବାକୁ ତିନି ଚାରି ଘଣ୍ଟା ଲାଗିଗଲା । ୟା ମଧ୍ୟରେ ଗାଁ ଯାକର ଲୋକ ହାତୀ ମାଂସ କାଟିବାରେ ବ୍ୟସ୍ତ । ସମସ୍ତେ ପୁଳାଏ ପୁଳାଏ ମାଂସ ବାନ୍ଧିଲେଣି । ରେନ୍‌ଜର ବାବୁ ହାତୀ ପାଟିଭିତରର ଦାନ୍ତ ନେବାକୁ ଚାହିଁଲେ । ସେଗୁଡ଼ାକ ସେ ନେଲେ । ହାତୀର ଦାନ୍ତ କାଟିଲାରୁ ତା’ ଭିତରୁ କିଛି ନରମ ମାଂସ ବାହାରିଲା । ସେ ମାଂସଟି କୁଆଡ଼େ ଖୁବ୍ ସୁଆଦିଆ । ଜଗା ତାକୁ ହାତପଇଠ କଲା ଓ ଯେଉଁମାନେ କାଟୁଥିଲେ ସେମାନଙ୍କୁ ଟିକେ ଟିକେ ଦେଲା ।

 

ଦୁଇଟି ଦାନ୍ତ ଲଦି ଆମ ଜିପରେ ଆସିଲୁ ଘୁସୁରିଆପଦା ବିଟ ଘରକୁ । ସେଠାରୁ ମଲା ବାଉଁଶ ବୁଦା ଭିତର ଦେଇ ଯିବାକୁ ହେବ । ଧୀରେ ଧୀରେ ବୁଲିଯିବାରେ ଦେଖିଲୁ ପଲେ ହାତୀ ଗାଁ ପାଖରେ ଛିଡ଼ା ହୋଇଛନ୍ତି । ଆମ ଗାଡ଼ିର ଆଲୁଅ ପଡ଼ିବାରୁ ଏପରି କାହାଳିଲେ ଯେ ଆମ ପାଖରେ ବନ୍ଧୁକ ଥିଲେ ମଧ୍ୟ ଭାରି ଡର ମାଡ଼ିଲା । ଘୋର ଅନ୍ଧକାର । କିଛି ଦେଖାଯାଉନଥାଏ । ଗାଡ଼ିର ଝାପସା ଆଲୁଅରେ ହଠାତ୍ ଦେଖିଲୁ ଗୋଟାଏ ହାତୀ ଆମ ଡାହାଣ ପାଖରେ ରହିଯାଇଛି-। ସେ ଦଳ ଭିତରୁ ଗୋଟାଏ ହାତୀ ଆମ ଆଡ଼କୁ ଚିହିଙ୍କି ଆସିଲା । ଆମେ ଟର୍ଚ୍ଚ ପକାଇ ଦେଖିଲୁ–ସେ ତା’ ଛୁଆ ଆଡ଼କୁ ଦୌଡ଼ି ଆସୁଛି । ଆମେ ଯଦି ଛୁଆ ଓ ତା’ ମଝିରେ ରହିବା ଆମକୁ ସେ ଛିନ୍‍ଛତର କରି ପକାଇବ । ପ୍ରାଣବିକଳରେ ଡ୍ରାଇଭର ଜିପ ଚଳାଇଲା, ବିଲ ହିଡ଼ ବାଡ଼ ନ ମାନି–କେଉଁଆଡ଼େ ଯେ ସେ ଜିପ ନେଇ ପଳାଇଗଲା–ସେ ମିନିଟିଏ ଦୁଇମିନିଟ ଯାକେ ଆମେ କିଛି ବୁଝି ପାରିଲୁ ନାହିଁ । ଜିପର ଲୁହା ବାଡ଼କୁ ଜାବୁଡ଼ି ଧରି ବସିଥାଉଁ । ଯାହା ହେଉ ପାଞ୍ଚ ମିନିଟ ପରେ ଜଣାଗଲା ଯେ ହାତୀ ଆଉ ଆମ ପିଛା କରୁନାହିଁ । ତେଣୁ ସାଷ୍ଟାମ ହୋଇ ଧୀରେ ଧୀରେ ଆସିଲୁ-

 

ବାଟରେ ମୁଁ ଭାବିଲି–ଆଜି ଆମର ଭାଗ୍ୟ ଭଲ-ନ ହେଲେ ହାତୀ ହାବୁଡ଼ରୁ ଦୁଇଥର ବର୍ତ୍ତିଯାଇନଥାନ୍ତୁ । ଏ ତ ହେଲା ଥରକର ରକ୍ଷା । ଅନ୍ୟ ଥରକ ଭାବି ଦେଖିଲି ସକାଳର ରକ୍ଷା । ଆମକୁ ଯଦି ଜିପ ହର୍ଣ୍ଣ ବଜାଇ ଡାକି ନ ଥାନ୍ତା ଆମେ ବୋଧହୁଏ ହାତୀ ହାବୁଡ଼ରେ ଅଚାନକ ପଡ଼ିଯାଇଥାନ୍ତୁ । ଦ୍ୱିପ୍ରହର ବେଳେ ଗଲାବେଳେ ଦେଖିଲୁ ହାତୀ ସେ ଜଙ୍ଗଲ ଭିତରେ ବାଙ୍କି ବାଙ୍କି ଯାଇଛି । ସେ ବୋଧହୁଏ ଆମର ଶବ୍ଦ ଶୁଣିପାରିଥିଲା ଓ ଆମକୁ ଛକି ଛକି ଯାଇଥିଲା । ହର୍ଣ୍ଣ ବାଜିବାର ଠିକ୍ ଆଗରୁ ହାତୀ ଯେତେଦୂର ସମ୍ଭବ ସେଇ ଜଙ୍ଗଲରେ ଥିଲା । ଏଣୁ ଗୁଡ଼ାଏ ଲୋକ ଯାଇଥିବାରୁ ସେ ନିଶ୍ଚୟ ଆମର ଶବ୍ଦ ପାଇଥିଲା । ଆମେ ଠିକ୍ ସେତିକିବେଳେ ଫେରିନଥିଲେ ସେ ଅନ୍ଧାରିଆ ଜଙ୍ଗଲ ଭିତରେ ଚିଡ଼ିଚିଡ଼ିଆ ହାତୀ ଆକ୍ରମଣ କରି ଆମକୁ ହଇରାଣ କରିପାରଥାନ୍ତା ବା ଆମ ଭିତରୁ କାହାକୁ ହେଲେ ସହଜରେ ମାରିଦେଇ ପାରିଥାଆନ୍ତା । ମାତ୍ର ଆମର ଭାଗ୍ୟ ଭଲ; ଫେରି ଆସି ମୁଣ୍ଡିଆକୁ ଗଲୁ । ତା’ପରେ ଓପରବେଳା ତା ପିଛା କଲାରୁ ଖୋଲା ଜଙ୍ଗଲରେ ସେ ହାତୀକୁ ପାଇ ମାରିପାରିଲୁ ।

 

ସେଥିପାଇଁ କଥାରେ ଅଛି ‘‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’’ ।

Image

 

ଉଷାକୋଟିର ଅଭୟାରଣ୍ୟ

 

ବହୁ ଦିନରୁ ଆଶା ଥିଲା ଉଷାକୋଟିର ଅଭୟାରଣ୍ୟ ଦେଖିବା ପାଇଁ । ହଜାରିବାଗର ଅଭୟାରଣ୍ୟ ୧୯୬୭ ଦେଖିବା ପରେ ଆମ ଓଡ଼ିଶାରେ ସେପରି ଗୋଟାଏ ଜଙ୍ଗଲ ଓ ସେଥିରେ ଜନ୍ତୁଜୁନ୍ତା ଅଛନ୍ତି କି ନା ଦେଖିବା ପାଇଁ ବହୁବାର ମନସ୍ଥ କରିଥିଲି । ମାତ୍ର ସୁବିଧା ଓ ସୁଯୋଗ ମିଳିନଥିଲା । ଯାହା ହେଉ ୧୯୭୨ରେ ଭାରତୀୟ ଚିକିତ୍ସକ ସଙ୍ଘ, ଓଡ଼ିଶା ଶାଖାର ବାର୍ଷିକ ଅଧିବେଶନ ହେଉଥାଏ ବୁର୍ଲା ମେଡ଼ିକେଲ କଲେଜରେ । ଏ ସୁବିଧା ଛାଡ଼ିବାର ନୁହେଁ, ମୁଁ ମଧ୍ୟ ଅନ୍ୟମାନଙ୍କ ସଙ୍ଗରେ ବାହାରିଲି ବୁର୍ଲା ।

 

ବ୍ରହ୍ମପୁରର କଲେଜ ବସ ନିଆଗଲା । ସେଥିରେ ଆମ କଲେଜରୁ ପ୍ରାୟ ପଚିଶ ଜଣ ବସିଲୁ ସେଠା ବୈଠକରେ ଯୋଗଦେବା ପାଇଁ । ଆମ ପ୍ରିନସିପାଲ ମହୋଦୟ ମଧ୍ୟ କଟକରୁ ଆମ ସଙ୍ଗରେ ସାଙ୍ଗ ହେଲେ । ତେଣୁ କଟକରେ ଆମେ ବନ୍ଧୁ ଆକୁଳାନନ୍ଦ ମଧ୍ୟ ଥାଆନ୍ତି । ବୁର୍ଲାରେ ପହଞ୍ଚିଲୁ ଦୁଇ ତାରିଖ ସକାଳ ସାତଟାରେ । ନଭେମ୍ବର ମାସ–ଶୀତ ପଡ଼ି ଆସୁଥାଏ । ସେଠାରେ ପହଞ୍ଚି ସଙ୍ଗେ ସଙ୍ଗେ ଫୋନ କଲି ସେଠାରେ ଡି ଆଇ. ଜି.ଙ୍କୁ । ତାଙ୍କୁ ଆଗରୁ କହି ରଖିଥାଏ, ମୁଁ ବୁର୍ଲା ଗଲେ ମୋତେ ବିଶେଷ କରି ଉଷାକୋଟି ଜଙ୍ଗଲ ବୁଲାଇ ଦେଖାଇବା ପାଇଁ । ଫୋନରେ ତାଙ୍କୁ ମନେ ପକାଇ ଦେଲି ସେକଥା ଏବଂ ମୋ ସାଙ୍ଗରେ ପାଞ୍ଚ ଛଅ ଜଣ ବନ୍ଧୁ ଅଛନ୍ତି ବୋଲି ମଧ୍ୟ କହିଲି । ସେ ଖୁସି ହୋଇଗଲେ ଓ ସବୁ ବନ୍ଦୋବସ୍ତ କରିବେ ବୋଲି ମଧ୍ୟ କହିଲେ । ତଥାପି ସାଢ଼େ ଚାରିଟା ବେଳକୁ ଆମ ବୈଠକ ସରିଲା ପରେ ମୁଁ ଓ ଆକୁଳାନନ୍ଦ ଗଲୁ ସମ୍ବଲପୁର ଡି. ଆଇ.ଜି.ଙ୍କ ଘରକୁ ଉଦ୍ଧବ ବାବୁଙ୍କ ଗାଡ଼ିରେ । ସେଠାରେ ପହଞ୍ଚି ଶୁଣିଲି ଯେ ବାଉଁଶ କମ୍ପାନୀର ଗୋଟାଏ ଗାଡ଼ି ଠିକ୍ ହୋଇଛି । ଆମକୁ ନେଇ ଜିପ ଯିବ ବଡ଼ରମା । ସେଠାରେ ଜଣେ ପୁଲିସ କନଷ୍ଟେବଳ ଥିବ ଆମର ସୁବିଧା ଅସୁବିଧା ବୁଝାସୁଝା କରିବାକୁ । ଏସବୁ କଥା ଶୁଣିଲୁ ଓ ଡି. ଆଇ. ଜି. ଙ୍କ ବସାରେ ଚା’ ଜଳଖିଆ ଖାଇଲୁ । ତା’ ସଙ୍ଗେ କିଛି ବାରହା ମାଂସର ରୋଷ୍ଟ ମଧ୍ୟ ଖାଇଲୁ । ଭାରି ସୁଆଦିଆ ଲାଗିଲା ।

 

ସମ୍ବଲପୁର ବଜାର ବୁଲି, ସମ୍ବଲପୁରୀ ଶାଢ଼ୀ କିଣାକିଣି କରି ଆମେ ଫେରିଲୁ ବୁର୍ଲା । ବୁର୍ଲାରେ ଡେଲିଗେଟମାନଙ୍କର ଚିତ୍ତ ବିନୋଦନ ପାଇଁ ନାଟକର ବନ୍ଦୋବସ୍ତ ହୋଇଥିଲା । ମାତ୍ର ମୋର ମନ ସେଥିରେ ଲାଗିଲା ନାହିଁ । ଆଗତୁରା ରାତ୍ରି ଭୋଜନ ଖାଇଦେଇ ଆମେ ବାହାରିପଡ଼ିଲୁ । ଜିପ ମଧ୍ୟ ଠିକ୍ ଆସିଗଲା ରାତ୍ରି ସାଢ଼େ ଆଠଟାକୁ । ମୁଁ ଓ ମୋର ବନ୍ଧୁ ଆକୁଳାନନ୍ଦ, ବିଜେନ ବାବୁ ଓ ସନାତନ ଏପରି ଆମେ ଚାରିଜଣ ବାହାରିଲୁ । ଗୋଟିଏ ଲେଖାଏ କମ୍ବଳ ମଧ୍ୟ ସାଥିରେ ନେଲୁ । ଶୀତ କରୁଥାଏ । ଘୋଡ଼ି ଘାଡ଼ି ହୋଇ ଜିପରେ ବସିଲୁ । ବୁର୍ଲାରୁ ବାହାରିବାକୁ ଆମକୁ ରାତି ଦଶଟା ହୋଇଗଲା । ସିଧା ଚାଲିଲୁ ସମ୍ବଲପୁର ଦେବଗଡ଼ ରାସ୍ତାକୁ । ଭଲ ଏସଫାଲଟର ରାସ୍ତା । ତେଣୁ ଅସୁବିଧା ହେଲାନି । ବେଶ ଚୌଡ଼ା ମଧ୍ୟ । ବଡ଼ରମା ଘାଟିରେ ସୁନ୍ଦରଭାବରେ ରାସ୍ତା ତିଆରି ହୋଇଥାଏ । ରାସ୍ତାର ଦୁଇ ପାଖ ଘଞ୍ଚ ଜଙ୍ଗଲ ଓ ଠାଏ ଠାଏ ତିଖ ଉଠାଣି । ରାତିରେ ଜିପ ଆଲୁଅ ପଡ଼ି ଦୁଇପାଖ ଭାରି ସୁନ୍ଦର ଦିଶୁଥାଏ । ଘାଟି ପାର ହେବା ପରେ ସମତଳ ରାସ୍ତାର ଦୁଇପାଖରେ ପୁଣି ଜଙ୍ଗଲ । ଗଛଗୁଡ଼ାକ ବେଶ୍‍ ସରଳିଆ ଓ ଆକାଶଚୁମ୍ବି ।

 

ଠିକ୍ ଏଗାରଟା ସରିକ ପହଞ୍ଚିଲୁ ବଡ଼ରମା ଗାଆଁ ଠେଇଁ । ସେଠାରେ ଗୋଟାଏ ପଞ୍ଜାବୀ ଢାବାରେ ଜଣେ କନଷ୍ଟେବଳ ଆମ ଅପକ୍ଷାରେ ଥାଏ । ତା’ଠୁ ଖବର ନେଲୁ ଯେ ସବୁ ଠିକ୍ ଅଛି । ଜଙ୍ଗଲ ବିଭାଗରୁ କୁହାଯାଇଛି ଆମେମାନେ ଆସୁଛୁ ବୋଲି ଓ ଭିତରକୁ ଯିବା ପାଇଁ ଛାଡ଼ ମିଳିଛି । ସେଠାକାର ଅଭୟାରଣ୍ୟର ଦାୟିତ୍ୱରେ ଥିବା ରେନ୍‌ଜର ବାବୁ ସବୁ ବନ୍ଦୋବସ୍ତ କରିଛନ୍ତି ଏବଂ ଗୋଟାଏ ସ୍ପଟ ଲାଇଟ ଆମ ପାଇଁ ରଖିଛନ୍ତି । ଆମେ ଯାଇ ବଙ୍ଗଳାରେ ଓହ୍ଲାଇଲୁ । ଜିପର ଡ୍ରାଇଭର ମୁନୁ ଭୋଇ ଜିପର ହୁଡ଼ ଖୋଲିଦେଲା ଯେପରି ଆମେ ଜିପର ପଛପାଖରେ ଛିଡ଼ାହୋଇ ଜନ୍ତୁ ଦେଖିପାରିବୁ । ସ୍ପଟ ଲାଇଟଟି ଜିପର ବେଟାରୀ ଦେହରେ ସଂଯୋଗ କରାଯାଇ ହୁଡ଼ ଉପର ଦେଇ ପଛକୁ ଅଣାଗଲା । ଏସବୁ ବନ୍ଦୋବସ୍ତ ହେବା ଭିତରେ ଆମେମାନେ ଟିକିଏ ବିଶ୍ରାମ ମଧ୍ୟ କରିନେଲୁ ବଙ୍ଗଳାର ଡନଲୋପିଲୋ ଗଦି ଉପରେ । ସେତେବେଳେ କୁ ରାତି ସାଢ଼େ ଏଗାରଟା । ବେଶ୍‍ ଶୀତ ପଡ଼ିଗଲାଣି । ମୁଁ କିନ୍ତୁ ଗୋଟାଏ ମିଲିଟାରି ଓଭରକୋଟ ପିନ୍ଧିଥିବାରୁ ଶୀତ ବେଶ ସହ୍ୟକରିହେଉଥାଏ । ସ୍ପଟ ଲାଇଟଟି ମୁଁ ଧଇଲି ସ୍ପଟ କରିବା ପାଇଁ ।

 

ଉଷାକୋଟି ଅଭୟାରଣ୍ୟ ବଡ଼ରମା ଘାଟିଠାରୁ ରେଢ଼ାଖୋଲର ଖଲାସୁଣି ଜଙ୍ଗଲ ପର୍ଯ୍ୟନ୍ତ ମେଲିଯାଇଥାଏ । ପ୍ରକୃତ ଅଭୟାରଣ୍ୟ ଚାରିପଟେ ସଂରକ୍ଷିତ ଜଙ୍ଗଲ । ପ୍ରଧାନ ରାସ୍ତାରୁ (ସମ୍ବଲପୁର-ଦେଓଗଡ଼) ଅଭୟାରଣ୍ୟ ଭିତରକୁ କଚ୍ଚା ବନ୍ୟରାସ୍ତା କରାଯାଇଛି । ଏହିପରି ରାସ୍ତା ବଣ ଭିତରେ ବୁଲି ବୁଲି ଯାଇଛି ଅନେକ ଦୂର । ପ୍ରତ୍ୟେକ ରାସ୍ତା ବୁଲି ବୁଲି ଯାଇ ଗୋଟାଏ ଝର ପାଖାପାଖି ସରିଛି । ଏହି ସବୁ ଝର ବା ପାଣିଖଦାମାନଙ୍କ ପାଖରେ ଗୋଟାଏ ଲେଖାଏ ଓ୍ୟାଚ ଟାଓ୍ୟାର (watch tower) ଗଢ଼ାଯାଇଛି । ଏହି ଓ୍ୟାଚ ଟାଓ୍ୟାରମାନଙ୍କରେ ରହିଲେ ଦିନବେଳେ ମଧ୍ୟ ଜନ୍ତୁ ଦେଖାଯାନ୍ତି । ବିଶେଷତଃ ଖରାଦିନରେ, ଯେତେବେଳେ ସବୁଆଡ଼ୁ ପାଣି ସରିଆସେ, ସବୁ ଆଡ଼ୁ ଜନ୍ତୁ ଉପରବେଳା ଏହି ଝରମାନଙ୍କୁ ଆସନ୍ତି ପାଣି ପିଇବା ପାଇଁ । ସେତେବେଳେ ଓ୍ୟାଚ ଟାଓ୍ୟାର ଉପରେ ବସିଲେ ଜନ୍ତୁମାନଙ୍କୁ ପରିଷ୍କାର ଦେଖିହେବ ଓ ସୁନ୍ଦରଭାବେ ଫଟୋ ମଧ୍ୟ ଉଠାଇ ନେଇ ହେବ । ଉଷାକୋଟି ଜଙ୍ଗଲରେ ଏହିପରି ତିନୋଟି ଟାଓ୍ୟାର ଅଛି । ପ୍ରତ୍ୟେକଟିକୁ ଯିବାକୁ ଅଲଗା ଅଲଗା ରାସ୍ତା ଅଛି ।

 

ଆମେ ପ୍ରଥମେ ଗଲୁ କୁତୁବ୍‍ ଟାଓ୍ୟାର ପାଖକୁ । ଆମ ସଙ୍ଗେ ଫରେଷ୍ଟ ଗାଇଡ଼ ବାଲୁକେଶ୍ୱର ମିଶ୍ର ମଧ୍ୟ ଗଲେ । ଖୁବ୍ ଫୁର୍ତ୍ତି ଦେଖାଯାଉଥାନ୍ତି । ସେ ଗୋଟାଏ ଓଭରକୋଟ ପିନ୍ଧି ଓ ମଥାରେ ବେରିକେପ୍ ଲଗାଇ ବାହାରି ପଡ଼ିଲେ । ଏହି ଗାଇଡ଼ମାନଙ୍କ ଦୁଇ ପ୍ରକାର କାମ । ସେମାନେ ଦର୍ଶକମାନଙ୍କୁ ବାଟ କଢ଼ାଇ ନେବେ ଜନ୍ତୁମାନଙ୍କ ପାଖକୁ । ସେ ଜଙ୍ଗଲ ବିଷୟରେ ତନ୍ନ ତନ୍ନ କରି ସେମାନେ ଜାଣିଥାଆନ୍ତି । ତା’ ଛଡ଼ା ମଧ୍ୟ ଦର୍ଶକମାନେ ଜନ୍ତୁମାନଙ୍କୁ ହୁରୁଡ଼ାଇବା ବା ମାରିଦେବା ବନ୍ଦ କରିବେ । ବାଲୁକେଶ୍ୱର ଆମକୁ ପ୍ରଥମେ କୁତୁବ୍ ଟାଓ୍ୟାର ପାଖକୁ କଢ଼ାଇ ନେଲେ । କୁତୁବ୍ ଫାଟକର ଚାବି ଖୋଲି ଆମେ ଜଙ୍ଗଲ ଭିତରକୁ ଗଲୁ । ଆମ ପଛେ ପଛେ କାର ନେଇ ଅନ୍ୟ ଗୋଟାଏ ଦଳ ମଧ୍ୟ ଭିତରେ ପଶିଲେ । ଆମେ ପଶିଗଲାରୁ ଫାଟକ ପୁଣି ବନ୍ଦ କରାଗଲା । ଅନ୍ୟ ଦଳଟି କୁଆଡ଼େ ରେନ୍‌ଜରଙ୍କଠାରୁ ଛାଡ଼ ପାଇଛନ୍ତି ବୁଲି ଦେଖିବା ପାଇଁ ।

 

ମୁଁ ସ୍ପଟ କରୁଥାଏ । ସ୍ପଟ କରିବାର ମଧ୍ୟ ଗୋଟାଏ ପ୍ରଣାଳୀ ଅଛି । ସେ ପ୍ରଣାଳୀରେ କଲେ ଜଙ୍ଗଲର ପ୍ରତ୍ୟେକ ଅଂଶ ତନ୍ନ ତନ୍ନ କରି ଦେଖିହେବ । ସେହିପରି ଭାବରେ ମୁଁ ସ୍ପଟ କରିବାକୁ ଲାଗିଥାଏ । ଗନ୍ତାପ ଗାଁ ପାର ହୋଇ ଆମେ ଚାଲିଲୁ । ଜନ୍ତୁ କିଛି କୁଆଡ଼େ ଦେଖାଗଲେ ନାହିଁ । ତା’ପରେ ଚିରଗୁଣି ଖୋଲ ପାଖାପାଖି ହୋଇଛୁ ଦେଖିଲୁ ଦୁଇଟା ଠେକୁଆ । ରାତିରେ ଜନ୍ତୁ ଉପରେ ଆଲୁଅ ପଡ଼ିଲେ ଜନ୍ତୁ ଆଲୁଅ ଆଡ଼କୁ ନ ଅନାଇ ରହିପାରେ ନାହିଁ । ଆଲୁଅ ଆଡ଼କୁ ଅନାଇଲା ମାତ୍ରେ ତା’ ଆଖିରେ ଆଲୁଅ ପଡ଼ି ଆଖି ଜଳ ଜଳ ଦେଖାଯାଏ । ହରିଣ ସମ୍ବରମାନଙ୍କ ଆଖି ସାଗୁଆ ଦେଖାଯାଏ । ବାଘ, ଭାଲୁଙ୍କର ଆଖି ଲାଲ ହୋଇ ଦେଖାଯାଏ । ଯାହାହେଉ ଆମେ ଚିରଗୁଣି ଖୋଲା ପାର ହୋଇଗଲା ପରେ ଦୂରରୁ ଦଶ ବାର ଯୋଡ଼ ଆଖି ଦେଖାଗଲା । ଆମେ ପାଖକୁ ଚାଲିଲୁ । ଆଲୁଅ ଭଲ ଭାବରେ ପଡ଼ିଲାରୁ ଜଣାଗଲା ଯେ ଦଳେ ଗୟଳ (Bison) ରାସ୍ତାର ବାଁ ପାଖରୁ ଡାହାଣ ଆଡ଼କୁ ଗତି କରୁଛନ୍ତି । ସେ ଦଳରେ ତେରଟି ଗୟଳ ଥିଲେ–ବଡ଼ ଆଉ ଛୁଆ ମିଶି । ଆମ ଜିପର ପ୍ରାୟ ଶହେ ଗଜ ମଧ୍ୟରେ ସେମାନେ ଥିଲେ । ମନ ଆନନ୍ଦରେ ଚରି ବୁଲୁଥିଲେ । କୌଣସି ଭୟଭୀତ ହେବାର ସୂଚନା ନ ଥିଲା । ତେଣୁ ଆମର ଆଲୁଅରେ ଡରିଯାଉନଥିଲେ । ଅଭୟାରଣ୍ୟରେ ତ ଜନ୍ତୁ ମରାଯାଏ ନାହିଁ କି ବନ୍ଧୁକ ଫୁଟେ ନାହିଁ । ସେଥିପାଇଁ ସେମାନେ ଆମ ଜିପକୁ ନ ଡରି ବେଶ ଆନନ୍ଦରେ ଚରି ବୁଲୁଥିଲେ । ଆମେ ତାଙ୍କୁ ଅନେକ ସମୟ ଦେଖିଲା ଉତ୍ତାରୁ ପୁଣି ଆଗେଇ ଚାଲିଲୁଁ ।

 

ପୁଣି କିଛି ବାଟ ଗଲା ପରେ ପନ୍‍ଝାଏ ହରିଣ ଦେଖିଲୁ । ସେ ପଲରେ ଦଶଟି ହରିଣ ଏବଂ ସବୁଗୁଡ଼ିକ ମାଇ । ସେମାନେ ମଧ୍ୟ ଆମକୁ ନ ଡରି ବେଶ ଆନନ୍ଦରେ ଚରି ବୁଲୁଥିଲେ । କିନ୍ତୁ ପଛ କାରର ଆଲୁଅ ଆମ ଜିପ ଉପରେ ପଡ଼ି ଜିପର ଆକାରକୁ ସ୍ପଷ୍ଟ କରିଦେବାରୁ ଜନ୍ତୁଗୁଡ଼ାକ ଟିକଏ ଇତସ୍ତତଃ ହେବାର ଜଣାଗଲା । ବାଇଶନମାନଙ୍କ ଅପେକ୍ଷା ହରିଣମାନେ ଟିକିଏ ବେଶି ତରକା ଜନ୍ତୁ ।

 

ହରିଣ ଦଳଟି ବାଁ ଆଡ଼ରୁ ଆସି ସଡ଼କର ଡାହାଣ ଆଡ଼କୁ ଗତି କଲେ ଓ ସବା ପଛରେ ଯେ ଯାଉଥିଲା ସେ ଆମ ଆଲୁଅର ଝଲସରେ ବୋଧହୁଏ ବାଟବଣା ହୋଇ ଆଗ ଦଳ ସଙ୍ଗରେ ମିଶି ନ ପାରି ଟିକିଏ ତେରଛା ଭାବରେ ଗଲା । ଆମେ ଡାହାଣକୁ ବାଙ୍କିଲୁ ସେଇ ଗୋଟାକ ହରିଣ ଆମେ ପୁଣି ଦେଖିଲୁ । ତାକୁ ଦଳଛଡ଼ା କରିଦେଇଥିବାରୁ ମନରେ ଦୁଃଖ ହେଲା, କାରଣ ଦଳଛଡ଼ା ହେଲେ ବାଘ ହାବୁଡ଼ରେ ପଡ଼ିଯିବାର ସମ୍ଭାବନା ବେଶି । ଯାହା ହେଉ ଆମେ ଆଗକୁ ଗଲୁ । ଆଉ କିଛି ବାଟ ଗଲା ପରେ ପୁଣି ଦଳେ ଗୟଳ ଦେଖିଲୁ । ଏହି ଦଳରେ ସାତଟା ଗୟଳ ଥିଲେ । ଆମ ଡାହାଣ ପାଖରେ ଚରିବୁଲୁଥିଲେ ।

 

ଜନ୍ତୁମାନଙ୍କୁ ପରିଷ୍କାର ଦେଖିପାରିବା ପାଇଁ ବନ୍ୟ ବିଭାଗ ରାସ୍ତାର ଦୁଇ ପାଖ ପ୍ରାୟ ଦୁଇ ଶହ ଗଜ ପର୍ଯ୍ୟନ୍ତ ଲଟା ବୁଦା ଇତ୍ୟାଦିକୁ କାଟି ସଫା କରିଥାଆନ୍ତି । କେବଳ ବଡ଼ ବଡ଼ ସିଧା ସିଧା ଗଛମାନଙ୍କୁ ଛାଡ଼ି ଆଉ ସବୁ ଅଣ୍ଡରଗ୍ରୋଥ (undergrowth) କାଟି ସଫା କରାଯାଇଛି-। ତେଣୁ ଜନ୍ତୁ ଦେଖିବାକୁ ଆଉ ଅସୁବିଧା ହେଲାନି ।

 

ଗୟଳମାନଙ୍କୁ ଦେଖିବାର ଟିକିଏ ଆଗକୁ ଗୋଟାଏ ମାଇ ସମ୍ବର ଦେଖିଲୁ । ଏକୁଟିଆ ସମ୍ୱରଟି କିପରି ଆସିଗଲା ବୋଲି ଭାବିଲୁ । ସାଧାରଣତଃ ସମ୍ୱରମାନେ ମଧ୍ୟ ଗୋଠରେ ରହନ୍ତି । କିପରି ବୋଧହୁଏ ଏକୁଟିଆ ହୋଇଯାଇଛି । ତା’ପରେ କିଛି ବାଟ ଗଲା ପରେ କୁତୁବ୍‍ ଟାଓ୍ୟାର ପାଖରେ ଆସି ପହଞ୍ଚିଗଲୁ । ସେ ପାଖ ପାଖରେ ଦେଖିଲୁ ପାଣିର ଝର । ବାଲୁକେଶ୍ୱରଠାରୁ ଶୁଣିଲୁ ବନ ବିଭାଗ ସେଇ ପାଣି ଖେଦା କଡ଼ରେ ବସ୍ତା ବସ୍ତା ଲୁଣ ଢାଳି କୃତ୍ରିମ ଖଳିମାଟି (Salt lick) କରିଛନ୍ତି । ପ୍ରତ୍ୟେକ ଟାଓ୍ୟାରର ଝର ପାଖରେ ଏପରି ଖଳିମାଟି କରାଯାଇଛି । ଜନ୍ତୁମାନେ ତ ଲୁଣିମାଟି ଖାଇବାକୁ ଖୁବ ଭଲ ପାଆନ୍ତି । ତେଣୁ ଏହି ଟାଓ୍ୟାରମାନଙ୍କ ପାଖରେ ଜନ୍ତୁ ଗଦା ହୋଇପଡ଼ନ୍ତି । ସେତେବେଳେ ସେମାନଙ୍କୁ ଟାଓ୍ୟାରରେ ଛପି ରହିଥିବା ଦର୍ଶକମାନେ ଦେଖିପାରନ୍ତି ଓ ଦିନବେଳେ ବେଶ ସୁନ୍ଦର ସୁନ୍ଦର ଫଟୋ ମଧ୍ୟ ଉଠାଇ ପାରନ୍ତି । ସେଇ ଫଟୋ ସବୁ ବିକ୍ରି କରି ଅନେକ ପଇସା ମଧ୍ୟ ରୋଜଗାର କରନ୍ତି ।

 

କୁତୁବ ଟାଓ୍ୟାର ପାଖରୁ ଫେରି ପୁଣି ଆମେ ପ୍ରଧାନ ରାସ୍ତା ଆଡ଼କୁ ଗତି କଲୁ । ଶୀତରେ ହାତ କାଲୁଆ ମାରି ଯାଉଥାଏ । ଗୋଟାଏ ଲେଖାଏ କମ୍ୱଳ ଘୋଡ଼ି ହୋଇଥାଉଁ । ହେଲେ ମଧ୍ୟ ଶୀତରେ ଦିହ ହାତ ଜଡ଼ ପାଲଟିଯାଉଥାଏ । ଫେରନ୍ତି ରାସ୍ତାରେ ପୁଣି ସେ ଗୟଳ ଦଳଟି ଦେଖିଲୁ । ଚିରଗୁଣି ଖୋଲି ପାର ହୋଇଗଲା ପରେ ଆଉ ଏକ ଦଳ ହରିଣ ଦେଖିଲୁ । ସେ ଦଳରେ ପ୍ରାୟ ତେରଟି ହରିଣ ଥିଲେ । ବାଟରେ ଅନେକ ଠେକୁଆ ମଧ୍ୟ ଜିପ ଆଲୁଅରେ ଦେଖାଯାଆନ୍ତି ଓ ଖପ୍‍ଖାପ୍ ଡିଆଁ ମାରି ଚାଲିଯାଉଥାଆନ୍ତି ।

 

ଅନ୍ୟ ଦୁଇଟି ଟାଓ୍ୟାରକୁ ଯିବାର ଥିଲେ ମଧ୍ୟ ଫାଟକ ଖୋଲି ବଙ୍ଗଳାକୁ ଫେରି ଆସିଲୁ-। ରାତି ଅନେକ ହେଲାଣି, ଗୋଟାଏ ତିରିଶି ମିନିଟ ହେବ । ଅନ୍ୟ ଟାଓ୍ୟାରମାନଙ୍କ ପାଖରେ ହାତୀ ବାହାରିବ ଶୁଣି ମୋର ବନ୍ଧୁମାନେ ଯିବାକୁ ନାରାଜ ହେଲେ । ବୁର୍ଲା ଫେରିବାକୁ ହେବ । ତେଣୁ ଡ୍ରାଇଭର ମଧ୍ୟ ସେଆଡ଼େ ଯିବାକୁ ମନ ବଳାଇଲା ନାହିଁ । ମୁଁ ବା ଏକୁଟିଆ କ’ଣ କରନ୍ତି-। ଅନ୍ୟ ଦୁଇଟି ଟାଓ୍ୟାର ହେଲା ଦୁମୁରିମୁଣ୍ଡା ଓ ଭୁଟେଲ । ଭୁଟେଲ ଟାଓ୍ୟାରକୁ ପଥୁରିଆ ଗେଟ ପାର ହୋଇ ଯିବାକୁ ହେବ । ସେ ଜଙ୍ଗଲରେ ହାତୀ ବହୁତ ଦେଖାଯାଆନ୍ତି ।

 

ବାଲୁକେଶ୍ୱର ଗୋଟାଏ ଖାତା ଆଣି ଦେଲା । ଆମକୁ ଲେଖିବାକୁ ହେଲା କ’ଣ କ’ଣ ଜନ୍ତୁ ଆମେ ଦେଖିଲୁ ଏବଂ କେତେବେଳେ କେଉଁଠାରେ । ଆଗ ପୃଷ୍ଠା ଓଲଟାଇ ଦେଖିଲୁ କି ପ୍ରକାର ଜନ୍ତୁ ସେଠାରେ ଦର୍ଶକମାନେ ଦେଖିଛନ୍ତି । ଜଣାଗଲା ସେସବୁ ଜଙ୍ଗଲରେ ବାଘ, ଚିତାବାଘ, ଗୟଳ, ହାତୀ, ହରିଣ କୁଟ୍ରା, ବାର୍‍ହା, ହାଇନା, ଭାଲୁ, ଠେକୁଆ, ଶିଆଳ, ଇତ୍ୟାଦି ଦର୍ଶକମାନେ ବିଭିନ୍ନ ସମୟରେ ଦେଖିଛନ୍ତି ।

 

ପଚାରି ବୁଝିଲୁ ସେ ଜଙ୍ଗଲରେ ପ୍ରାୟ ଛଅଟି ମହାବଳ ବାଘ ଅଛନ୍ତି । ଖରାଦିନ ନ ହେଲେ ସେମାନେ ପ୍ରାୟ ଦେଖାଯାଆନ୍ତି ନାହିଁ । ଖରାଦିନରେ ଗଛ ଲଟିରୁ ପତ୍ର ଝଡ଼ିଗଲେ ଯାଇ ଖୁବ୍ ଦୂରକୁ ଦେଖାଯାଏ । ଏଣୁ ବାଘ ଦେଖାଯାଏ ।

 

ଉଷାକୋଟି ଅଭୟାରଣ୍ୟଟି ହଜାରିବାଗ ଅଭୟାରଣ୍ୟ ପରିକା ହୋଇଛି । ମାତ୍ର ହଜାରିବାଗରେ ଯେପରି ଟୁରିଷ୍ଟମାନଙ୍କ ପାଇଁ ସୁବିଧା ଅଛି ଏଠାରେ ସେପରି କରାଯାଇନାହିଁ । ହଜାରିବାଗରେ ଟୁରିଷ୍ଟମାନଙ୍କୁ ଗାଡ଼ି ଭଡ଼ାରେ ମିଳେ ଓ ଟୁରିଷ୍ଟ ରହିବା ପାଇଁ ବଙ୍ଗଳା ମଧ୍ୟ ତିଆରି ହୋଇଛି । ତା’ ଛଡ଼ା ହଜାରିବାଗରେ ଅଭୟାରଣ୍ୟ ଭିତରେ ଗାଁ ପ୍ରଭୃତି ନାହିଁ । ଏଠା ଜଙ୍ଗଲରେ ଗ୍ରାମଗୁଡ଼ିକ ଅଛି । ଅଭୟାରଣ୍ୟ ଭିତରେ ଗାଁଗଣ୍ଡା ରହିବା କଥା ନୁହେଁ । ଆଫ୍ରିକାରେ ଯେଉଁ ସବୁ ଜଙ୍ଗଲକୁ ଅଭୟାରଣ୍ୟ (Sanctuary) ବୋଲି ଘୋଷଣା କରାଯାଇଛି ସେଗୁଡ଼ିକ ମଝିରେ ଗାଁଗଣ୍ଡା ରହିବା ତ ଦୂରର କଥା, ସେ ଜଙ୍ଗଲରୁ କାଠ ମଧ୍ୟ କଟାଯାଏ ନାହିଁ ।

 

ଅଭୟାରଣ୍ୟ ଚାରିପଟେ ରିଜର୍ଭ ଜଙ୍ଗଲ ରହିବ । ତା’ ଚାରିପଟେ ଶିକାର ପାଇଁ ସୁଟିଂ ବ୍ଳକ (Shooting block) ସବୁ ରଖାଯାଇଥାଏ । ସେ ସବୁ ଶିକାର ଜଙ୍ଗଲରେ ଶିକାରୀମାନଙ୍କୁ ଶିକାର କରିବାକୁ ଦିଆଯାଇଥାଏ । ତାହା ହେଲେ ଜନ୍ତୁମାନେ ଆଉ ପଦାକୁ ବାହାରି ପଳାଇ ଯାଇ ପାରନ୍ତି ନାହିଁ ଅନ୍ୟ ଆଡ଼କୁ । ପରନ୍ତୁ ଅଭୟାରଣ୍ୟରେ ଜନ୍ତୁଙ୍କ ସଂଖ୍ୟା ବେଶୀ ହୋଇଗଲେ ସେମାନେ ବଳେ ବଳେ ଯେତେବେଳେ ସୁଟିଂ ବ୍ଳକକୁ ପଳାଇ ଆସନ୍ତି ସେତେବେଳେ ଶିକାରୀମାନଙ୍କ ଗୁଳିରେ ପ୍ରାଣ ହରାନ୍ତି । ଏହାଦ୍ୱାରା ଶିକାରୀ ଶିକାର କରି ଆନନ୍ଦ ପାଏ ଏବଂ ଜନ୍ତୁଙ୍କ ସଂଖ୍ୟା ମଧ୍ୟ ଅତ୍ୟଧିକ ବୃଦ୍ଧିରୁ ଅବହ୍ୟାତି ପାଏ । ଅଭୟାରଣ୍ୟ ସୁରୁଖୁରୁରେ ଚାଲେ ।

 

ଅଭୟାରଣ୍ୟର ଆୟତନ ସେଥିପାଇଁ ଖୁବ ବଡ଼ ହେବା ଦରକାର ଏବଂ ସଂରକ୍ଷିତ ଜଙ୍ଗଲ ମଧ୍ୟ ସେହିପରି ବଡ଼ ହୋଇଥିବା ଦରକାର । ଅଭୟାରଣ୍ୟ ଏପରି ଜଙ୍ଗଲରେ ହେବା ଦରକାର ଯେଉଁଥିରେ ଜନ୍ତୁଙ୍କ ପାଇଁ ପ୍ରଚୁର ଖାଦ୍ୟ ଥିବ, ଖରାଦିନରେ ପାଣିର ସୁବିଧା ପାଇଁ ଝରମାନ ଥିବ ଏବଂ ଝଳିମାଟି ଥିବ । ଝର ନ ଥିଲେ କୃତ୍ରିମ ଗେମ୍ ଟେଙ୍କ (Game tank) ଖୋଳାଇ ପାଣିର ବନ୍ଦୋବସ୍ତ ରଖିବା ଉଚିତ । ଝରଣା ବା ନଦୀ ଥିଲେ ତ ଖୁବ ଭଲ । ଅଭୟାରଣ୍ୟ ମଧ୍ୟରୁ କାଠଟାଏ ବା ଡାଳଟାଏ ଆଣିବା ଏବଂ ମଣିଷ ତା’ ଭିତରକୁ ପଶିବା ଅନୁଚି୍ତ-। କେବଳ ରାସ୍ତା ରାସ୍ତାରେ ଯାଇ ଓ୍ୟାଚ ଟାଓ୍ୟାର ଭିତରକୁ ଯିବା ଛଡ଼ା ଅନ୍ୟ ଆଡ଼େ ମଣିଷ ଯିବା ଉଚିତ ନୁହେଁ । ଏପରି ଭାବରେ ଅଭୟାରଣ୍ୟର ରକ୍ଷଣାବେକ୍ଷଣ କଲେ ଯାଇ ଅଭୟାରଣ୍ୟ ସଫଳ ହୁଏ ଏବଂ ଜନ୍ତୁମାନେ ନିର୍ଭୟରେ ବିଚରଣ କରିପାରନ୍ତି । ଏଣୁ ଫଟୋ ଇତ୍ୟାଦି ଉଠାଇବାକୁ ଦିନବେଳେ ମଧ୍ୟ ଖୁବ୍ ସୁବିଧା ହୁଏ ।

 

ସତରେ ଫଟୋ ନେବାର ସୁବିଧା କରାଯାଇପାରିଲେ ବନ୍ଧୁକ ଧରି ଜନ୍ତୁ ମାରିବା ଲୋକେ ବଳେ ବଳେ ଛାଡ଼ି ଦିଅନ୍ତେ ନାହିଁ କି !

Image

 

ମାଛ ମାରିବାର ଗୋଟାଏ ସୌଖିନ ଉପାୟ

 

ଆବହମାନ କାଳରୁ ମଣିଷ ମାଛ ଖାଇ ଆସୁଛି । ଅନେକ ପ୍ରକାରର ଜାଲ, ଅନେକ ପ୍ରକାରର ଜନ୍ତା, ବନସିଖଡ଼ା ଇତ୍ୟାଦି ବ୍ୟବହାର କରି ମାଛ ମରାଯାଏ । ସମୁଦ୍ର, ନଦୀ ଓ ପୋଖରୀମାନଙ୍କରେ ବିଭିନ୍ନ ଉପାୟରେ ମାଛ ଧରାଯାଏ । ଆମ ବାପା ମାଛ ମାରିବାରେ ଭାରି ପ୍ରିୟ ଥିଲେ । ତାଙ୍କର ମାଛ ମାରିବାର ଧରଣ ଅଲଗା ପ୍ରକାରର । ତାଙ୍କଠଉଁ ମୁଁ କିଛି କିଛି ଶିଖି ନେଇଛି । ଚାରାକାଠି ପ୍ରଣାଳୀରେ ମାଛ ମାରିବାରେ ସେ ଜଣେ ବିଶେଷଜ୍ଞ ଥିଲେ ବୋଲି କହିଲେ ଚଳେ ।

 

ମୟୂରଭଞ୍ଜ ଆଡ଼େ ରାଜାଙ୍କ ରାଜୁତି ସମୟରେ ବଡ଼ ବଡ଼ ପୋଖରୀ ଥିଲା । ସେଥିରେ ରୋହି, ଭାକୁର, ମିରିକାଳି ଇତ୍ୟାଦି ମାଛ ରହୁଥିଲେ ଓ ଖୁବ ବଡ଼ ବଡ଼ ହୋଇଯାଇଥିଲେ । ତେଣୁ ମାଛ ମାରିବାକୁ ବନସିଖଡ଼ାର ପ୍ରୟୋଗ କରାଯାଉଥିଲା । ଏଇ ଚାରାକାଠି ପ୍ରଣାଳୀରେ ସେହିପରି ଗୋଟାଏ ପୋଖରୀରୁ ବାପା ଥରେ ଗୋଟାଏ ଛତିଶ ସେରିଆ ଭାକୁଡ଼ ବନସିଖଡ଼ାରେ ଲଗାଇଥିଲେ । ତାକୁ ଉପରକୁ ଆଣିବାକୁ ପ୍ରାୟ ଛଅ ଘଣ୍ଟା ଲାଗିଯାଇଥିଲା । ଅବଶ୍ୟ ଏପରି ବଡ଼ ବଡ଼ ମାଛ ଆଜିକାଲି ଆଉ ଦେଖିବାକୁ ମିଳେ ନାହିଁ । ତଥାପି ଥରେ ମୋର ବଡ଼ ଭାଇ ଗୋଟାଏ ରୋହି ଏହି ପ୍ରଣାଳୀରେ ଲଗାଇଥିଲେ । ତା’ର ଓଜନ ସତର ସେର ଥିଲା । ଲାଲ ଟକ ଟକ ହୋଇ ସାଢ଼େ ତିନି ଫୁଟିଆ ରୋହି ବଡ଼ଯାମଦା ବୋଲି ଗୋଟାଏ ଜାଗାରେ ରାଜାଙ୍କର ପୋଖରୀରେ ଥିଲା । ଭାଇ ସେଠାକୁ ଯାଇ ଏ ରୋହି ଧରିଥିଲେ । କଣ୍ଟା ଲାଗିଲା ପରେ ରୋହିଟା ପୋଖରୀର ଏ ମୁଣ୍ଡରୁ ସୂତା ଟାଣି ନେଇ ଗଲା ଯେ ଆର ପାଖ ହୁଡ଼ାକୁ ଡେଇଁ ପଡ଼ିଥିଲା । ପୋଖରୀର ଲମ୍ବା ପ୍ରାୟ ତିନିଶହ ଗଜରୁ ଉପର ହେବ କି ଆହୁରି ବେଶି ହେବ । ଜାଲରେ କ’ଣ ଏହାକୁ ସମ୍ଭାଳି ହୋଇଥାନ୍ତା !

 

ମୁଁ ଯେଉଁ ବର୍ଷ ମେଡ଼ିକାଲ କଲେଜରେ ନାମ ଲେଖାଇ ନ ପାରି ଗାଁରେ ବସି ରହିଲି ସେ ବର୍ଷ ମୋର ଖାସ କାମ ହେଲା ମାଛ ମାରିବା । ସ୍ୱାଧୀନତା ପରେ ମୟୂରଭଞ୍ଜ ରାଜ୍ୟ ଗୋଟାଏ ବର୍ଷ ପାଇଁ ଓଡ଼ିଶା ପ୍ରଦେଶରେ ମିଶି ନଥିଲା । ସେଇଥିପାଇଁ ମୁଁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ନାମ ଲେଖାଇ ପାରିଲି ନାହିଁ ମୟୂରଭଞ୍ଜର ପିଲା ବୋଲି; ଯଦିଓ କଲେଜଟିର ନାମକରଣ ହୋଇଥିଲା ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ । ଏପରିକି କଲିକତାରେ ମଧ୍ୟ ନାମ ଲେଖାଇ ହେଲା ନାହିଁ ସେଇଥିଯୋଗୁ । ନୂଆକରି ସ୍ୱାଧୀନ ତ ହୋଇଥାଉଁ-। ତେଣୁ ଆମ ଲୋକସରକାର ଏପରି ନିର୍ଦ୍ଦେଶ ଦେଇଥିଲେ । ସେ ଯାହାହେଉ ଗୋଟାଏ ବର୍ଷ ମୋର ବେଶ ହସ ଖୁସିରେ ଆମ ଗାଁରେ କଟିଯାଇଥିଲା । ଗ୍ରାମର ଅନେକ କାମ ମଧ୍ୟ ଗା୍ଁ ପିଲାଙ୍କୁ ମତାଇ କରାଇ ପାରିଥିଲି । ରାସ୍ତାଘାଟ ତିଆରି କରାଇ ପାରିଥିଲି ସେ ଭିତରେ । ପୁରୁଣା କୂଅ ଉଝୁଳାଯାଇ ପାରିଥିଲା ।

 

ସେତେବେଳେ ଆମ ଗାଁ ପୋଖରୀରେ ବଡ଼ ବଡ଼ ମାଛ ଥିଲେ । ମାଛ ଧରିବା ପାଇଁ ମୁଁ ପ୍ରାୟ ଅଣ୍ଟାଏ ପାଣିରେ ଭାଡ଼ିଟିଏ ବାନ୍ଧିଥିଲି ଓ ଭାଡ଼ିକୁ ଯିବା ପାଇଁ ଖୁଣ୍ଟ ପୋତି ଆଡ଼ି ପାଖରୁ ଭାଡ଼ି ପର୍ଯ୍ୟନ୍ତ ପ୍ରାୟ ତିରିଶ ଫୁଟ ବାଉଁଶ ବାନ୍ଧି ଦେଇଥିଲି । ଭାଡ଼ିର ଛଅ ସାତ ଫୁଟ ଆଗରେ ପାଣି ବେକେ ପର୍ଯ୍ୟନ୍ତ ହୁଏ । ସେହି ବେଶି ପାଣି ଜାଗାକୁ ବଡ଼ ବଡ଼ ମାଛ ଆସନ୍ତି । ବଡ଼ ମାଛ ଚାରା ଖାଇବାକୁ ଅଳ୍ପ ପାଣିକୁ ଆସନ୍ତି ନାହିଁ । ତେଣୁ ଭାଡ଼ିଟି ପାଣି ଭିତରକୁ କରାଯାଇଥିଲା ଓ ଭାଡ଼ି ଉପରକୁ ଯିବା ପାଇଁ ଏପରି ସୁବିଧା କରାଯାଇଥିଲା ଯେପରି ପାଣି ଲାଗିବ ନାହିଁ ।

 

ମାଛ ଖାଇବା ପାଇଁ ମୁଁ ବାପାଙ୍କଠାରୁ ଶିଖିଥିବା ବିଦ୍ୟା ପ୍ରୟୋଗ କରେ । ସଜ ଭାତରେ ବାଖର (Yeast) ଦେଇ ହାଣ୍ଡିଆ ତିଆରି କରେ । ଦୁଇ ତିନି ଦିନ ପରେ ବାଖରଦିଆ ଭାତ ହାଣ୍ଡିଆରେ ପରିଣତ ହୁଏ । କିଛି କୁଣ୍ଡା ଚଲାଇ ଦେଇ ମୁଲାଏମ କୁଣ୍ଡା ତକ ଭାଜିଦିଆଯାଏ-। ମେଥି କିଛି ଭାଜି ଗୁଣ୍ଡ କରାଯାଏ । ଏ ସବୁ ସରଞ୍ଜାମ କଲା ପରେ କିଛି ସଜ ଭାତକୁ ଚକଟାଯାଏ ଓ ସେଥିରେ କୁଣ୍ଡାଭଜା ମିଶାଯାଏ । ଏହାକୁ ଦଳାଦଳି କରି ମିଶାଇଦେଲା ପରେ କିଛି ହାଣ୍ଡିଆ ସେଥିରେ ମିଶାଯାଏ ଓ ଆଉ କିଛି କୁଣ୍ଡା ଦେଇ ପୁଣି ଦଳାଯାଏ । ମେଥିଗୁଣ୍ଡ ସେଥିରେ ପଡ଼େ । ଏପରି ଚକଟାଚକଟି କରି ସେ ଚାରା ଦଳାଅଟା ଭଳି ଅଠା ଅଠା ହୋଇଯାଏ ଓ ସୁନ୍ଦର ଖୁସ୍‍ବୁ ଉଠେ । ତାକୁ ଗୋଟାଏ ବାଉଁଶ ଭୁଣ୍ଡି ଦେହରେ ଭର୍ତ୍ତି କରାଯାଏ । ସେ ବାଉଁଶ ଭୁଣ୍ଡି ଏପରି ତିଆରି କରାଯାଇଥାଏ ଯେ ଚାରାପଶି ସାରିଲା ପରେ କେବଳ ଗୋଟାଏ ପାଖ ଫାଙ୍କ ରହିଯାଏ ଯେଉଁଆଡ଼ୁ ବଡ଼ ମାଛ ଆସି ଖାଇପାରିବ । ସେ ବାଉଁଶ ଭୁଣ୍ଡି ଭିତରେ ଆଉ ଗୋଟାଏ ବାଉଁଶ ବା ସରୁ କାଠର ଛଡ଼ ପଶେ ଏବଂ ବାଉଁଶ ଭୁଣ୍ଡିର ଉପର ଓ ତଳ ପାଖ ବନ୍ଧାଯାଏ । ଛଡ଼ଟିର ଲମ୍ବ ପ୍ରାୟ ଛଅ ସାତ ଫୁଟ; ଯେପରି କି ବେକେ ପାଣିରେ ପୋତିଲେ ପାଣି ଉପରକୁ ଛଡ଼ଟି ଫୁଟେ କି ଦେଢ଼ଫୁଟ ବାହାରି ରହେ । ଚାରାକାଠିଟି ନେଇ ଭାଡ଼ିଠାରୁ ବନସିଖଡ଼ାର ଲମ୍ବ ମାପର ଠିକ ଆଗରେ ପୋତାଯାଏ । ଭୁଣ୍ଡିରେ ଫାଙ୍କ ରହିଥିବା ପାଖ ବାମ ଆଡ଼କୁ ରଖି କାଠିଟି ମାଟି ତଳେ ପୋତାଯାଏ ଯେପରକି ଚାରା ଭର୍ତ୍ତି ଭୁଣ୍ଡିଟି ପଙ୍କ ମାଟିର ଠିକ ଉପରେ ରହେ । ମାଛ ଆସି ଖାଇଲେ ବାମ ପାଖରୁ କେବଳ ଖାଇପାରିବ ଏବଂ ମାଛ କଣ୍ଟା ମାଟି ଉପରେ ଥିଲେ ମାଛର ମୁହଁ କଣ୍ଟାରେ ଘଷି ହେବ । ଚାରା କାଠିରେ ମାଛ ଧରିବାକୁ ଥିଲେ ବଡ଼ ବଡ଼ କାତଲା କଣ୍ଟା ବ୍ୟବହାର କରାଯାଏ । ସେ କଣ୍ଟାର ଓସାର ପ୍ରାୟ ଏକ ଇଞ୍ଚ ହେବ । ଚାରାକାଠି ପୋତିଲା ବେଳେ ବନସିଖଡ଼ା ପକାଇ ସୋଲ ବା ତେରେଣ୍ଡା ମାପ ଠିକ କରାଯାଏ । ଯେପରିକି କଣ୍ଟା ଠିକ କାଠିର ବାମ ପାଖରେ ପକାଇଲେ କଣ୍ଟା ଦୁଇଟି ଉପର ତଳ ହୋଇ ଚାରା କାଠିରୁ ଖୋଲା ଜାଗା ଆଗରେ ପଡ଼ିରହେ । ବଡ଼ ମାଛ ଖାଇବାକୁ ଆସିଲେ ତା’ ପାଟି, କଣ୍ଟାରେ ବା ସୂତାରେ ଘଷି ହୁଏ-। ଫଳରେ ପାଣି ଉପରେ ଭାସି ରହିଥିବା ତେରେଣ୍ଡା ଉବୁଟୁବୁ ଖାଏ । ଠିକ୍ ଏତିକିବେଳେ ଜୋରରେ ବାମକୁ ଖାଞ୍ଚଟାଏ ମାରିଲେ ମାଛର ତଳ ପାଟିର ତଳକୁ କଣ୍ଟା ଲାଗିଯାଏ । ଏପରି ପ୍ରଣାଳୀରେ ମାଛ ଧରିବାକୁ ଥିଲେ କଣ୍ଟାରେ କୌଣସି ଆଧାର ଗୁନ୍ଥିବା ଦରକାର ପଡ଼େନା । ଚାରା କାଠିରେ କେବଳ ବଡ଼ ବଡ଼ ରୋହି, ଭାକୁଡ଼, ମିରିକାଳି ଇତ୍ୟାଦି ଧରା ପଡ଼ନ୍ତି । ଥୋପ ପକାଇ ମାଛ ଧଇଲେ କେବଳ ରୋହି ମିରିକାଳି ଖଆନ୍ତି । ଭାକୁଡ଼ ମୋଟେ ଖାଆନ୍ତି ନାହିଁ । ମାତ୍ର ଚାରିକାଠିରେ ଭାକୁଡ଼ ଖାଆନ୍ତି ଓ ଧରା ପଡ଼ନ୍ତି ।

 

ଦିନେ ଖୁବ ବର୍ଷା ହେଉଥାଏ । ସେଇ ବର୍ଷାରେ ବର୍ଷାରେ ଚାରିକାଠିଟି ପୋତିଦେଇ ମୁଁ ବସିଗଲି ଭାଡ଼ିରେ । ଚାରାକାଠିଟି ହଲାଇଲେ ଯାଇ କଣ୍ଟା ପକାଇବି । ଘଣ୍ଟାଟେ ଅପେକ୍ଷା କଲା ପରେ ବର୍ଷା ଛାଡ଼ିଗଲା । ମୁଁ ଛତାକୁ ବନ୍ଦକରି ରଖି ଦେଲି । କିଛି ସମୟ ପରେ ଦେଖିଲି ଚାରାକାଠିଟି ହଲିବାକୁ ଆରମ୍ଭ କଲା । ମାଛକୁ ଖାଇବାକୁ କିଛି ସମୟ ଛାଡ଼ିଦେଲି । ତା’ପରେ ଆସ୍ତେ ବାମ ପାଖରେ ବନସିଖଡ଼ାର କଣ୍ଟା ପକାଇଲି । ଆଗରୁ ତ ସୋଲର ମାପ କାଠି କରି ନେଇଥିଲି । ତେଣୁ ଅସୁବିଧା ହେଲାନି । କଣ୍ଟା ଯାଇ ଠିକଣା ଜାଗାରେ ରହିଗଲା । କଣ୍ଟା ପଡ଼ିଲା ପରେ ପରେ ହିଁ ସୋଲ ଆବୁ ଡ଼ୁବୁ ଖାଇଲା । ଆଉ ଅପେକ୍ଷା କରିବାର ନୁହେଁ–ମାଇଲି ଏକ ଖାଞ୍ଚ ବାମକୁ । ମାଛଟେ ମୋ ଡୋରି ଟାଣିନେଲା ଜୋର୍‌ରେ । ମୁଁ ଖବ ଚଞ୍ଚଳ ହୋଇ ପଡ଼ିଲି । ପ୍ରାୟ ପନ୍ଦର ମିନିଟ୍ ମାଛଟି ଖେଳିଲା ପରେ ଥକିଗଲା ଏବଂ ମୋ ଆୟତ୍ତକୁ ଆସିଗଲା । ଉପରକୁ ଉଠାଇ ଆଣିଲି । ୭ । ୮ ସେରିଆ ଭାକୁଡ଼ ମାଛ; ଛଟପଟ ହେଉଥାଏ । ମାଛଟି ଧରି ଘରକୁ ମହା ଆନନ୍ଦରେ ଫେରିଲି । ଫେରି ଦେଖେ ତ ବାପାଙ୍କର ଜଣେ ଡାକ୍ତର ବନ୍ଧୁ ଆସି ଘରେ ପହଞ୍ଚିଛନ୍ତି, ମୋର ଖୁଡ଼ିଙ୍କୁ ଦେଖିବା ପାଇଁ । କିଛି ଦିନ ହେଲା ସେ ଖୁଡ଼ିଙ୍କୁ ଚିକିତ୍ସା କରି ଆସୁଥିଲେ–ଖୁଡ଼ି ଭଲ ଆଡ଼କୁ ଆସୁଥିଲେ । ବାପାଙ୍କ ସାଙ୍ଗ ହୋଇଥିବାରୁ ପଇସା କଉଡ଼ି ନେଉ ନ ଥିଲେ । ତେଣୁ ବାପାଙ୍କର ଆଦେଶ ହେଲା ମାଛଟି ସେଦିନ ସେ ନେବେ । ଅନିଚ୍ଛାସତ୍ତ୍ୱେ ମାଛଟି ଦେଇ ପକାଇଲି-। ଦେବାରେ ତ ଆନନ୍ଦ ।

 

ଯାହା ହେଉ ସେଇ ଯେ ବର୍ଷକ ରହିଲି ଗାଁରେ–ଅନେକ ମାଛ ମୁଁ ଧରିଛି ଏଇ ଚାରିକାଠି ପ୍ରଣାଳୀରେ । ଥରେ ଗୋଟାଏ ରୋହି ମାଛକୁ ରାତିରେ ମୋଟେ ଜଙ୍ଘେ ପାଣିରେ ଧଇଲି–ତେରେଣ୍ଡାରେ ଟର୍ଚ୍ଚ ଆଲୁଅ ପକାଇ । ରୋହିଟି ଦିନବେଳେ ମୋଟେ ଘାଟକୁ ଆସୁନଥିଲା, ତେଣୁ ରାତି ଆଠଟା ପରେ ସବୁ ନିଶ୍ଚଳ ହେଲା ପରେ ଯାଇ ତାକୁ ଧରିପାରିଲି । ତିନି କି ଚାରି ସେର ହେବ ରୋହିଟି ।

 

ପୁରୀରେ ଯେତେବେଳେ ମାମୁଁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଥିଲା ସେତେବେଳେ ପୁରୀ ରାଜାଙ୍କଠାରୁ ଅନୁମତି ନେଇ ମାମୁଁ ଓ ଆମେ ତିନିଭାଇ କଟକରୁ ଗଲୁ ତାପଙ୍ଗ । ତାପଙ୍ଗରେ ପୁରୀ ରାଜାଙ୍କର ଗୋଟାଏ ବଡ଼ ପୋଖରୀ ଥାଏ । ବହୁତ ଭାକୁଡ଼ମାଛ ସେଥିରେ ଥାଆନ୍ତି । ଚାରିକାଠି ପୋତି ଆମେ ପ୍ରତ୍ୟେକେ ତିନି ଚାରୋଟି ଲେଖାଏଁ ଭାକୁଡ଼ ଧଇଲୁ । ସବୁଗୁଡ଼ାକ ପ୍ରାୟ ଆଠ ନଅ ସେରିଆ । ଖୁବ ମଜା ହେଲା ସେ ଥରକ । ଚାରାକାଠିରେ ଆଉ ଗୋଟାଏ ସୁବିଧା ହେଉଛି ବନସି ପକାଇ ବସିବା ଦରକାର ନାହିଁ । ମାଛ ଆସିଗଲେ ଚାରାକାଠିଟି ହଲିବ ଓ ବହୁତ ଦୂରରୁ ଦିଶିଯିବ ମାଛ ଆସିଗଲାଣି ବୋଲି । ଚାରାକାଠି ଉପରେ ଘୁଙ୍ଗୁରଟିଏ ବାନ୍ଧିଥିଲେ ଝଣ ଝଣ ବାଜିବ ମଧ୍ୟ ମାଛ ଆସି ଖାଇଲେ । ମାଛ ଆସିଗଲା ପରେ କଣ୍ଟା ପକାଇ ମାଛ ଧରିବାକୁ ମୋଟେ ପ୍ରାୟ ସମୟ ଲାଗେ ନାହିଁ । ଚାରାକାଠି ହଲିବାର ବାଗରୁ ଜଣାପଡ଼ିଯିବ ଭାକୁଡ଼ କି ରୋହି ବା କେଡ଼େ ବଡ଼ ମାଛ । ସେଇ ଅନୁସାରେ ବନ୍‌ସିଖଡ଼ା ବାଛି ମଧ୍ୟ ପକାଇ ହେବ । ତେଣୁ କିଛି ଅସୁବିଧା ହୁଏ ନାହିଁ ।

 

ଦଶ ପନ୍ଦର ବର୍ଷ ଆଗରୁ କଟକ ସେଣ୍ଟ୍ରାଲ ଫିସରିଜର ବଡ଼ ଅପିସର ଜଣେ ଆମ ବସା ପାଖରେ ଥିଲେ । ସେ ତ କିଲ୍ଲା ପଡ଼ିଆ ଭିତର ସବୁ ପୋଖରୀ ଓ ଗଡ଼ଖାଇ ନେଇଥାଆନ୍ତି ତାଙ୍କର ରିସର୍ଚ୍ଚ ପାଇଁ । କିଲ୍ଲା ଭିତରେ ସେ ଯେଉଁ ମାଟି କୁଜ ଅଛି–ଠିକ୍ ତା’ ତଳେ ଗୋଟାଏ ପୋଖରୀ ଅଛି । ସେଥିରେ ମଧ୍ୟ ସେ ମାଛ ଛାଡ଼ିଲେ ରିସର୍ଚ୍ଚ ପାଇଁ । ମାତ୍ର ମାଛ ଧରି ପାରିଲେ ନାହିଁ; କାରଣ ସେ ପୋଖରୀ ଭିତରେ ବଡ଼ ବଡ଼ ପଥର ଅଛି । ଜାଲ ପକାଇ ମାଛ ଧରିନେବା ପ୍ରାୟ ଅସମ୍ଭବ । କଦବା କିମିତି ସିନା ଗୋଟାଏ ଅଧେ ଘାଟମାନଙ୍କରେ ପଡ଼ିଯାଏ । ମାତ୍ର ସେଥିରେ କି ରିସର୍ଚ୍ଚ ଚଳେ । ତେଣୁ ସେ ଭାଇଙ୍କୁ ଅନୁରୋଧ କଲେ ବନସି ପକାଇ ମାଛ ଧରି ଦେବା ପାଇଁ । ତାହା ହେଲେ ସେ ମାଛ ମଥାର ଗେରୁଟି କାଢ଼ିନେବେ ରିସର୍ଚ୍ଚ ପାଇଁ ଏବଂ ପୁରା ମାଛଟି ଆମକୁ ଦେଇପାରିବେ । ସେ ତ ମାଛ ଖାଆନ୍ତି ନାହିଁ । ଏପରି ବନ୍ଦୋବସ୍ତ ବଡ଼ ସୁବିଧାର କଥା । ରିସର୍ଚ୍ଚ ଚାଲୁଥିବ–ମାଛଧରା ସଉକ ମଧ୍ୟ ଆମର ମେଣ୍ଟୁଥିବ । କେବେ ଭାଇ ଓ ଭାଇଙ୍କର ବେଳ ନ ହେଲେ ମୁଁ ଏଇ ଚାରିକାଠି ପୋତି କେତେ ଯେ ମାଛ ମାରିଛୁ ତା’ର କଳନା ନାହିଁ । ଅନେକ ମାଛ ଧଇଲା ପରେ ମାଛ ସବୁ ସରିଗଲେ । ବଡ଼ ସାହେବ ଆଉ ସେ ପୋଖରୀକୁ ରିସର୍ଚ୍ଚ ପାଇଁ ନେଲେ ନାହିଁ । ସେ ବଦଳି ହୋଇଗଲା ପରେ ଆମେ ବହୁତ ଲଗାଇଲୁ ସେଟା ପୁଣି ରିସର୍ଚ୍ଚ ପାଇଁ ନିଆ ହେଉ ବୋଲି । ମାତ୍ର ଫାଇଲ ପତ୍ର ଲେଖାପଢ଼ା ହୋଇଥିବାରୁ ତା’ ହୋଇ ପାରିଲା ନାହିଁ ।

 

ବର୍ଷା ଦିନ ସାରା ଆମେ ପ୍ରାୟ ଏହିପରି ମାଛ ଧରୁ । ଅନ୍ୟ ଶିକାର ତ ବର୍ଷା ଦିନରେ ହୋଇ ପାରିବ ନାହିଁ । ତେଣୁ ମାଛ ଶିକାର ହିଁ ହୁଏ । ଭାରି ମଜା ଲାଗେ ଏକ ଲୟରେ ବସି ବନସିର ସୋଲକୁ ଅନାଇ ରହି ମାଛର ଖାଇବାକୁ ଅପେକ୍ଷା କରିବାକୁ । ଏ ତ ଗୋଟାଏ ଅଧ୍ୟବସାୟ !

 

ଆଜିକାଲି ମାଛର ଦାମ୍ ବଢ଼ିଗଲା ପରେ ଆଉ ସେପରି ବନ ବଡ଼ ମାଛ ପୋଖରୀମାନଙ୍କରେ ନାହାନ୍ତି । ଯଦି କାହାର କାହାର ଅଛି ସେମାନେ ବହୁତ କୁଣ୍ଠାବୋଧ କରୁଛନ୍ତି ମାଛ ମାରିବାକୁ ଦେବାକୁ । ତେଣୁ ଆମର ମାଛ ମାରିବା ସଉକ ପ୍ରାୟ ମରିଗଲାଣି କହିଲେ ଚଳେ-

Image

 

ବାଲିପଦରର ବାଲିହରିଣ

 

ମୁଁ ଥାଏ ବ୍ରହ୍ମପୁରରେ । ୧୯୭୩ ମସିହାର କଥା । ଦିନେ ଭଞ୍ଜନଗରର ଜଙ୍ଗଲ ଅଧିକାରୀଙ୍କ ସଙ୍ଗେ ଦେଖା ହେଲା । ସେ କଥା ଲହସରେ ବାଲିପଦରର ବାଲିହରିଣ କଥା କହିଲେ ଏବଂ ସେମାନଙ୍କର ଗୋଟାଏ ଗଣନା (Census) କରୁଛନ୍ତି ବୋଲି ମଧ୍ୟ କହିଲେ । ଅନେକ ଦିନରୁ ବାଲିହରିଣ ଦେଖି ନ ଥିଲି । ପଢ଼ିଲା ବେଳେ ପ୍ରାୟ ୧୯୫୨ କି ୧୯୫୩ ମସିହା ହେବ–ଆମେ ଆସିଥାଉ ଛତ୍ରପୁର ପନ୍ଦର ଦିନ ଛୁଟିରେ । ସେତେବେଳେ ଛତ୍ରପୁରର ପୁଲିସ ସାହେବ ରାମଚନ୍ଦ୍ର ଦାଶ ମହୋଦୟ ଥାଆନ୍ତି । ତାଙ୍କ ବସାରେ ଆମେ ରହୁଥାଉଁ । ସେ ଥରେ ବାହାରିଲେ କୋଦଳା ଗସ୍ତରେ । ଆମେ ଗଲୁ ତାଙ୍କ ସଙ୍ଗରେ ବାଲିହରିଣ ମାରିବା ପାଇଁ । ମାମୁଁ ଆଉ ଆମେ ବହୁ ଚେଷ୍ଟା କରି ମଧ୍ୟ ବାଲିହରିଣଟିଏ ମାରି ହେଲାନାହିଁ କାରଣ ବିଲ କାମ କରିବା ପାଇଁ ଲୋକମାନେ ବିଲରେ ଥିଲେ । ରାଇଫଲ ଗୁଳି ମାଇଲେ କାହାକୁ ବାଜିଯିବ ଭୟ । ପରନ୍ତୁ ବାଲିହରିଣମାନେ ବାର ବୋର ବନ୍ଧୁକ ରେଞ୍ଜ୍ ଭିତରକୁ ଆସିଲେ ନାହିଁ । ସେ ଯାହା ହେଉ ମାରି ନ ପାରିଲେ ମଧ୍ୟ ବହୁ ବାଲିହରିଣ ଦେଖାଯାଇଥିଲା । ତା’ପରେ ଆଉ ସୁଯୋଗ ହୋଇନି ଦେଖିବା ପାଇଁ ।

 

ଏଣୁ ଜଙ୍ଗଲ ଅଧିକାରୀ ମିଶ୍ର ବାବୁଙ୍କ ଅନୁରୋଧ କରିଥିଲି ମୋତେ ଥରେ ନେଇ ବାଲିହରିଣ ଦେଖାଇ ଦେବାକୁ । ବାଲିହରିଣ ସେଠାରେ ତ ମାରି ହେବନି କାରଣ ବାଲିପଦରର ଗାଁ ଲୋକେ କାହାକୁ ସେଠାକାର ବାଲିହରିଣମାନଙ୍କୁ ମାରିବାକୁ ଦେଉନାହାନ୍ତି । ତାଙ୍କର ବିଶ୍ୱାସ ଯେ ବାଲିହରିଣ ତାଙ୍କ ଜମିରେ ରହିଲେ ଓ ଫସଲ ଖାଇଲେ ତାଙ୍କର ଫସଲ ଭଲ ହେବ ଓ ମରୁଡ଼ି ଇତ୍ୟାଦି ହେବନାହିଁ । ଆହୁରି ମଧ୍ୟ ସେମାନେ ବିଶ୍ୱାସ କରନ୍ତି ମୃଗୁଣୀ ସ୍ତୁତି କୁଆଡ଼େ ସେଇ ବାଲିପଦରର ଜଙ୍ଗଲରେ ହୋଇଥିଲା । ତେଣୁ ହରିଣମାନଙ୍କୁ ମାରିବାର ନୁହେଁ । କିନ୍ତୁ ଭିତିରିଆ ଖବର ନେବାରେ ଶୁଣାଯାଏ ଯେ କାଲିପଦରର କୋ-ଅପରେଟିଭ ସୋସାଇଟି କୁଆଡ଼େ ବର୍ଷକୁ ବର୍ଷ ବାଲିହରିଣ ମାଂସ ଓ ଛୁଆ ସବୁ ବିକ୍ରି କରି ପ୍ରଚୁର ପଇସା ରୋଜଗାର କରେ । ସେ ଯାହା ହେଉ ନା କାହିଁକି ବାହାରର କେହି ଶିକାରୀ ବାଲିହରିଣ ମାରି ଦେଇ ସେ ଜାଗାରୁ ପଳାଇ ଆସି ପାରିବ ନାହିଁ । ଚାରିପାଖ ଗାଁର ଲୋକେ ତାକୁ ଘେରିଯାଇ ତାଠୁ ଜୋରିମାନା ଆଦାୟ କରନ୍ତି ଓ ବାଲିହରିଣଟି ଦିଅନ୍ତି ନାହିଁ । ଗୋଟାଏ ଭଲ କଥା ହୋଇଯାଇଛି ଏପରି କରିବାଦ୍ୱାରା । ସେଠାରେ ବାଲିହରିଣଙ୍କର ସଂଖ୍ୟା ବଢ଼ିଯାଇଛି ଏବଂ ବାଲିହରିଣମାନେ ନିର୍ଭୟରେ ଚରିବୁଲି ପାରୁଛନ୍ତି–ଦିନବେଳେ ମଧ୍ୟ ପାଖକୁ ଯାଇ ଦେଖି ହେବ । ଫଟୋ ନେଇ ହେବ ।

 

ସେ ଜାଗାରେ ବାଲିହରିଣକୁ କୃଷ୍ଣସାର ମଧ୍ୟ କହନ୍ତି । କାରଣ ଅଣ୍ଡିରା ହରିଣଗୁଡ଼ିକ ଦେଖିବାକୁ କଳା । ମାଈଗୁଡ଼ିକ କିନ୍ତୁ ଦେଖିବାକୁ ମାଟିଆ ରଙ୍ଗର । ଅଣ୍ଡିରାମାନଙ୍କର ଶିଙ୍ଗ ଯୋଡ଼ିକି ମୋଡ଼ି ହେଲାପରି ହୋଇଥାଏ ପ୍ରାୟ ଦେଢ଼ଫୁଟ ପର୍ଯ୍ୟନ୍ତ । ଏମାନେ ଖୋଲା ଜାଗାରେ ପ୍ରାୟ ରହନ୍ତି । ବଣ ଜଙ୍ଗଲ ବା ପାହାଡ଼ରେ ରହନ୍ତି ନାହିଁ । କେବଳ ବିଲମାନଙ୍କରେ ରହନ୍ତି, ବିଲରୁ ଫସଲ ସମୟରେ ଫସଲ ଖାଆନ୍ତି ଏବଂ ଆଡ଼ିମାନଙ୍କରୁ କଅଁଳିଆ ଘାସ ଖାଇଯାନ୍ତି । ଧୂମ ଖରାରେ ଏମାନେ ଆମ୍ବତୋଟା ବା ଆଡ଼ିମାନଙ୍କରେ ଥିବା ବାବଲା ଗଛ ଛାଇରେ କଟାନ୍ତି ବା ଅମରି ବଣରେ ପଶିଯାଆନ୍ତି । ଅନ୍ୟ ସମୟରେ ବିଲକୁ ବିଲ ଡେଇଁ ବୁଲନ୍ତି ଓ ବିଲ ପାଖାପାଖି ଥିବା ପୋଖରୀ ବା ନାଳମାନଙ୍କରେ ପାଣି ପିଅନ୍ତି । ଚାଷୀ ମୂଲିଆ ଲୋକଙ୍କୁ (ମଇଳା ଲୁଗା ଆଣ୍ଠୁ ଉପରକୁ ଥାଇ ବା ପଗଡ଼ି ପିନ୍ଧିଥିଲେ) ହରିଣମାନେ ଡରନ୍ତି ନାହିଁ । ଏଭଳି ବେଶରେ ଗଲେ ହରିଣମାନଙ୍କର ଖୁବ୍ ପାଖକୁ ଚାଲିଯାଇହେବ । ଏପରିକି ତିରିଶ ଚାଳିଶ ଫୁଟ ପାଖକୁ ଚାଲିଯାଇ ହେବ । ଧୋବ ଧାଉଳିଆ ବାବୁ ସାଜି ଧପାସିଗଲେ କିନ୍ତୁ ଏମାନେ ପାଖରେ ରହନ୍ତି ନାହିଁ । ହୁରୁଡ଼ି ଚାଲିଯାଆନ୍ତି । ଡରିଗଲେ ମାଈମାନେ ଆଗ ଚାଲିବା ଆରମ୍ଭ କରନ୍ତି । ତା’ପରେ ଅଣ୍ଡିରାମାନେ ମଧ୍ୟ ଦୌଡ଼ି ଯାଆନ୍ତି । ଗୋଟାଏ ଗୋଟାଏ ଦଳରେ ପ୍ରାୟ ଚାରିପାଞ୍ଚଟା ମାଈ ଓ ଗୋଟାଏ ଲେଖାଏ ଅଣ୍ଡିରା ରହନ୍ତି । ଏମାନେ ବାଲିପଦର ଖଲିକୋଟ ଜମିଦାରୀର ଗୋଟାଏ ଅଂଶ ଥିଲା ।

 

ଆସ୍କାରୁ ବାଲିପଦର ରାସ୍ତାରେ ଗଲେ ଡାହାଣକୁ ବାଘୁ ନଦୀ ପଡ଼େ ଓ ବାମରେ ବଡ଼ ନଦୀ ପଡ଼େ । ବାଲିହରିଣମାନେ ଏ ଦୁଇ ନଦୀର ମଝିରେ ପ୍ରାୟ ରହନ୍ତି । ଏ ବର୍ଷ ସେନ୍‌ସସ୍‌ କରାଯାଇଥିଲା । ସେଥିରୁ ଜଣାପଡ଼ିବାର ଶୁଣାଯାଏ ଯେ, ସେ ଜାଗାରେ ଅନ୍ୟୁନ ଶହେ ଦୁଇଟା ଅଣ୍ଡିରା, ତିନିଶହ ଦୁଇଟା ମାଇ ଏବଂ ଅଣସ୍ତରୀଟି ଛୁଆ ରହିଛନ୍ତି ।

 

ଦିନେ ସକାଳୁ ମୁଁ ଜଳଖିଆ ଖାଇ ସାରି ବସିଛି । ହଠାତ୍ ବ୍ରହ୍ମପୁରର କଞ୍ଜରଭେଟର ସାହେବଙ୍କ ଗାଡ଼ି ଆସି ପହଞ୍ଚିଲା । ଗାଡ଼ିରେ ନିଜେ କଞ୍ଜରଭେଟର ସାହେବ ବସିଥିଲେ ଏବଂ ଏଠାରେ ଆଫରେଷ୍ଟେସନ ଜଙ୍ଗଲ ଅଧିକାରୀ ମଧ୍ୟ ଥିଲେ । ତାଙ୍କ ସଙ୍ଗରେ ସାରା ଓଡ଼ିଶାର ବନ୍ୟଜନ୍ତୁମାନଙ୍କର ମାଲିକ ଏବଂ କଞ୍ଜରଭେଟର ଓ ତାଙ୍କ ପୁଅ ମଧ୍ୟ ଥିଲେ । ସେମାନେ ସମସ୍ତେ ବାହାରିଛନ୍ତି ବାଲିହରିଣ ଦେଖିବାକୁ ଓ ଫଟୋ ନେବାକୁ । ମୁଁ ମହା ଆନନ୍ଦରେ ବାହାରି ପଡ଼ିଲି । ଆସ୍କା ରୋଡ଼ରୁ ଭଞ୍ଜନଗର ଜଙ୍ଗଲ ଅଧିକାରୀ ଆମ ସାଙ୍ଗରେ ଆସିଲେ । ତାଙ୍କର ଜିପ୍ ଗାଡ଼ି ଆମ ପଛେ ପଛେ ଆସିଲା ।

 

ପ୍ରଥମେ ଆମେ ଗଲୁ ଆସ୍କା । ସେଠାରେ ଚିନି କାରଖାନାର ଗେଷ୍ଟ ହାଉସରେ କିଛି ଜଳଯୋଗ କଲା ପରେ ପ୍ରାୟ ସାଢ଼େ ଦଶଟା ସରିକି ଆକେ ବାହାରି ପଡ଼ିଲୁ ବୁଗୁଡ଼ା ରାସ୍ତାରେ ବାଲିପଦର ଆଡ଼କୁ । ମଇ ମାସର ଖରା ଖୁବ୍ ଟାଣୁଆ ହୋଇଥାଏ । ବାଲିପଦର ପହଞ୍ଚିବା ଆଗରୁ ବାମ ପାଖରେ ବିଲମାନଙ୍କରେ ଗୋଟାଏ ଅଣ୍ଡିରା ହରିଣକୁ ଦେଖିଲୁ । ସେଉଟା ଗୋଟାଏ ବାବଲା ଗଛ ଛାଇରେ ରାସ୍ତାର ପ୍ରାୟ ତିନି ଶହ ଗଜ ଦୂରରେ ଶୋଇଥିଲା । ତା’ର ଗୋଟାଏ ବୋଲି ଶିଙ୍ଗ । ଆଉ ଶିଙ୍ଗଟି ଭାଙ୍ଗିଯାଇଛି । ତାକୁ ପରା କଞ୍ଜରଭେଟର ସାହେବ ସେଇ ଜାଗାରେ ଅନେକ ଥର ଦେଖିଛନ୍ତି । ଯାହା ହେଉ କଞ୍ଜରଭେଟର ସାହେବଙ୍କ ଲାଇକା କେମେରା ନେଇ ମୁଁ ବାହାରି ପଡ଼ିଲି ତା’ର ଫଟୋ ନେବାକୁ । ଛପି ଛପି ଯାଇ ହରିଣର ପ୍ରାୟ କୋଡ଼ିଏ ଗଜ ପାଖ ହୋଇଗଲି ଓ ତିନି ଚାରୋଟି ଫଟୋ ମଧ୍ୟ ନେଲି । ହରିଣଟି ଚାଲି ଚାଲି ଆଗକୁ ଆଗକୁ ଯାଉଥାଏ-। କଟକ କଞ୍ଜରଭେଟରଙ୍କର ଛୋଟ ପୁଅ ମଧ୍ୟ ଫଟୋ ନେବାରେ ବ୍ୟସ୍ତ । ମାତ୍ର ତାକୁ ଜଣା ନ ଥାଏ ଯେ ଦୌଡ଼ି ଦୌଡ଼ି କଲେ ହରିଣ ହୁରୁଡ଼ିଯିବ ଓ ଦୂରକୁ ପଳାଇବ । ସେ ବ୍ୟସ୍ତ ହୋଇଯାଉଥାଏ କିପରି ତା’ର ରିପ୍ଲେକ୍‌ସ କେମେରାରେ ଫଟୋ ନେବ ବୋଲି । ବ୍ୟସ୍ତ ହୋଇ ଏପାଖ ସେପାଖ ହେଲାରୁ ହରିଣ ହୁରୁଡ଼ି ଯାଇ ପଳାଇ ଯାଉଛି । ପଳାଇ ଗଲେ ସେ ପୁଣି ପଛରେ ଦୌଡ଼ି ଯାଉଥାଏ ଓ ହରିଣଟି ଡିଆଁ ମାରି ପଳାଇଯାଉଥାଏ । ଯେତେ ମନା କଲେ ମଧ୍ୟ ମାନିଲା ନାହିଁ । ଶେଷରେ ଖରା ଟାଣ ହେଲା । ପଳାଇ ଆସିଲୁଁ ।

 

ଆଗେଇ ଚାଲିଲୁ ବାଲିପଦର । ବାଲିପଦରର ଫରେଷ୍ଟର ବାବୁ ଆମ ସାଙ୍ଗରେ ଗଲେ ଓ ଆମକୁ ବେଲଗୁଣ୍ଡା ରାସ୍ତାରେ ନେଇଗଲେ । କିଛି ବାଟ ଗଲା ପରେ ପୁଣି ଗହଙ୍ଗ ରାସ୍ତାରେ ଗଲୁ ଗୋଟାଏ ବଡ଼ ପୋଖରୀ ପାଖକୁ । ନଦୀ ପାଖରେ ପହଞ୍ଚିବାକୁ ପ୍ରାୟ ମାଇଲିଏ ଥାଏ–ଗହଙ୍ଗ ଗାଁ ଦିଶୁଥାଏ–ଏପରି ଜାଗାରେ ବାଁ ପାଖ ଅନତି ଦୂରରେ ତିନି ଚାରି ଦଳ ହରିଣ ଦେଖାଗଲେ । ବିଲ ମଝିରେ ଚରିବୁଲୁଥାନ୍ତି । ପ୍ରତ୍ୟେକ ଦଳରେ ଗୋଟାଏ ଲେଖାଁଏ ଅଣ୍ଡିରା ଓ ଚାରି ପାଞ୍ଚଟି ମାଇ ହରିଣ ଥାଆନ୍ତି । କଟକ କଞ୍ଜରଭେଟରଙ୍କ ପୁଅ, କୁହାଯାଉ ବାବୁଲି, ଆଗ କେମେରା ନେଇ ପୁଣି ଦୌଡ଼ିଲା ହରିଣମାନଙ୍କ ପଛରେ । ପାଖରେ ଯେଉଁ ଦଳଟି ଥିଲା ସେଥିରେ ପାଞ୍ଚଟି ମାଇ ଓ ଗୋଟାଏ ଅଣ୍ଡିରା–ପ୍ରାୟ ଚାରିଶହ ଗଜ ଦୂରରେ ସେମାନେ ଥିଲେ । ବାବୁଲି ଆସୁଥିବାର ଦେଖି ନଦୀ ଆଡ଼କୁ ଦୌଡ଼ିଲେ । ଫଳରେ ବାବୁଲି ଭଲ ଫଟୋ ନେଇ ପାରିଲା ନାହିଁ କି ମୁଁ ମଧ୍ୟ ନେଇ ପାରିଲି ନାହିଁ । ମୁଁ ତ ବ୍ରହ୍ମପୁର କଞ୍ଜରଭେଟରଙ୍କ ଲାଇକାଟି ଧରିଥିଲି–ଦାମିକା କେମେରା, ତେଣୁ ଅତି ସାବଧାନତାର ସହ ଧରିଥିଲି । ୟା ମଧ୍ୟରେ କଞ୍ଜରଭେଟର ସାହେବ ଗୋଟାଏ ଟେଲିଫଟୋ ଲେନ୍‌ସ ମଧ୍ୟ ଯୋଡ଼ି ପକାଇଥିଲେ ଦୂରରୁ ଫଟୋ ନେବାକୁ ସୁବିଧା ହେବ ବୋଲି । ତେଣୁ ଫଟୋ ନିଶ୍ଚୟ ନେବାକୁ ହେବ । ଯାହା ହେଉ ଆଉ ଗୋଟାଏ ଦଳ ହରିଣ ଦେଖିଲୁ ପାଖରେ ।

 

ସେ ଦଳ ପାଖକୁ ଚାଲିଲୁ । ଆଗ ଆଗ ବାବୁଲି ଓ ପଛରେ ମୁଁ ‘‘ବାବୁଲି, ବାବୁଲି–ରହ ରହ’’ ବୋଲି ରଡ଼ି ଛାଡ଼ିଥାଏ । ହରିଣମାନେ ପ୍ରାୟ ଶହେଗଜ କି ଦେଢ଼ଶହ ଗଜ ଦୂରରେ ଆମ ଆଡ଼କୁ ଅନାଇ ରହିଥାଆନ୍ତି । ଦୁମଦୁମିଆ ଖରା–ମୁଣ୍ଡ ଫାଟି ଯିବ ପରା ! ଏଣେ ଜଣେ ଫରେଷ୍ଟ ଗାର୍ଡ଼ ମୋ ପଛରେ ଦୌଡ଼ୁଛି–ତା’ ହାତରେ ଗୋଟେ ପଇଡ଼ । ହରିଣଙ୍କ ପଛରେ ବାବୁଲି, ବାବୁଲି ପଛରେ ମୁଁ ଓ ମୋ ପଛରେ ପଇଡ଼ ଧରି ଗାର୍ଡ଼–ଏଥିରେ ବା ହରିଣମାନେ କେତେ ସମ୍ଭାଳନ୍ତେ ! ମୋତେ ବାଧ୍ୟ ହୋଇ ପଇଡ଼ ପିଇବାକୁ ହିଁ ପଡ଼ିବ । ଯେତେ ମନାକଲେ ବି ସେ ଦୌଡ଼ିଛି ମୋ ପଛରେ । ବଡ଼ ସାହେବଙ୍କ ଆଦେଶ ସେ ବା କିପରି ଅମାନ୍ୟ କରନ୍ତା । ଅନିଚ୍ଛାସତ୍ତ୍ୱେ ଛିଡ଼ା ହେଇ ପଇଡ଼ ପିଇଲି । ଇତ୍ୟବସରରେ ବାବୁଲି ଦୌଡ଼ି ଦୌଡ଼ି କରି ହରିଣ ଦଳଟିକୁ ବେଶ୍ ତରକା କରି ଦୌଡ଼ାଇ ଦେଇ ସାରିଲାଣି । ତେଣୁ ସେ ଦଳର ଆଶା ମଧ୍ୟ ଛାଡ଼ିଲି ।

 

ଖୁବ୍ ଦୂରରେ ଆଉ ପାଞ୍ଚ ଦଶଟା ହରିଣ ଦିଶିଗଲେ । ଏତିକିବେଳେ ବାଲିପଦରର ଫରେଷ୍ଟର ନିଜେ ବାଧ୍ୟ ହୋଇ ଦୂର ହରିଣଗୁଡ଼ିକ ଆର ପଟକୁ ଯାଇ ମୋ ଆଡ଼କୁ ଆଡ଼େଇ ଆଣିବାର ଚେଷ୍ଟା କରିବେ ବୋଲି କହିଲେ । ମୁଁ ହଁ କହିଲାରୁ ସେ ନଇଁ ନଇଁ ଘାସ ଟୁଙ୍କୁ ଟୁଙ୍କୁ ହରିଣଗୁଡ଼ାକୁ ଆରପଟକୁ ଯାଇ ମୋ ଆଡ଼କୁ ତଡ଼ି ଆଣିବାରେ ବ୍ୟସ୍ତ ରହିଲେ । ବିଲ କାମ କରୁଥିବା ମୁଲିଆଙ୍କ ଭଳି ନଇଁ ନଇଁ ଘାସ ଟୁଙ୍କିଲେ ହରିଣମାନେ ଡରନ୍ତି ନାହିଁ । ଆସ୍ତେ ଆସ୍ତେ ହରିଣମାନେ ମୋ ଆଡ଼କୁ ଆସିବାକୁ ଲାଗିଲେ । ମୁଁ ମଧ୍ୟ ଛପି ଛପି ପାଖକୁ ପାଖକୁ ଗଲି । ଗୋଟାଏ ଗଛ ଆଢ଼ୁଆଳରେ ଛପି ରହିଲି, ସେମାନେ ମୋ ଆଡ଼କୁ ଆସିଯିବେ ବୋଲି । ବାବୁଲି ସେତେବେଳକୁ ଫେରିଗଲାଣି । ମୁଁ ଏକୁଟିଆ ଉଦୁଉଦିଆ ଖରାରେ–ଅନ୍ୟ ସମସ୍ତେ ସଡ଼କ ଉପରେ ବଡ଼ ଗଛ ଛାଇରେ । ଫରେଷ୍ଟର ବାବୁ ହରିଣମାନଙ୍କୁ ନେଇ ଆସିଲେଣି ମୋର ପ୍ରାୟ ଅଶୀଗଜ ପାଖକୁ । ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଆଉ ପାଖକୁ ଆସିଲେ ନାହିଁ । ଏତେ ଦୂରରୁ ଫଟୋ ଭଲ ହେବ ନାହିଁ । ତଥାପି ବାଧ୍ୟ ହୋଇ ପାଞ୍ଚ ଦଶଟି ଫଟୋ ଉଠାଇ ନେଲି । ଅଣ୍ଡିରା ହରିଣଟିଏ ମଧ୍ୟ ଥିଲା । ତା’ର ଫଟୋ ଅଲଗା କରି ଉଠାଇ ନେଲି । ଫରେଷ୍ଟର ବାବୁ ମୋ ପାଖକୁ ଆସିଗଲେ । ମୁଁ ଫଟୋ ନେଇ ପାରିଛି ଶୁଣି ସା ଖୁବ୍‍ ଆଶ୍ୱସ୍ତ ହେବାର ଜଣାପଡ଼ିଲା । ଆମେ ଗାଡ଼ି ପାଖକୁ ଫେରିଲୁ । ଫେରିଲାବେଳେ ଫରେଷ୍ଟର ବାବୁ କହିଲେ ବଡ଼ିଭୋରରୁ ଦିନେ ଆସିଲେ ହରିଣମାନଙ୍କ ପାଖକୁ ଯାଇ ହେବ ଓ ଖୁବ୍ କତିରୁ ଫଟୋ ନେଇ ହେବ । ମୁଁ ଥରେ ଖୁବ୍ ଭୋରରୁ ଆସିବି ବୋଲି ତାଙ୍କୁ କହିଲି ।

 

ଗାଡ଼ି ପାଖରେ ଅନ୍ୟମାନେ ସମସ୍ତେ ବ୍ୟସ୍ତ ହେଲେଣି । ଖରା, ପୁଣି ତା’ ଉପରେ ଭୋକ । ବାବୁଲିକୁ ମଧ୍ୟ ଭୋକ ହେଲାଣି । ଯାହା ହେଉ ସଙ୍ଗେ ସଙ୍ଗେ ଗାଡ଼ିରେ ବସି ଫେରିଲୁ । ଆଉ ବାଟରେ ନ ରହି ସିଧା ଆସିଲୁ ଆସ୍କା । ସେଠାରେ ଗୋଟାଏ କୋକାକୋଲା, ବଙ୍ଗଳାରେ ଥିବା ଗାର୍ଡ଼ ଆମକୁ ଧରାଇଦେଲା–ଆାତ୍ମାର ତୃପ୍ତି ପାଇଁ । ମନେ ମନେ ଗାର୍ଡ଼କୁ ଖୁବ୍‌ ପ୍ରଶଂସା କଲି-। ବ୍ରହ୍ମପୁର ଫେରି ଆସିଲୁ ବାଟସାରା ସେଇ କଥା, ଫଟୋ କିପରି ଉଠିଛି ।

 

ବ୍ରହ୍ମପୁର ଫେରି କଞ୍ଜରଭେଟର ସାହେବଙ୍କୁ ଅନୁରୋଧ କଲି ଫଟୋ ଧୂଆ ହେଲେ କିପରି ହୋଇଛି କହିବା ପାଇଁ । ଘରକୁ ଫେରୁ ଫେରୁ ତିନିଟା ହେଲାଣି । ପରେ ଶୁଣିଲି ଫଟୋଗୁଡ଼ାକ ସବୁ ଖରାପ ହୋଇଯାଇଛି । ମନ ଭାରି ଖରାପ ହେଲା । ଜନ୍ତୁ ମାରିବାରେ ଯେତେ ଆନନ୍ଦ ହୁଏ ତା’ଠାରୁ ବେଶି ଆନନ୍ଦ ହୁ, ଭଲ ଫଟୋଟିଏ ନେଇପାରିଲେ । ଖୁବ୍ ଛପି ଛପି ଶିକାର କଲା ଭଳି ଜନ୍ତୁ ପାଖକୁ ଯିବାକୁ ହୁଏ ଓ ଫଟୋ ଉଠାଇବାକୁ ପଡ଼େ । ଏତେ ପରିଶ୍ରମ ପରେ ଯଦି ଫଟୋଟି ଭଲ ନ ହେଲା ମନ ଅତ୍ୟନ୍ତ ଖରାପ ହୋଇଯାଏ । ମୋର ଠିକ୍ ସେଇଆ ହେଲା । ଜନ୍ତୁ ମାରିବାକୁ ଯାଇ ମାରି ନ ପାରିଲେ ଏତେ ଦୁଃଖ କେବେ ହୋଇନାହିଁ ।

 

ଏହାର ବହୁତ ଦିନ ପରେ ଗୋଟେ ଯୋଡ଼େ ଫଟୋ କଞ୍ଜରଭେଟର ସାହେବଙ୍କ ପାଖରୁ ଆଣିଲେ ଏ ବହିରେ ଛାପିବି ବୋଲି । ଖୁବ୍ ଦୂରରୁ ଏଗୁଡ଼ାକ ନିଆଯାଇଛି ଯେ ଜନ୍ତୁଗୁଡ଼ାକ ବହୁତ ଛୋଟ ଛୋଟ ଦିଶୁଛନ୍ତି ।

Image

 

ଚିଲିକାର ବତକମାନେ

 

ପିଲାବେଳୁ ଅନେକ ଥର ଟ୍ରେନରେ ଚିଲିକା ଦେଇ ଯା’ଆସ କରିଛି । ସବୁବେଳେ ଚିଲିକାର ଅପରୁପ ସୌନ୍ଦର୍ଯ୍ୟ ଦେଖି ଦେଖି ଆତ୍ମହରା ହୁଏ । ବିଶେଷତଃ ଶୀତଦିନରେ ଟ୍ରେନରେ ଗଲେ କେତେ ଯେ ହଂସରାଳି ବସିଥାନ୍ତି ଚିଲିକା କୁଳରେ ତା’ର ଇୟତ୍ତା ନ ଥାଏ ।

 

ଆମେ ଥରେ ବିଚାର କଲୁ ଚିଲିକା ଯିବା ବତକ ମାରିବା ପାଇଁ । ସେହି ଅନୁସାରେ ଆମେ ଚାରି ପାଞ୍ଚଜଣ ବନ୍ଧୁ ରାତିରେ ଖାଇସାରି କଟକରୁ ମଟରଗାଡ଼ି ନେଇ ବାହାରିଲୁ କାଳୁପଡ଼ାଘାଟ । ପୂର୍ଣ୍ଣ ମଧ୍ୟ ସାଙ୍ଗ ହେଲା । ଆମେ ବାହାରିଲୁ । କାଳୁପଡ଼ାଘାଟ ଷ୍ଟେସନରେ ଗାଡ଼ି ରହିଲା । ସେତେବେଳକୁ ରାତି ପ୍ରାୟ ସାଢ଼େ ତିନିଟା ହେବ । ସେଠାରୁ କାଳୁପଡ଼ାଘାଟ ଗାଁ ପ୍ରାୟ ତିନି ଚାରି ମାଇଲ ହେବ । ଆମେ ଟ୍ରେନ ଲାଇନ କଡ଼ରେ କଡ଼ରେ ଚାଲି ଚାଲି କାଳୁପଡ଼ା ଗାଁକୁ ଗଲୁ । ସେଠାରେ ପହଞ୍ଚୁ ପହଞ୍ଚୁ ପ୍ରାୟ ଭୋର ହୋଇଆସଲାଣି । ସୂର୍ଯ୍ୟ ଉଦୟ ହୋଇନଥାନ୍ତି । ଆମକୁ ସୂର୍ଯ୍ୟ ଉଦୟ ହେବା ଆଗରୁ ଚିଲିକା ଭିତରକୁ ପଶିବାକୁ ହେବ । ଶୀତ ଛାଡ଼ି ଛାଡ଼ି ଆସିଲାଣି । ଫେବୃଆରୀ ଶେଷ ହେବ ସେତେବେଳକୁ । ୧୯୬୪ କି ୧୯୬୫ ମସିହାର କଥା ।

 

ତରତରରେ ଜଣେ ହୁଲିଡ଼ଙ୍ଗାବାଲାକୁ ଡାକି ତା’ ଡଙ୍ଗାରେ ବସି ଖାଇବାର ଜିନିଷପତ୍ର ଧରି ପିଇବା ପାଣି ସଙ୍ଗରେ ନେଇ ବାହାରିପଡ଼ିଲୁ ଚିଲିକା ଭିତରକୁ । ଆମ ସାଙ୍ଗରେ ଥାଏ ତିନୋଟି ବାରବୋର୍ ଦୁଇନଳିଆ ବନ୍ଧୁକ ଓ ଗୋଟାଏ .୨୨ ରାଇଫଲ । ମୁଁ ଧରିଥାଏ ବାରବୋର ଦୁଇ ନଳିଆଟାଏ ଓ ପୂର୍ଣ୍ଣ ଧରିଥାଏ ୨୨ ରାଇଫଲ । ଅନ୍ୟ ଦୁଇଟି ବନ୍ଧୁମାନଙ୍କ ପାଖରେ ଥାଏ ।

 

ଡଙ୍ଗାରେ ବସିଗଲୁ ଡଙ୍ଗାବାଲା ଦୁଇ ଜଣ କାତ ଓ ଆହୁଲା ମାରି ମାରି ଗାଁ ପାଖରୁ ଚିଲିକା ଭିତରକୁ ନେଇଗଲେ । ଚିଲିକା ଭିତରେ ସୁର୍ଯ୍ୟ ଉଦୟ ଦେଖିବା ଓ ତା’ର ସୌନ୍ଦର୍ଯ୍ୟ ଉପଭୋଗ କରିବା ହିଁ ବଡ଼ କଥା । ଏଡ଼େ ସୁନ୍ଦର ପରିବେଶ ହୋଇଯାଏ ଯେ ମନରେ ଖୁବ୍ ଆନନ୍ଦ ଆସେ । ମାତ୍ର ଆମର ହିଂସ୍ର ପ୍ରକୃତି ସେତେବେଳେ ଖାଲି ବାରବୋର୍ ଓ ବତକ କଥା ଭାବିବାରେ ଲାଗିଗଲା । ତେଣୁ ଆମେ ବତକ କେଉଁଠି ପାଇବା ସେ ଆଶାରେ ଚିଲିକାର ନଳବଣ ଆଡ଼କୁ ବାହାରିଗଲୁ ।

 

ଚିଲିକା ଗୋଟାଏ ପ୍ରାକୃତିକ ହ୍ରଦ । ସମୁଦ୍ର ସଙ୍ଗେ ସଂଯୋଗ ଅଛି ପୂର୍ବ ପାଖରେ । ପଶ୍ଚିମ ପାଖରୁ ମଲାଗୁଣି ନଦୀ ଓ ଆଉରି ଅନେକ ଛୋଟ ବଡ଼ ନଈ ନାଳ ଚିଲିକାରେ ପଡ଼ି ତା’ର ପାଣି କିଞ୍ଚିତ ମଧୁର କରିଥାନ୍ତି । ପୂର୍ବ ପଟରୁ ସମୁଦ୍ର ଜୁଆର ବେଳେ ପାଣି ପଶି ଆସେ । ଏଇ ଲୁଣି ଓ ମଧୁର ପାଣିର ସମିଶ୍ରଣରେ ଚିଲିକା ଗଢ଼ି ଉଠିଛି । ତେଣୁ ଚିଲିକାରେ ଅନେକ କିସମର ମାଛ ମଧ୍ୟ ବଢ଼ନ୍ତି । ଖଇଙ୍ଗାରୁ ଆରମ୍ଭ କରି ଚିଙ୍ଗୁଡ଼ି, ବାଗଦା ଚିଙ୍ଗୁଡ଼ି ଓ କଙ୍କଡ଼ା ପ୍ରଭୃତି ଚିଲିକାରେ ପ୍ରଚୁର ଭାବରେ ବଢ଼ନ୍ତି । ବର୍ଷସାରା ଅନେକ ବତକ ଓ ପକ୍ଷୀମାନେ ମଧ୍ୟ ରହନ୍ତି । ଶୀତଦିନରେ ଉତ୍ତରଆଡ଼ୁ ଆସୁଥିବା ନାନା ଜାତିର ବତକ ଏବଂ ହଂସ ଦଳ ଦଳହୋଇ ଚିଲିକାରେ ପଡ଼ନ୍ତି । ଏତେ ବତକ ଆସନ୍ତି ଯେ ଚିଲିକା ସାରା ଏମାନେ ଭର୍ତ୍ତି ହୋଇଯାଆନ୍ତି । ଖରାଦିନ ଆସିବାର ଉପକ୍ରମ ହେଲେ ଉତ୍ତର ଆଡ଼ୁ ଆସିଥିବା ନାନା ଜାତିର ବତକ ପୁଣି ସେ ଆଡ଼କୁ ଉଡ଼ିଯାଆନ୍ତି । କେସର-ପାଣ୍ଡିଆ, ବଡ଼ ବଡ଼ ହଂସ ଓ ଆହୁରି କେତେ ପ୍ରକାର ବତକ ଯେ ଆସନ୍ତି ତାହା କେବଳ ସାଲିମ ଆଲିଙ୍କ ଭଳି ପକ୍ଷୀ ବିଶାରଦ ହେଲେ କହିପାରିବା ସହଜ ।

 

ଉତ୍ତରରେ ଚିଲିକା ପୁରୀ ପାଖକୁ ଲାଗି ଆସିଛି ଦକ୍ଷିଣରେ ରମ୍ଭା ଯାକେ । ପ୍ରାୟ ଶହେ ମାଇଲ ଲମ୍ବା ଓ ଠାଏ ଠାଏ ପ୍ରାୟ କୋଡ଼ିଏ କି ତିରିଶ ମାଇଲ ଓସାର । ଚିଲିକା ଓ ସମୁଦ୍ର ମଧ୍ୟରେ ଯେଉଁ ସ୍ଥଳଭାଗ ଲମ୍ବା ହୋଇ ରହିଛି ସେଠାରେ ନାନା ଜାତିର ଜନ୍ତୁ ମଧ୍ୟ ରହନ୍ତି । ବିଶେଷତଃ ବାଲିହରଣ ଓ ଜଙ୍ଗଲି ଗୋରୁ ଗାଈ ।ଏଇ ଜଙ୍ଗଲ ଗୋରୁ ଠିକ ଆମ ପୋଷା ଗୋରୁ ଗାଈଙ୍କ ଭଳି । ମାତ୍ର ଧରା ଦିଅନ୍ତି ନାହିଁ ଏବଂ ଜବରଦସ୍ତି ଧରି ଆଣି ବାନ୍ଧି ରଖିଲେ ମରି ଯାଆନ୍ତି । ଅନେକ ଠେକୁଆ ମଧ୍ୟ ସେଠାରେ ଅଛନ୍ତି । କିନ୍ତୁ ସେଠାକୁ ଯାଇ ଶିକାର କରିବା ମନା । ଅନେକ ଥର ମୋର ଜଣେ ବନ୍ଧୁ ସେଠାକୁ ଯିବାକୁ ଡାକିଛନ୍ତି ମାତ୍ର ସମୟ ଅଭାବରୁ ଯାଇପାରେ ନାହିଁ । ଚିଲିକାର କୂଳଜାଗାମାନ ଅଧିକାଂଶ ଜାଗାରେ ନଦୀନାଳମାନଙ୍କରୁ ପଟୁମାଟି ଆସି ପ୍ରାୟ ପୋତି ହୋଇଗଲାଣି । କ୍ରମେ କ୍ରମେ ମାଇଲ ମାଇଲ ଧରି ଏହିପରି ଉଚ୍ଚା ହୋଇଯାଇ ପାଣି ମୋଟେ ଆଣ୍ଠୁଏ କି ଜଙ୍ଘେ ହୋଇଥାଏ । ଏହିସବୁ ଜାଗାମାନ ନଳ ବଣରେ ଭର୍ତ୍ତି । ନଳ ବଣ ଭିତରେ ଭିତରେ ହଂସ ଓ ବତକମାନେ ପ୍ରଚୁର ଖାଦ୍ୟ ପାଆନ୍ତି ଚରି ବୁଲିବା ପାଇଁ । ସେଥିପାଇଁ ବହୁ ବତକ ଏଇ ନଳବଣମାନଙ୍କରେ ଥାଆନ୍ତି । କାଳୁପଡ଼ା ପାଖାପାଖି ଏହିପରି ନଳ ବଣ ଲାଗି ରହିଛି । ଭୋର ଭୋର ଆମେ ଯାଇ ନଳ ବଣରେ ପହଞ୍ଚିଗଲୁ । ଯେତେ ଛପି ଛପି ଧୀରେ ଧୀରେ ବତକମାନଙ୍କ ପାଖକୁ ଗଲେ ବି ସେମାନେ ବାରବୋର୍‌ର ଘେର (range) ମଧ୍ୟରେ ରହୁ ନଥାନ୍ତି-। ଯଦିଓ ପୂର୍ଣ୍ଣର ୨୨ ରାଇଫଲରେ ମାରି ହୋଇଥାନ୍ତା ତଥାପି ଡଙ୍ଗାରେ ବସି ରାଇଫଲ ଚଳାଇବା କଷ୍ଟକର ବ୍ୟାପାର-। ଡଙ୍ଗାଟି ସବୁବେଳେ ହଲଚଲ ହେଉଥାଏ ପବନ ବାଜି । ତେଣୁ ବଡ଼ କଷ୍ଟ ହେଲା ବତକ ମାରିବା ପାଇଁ ।

 

ସେଥିପାଇଁ ଗୋଟାଏ ଉପାୟ କରାଗଲା । ଆମେ ସବୁ ଡଙ୍ଗାରେ ଲେପ୍‌ଟି ପଡ଼ି ଶୋଇଗଲା ଭଳି ରହିଲୁ । ଡଙ୍ଗାବାଲାମାନେ ଓହ୍ଳାଇ ପଡ଼ି ପାଣିରେ ଚାଲି ଚାଲି ଧୀରେ ଧୀରେ ଡଙ୍ଗାଟାକୁ ଗୋଟାଏ ବତକ ଦଳ ଆଡ଼କୁ ଠେଲି ଠେଲି ନେଲେ । ଏତେ ଧୀରେ ଧୀରେ ଯିବାକୁ ହେଲା ଯେ ସେ ଦଳଟି ଭୟଭୀତ ହେଲେ ନାହିଁ । ଆମେ ପାଖକୁ ଯାଇ ପାରିଲୁ । ସେ ବତକ ଦଳ ଉପରେ ଆମେ ତିନି ଜଣ ବାରବୋର ଫୁଟାଇଲୁ ଅଲଗା ଅଲଗା ଜାଗାକୁ । ମୋ ଆଡ଼ରୁ ଦୁଇଟା ଓ ଅନ୍ୟମାନଙ୍କ ଆଡ଼ରୁ ସେପରି ଚାରି ପାଞ୍ଚଟା ବତକ ମାଡ଼ହେଲା । ସେମାନଙ୍କ ଭିତରୁ ଚାରୋଟି ଆମେ ଜଲଦି ପାଇଗଲୁଁ । ଅନ୍ୟ ଦୁଇ ତିନୋଟି ଘାଉଲା ହୋଇ ପାଣିରେ ବୁଡ଼ି ଗଲେ । ଅନେକ ସମୟ ପରେ ସେଥିରୁ ଦୁଇଟି ଉଦ୍ଧାର କଲୁଁ ଆଉ ଖୋଜା ଖୋଜି କରି ଅନ୍ୟଟିକୁ ପାଇଲୁ ନାହିଁ । ନଳ ବଣ ଭିତରେ ବତକ ଥରେ ବୁଡ଼ି ରହିଲେ ତାକୁ ଖୋଜି ବାହାର କରିବା କଷ୍ଟକର । ୟା ପରେ ଆମେ ଆଉ ସେପରି ସୁବିଧା ପାଇଲୁ ନାହିଁ ବନ୍ଧୁକ ଫୁଟାଇବା ପାଇଁ । ଦୂରରେ କିନ୍ତୁ ଦେଖୁଥାଉଁ ବହୁତ ହଂସ, ବତକ ଇତ୍ୟାଦି ଖେଳି ବୁଲୁଥାନ୍ତି ମହାମଉଜରେ । ଖରା ହୋଇ ଆସୁଥାଏ । ଏଣେ ଆମେ ତ କିଛି ପାଇଗଲୁଣି । ଫେରିବାଙ୍କୁ ମନସ୍ଥକରି ଡଙ୍ଗା ଗାଁକୁ ନେବାକୁ କହିଲୁଁ ଓ ଜଳଯୋଗର ବ୍ୟବସ୍ଥା କଲୁଁ ।

 

ବାଟରେ ଆସୁ ଆସୁ ନାଉରିଆ ସଙ୍ଗେ ବହୁତ କଥା ହେଲା ଆମର । ସେମାନେ କିପରି ମାଛ ମାରନ୍ତି ଓ କଙ୍କଡ଼ା ଧରନ୍ତି ଇତ୍ୟାଦି । ଶିକାର କଥା ହେଲାରୁ ସେ କହିଲା କିପରି ନାନା ଉପାୟରେ ପୋଚାରମାନେ ବତକ ଧରିନେଇ ବିକ୍ରି କରୁଛନ୍ତି । ଗୋଟାଏ ପୁରୁଣା କଳା ହାଣ୍ଡି ମୁଣ୍ଡ ଉପରେ ରଖି ଶିକାରୀ ପୂରାପୂରି ପାଣି ଭିତରେ ରହେ । ହାଣ୍ଡି ଦେହରେ ଦୁଇଟି କଣା ଥାଏ ଦେଖିବା ପାଇଁ । ଆସ୍ତେ ଆସ୍ତେ ପାଣି ଭିତରେ ଶିକାରୀ ଯାଏ ଓ ହାଣ୍ଡିଟି ମଧ୍ୟ ଭାସି ଯାଏ ତା’ ମୁଣ୍ଡ ଉପରେ । ବତକମାନ ହାଣ୍ଡିକୁ ଡରନ୍ତି ନାହିଁ । ଶିକାରୀ ଜଣକ ବତକ ପାଖକୁ ଯାଇ ତା’ର ଗୋଡ଼ ଦୁଇଟି ଧରି ପାଣି ଭିତରକୁ ଟାଣି ନିଏ । ଅନ୍ୟ ବତକମାନେ ଭାବନ୍ତି ସେ ବତକଟି ବୁଡ଼ିଗଲା ଖାଇବା ପାଇଁ । ଶିକାରୀ ପୁଣି ଅନ୍ୟ ଏକ ବତକ ପାଖକୁ ଯାଏ ଓ ତାକୁ ମଧ୍ୟ ବୁଡ଼ାଇ ନିଏ । ଏହିପରିଭାବରେ ସେ ଅନେକ ବତକ ନିଜେ ଧରିଥାଏ ଏବଂ ଜାଲ ଭିତରେ ପୁରାଇ ପଦାକୁ ବାହାରିଆସେ । ସେଗୁଡ଼ିକ ବିକ୍ରିକରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରେ ।

 

ଆହୁରି ଅନେକ ଶିକାରୀ ଅଛନ୍ତି ଯେଉଁମାନେ ନାଇଲନ ଜାଲ ଠିକ୍ ପାଣି ଉପରୁ ଚାରିପାଞ୍ଚ ଫୁଟ ପର୍ଯ୍ୟନ୍ତ ଖୁଣ୍ଟ ପୋତି ବାନ୍ଧି ଦେଇଥାଆନ୍ତି । ବତକମାନେ ପାଣି ଉପରେ ଉଡ଼ିଲା ବେଳେ ବେଶ ତଳେ ତଳେ ଉଡ଼ନ୍ତି ବିଶେଷତଃ ସକାଳୁଆ । ନାଇଲନ ଜାଲକୁ ସକାଳୁଆ କୁହୁଡ଼ିରେ ଦେଖି ନ ପାରି ଶହ ଶହ ସଂଖ୍ୟାରେ ଏଇ ଜାଲ ଭିତରେ ପଶିଯାନ୍ତି । ଶିକାରୀମାନେ ସେ ସବୁକୁ କଲିକତା ନେଇଯାଇ ବିକ୍ରି କରନ୍ତି । ଏହିପରି ଅନେକ ଅନ୍ୟାୟ ଉପାୟରେ ବତକମାନଙ୍କୁ ମାରି ଦିଆଯାଉଛି ।

 

ସ୍ୱାଧୀନତା ପରଠାରୁ ଏହିପରି ଶିକାର ଅନେକ ପରିମାଣରେ ବଢ଼ିଯାଇଛି । ଫଳରେ ବତକ ସଂଖ୍ୟା ପ୍ରାୟ କମି ଆସିଲାଣି । ଯାହାହେଉ ସୁଖର କଥା ଭାରତ ସରକାର ୧୯୭୩ ସାଲରୁ ଚିଲିକାରୁ ପକ୍ଷୀ ଅଭୟାରଣ୍ୟ (Sanctuary) ବୋଲି ଘୋଷାଣାକରି ସମସ୍ତ ପ୍ରକାର ପକ୍ଷୀ ଶିକାରକୁ ନିଷିଦ୍ଧ କରି ଦେଇଛନ୍ତି । ତେଣୁ ଏବେ ଏବେ ବହୁ ବତକ ନିର୍ଭୟରେ ଖୁବ୍ ପାଖରେ ଦେଖାଯାଉଛନ୍ତି । ତଥାପି ଏଡ଼େ ବଡ଼ ହ୍ରଦରେ ପୋଚିଂ କ’ଣ ବନ୍ଦ କରିହେବ ? ପୋଚାରମାନଙ୍କୁ ଧରିବା ପାଇଁ ଖୁବ୍ ବଡ଼ ସଂସ୍ଥାଟିଏ ଗଢ଼ିବା ଦରକାର ଓ ସେଥିରେ କର୍ମଚାରୀମାନେ ପୋଚାରମାନଙ୍କୁ ଧରି ଦଣ୍ଡ ଦେଇ ପାରିବାର ଅଧିକାର ଦେବା ଦରକାର । ତା’ ନହେଲେ ପୋଚିଂ ବନ୍ଦ କରିବା କାଠିକର ପାଠ ।

Image

 

ପେରିଆର ଅଭୟାରଣ୍ୟରେ ଛ’ଘଣ୍ଟା

 

୧୯୭୪ ମସିହା ଜାନୁଆରୀ ଏକତିରିଶ ତାରିଖରେ ଭାରତର ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ଅଧିବେଶନ ବସୁଥାଏ ତ୍ରିଭେନ୍ଦ୍ରମରେ । ମୁଁ ମୋର ସ୍ତ୍ରୀଙ୍କ ସାଙ୍ଗରେ ନେଇ ପହଞ୍ଚିଲି ସେଥିରେ ଯୋଗଦେବାକୁ । ସେଠାକୁ ଯାଇ ଦେଖିଲି ଥେକେଡ଼ି ଯିବାପାଇଁ ମଧ୍ୟ ବନ୍ଦୋବସ୍ତ ହୋଇଛ । ଖୁବ୍ ସୁବିଧା ହେଲା । ତିନି ତାରିଖ ଭୋର ପାଞ୍ଚଟାରେ ଆମେ ବାହାରି ପଡ଼ିଲୁ । ଗୋଟାଏ ନୂଆ ବସ୍ ଆମ ପାଇଁ ଥାଏ । ଆମ ସଙ୍ଗେ ଅନ୍ୟ ଜାଗାର ଡାକ୍ତରମାନେ ମଧ୍ୟ ଗଲେ । ତ୍ରିଭେନ୍ଦ୍ରମ ଛାଡ଼ୁ ଛାଡ଼ୁ ଆମକୁ ସାଢ଼େ ପାଞ୍ଚଟା ହେଲା । ବାଟ ସାରା ପ୍ରାୟ ଘରଦ୍ୱାର ଲାଗି ରହିଛି । ପାହାଡ଼ଗୁଡ଼ାକରେ ଥାକ ଥାକ ହୋଇ (terracing) ରବର ଗଛ ଲଗାଯାଇଛି । ରବର ଗଛ ପନ୍ଦର ଶହରୁ ଦୁଇ ହଜାର ଫୁଟ ଉପରେ ଭଲହୁଏ । ସ୍ଥାନେ ସ୍ଥାନେ ପାହାଡ଼ କନ୍ଦିମାନଙ୍କରେ କଦଳୀ ଗଛ ମଧ୍ୟ ଲଗାଯାଇଛି । ପ୍ରତ୍ୟେକଟି ଜାଗାରେ କିଛି ନା କିଛି ଫସଲ ହୋଇଛି । ଆମେ ଆଠଟା ସରିକି ପହଞ୍ଚିଲୁ କୁଇଲନ । ବାଟରେ କିଛି ଜଳଯୋଗ ମଧ୍ୟ ହେଲା ।

 

ତା’ପରେ ଆସ୍ତେ ଆସ୍ତେ ଆମେ ପଶ୍ଚିମ ପର୍ବତପୁଞ୍ଜ ଉପରକୁ ଚଢ଼ିଲୁ । ସେ ଘାଟିରେ ଏସ୍‌ଫାଲଟର ରାସ୍ତା କେଡ଼େ ସୁନ୍ଦର ବାଙ୍କି ବାଙ୍କି ଯାଉଥାଏ । ଯହୁଁ ଯହୁଁ ଉପରକୁ ଉଠୁଥାଉଁ ତହୁଁ ତହୁଁ ପବନ ଶୀତଳ ହୋଇ ଆସୁଥାଏ ଓ ଚାହା ବଗିଚାରେ ରାସ୍ତାର ଦୁଇକଡ଼ ଭର୍ତ୍ତି ହୋଇଯାଉଥାଏ । ସ୍ଥାନେ ସ୍ଥାନେ ଚାହା କାରଖାନା ମଧ୍ୟ ତିଆରି ହୋଇଛି । ପ୍ରତ୍ୟେକ ପାହାଡ଼ରେ ଘରମାନ ମଧ୍ୟ ଅଛି ନିଜର ପ୍ଳାନଟେସନ ଜଗିବା ପାଇଁ । ଏ ପ୍ରଧାନ ରାସ୍ତା ଛଡ଼ା ଆହୁରି ଅନେକ ଛୋଟିଆ ଛୋଟିଆ ରାସ୍ତା ମଧ୍ୟ ଜିପ ଓ ମଟରଗାଡ଼ି ଯିବା ପାଇଁ କରାଯାଇଛି । ଆମ ବସଟା ନୂଆ ଥିବାରୁ ପାହାଡ଼ ଚଢ଼ିବାକୁ କଷ୍ଟ ହେଉନଥାଏ । ତ୍ରିଭେନ୍ଦ୍ରମରୁ ଥେକେଡ଼ି ପ୍ରାୟ ଦୁଇଶହ ସତୁରି କିଲୋମିଟର ହେବ । ଘାଟି ରାସ୍ତା ହୋଇ ନ ଥିଲେ ଆମକୁ ମୋଟେ ପାଞ୍ଚ ଛଅ ଘଣ୍ଟା ଲାଗନ୍ତା । ମାତ୍ର ଘାଟି ପାଇଁ ଆଠ ଘଣ୍ଟାରୁ କମ୍‌ ଲାଗିବ ନାହିଁ । ଗୋଟାଏ ପର୍ବତ ଶିଖରରୁ ଆର ପର୍ବତ ଶିଖରକୁ ଯିବାକୁ ରାସ୍ତା ଢେର ବାଙ୍କି ବାଙ୍କି ଯାଇଛି । ଖୁବ୍‌ ଭଲ ଲାଗୁଥାଏ । ତଳକୁ ଚାହିଁ ଦେଲେ ମଥା ବୁଲାଇ ଯିବ । ବସଟି ରାସ୍ତାର ଧାରକୁ ହୋଇଗଲାରୁ ଛାତି ଧଡ଼କିନା ହୋଇଯାଉଥାଏ । ଯଦି ତଳକୁ ଖସି ପଡ଼ିଲା ତ କ’ଣ ହେବ ! ଆଗରୁ ଆସୁଥିବା ଗାଡ଼ିକୁ ତ ବାଟ ଛାଡ଼ିବାକୁ ହେବ । ତେଣୁ ବେଳେ ବେଳେ ରାସ୍ତାର ଖୁବ୍‌ ଧାରକୁ ଆସିଯାଉଥାଏ । ଆମମାନଙ୍କର ଆଖି ବୁଜି ହୋଇଯାଉଥାଏ । ଭଲ ଡ୍ରାଇଭର–କିଛି ଡରିବାର ନଥାଏ–ହେଲେ ମଧ୍ୟ ଦେହ ଶୀତେଇ ଯାଉଥାଏ ।

 

ଚାହା ଗଛର ମାଳ । ପାହାଡ଼ମାନଙ୍କରେ କାର୍ପେଟ ବିଛାଇଲା ଭଳି ହୋଇଥାଏ । ସକାଳିଆ ମନୋରମ ସୂର୍ଯ୍ୟକିରଣ ସେ ସାଗୁଆ କାର୍ପେଟ ଉପରେ ବିଛାଡ଼ିହୋଇ ପଡ଼ିଥାଏ–ଅପୂର୍ବ ଶୋଭା । ମଧ୍ୟେ ମଧ୍ୟେ ରବର ଗଛର ବଣ । ଏହିପରି ଶୋଭନୀୟ ଦୃଶ୍ୟ ଦେଖୁ ଦେଖୁ ଆମେ ଯାଇ ପହଞ୍ଚିଲୁ ତିନିହଜାର ଫୁଟ ଉପରେ । ତା’ପରେ ଜଙ୍ଗଲ ପଡ଼ିଲା । ସୁନ୍ଦର ସଂରକ୍ଷିତ ଜଙ୍ଗଲ । ହେଲେ ମଧ୍ୟ ସ୍ଥାନେ ସ୍ଥାନେ ଘରମାନ ଅଛି । ପ୍ରାୟ ଲୋକାରଣ୍ୟ । ମଧ୍ୟେ ମଧ୍ୟେ ସ୍କୁଲ କଲେଜ ମଧ୍ୟ ଦେଖିବାକୁ ପାଇଲୁ–ଗାଁ ଗଣ୍ଡା ମଧ୍ୟ ଅଛି । ଦିନ ବାରଟା ସରିକି ଥେକେଡ଼ିରେ ପହଞ୍ଚିଲୁ । ସେଠାରେ ସରକାରଙ୍କ ତରଫରୁ ଗୋଟାଏ ବଙ୍ଗଳା ତିଆରି ହୋଇଛି । ନାମଟା ତା’ର ଅରଣ୍ୟ ନିବାସ । ଅରଣ୍ୟ ନିବାସ ନାମଟା ଖାଲି ନାମକାବାସ୍ତେ, ମାତ୍ର ସହର ଭଳି ସରଞ୍ଜାମ ସେଠାରେ ଅଛି । ଗୋଟାଏ ବାର (Bar), ପାଣିକଳ, ବାରଲାଇଟ୍‌ ଇତ୍ୟାଦି ଇତ୍ୟାଦି ମଧ୍ୟ ଅଛି । ଦୁର୍ଯୋଗକୁ ସେଦିନ ବିଜୁଳି ନ ଥିଲା । ତେଣୁ ଆମେ ପାଣି ଟୋପାଏ ପାଇଲୁ ନାହିଁ ଧୁଆ ଧୋଇ ହେବା ପାଇଁ । ମନ ତ ଥାଏ କିପରି ଅଭୟାରଣ୍ୟ ଭିତରକୁ ଯିବା । ମୋ ସ୍ତ୍ରୀଙ୍କୁ ଅନ୍ୟମାନଙ୍କ ସହ ଗପ ହେବାକୁ ଛାଡ଼ି ମୁଁ ଗଲି ପାଣି ଧାରକୁ । ଅନେକ ଗୁଡ଼ାଏ ପାଓ୍ୟାର ବୋଟ ଥୁଆ ହୋଇଛି । ତା’ ମଧ୍ୟରୁ ସବୁଠାରୁ ବଡ଼ଟା ହେଉଛି ଜଣେ ପ୍ରାଇଭେଟ ଲୋକର । ସେ ଭଡ଼ାରେ ତାକୁ ଚଳାଏ । ଅଧିକାଂଶ ଲୋକ ଏଇ ବୋଟମାନଙ୍କରେ ହ୍ରଦର ଅନ୍ଦିକନ୍ଦି ବୁଲି ଜନ୍ତୁମାନଙ୍କୁ ଦେଖନ୍ତି ।

 

ଦୁଇଟି ପୋଷା ହାତୀ ହାଉଦା ବନ୍ଧା ହୋଇ ମଧ୍ୟ ରଖାଯାଇଛି । ଯେ ଚାହିଁବ ହାତୀ ଉପରେ ବସି ବୁଲି ପାରିବ–କିଛି ଭଡ଼ା ଦେଲେ । ହାତୀଗୁଡ଼ିକ ଛୋଟ ଛୋଟ । ମୋତେ ଖୁବ୍‌ ଭଲ ବୋଲି ମନ ହେଲାନାହିଁ । ଆମର ରହଣି ମଧ୍ୟ ଖୁବ୍ କମ ସମୟ ପାଇଁ । ସନ୍ଧ୍ୟା ଛଅଟାରେ ବାହାରିବାକୁ ହେବ । ତେଣୁ ଆଉ ହାତୀ ପାଇଁ ମନ ନ ବଳାଇ ସେଇ ପ୍ରାଇଭେଟ ବୋଟଟିରେ ଯିବାପାଇଁ ମନ ସ୍ଥିର କଲୁ । ଅରଣ୍ୟନିବାସରେ ଖାଦ୍ୟପେୟର ବନ୍ଦୋବସ୍ତ ହୋଇଥାଏ । ବୁଫେ ଲଞ୍ଚ । ମାଂସ ତରକାରୀଟା ଅତ୍ୟନ୍ତ ଭଲ ଲାଗିଲା । ମୁଁ ବେଶ ପେଟେ ଠୁଙ୍କି ଦେଲି ।

 

ବୋଟରେ ବସିବା ବେଳକୁ ଦିନ ତିନିଟା । ଚାଲିଲୁ ହ୍ରଦ ଭିତରକୁ । ଏଇ ପେରିଆର ହ୍ରଦଟି କୃତ୍ରିମ ହ୍ରଦ । ତିନିହଜାର ଫୁଟ ଉପରେ ପଶ୍ଚିମ ପର୍ବତ ପୁଞ୍ଜ ଉପରେ ପେରିଆର ଓ ଆଉ ଗୋଟାଏ ନଦୀର ସଙ୍ଗମ ସ୍ଥାନର ତଳେ ପକ୍‌କା ବନ୍ଧ ଦେଇ ପାଣିକୁ ବନ୍ଧ କରାଯାଇଛି ସନ ୧୯୦୦ ସାଲରେ । ଫଳରେ ପାହାଡ଼ମାନଙ୍କର ମଝିରେ ମଝିରେ ପାଣି ଠେଲି ହୋଇ ରହିଛି ମାଇଲ ମାଇଲ ହେବ । ଅନେକ ପାହାଡ଼ ପାଣି ମଝିରେ ରହିଯାଇଥିବାରୁ ଟାପୁ ଭଳିଆ ଚାରିପାଖରେ ପାଣି । ସେ ସବୁ ପାହାଡ଼ରେ ପ୍ରାୟ ଜନ୍ତୁ ରହନ୍ତି ନାହିଁ, କେବଳ ହାତୀ ଛଡ଼ା । ସ୍ଥାନେ ସ୍ଥାନେ ପାଣିର ଗଭୀରତା ପ୍ରାୟ ଚାଳିଶ ଫୁଟରୁ ଅଧିକ । ଅନେକ ଜାଗାରେ ଗଛ ଗୁଡ଼ାକ କଟାଯାଇ ନ ଥିବାରୁ ଗଛ ଥୁଣ୍ଟାମାନ ପାଣି ଭିତରେ ରହି ହ୍ରଦର ସୌନ୍ଦର୍ଯ୍ୟ କିୟତ ପରିମାଣରେ ନଷ୍ଟ କରୁଛନ୍ତି ଓ ବୋଟ ଯିବା ଆସିବାରେ ବାଧା ଆଣୁଛନ୍ତି । ଏଇ ହ୍ରଦର ପାଣି ଟନେଲଦ୍ୱାରା ତାମିଲନାଡ଼ୁକୁ ନିଆଯାଇଛି । ହ୍ରଦ ମଧ୍ୟରେ ଓ ଚତୁଃପାର୍ଶ୍ୱରେ ଥିବା ପାହାଡ଼ଗୁଡ଼ିକ ପ୍ରାୟ ଛଅହଜାର ଫୁଟ ପର୍ଯ୍ୟନ୍ତ ଉପରକୁ ଉଠିଛି । ଅନେକଟା ଇଂଲଣ୍ଡର ଲେକ୍‌ ଡିଷ୍ଟ୍ରିକ୍‌ଟ ଭଳିଆ ।

 

ଏହିସବୁ ପାହାଡ଼ମାନଙ୍କରେ ଜଙ୍ଗଲ । ସ୍ଥାନେ ସ୍ଥାନେ ଗଛଗୁଡ଼ିକ ବଡ଼ ବଡ଼ ଓ ନିବିଡ଼ ଜଙ୍ଗଲ । ସ୍ଥାନେ ସ୍ଥାନେ କିନ୍ତୁ ଖାଲି ଘାସର ବଣ । ଜନ୍ତୁମାନେ ପାଣି ଧାରରେ ଚରିବୁଲି ଖାଇଲାବେଳେ ବୋଟରୁ ଦେଖାଯାଆନ୍ତି । ଦିନବେଳେ ଏମାନେ ବାହାରିଥାନ୍ତି । ଅନେକ ଜନ୍ତୁ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ ବୋଟ ଉପରେ ଲୋକ ଛିଡ଼ା ହୋଇଥିଲେ ମଧ୍ୟ ପଳାଉ ନ ଥାନ୍ତି ।

 

ବୋଟଟି ପ୍ରାଇଭେଟ ହେଲେ ମଧ୍ୟ ସରକାରଙ୍କ ତରଫରୁ ଜଣେ ଗାଇଡ଼ ଆମ ସାଙ୍ଗରେ ଗଲେ । ସେ ଆମେ କେଇଜଣ କ୍ୟାମେରାବାଲାଙ୍କଠାରୁ ପଇସା ଉଠାଇବାକୁ ଚେଷ୍ଟା କରୁଥିଲେ । ତାଙ୍କ ସଙ୍ଗେ ଯୁକ୍ତି ହେଲା ଫଟୋ ଉଠାଇବା ବିଷୟରେ । ଅଭୟାରଣ୍ୟରେ ଫଟୋ ଉଠାଇବାକୁ ତ ମନା ନାହିଁ–ସେ କାହିଁକି ପଇସା ନେବେ ଇତ୍ୟାଦି । ପରେ ବୁଝିଲାରୁ ଜଣାଗଲା ଯେ ସେଉଟା ତାଙ୍କର ହାତପାଣ୍ଠି ପାଇଁ ସେ ଉଠାଇବାର ଚେଷ୍ଟା କରୁଥିଲେ । ଯାହାହେଉ ଆମ ପାଟିତୁଣ୍ଡରେ ସେ ଆଉ ପଇସା ଉଠାଇ ପାରିନଥିଲେ ।

 

ଥୁଣ୍ଟା ଗଛମାନଙ୍କ ମଧ୍ୟଦେଇ ବୋଟ ଗଲାବେଳେ ଭାରି ଡର ମାଡ଼ୁଥାଏ । କାଳେ ଯଦି ଥୁଣ୍ଟା ଗଛରେ ବୋଟ ବାଡ଼େଇ ହୋଇଯିବ ତ ବୋଟ ଓଲଟି ପଡ଼ିବ କିମ୍ବା କଣା ହୋଇଯିବ । କ’ଣ କରିବା । ଡ୍ରାଇଭର କିନ୍ତୁ ବଡ଼ କାୟଦାରେ ତା’ ଭିତର ଦେଇ ନେଇଗଲା । ଡାହାଣ ପାଖ ପାହାଡ଼ ଉପରେ ଦେଖିଲୁ ଆଉ ଗୋଟାଏ ରେଷ୍ଟ ହାଉସ ଅଛି । ସେଠାକୁ ଲୋକେ ବୋଟରେ ଯିବା ଆସିବା କରନ୍ତି । ସେଠାରେ ରହିଲେ ମଧ୍ୟ ଜନ୍ତୁ ଦେଖାଯାଆନ୍ତି । ସେ ରେଷ୍ଟ ହାଉସରେ ଅନେକ ବିଦେଶୀ ଲୋକଙ୍କୁ ଦେଖିବାକୁ ପାଇଲୁ । ଖୁବ୍ ନିଛାଟିଆ ଶାନ୍ତ ଜାଗା ସେଉଟା । ସେଠାରେ ରହି ପାରିଲେ ଖୁବ୍‌ ଆନନ୍ଦ ଲାଗନ୍ତା ବୋଧହୁଏ–କିନ୍ତୁ ବେଳ କାହିଁ !

 

ଆମେ ହ୍ରଦର ଛୋଟ ଛୋଟ କ୍ରିକ (creek) ମାନଙ୍କରେ ନ ଯାଇ ପ୍ରଧାନ ନଈଟିରେ ରହିଲୁ । କିଛି ବାଟ ଗଲା ପରେ ଗୋଟାଏ ଛୋଟ କ୍ରିକ ପାଖରେ ଦଳେ ବାରହା ଦେଖିଲୁ । ସେମାନେ ପାଣି ପାଖରେ ଚରି ବୁଲୁଥିଲେ । ଆମକୁ ଦେଖି ଜଙ୍ଗଲକୁ ପଳାଇଗଲେ । ଫଟୋ ନେବାକୁ ସୁବିଧା ହେଲା ନାହିଁ । ଆଉ କିଛି ଦୂର ଆଗେଇ ଗଲୁ । ସୂର୍ଯ୍ୟକିରଣ ଆମ ମଥାରେ ଟାଏଁ ଟାଏଁ ବାଜୁଥାଏ । ହ୍ରଦର ପାଣି ସ୍ୱଚ୍ଛ ନୀଳବର୍ଣ୍ଣ; ପରିଷ୍କାର ଥାଏ, । ଆମେ କେଇଜଣ ଫଟୋ ନେବୁ ବୋଲି ଡେକ ଉପରେ ଥାଉ । ବୋଟ ଆଗକୁ ଚାଲିଥାଏ ପ୍ରାୟ ତିରିଶ କିଲୋମିଟର ସ୍ପିଡ଼ରେ ।

 

ହଠାତ୍‌ ଦେଖିଲୁ ବାମ ପାଖ ପାହାଡ଼ ଉପରେ ଦଳେ ହାତୀ । ସେ ଦଳରେ ପ୍ରାୟ ଦଶଟି ବଡ଼ ବଡ଼ ହାତୀ ଓ ତିନୋଟି ଛୁଆ ଥାଆନ୍ତି । ଦନ୍ତା ହାତୀ ଦେଖିଲୁ ନାହିଁ । ସେମାନେ ଘାସ ଖାଇ ଖାଇ ପାଣି ଆଡ଼କୁ ଆସୁଥାଆନ୍ତି । ଆମେ ଅନୁମାନ କଲୁ ଯେ ସେମାନେ ପାଣିକୁ ଗାଧୋଇବାକୁ ଆସି ପାରନ୍ତି । ତେଣୁ ବୋଟ ନେଇ ଆମେ ଆଗକୁ ଚାଲିଲୁ । ଫେରନ୍ତି ରାସ୍ତାରେ ହାତୀଗୁଡ଼ିକ ପାଣିରେ ଥିବା ଆଶା ରଖିଲୁ । ଅନେକ ବାଟ ନଦୀରେ ନଦୀରେ ଯାଇ ଆମେ ନଦୀର ପକା ବନ୍ଧ ପାଖରେ ଉଠିଲୁ । ସେଠି ବୋଟ ବନ୍ଦ କରି ଉପରକୁ ଗଲୁ । ପ୍ରାୟ ଶହେ ଦେଢ଼ଶ ଫୁଟର ପକା ପାଚେରୀ ବନ୍ଧ କରି ନଦୀକୁ ବନ୍ଦ କରାଯାଇଥାଏ,,ଏବଂ ହ୍ରଦର ସୃଷ୍ଟି କରାଯାଇଥାଏ । ଗୋଟାଏ ଛୋଟ ହୁଡ଼ିର ଏପଟରେ ଉଦ୍‌ବୃତ୍ତ ପାଣି ବାହାରି ଯିବା ପାଇଁ ବାଟ (spill way) ମଧ୍ୟ କରାଯାଇଛି । ତା’ ନ କରିଥିଲେ ବେଶି ପାଣି ରହିଯାଇ ପ୍ରଧାନ ବନ୍ଧକୁ ଭାଙ୍ଗି ଦେଇପାରେ । ପଚାରି ବୁଝିଲୁ ଯେ ବନ୍ଧ ପାଖରେ ପାଣିର ଗଭୀରତା ପ୍ରାୟ ପଚାଶ ଫୁଟରୁ ଅଧିକ ।

 

ଜାଗାଟି ଖୁବ୍‌ ମନୋରମ ହୋଇଥାଏ । ଚାରିଆଡ଼େ ପାହାଡ଼ର ମାଳ ଓ ପାହାଡ଼ର ପାଦ ଛୁଇଁ ଜଳରାଶି । ମୁକ୍ତ ନୀଳ ଆକାଶ ଓ ଦିଗ୍‌ବଳୟରେ ସୂର୍ଯ୍ୟାସ୍ତ ସମୟର ଅପରୂପ ଶୋଭା ନ ଦେଖିଲେ ଉପଭୋଗ କରିବାର ସୁଯୋଗ ମିଳେ ନା । ଯାଉ ଯାଉ ବାଟରେ ଗାଇଡ଼କୁ ପଚାରି ବୁଝିଲୁ ଯେ ପେରିଆର ଅଭୟାରଣ୍ୟରେ ହାତୀ ବହୁତ ଅଛନ୍ତି । ପ୍ରାୟ ଛଅ ଶହ ଘର ହାତୀ ଅଛନ୍ତି-। ଅନ୍ୟାନ୍ୟ ଜନ୍ତୁ କମ ଅଛନ୍ତି । ତଥାପି ବାରହା, ଗୟଳ, ସମ୍ବର, ହରିଣ, କୁଟୁରା ଓ ବଣୁଆ କୁକୁର ଏ ଜଙ୍ଗଲରେ ଦେଖାଯାଆନ୍ତି । ବାଘ ଅତ୍ୟନ୍ତ କମ ସଂଖ୍ୟାରେ ଅଛନ୍ତି । ମଧ୍ୟେ ମଧ୍ୟେ ପୋଚିଂ କମିଯାଇଛି । ତଥାପି ଲୋକମାନେ ପାହାଡ଼ ଆରପଟରୁ ଚାଲି ଚାଲି ଆସି ଜନ୍ତୁ ମାରି ନିଅନ୍ତି-

 

କ୍ରମେ ସନ୍ଧ୍ୟା ହୋଇଯାଇଛି । ହାତୀମାନଙ୍କର ଫଟୋ ଉଠାଇବାକୁ ହେବ । ଆମେ ପୁଣି ବୋଟରେ ବସି ଫେରିଲୁ । ହାତୀଗୁଡ଼ିକ ସତକୁ ସତ ପାଣି ପାଖକୁ ଆସିଯାଇଛନ୍ତି । ଆମେ ବୋଟଟିକୁ ଆସ୍ତେ ଆସ୍ତେ ପାଣି ଧାରକୁ ନେଲୁ । ହାତୀମାନଙ୍କର ଫଟୋ ନେଲୁ । ମୋ କ୍ୟାମେରାରେ ଟେଲିଫଟୋ ଲେନ୍‌ସ ନ ଥିଲା । ତେଣୁ ଦେଢ଼ଶହ ଗଜ ଦୂରରୁ ଫଟୋ ଖୁବ ଭଲ ଉଠି ନ ଥିଲା । ଟେଲିଫଟୋ ଲେନ୍‌ସ ଥିଲେ ଖୁବ ସୁନ୍ଦର ଫଟୋ ଉଠିଥାଆନ୍ତା ।

 

ଏ ଦଳର ହାତୀଗୁଡ଼ିକ ଡରୁଆ ନୁହନ୍ତି । ବୋଧହୁଏ ବୋଟକୁ ଦେଖି ଦେଖି ତାଙ୍କର ଅଭ୍ୟାସଗତ ହୋଇଗଲାଣି । ସେମାନେ ପଳାଇ ନ ଯାଇ ଘାସ ଖାଇବାରେ ଲାଗି ପଡ଼ିଥାନ୍ତି । ବୋଟରେ ବହୁତ ଲୋକ ଥିଲେ । ସ୍ତ୍ରୀ ଲୋକମାନେ ମଧ୍ୟ ଥିଲେ । ତେଣୁ ଓହ୍ଲାଇଯାଇ ଫଟୋ ନେବାକୁ ସୁବିଧା ଜନକ ମନେ କଲି ନାହିଁ । ବୋଟରେ ଆମର ପାଟି ତୁଣ୍ଡକୁ ଖାତିର ନ କରି ହାତୀଗୁଡ଼ିକ ଘାସ ଖାଇବାରେ ବ୍ୟସ୍ତ ରହିଥାନ୍ତି । ଗୋଟାଏ ଦୁଇଟି ହାତୀ ପାହାଡ଼ର ଧୂଳି ଶୁଣ୍ଢରେ ନେଇ ଦେହ ଉପରେ ପକାଉଥାନ୍ତି । ଗୋଟାଏ ଅଣ୍ଡରା ହାତୀ ଆମ ଆଡ଼କୁ ଅନାଇ ବୀର ଦର୍ପରେ ଶୁଣ୍ଢ ଟେକି ରହିଲା । ଆମମାନଙ୍କ କେମେରା ଠିକ୍ ଏତିକିବେଳେ କ୍ଲିକ୍ କ୍ଲିକ୍ ଶବ୍ଦରେ ଗୁଞ୍ଜରି ଉଠିଲା ମଧ୍ୟ । ସୁନ୍ଦର ଛବିଗୁଡ଼ିକ ହେବ ପରା । ବଣରେ ଏଡ଼େ ସୁନ୍ଦର ଜୀବ ଦେଖିଲେ ସତରେ ମନରେ ଖୁବ୍‌ ଆନନ୍ଦ ଆସେ । ସେଇଠି ରହି ସେମାନଙ୍କୁ ଆହୁରି ଦେଖିବା ପାଇଁ ମନ ଟାଣେ । ମାତ୍ର ସମୟ କାହିଁ ! ଆଜିର ମଣିଷ ନିଜର ପେଟ ପୋଷିବାରେ,ଏତେ ବ୍ୟସ୍ତ ଯେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ସମୟ ପାଏନା ।

 

ହାତୀଗୁଡ଼ିକ ଦେଖୁ ଦେଖୁ,ସବୁ ଚିନ୍ତା ମନରେ ଆସିଲା । କିନ୍ତୁ କାହିଁକି ସବୁ ଜୀବ ଖେଦା କରି ଧରାଯାଏ ! ସେମାନଙ୍କୁ ଜବରଦସ୍ତି ମଣିଷର ବୋଲ ମାନିବାକୁ ପଡ଼େ । କିଏ, କାଠ ବୋହେ ତ କିଏ ପୁଣି ମଣିଷକୁ ପିଠିରେ ବସାଇ ଜଙ୍ଗଲ ବୁଲାଇ ନିଏ । କିଏ ରଥ ଟାଣେ ତ କିଏ ଯୁଦ୍ଧରେ ସାହାଯ୍ୟ କରେ । ଏସବୁ ଉପକାର ହାତୀମାନେ ମଣିଷ ପାଇଁ କରିଥାଆନ୍ତି । ବଣରେ ଥଲେ ମଧ୍ୟ ହାତୀମାନେ ବଣର ଜନ୍ତୁମାନଙ୍କ ପାଇଁ ବହୁତ ଉପକାର କରିଥାନ୍ତି । ଘନ ଜଙ୍ଗଲମାନଙ୍କରେ ହାତୀ ଅନ୍ୟମାନଙ୍କ ପାଇଁ ବାଟ ଫିଟାଇ ଦେଇଥାଏ । ହାତୀ ଯେଉଁ ବାଟରେ ଯାଏ ତାହା ସୁଡ଼ଙ୍ଗ ଭଳି ହୋଇଯାଇ ସୁନ୍ଦର ରାସ୍ତା ଫିଟିଯାଏ । ଅନ୍ୟ ଜନ୍ତୁମାନେ ଅକ୍ଳେଶରେ ସେ ବାଟରେ ଯାଇପାରନ୍ତି । ଖରାଦିନରେ ସବୁଆଡ଼ୁ ପାଣି ଶୁଖିଗଲେ ହାତୀମାନେ ଶୁଖିଲା ନଦୀ ବା ନାଳ ବାଲି ଖୋଳି ପାଣି ବାହାର କରନ୍ତି । ଏଥିରେ ଅନ୍ୟାନ୍ୟ ଜନ୍ତୁମାନେ ଆସି ପାଣି ପିଇଥାଆନ୍ତି-। ହାତୀ ବିନା ଏପରି ଖୋଳି ପାଣି ବାହାର କରିବା ଅନ୍ୟ ଜନ୍ତୁମାନଙ୍କର ସାଧ୍ୟାତୀତ । ହାତୀମାନେ ପ୍ରତି ଦିନ ଟନ୍ ଟନ୍ ଡାଳପତ୍ର ଖାଇ ହଜମ କରି ଖତରେ ପରିଣତ କରନ୍ତି । ଏହାଦ୍ୱାରା ଜଙ୍ଗଲର ଉପର ମାଟି (top soil) ବା ହ୍ୟୁମସ୍‌ (Humus) ର ବୃଦ୍ଧି ହୋଇ ଜଙ୍ଗଲ ଓ ଜମି ଉର୍ବର ହୁଏ-। ଏହି ସବୁ ଇକୋଲଜିକେଲ ସୁବିଧା ହାତୀମାନଙ୍କଠାରୁ ମିଳିଥାଏ । ଏଣୁ ଏ ପୃଥିବୀ ରାଇଜରେ ହାତୀର ମଧ୍ୟ ସ୍ଥାନ ଅଛି । ଏମାନଙ୍କୁ ଜଙ୍ଗଲରୁ ମୂଳପୋଛ କରିଦେବା ମୋଟେ ଠିକ ହେବନାହିଁ-। ତାହାହେଲେ ଆମର ଇକୋଲଜିର (ecology) ବହୁତ ବିଭ୍ରାଟ ଦେଖାଯିବ ।

 

ଅନେକ ସମୟ ହାତୀମାନଙ୍କୁ ଦେଖିବା ପରେ ଏବଂ ଫଟୋ ନେଲା ପରେ ଆମେ ଅରଣ୍ୟ ନିବାସକୁ ଫେରିଲୁ । ତଥାପି ହାତୀମାନେ ସେହିପରି ସେଠାରେ ଖେଳୁଥାଆନ୍ତି । ସଞ୍ଜ ପ୍ରାୟ ଆସନ୍ନ । ଆଉ କିଛି ଜନ୍ତୁ ଦେଖିବାକୁ ପାଇଲୁ ନାହିଁ । ଏ ଅଳ୍ପ ସମୟ ମଧ୍ୟରେ ବା ଆଉ କ’ଣ ଦେଖାଯାଇଥାଆନ୍ତା !

 

ଅରଣ୍ୟ ନିବାସରେ ପହଞ୍ଚି ଆମେ କିଛି ଚା’ ଜଳଖିଆ ଖାଇ ଫେରିଲୁ ତ୍ରିଭେନ୍ଦ୍ରମ । ରାତିରେ ଆଉ ପାହାଡ଼ ପର୍ବତର ଦୃଶ୍ୟ ଦେଖିବାକୁ ହେଲା ନାହିଁ । ଠାଏ ଠାଏ ପାହାଡ଼ରେ ନିଆଁ ଲାଗିଛି । ହୁ ହୁ ଜଳୁଛି । ଲୋକମାନେ ଜାଣିଶୁଣି ବୋଧହୁଏ ଜଙ୍ଗଲ ସଫା କରୁଛନ୍ତି ରବର ପ୍ଳେନଟେସନ କରିବେ ବୋଲି । ପୁଣି ଆଠଘଣ୍ଟା ବସଟାରେ ପଡ଼ିରହିବାକୁ ହେବ ଭାବିଲାରୁ ଦେହ ଅବଶ ହୋଇ ଆସିଲା । ନିଦ ଆସିଲା । ରାତି ନଅଟା ବେଳକୁ ରାତି ଖିଆ ପାଇଁ ଓହ୍ଳାଇ ପେଟେ ପେଟେ ଖାଇନେଲୁ । ପୁଣି ବସରେ ବସିଲୁ । ତ୍ରିଭେନ୍ଦ୍ରମ ପହଞ୍ଚିବାକୁ ରାତି ଗୋଟାଏ । ଯେ ଯାହା ହୋଟେଲକୁ ଫେରି ଶୋଇଲୁ ତହିଁ ଆରଦିନ ସକାଳ ଆଠଟା ଯାକେ । କନ୍‌ଫରେନ୍‌ସ ସରିଯାଇଛି-। ତେଣୁ ତର ତର ହେବାର ବା କ’ଣ ଅଛି ।

Image